ଆଉ ସେମାନଙ୍କର ପ୍ରଶ୍ନ ଶୁଣି ପାରୁନାହିଁ। ବ୍ୟଥାହୀନ ଭାବରେ ମୁଁ ଅତି ଦୂରସ୍ଥ ଦର୍ଶକ ଜଣେ ଯେପରି ବୋଧ ହେଉଛି, ଦୁଇ ଜଣ ଏସ୍ ଏସ୍ ଲୋକ ପୁଣି ସେଲ୍କୁ ମତେ ବୋହି ଯାଉଛନ୍ତି। ଓଃ, କି ନିଷ୍ଠୁର ଭାବରେ ଝାଙ୍କି ଦେଉଛନ୍ତି ଷ୍ଟ୍ରେଚର୍କୁ। ହସି ହସି ମୋତେ ପଚାରୁଛନ୍ତି, ବେକରେ ଦଉଡ଼ି ଦେଇ ମରିବାକୁ ମୁଁ ରାଜି କି ନା!
ଗୁରୁବାର
ପୁଣି ସବୁ ଦେଖିପାରୁଛି, ବୁଝିପାରୁଛି। ମୋର ସଂଗୀ କୟେଦୀଙ୍କ ମଧ୍ୟରୁ ଜଣଙ୍କର ବୟସ ଟିକିଏ କମ, ତାର କାରେକ୍। ଆଉ ଆରଜଣକ ବୟସ୍କ, କାରେକ୍ ତାଙ୍କୁ ‘ବାପା’ ବୋଲି ଡାକେ। ସେମାନେ ମତେ ସେମାନଙ୍କ ନିଜ ସମ୍ବନ୍ଧରେ କ’ଣ କହୁଛନ୍ତି କିନ୍ତୁ ସେସବୁ ମୋର ମୁଣ୍ଡ ମଧ୍ୟରେ ଗୋଳମାଳିଆ ଧରିଗଲା। ସେମାନେ ଗୋଟାଏ ଖଣି ବିଷୟରେ କ’ଣ କହୁଥିଲେ? ବେଞ୍ଚରେ କେତେକ ପିଲା ବସିଥିଲେ। ସେ କଥା ବି ଘଣ୍ଟାଟାଏ ବାଜିବାର ଶୁଣିଲି, କେଉଁଠି ନିଆଁ ଲାଗିଛି ବୋଧହୁଏ।ସେମାନେ କହଁନ୍ତି, ରୋଜ ଜଣେ ଡାକ୍ତର ମତେ ଦେଖିବାକୁ ଆସେ ଆଉ ଆସେ ଏସ୍. ଏସ୍ ଅର୍ଦ୍ଦାଳି।ମୋର ଅବସ୍ଥାଟା ସେପରି ସଙ୍ଗୀନ ନୁହେଁ, ଆଉ ମୁଁ ଶୀଘ୍ର ସମ୍ପୂର୍ଣ୍ଣ ଭଲ ହୋଇଯିବି ବୋଲି ସେମାନେ କହନ୍ତି। “ବାପା” ଏକଥା କହେ ଆଉ କାରେକ୍ ସେଇ କଥା ଉପରେ ଏତେ ଜୋର୍ଦେଇ ଏପରି ଉତ୍ସାହପୂର୍ଣ୍ଣ ଭାବରେ ସମର୍ଥନ ଜଣାଏ ଯେ ମୋର ଦୁର୍ଦ୍ଦଶା ମଧ୍ୟରେ ବି ମୁଁ ବୁଝିପାରେଁ, ସେମାନେ ଡାହା ମିଛ କହୁଛନ୍ତି। ଦୁହେଁ ବେଶ୍ ବଢ଼ିୟା ଲୋକ! ହାୟ ସେମାନଙ୍କ କଥା ବିଶ୍ବାସ କରିପାରୁନାହିଁ ଯାହା!
ଅପରାହ୍ନ।
ଗାରଦର ପରଦା ଖୋଲିଲା। ନିଶବ୍ଦରେ ପୂରାପୋଷାକରେ ଭିତରେ ଢ଼ୁକିଲା ସେଇ କୁକୁରଟା। ସେ ମୋ ମୁଣ୍ଡ ପାଖରେ ଆସି ଛିଡ଼ା ହେଲା,ତଲାସ କଲାଭଳି ଆଖି କରି ମୋ ଆଡ଼କୁ ଅନେଇଲା। ଆହୁରି ଦୁଇ ହଳ ଓଜନଦାର ବୁଟ୍। ବର୍ତ୍ତମାନ ଜାଣିପାରିଛି ହେଲେ କୁକୁରର ମାଲିକ ପ୍ୟାନ୍କ୍ରାଟସ୍ ଜେଲ୍ଖାନାର ସୁପରିନ୍ଟେଣ୍ଡଣ୍ଟ; ଆଉ ହଳକର ମାଲିକ ଗେଷ୍ଟାପୋର କମ୍ୟୁନିଷ୍ଟ ବିରୋଧୀ ବିଭାଗର କର୍ତ୍ତା; ମୋର ପ୍ରଥମ ରାତିର ଜେରାର ଭାର ଥିଲା ତାହାରି ଉପରେ। ତାଛଡ଼ା ବେସାମରିକ କେତେଟା ପାଇଜାମା। ମୋର ଦୃଷ୍ଟି ଉପରକୁ ସେମାନଙ୍କ ଆଡ଼େ ଉଠିଲା-ହଁ,ଚିହ୍ନି ପାରିଛି। ଏ ସେହି ଡେଙ୍ଗା ପାତଳା ଅଫିସର ଚଢ଼ୋଉ କରିଥିବା ଦଳର ନେତୃତ୍ବ କରୁଥିଲା ସେଦିନ। ଚୌକିରେ ବସିପଡ଼ି ସେ ପଚାରିବାକୁ ଆରମ୍ଭ କରିଦେଲା।
-ତମେ ତ ହାରିଗଲ। ଏହିକ୍ଷଣି ଅନ୍ତତଃ ନିଜକୁ ରକ୍ଷାକର।କୁହ, କଥା କୁହ।
ସେ ମତେ ଖଣ୍ଡେ ସିଗାରେଟ୍ ଯାଚିଲା। ମୋର ଲୋଡ଼ାନାହିଁ ସେଥିରେ । ଅସହ୍ୟ ବୋଧହେଲା। -ବକ୍ସାସ୍ ମାନଙ୍କ ସାଙ୍ଗରେ କେତେଦିନ ଥିଲ?
ବକ୍ସାସ୍ ମାନଙ୍କ ସାଙ୍ଗରେ । ଅତିରିକ୍ତ ହୋଇଗଲା କିଏ ଏମାନଙ୍କୁ କହିଲା?-ଦେଖୁଛ ତ ଆମେ ସବୁ ଜାଣୁ, ଏଥର କହିପକାଅ।
ଯଦି ସବୁ ଜାଣ, ମୁଁ ଆଉ ଅଧିକା ତମକୁ କାହିଁକି କହିବି?ମୋର ଜୀବନ ବୃଥା ନଷ୍ଟ କରିନାହିଁ, ଶେଷଦିନ କେଇଟା ବ୍ୟର୍ଥ କରି ଦେବାକୁ ମୁଁ ରାଜି ନୁହେଁ।
ତଦନ୍ତ ଚାଲିଲା ଘଣ୍ଟାଏ କାଳ। ସେ ପାଟିକରି ଉଠେନାହିଁ, ଧୈର୍ଯ୍ୟ ସହକାରେ ସେ ବାର ବାର ଗୋଟାଏ ପ୍ରଶ୍ନ ପଚାରେ, ଆଉ ଯେତେବେଳେ ଉତ୍ତର ନ ପାଏ, ପଚାରେ ଆଉ ଏକ ପ୍ରଶ୍ନ , ତାପରେ ଆଉ ଗୋଟାଏ, ଯେପରି ଅନ୍ତ ନାହିଁ ତାର।
-ବୁଝି ପାରୁନାହିଁ।ଜାଣୁଚ, ଏ ତମର ଶେଷ। ତୁମେ ସମସ୍ତେ ହାରି ଯାଇଛ॥
-ନା, ମୁହିଁ ଖାଲି ହାରି ଯାଇଛି।
- କମ୍ୟୁନିଜିମ୍ର ଜୟଲାଭରେ ବର୍ତ୍ତମାନ ସୁଦ୍ଧା ତମର ବିଶ୍ବାସ।
-ସ୍ବତଃସିଦ୍ଧ।
-“ଏ ତଥାପି ବିଶ୍ବାସ କରୁଛ?”ମୁଖ୍ୟ କର୍ତ୍ତା ଜର୍ମାନୀରେ ପଚାରିଲା। ଡେଙ୍ଗା ଅଫିସରଟା ଅନୁବାଦ କରି ପଚାରିଲା-ସେ ଏବେ ବି ବିଶ୍ବାସ ରଖିଛି ରୁଷିଆ ଜିଣିବ?
-ସ୍ବତଃସିଦ୍ଧ।
-ସ୍ବତଃସିଦ୍ଧ।ଅନ୍ୟଥା ହୋଇନପାରେ।
ମୁଁ କ୍ଳାନ୍ତ। ହୁସିଆର ରହିବାଲାଗି ସମସ୍ତ ଶକ୍ତି ସଂଗ୍ରୟ କରିଥିଲି। ଏବେ ମୋର ଚେତନା ବେଗେ ତୁଟି ଯାଉଛି, ଠିକ୍ ଯେପରି ଗଭୀର କ୍ଷତମୁଖରୁ ରକ୍ତଧାର ଛୁଟେ।
ମୁଁ ଅନୁଭବ କରୁଛି ସେମାନେ ଯେପରି ହାତ ବଢ଼େଇ ଦେଇଛନ୍ତି-
ସମ୍ଭବତଃ ମୋର କପୋଳଦେଶରେ ମରଣର ଛାପ ଦେଖୁଛନ୍ତି। ଫାସିଦେବା ପୂର୍ବରୁ ଘାତୁକ ବଧ୍ୟକୁ ଚୁମା ଦେବ-ଏପରି ରୀତି ପ୍ରଚଳିତ ଅଛି ତ ପୁଣି।
ସନ୍ଧ୍ୟା।
ଦୁଇଜଣ ବ୍ୟକ୍ତି ହାତଯୋଡ଼ି ବୃତ୍ତାକାରରେ ବୁଲୁଛନ୍ତି, ଜଣକ ପଛରେ ଆଉ ଜଣେ,ଶୋକଗାଥା ଗାଉଛନ୍ତି;କର୍କଶ କ୍ରନ୍ଦନ ସ୍ବରରେ।
ସୂର୍ଯ୍ୟର ତାପ ପୁଣି ତାରାର ଜ୍ୟୋତି
ଲିଭିଯାଏ ଯେବେ,ମିଳାଇ ଯାଏ…
ଆଚ୍ଛା ଲୋକ ହେ, ବନ୍ଦକର। ଗୀତଟି ଚମତ୍କାର ହୋଇପାରେ । କିନ୍ତୁ ଆଜି, ରାତି ପାହିଲେ ଯେ ମଇ ପହିଲା। ଆଜି ତାର ଆଗିଲା ସଞ୍ଜ। ମଇ ପହିଲା…ସବୁଠାରୁ ସୁନ୍ଦର ଆଉ ଆନନ୍ଦର ଦିନ, ଛୁଟିର ଦିନ। ମନଫୁଲାଣିଆ କିଛି ଗୋଟାଏ ଗାଇବାକୁ ଚେଷ୍ଟାକଲି, କିନ୍ତୁ ସମ୍ଭବତଃ ଆହୁରି ବିଷାଦମୟ ହେଲା ସେ ସ୍ବର,କାହିଁକି ନା, କାରେକ୍ ମୁହଁ ବୁଲେଇ ନେଲା, “ ବାପା” ଆଖି ପୋଛିଲା। କିନ୍ତୁ କିଏ ଶୁଣେ ତାଙ୍କ କଥା, ମୁଁ ଗାଇ ଚାଲିଛି, ସେମାନେ ବି ଯୋଗଦେଲେ ଧୀରେ ଧୀରେ । ବେଶ ଖୁସି ମନରେ ଶୋଇ ପଡ଼ିଲି।
ମଇ ପହିଲା ବଡ଼ି ଭୋର।
ଜେଲଖାନାର ଗମ୍ଭୁଜର ଘଡ଼ିରେ ତିନିଟା ବାଜିଲା। ଏଇ ପ୍ରଥମ ମୁଁ ତା ସ୍ପଷ୍ଟ ଶୁଣିପାରିଲି। ମୋର ସମ୍ପୂର୍ଣ୍ଣ ସଂଜ୍ଞା ଫେରିଆସିଛି। ଉନ୍ମୁକ୍ତ ବାତାୟନ ପଥରେ ବିଶୁଦ୍ଧ ପବନ ଖିଲଖଲ ବହୁଛି, ଚଟାଣରେ ଛଣ ମସିଣା ଚାରିକଡ଼େ ଖେଳିଯାଉଛି। ମୁଁ ଛଣ ଉପରି ଶୋଇଛି…ଏକଥା ମୁଁ ହଠାତ୍ ଅନୁଭବ କଲି। ନିଃଶ୍ବାସ ନେବାକୁ କଷ୍ଟ ହେଉଛି, ମୋ ଦେହର ପ୍ରତ୍ୟେକ ସ୍ଥାନରେ ଯେପରି ସହସ୍ର ବେଦନା ଜଡ଼ୀଭୂତ। ହଠାତ୍ ଖିଡ଼କୀ ଖୋଲିଦେଲେ ଯେପରି ସ୍ପଷ୍ଟ ଦେଖାଯାଏ, ସେହିପରି ମୁଁ ସ୍ପଷ୍ଟ ଦେଖିପାରୁଛି ଯେ ମୋର ଅନ୍ତିମ ସମୟ ଉପସ୍ଥିତ। ମୁଁ ମୁମୂର୍ଷୁ।
ହେ ମରଣ। ତୁମେ ଆସିବାରେ ବଡ଼ ଡେରିକଲ। ଏକ ସମୟରେ ଆଶି ଥିଲା ବହୁ, ବହୁ ବର୍ଷ ପରେ ତମ ସଙ୍ଗରେ ହେବ ମୋର ପରିଚୟ। ଆଶା କରିଥିଲି ସ୍ବାଧୀନ ମନୁଷ୍ୟ ହୋଇ ବଞ୍ଚିବି, କେତେ କାମ କରିବି, କେତେ ଭଲ ପାଇବି। ମନ ଖୁସିରେ ଗୀତ ଗାଇବି ଆଉ ପୃଥୀବି ସାରା ଘୂରି ବୁଲିବି। ମୁଁ ଯୌବନରେ ପଦାର୍ପଣ କରିଛି ମାତ୍ର, ଦେହରେ ମୋର ଅମିତ ଶକ୍ତି। ଏବେ ଆଉ ତ ଶକ୍ତି ନାହିଁ। ସବୁ କୁଆଡ଼େ ଉଭେଇ ଯାଇଛି।