ଫାଶୀ- ଆସାମୀର ଚୋରା-ଚିଠି




ନଂ ୨୬୭ ଗାରଦ

     କବାଟଠାରୁ ଝରକା, ଆଉ ଝରକା ପାଖରୁ କବାଟ ସାତପାହୁଣ୍ଡ, ସେଇଟା ମୁଁ ଠିକ୍‌ ରୂପେ ଜାଣେ।

     ଏଇତକ ବାଟ କେତେଥର ମୁଁ  ଏପାଖ ସେପାଖ ହେଇଛି ମୋର ପ୍ୟାନ୍‌କ୍ରାଟସ୍‌ ଗାରଦର ପାଇନକାଠ ତକ୍ତା ଉପରେ। ନଗରବାସୀମାନଙ୍କର ଆତ୍ମଘାତୀ ନୀତି ଚେକ୍‌ ଜାତିର କି କ୍ଷତି କରିବ ତାହା ମୁଁ ଅତି ସ୍ପଷ୍ଟ ବୁଝିପାରିଥିଲି ବୋଲି ବୋଧହୁଏ ଏଠାରେ ଆଜି ଏଇ ଗାରଦରେ ବସିରହିଛି। ଆମର ଜାତି ବର୍ତ୍ତମାନ କୁଶରେ ବିଦ୍ଧ ହୋଇପଡ଼ିରହିଛି। ମୋର ଗାରଦର ସମ୍ମୁଖରେ ପଦଚାରଣ କରୁଛନ୍ତି ଜର୍ମୀନରକ୍ଷୀ ଦଳ। ବାହାରେ ସେଣେ କେଉଁଠି ରାଜନୈତିକ ନିୟତି ବିଶ୍ବାସଘାତକତାର ସୂତା କାଟୁଛି। ଆଖି ଖୋଲିବାକୁ ମନୁଷ୍ୟକୁ କେତେ ଶତାବ୍ଦୀ ଲାଗେ? ଅଗ୍ରଗତିର ପଥରେ ଅଗୁସାର ହେବାକୁ ମନୁଷ୍ୟକୁ କେତେ ସହସ୍ର ବନ୍ଦୀଶାଳାର ଗାରଦ ପାର ହେବାକୁ ପଡ଼ିଛି? ଆଉ ପାର ହେବାକୁ ପଡ଼ିବ? ହେ ନେରୁଦାର ଖ୍ରୀଷ୍ଟ ଶିଶୁଗଣ,ମନୁଷ୍ୟର ମୁକ୍ତିପଥର ଶେଷ ନାହିଁ। କିନ୍ତୁ ଅବଶେଷରେ ମଣିଷ ତ ଜାଗି ଉଠିଛି,ଉଠିଛି।

   ସାତ ପାହୁଣ୍ଡ ଆଗକୁ, ସାତ ପାହୁଣ୍ଡ ପଛକୁ। ଗୋଟାଏ ପଟ କାନ୍ଥକୁ ଲାଗି ଉଠା ଖଟିଆଟିଏ,ଆଉ ଗୋଟାଏ କଦର୍ଯ୍ୟ ମାଟିଆ ଥାକ। ତା ଉପରେ ମାଟିର ଗୋଟାଏ ପାତ୍ର। ହଁ, ଏସବୁ ଜାଣେ। ଜେଲ୍‌ଖାନାଗୁଡ଼ାକରେ ବର୍ତ୍ତମାନ ଯନ୍ତ୍ର ଯୁଗର ଆଭାସ ଲାଗିଛି। ମଧ୍ୟସ୍ଥଳରେ ଉତ୍ତାପର ବ୍ୟବସ୍ଥା ଅଛି, ଆଗକାଳର ବାଲ୍‌ଟି ବଦଳରେ ଚେନଟଣା ପାଇଖାନା-ଲୋକଗୁଡ଼ିକ ମଧ୍ୟ ଯନ୍ତ୍ରଚାଳିତ। ପ୍ରଧାନ କଥା ଲୋକଗୁଡ଼ାକ ବିଲକୁଲ ଯନ୍ତ୍ରଚାଳିତ ।ଗୋଟା ବୋତାମ ଚିପିଦେଲେ ଦୁଆର ତାଲାରେ ଚାବି ଘୂରିବ କର୍କଶ ଶବ୍ଦ କରି ନୋହିଲେ ଉଣ୍ଡି ଚାହିଁବାର ଫାଙ୍କ ଗାରଦ ଭିତରକୁ ଖୋଲିଯିବ-ଆଉ କୟେଦୀମାନେ କୁଦି ପଡ଼ି ଛିଡ଼ା ହେବେ, ସେତେବେଳେ ସେମାନେ ଯାହା କରୁଥାଆନ୍ତୁ ପଛକେ। କବାଟ ଯିମିତି ଖୋଲିବ , ଗାରଦର କୟେଦୀମାନଙ୍କ ମଧ୍ୟରେ ବୟୋଜ୍ୟେଷ୍ଠ ଜଣକ ଏକ ନିଃଶ୍ବାସରେ ଚିତ୍କାର କରି ଉଠିବ।

  “ ହୁସିୟାର! ଦୁଇଶ ସତଷଠି ନମ୍ବର ଗାରଦ। ତିନିଜଣ କୟେଦୀ ସବୁ ଠିକ୍‌।”

   ଦୁଇଶ ସତଷଠି ନମ୍ବର ଆମର ଗାରଦ। କିନ୍ତୁ  ଯନ୍ତ୍ରଗୁଡ଼ାକ ଆଜି ଠିକ୍‌ ଭାବରେ କାମ କଲାନାହିଁ। କେବଳ ଦୁଇ ଜଣ କୁଦି ପଡ଼ି ଛିଡ଼ାହେଲେ। ଝରକା ତଳେ ମୁଁ ଛଣ ମସିଣାରେ  ଚୁପ୍ କରି ଶୋଇ ରହିଛି ମୁହଁମାଡ଼ି…ସପ୍ତାହେ,କି ଦୁଇ ସପ୍ତାହ ମାସେ କି ଛଅ ସପ୍ତାହ ହେଲା ପଡ଼ିରହିଛି ସେହିପରି। ମୋର ଯେପରି ପୁନର୍ଜନ୍ମ ହେଉଛି। ବର୍ତ୍ତମାନ ମୁଁ ମୁଣ୍ଡ ବୁଲେଇ ପାରୁଛି। ହାତ ଟେକି ପାରୁଛି, କହୁଣିରେ ଭରାଦେଇ ଉଠିପାରୁଛି, ଲେଉଟି ପିଠିମାଡି ଶୋଇବାକୁ ଚେଷ୍ଟା ମଧ୍ୟ କରିଥିଲେ। ଚଞ୍ଚଳ ଚଞ୍ଚଳ ଲେଖିପାରୁଛି, ଆଗେ ତ ଏତେ ଚଞ୍ଚଳ ପାରୁନଥିଲି।

  ଗାରଦରେ ପରିବର୍ତ୍ତନ ହୋଇଛି। ଦୁଆରେ ତିନି ଜଣଙ୍କ ବଦଳରେ ଦୁଇ ଜଣଙ୍କର ନାମ। କାରେକ୍‌ ଅନ୍ତର୍ଦ୍ଧାନ ହୋଇଯାଇଛି। କାରେକ୍‌ ଥିଲା ମୋର ଅନ୍ତ୍ୟେଷ୍ଟିରେ ଶୋକଗାଥା ଗାଉଥିଲେ ଯେଉଁ ଦୁଇଜଣ ତାଙ୍କରି ମଧ୍ୟରୁ ଅଳ୍ପବୟସ୍କ ଯୁବକଟି-ସହୃଦୟତାର ସ୍ତୃତି ମାତ୍ର ରଖିଯାଇଛି। ତାକୁ ଅଧା ସ୍ବପ୍ନରେ ମୁଁ ଦେଖିପାରେ ଯାହା, ମନେପଡ଼େ ଆମ ସହିତ ତାର ଅବସ୍ଥାନର ଶେଷ ଦୁଇଟି ଦିନ। ସେ ତା ବିରୁଦ୍ଧରେ ଅଭିଯୋଗର କଥା ତନ୍ନତନ୍ନ କରି ବାରମ୍ବାର ଆବୃତ୍ତି କରୁଥିଲା। ଆଉ ମୁଁ ପ୍ରତିଥର କାହାଣୀର ମଝିରେ ଶୋଇପଡୁଥିଲି।

   ତାର ନାମ କାରେକ୍‌ ମାଲେଡସ୍‌।ଆଗେ ହୁଡଲିଡସ୍‌ ନିକଟବର୍ତ୍ତୀ କୌଣସି ଲୁହାଖଣି(ଖଣିତ ନୁହେଁ-ପିଞ୍ଜରା) ରେ ମିସ୍ତ୍ରୀ କାମ କରୁଥିଲା। ସେ କେତେକ ବିସ୍ପୋରକ ପଦାର୍ଥ ନେଇ ଆସିଥିଲା। ଗୋପନ ଯୁଦ୍ଧରେ ସେ ଗୁଡ଼ାକ ଆବଶ୍ୟକ। ଦୁଇବର୍ଷ ଆଗେ ସେ ଗିରଫ ହୋଇଥିଲା ଆଉ ବିଚାର ପାଇଁ ଯାଉଛି ସମ୍ଭବତଃ ବର୍ଲିନକୁ।  ଦଳେ ତ ଯାଉଛନ୍ତି ,କିଏ ଜାଣେ କି ଶାସ୍ତିହେବ।ତାର ସ୍ତ୍ରୀ ଆଉ ଦୁଇଟି ପିଲା ଅଛନ୍ତି-ତାକୁ ସେ ଖୁବ୍ ଭଲପାଏ-କିନ୍ତୁ …“ଏ ମୋର କର୍ତ୍ତବ୍ୟ; ଏହାଛଡ଼ା ମୁଁ ଦୋସରା କିଛି କରିପାରି ନଥାନ୍ତି।”

  ମୋ ଖଟିଆରେ ବସି  ମତେ ଖୁଆଇ ଦେବାକୁ ଚେଷ୍ଟା କରୁଥିଲା ସେ । ମୁଁ ଖାଇ ପାରୁନଥିଲି। ଶନିବାର-ମୁଁ ଏଠିକି ଆଠଦିନ ହେଲା ଆସିଲିଣି? –ସେ ତା ଶେଷ ଚାଲ୍‌ ଚାଲିଲା। ପୁଲିସ- ମାଷ୍ଟରକୁ ଖବର ଦେଲା ଯେ ମୁଁ ଏଠିକି ଆସିବା ଦିନୁଁ କିଛି ଖାଇନାହିଁ। ଏସ୍‌.ଏସ୍‌.ପୋଷାକ ପିନ୍ଧି ପ୍ୟାନ୍‌କ୍ରାଟାସ ଜେଲଖାନାରେ ସଦା ଉଦ୍‌ବିଗ୍ନ ସେହି ଅର୍ଦ୍ଦଳି ପୁଲିସ-ମାଷ୍ଟର ଯାହାର ହୁକୁମ ନପାଇଲେ ଚେକ୍‌ ଡାକ୍ତରଙ୍କର ଆସପ୍ରିନଟାଏ ବି ବ୍ୟବସ୍ଥା କରିବାର ଜୁ ନାହିଁ। ସେ ନେଇ ଆସିଲା ମଗ୍‌ରେ ମଗେ ମଗେ ମଳୁଙ୍କ ସୁପ୍‌ ଆଉ ସେତକ ନ ଢ଼ୋକିବାଯାଏ ମୋ ପାଖରେ ଛିଡ଼ା ହୋଇ ରହିଲା। କାରେକ୍‌ ମହାଖୁସି,ଜୋର କରି ଖୁଆଇବା ପାଇଁ ଆପତ୍ତି କରି ସେ ସଫଳ ହୋଇଛି। ପରଦିନ ରବିବାର ପାଳି; ମଗକ ସୁପ୍‌ ସେ ନିଜେ ମତେ ପିଆଇଲା।

   କିନ୍ତୁ ମୁଁ ବେଶି ଖାଇପାରୁନଥିଲି। ମୋର କ୍ଷତବିକ୍ଷତ ମାଢ଼ି ରବିବାରର ଗୁଲାସ(ମାଂସ ଝୋଳ) ର ଅତିସିଦ୍ଧ ଆଡ଼ୁ ମଧ୍ୟ ଚୋବାଇବାକୁ ଅକ୍ଷମ। ତଣ୍ଟି ଫୁଲିଯାଇଛି ଏମିତି ଯେ କଠିନ ଯାହା କିଛି, ଯେତେ ଛୋଟ ହେଉଚି ପଛେ ଗଳାଧଃକରଣ କରିବାକୁ ନାରାଜ।

  “ଗୁଲାସ ବି ନୁହେଁ। ସେ ଗୁଲାସ ଖାଇବ ନାହିଁ।” କାରେକ୍‌ ଆପତ୍ତି କରେ ଆଉ ବିଷର୍ଣ୍ଣ ହୋଇ ମୁଣ୍ଡ ହଲାଏ।

   ତାପରେ ସେ ନିଜେ ‘ବାପା’ସାଙ୍ଗରେ ଭାଗ କରି ଖାଇଦିଏ ମୋର ଖାଇବା ଜିନିଷତକ।

   ଯେଉଁମାନେ ୧୯୪୨ ସାଲରେ ପ୍ୟାନ୍‌କ୍ରାଟସ୍‌ର ଅତିଥି ହୋଇନାହାନ୍ତି, ସେମାନେ ଗୁଲାସର ସ୍ବାଦ ବୁଝିବେ ନାହିଁ। ତୁମେ କେବେ ବୁଝିପାରିବ ନାହିଁ। ସେହି ଦୁର୍ଦ୍ଦିନରେ ଯେଦେବେଳେ କ୍ଷୁଧାରେ ଆମର କରଡ଼ି ଜଳୁଥିଲା,ଯେତେବେଳେ ସାପ୍ତାହିକ ଧାରାସ୍ନାନ ସମୟରେ ମନୁଷ୍ୟଗୁଡ଼ାକ ଚର୍ମପରିବୃତ କଙ୍କାଳ ପରି ଦେଖାଯାଉଥିଲେ , ସେତେବେଳେ ତମର ଘନିଷ୍ଠତମ ବନ୍ଧୁ ତମର ଖାଦ୍ୟ ଚୋରାଇବାକୁ ଦ୍ବିଧା କରୁନଥିଲା। ବସ୍ତୁତଃ ନ ହେଲେ ବି ଅନ୍ତତଃ ଲୋଲୁପ ଦୃଷ୍ଟିରେ। ସେତେବେଳେ ଶୁଖିଲା ପନିପରିବା ଘାଣ୍ଟ ଆଉ ପାଣିରେ ଗୋଳା ଟମାଟୋ ରସ ମଧ୍ୟ ଉପଦେୟ ଖାଦ୍ୟ। ସେଇ ଦୁର୍ଦ୍ଦିନରେ ଆମର ଖାଇବ ପାତ୍ରରେ ଆଳୁ ଦେଖୁଥିଲୁଁ ସପ୍ତାହରେ ଦୁଇଥର। ଗୁରୁବାର ଆଉ ରବିବାରରେ ଆଳୁ ଉପରେ ଏକ ଚାମୁଚ ଗୁଲାସର ଝୋଳ ଆଉ ମାଂସର ପତଳା ଟୁକୁରା କେତେ ଖଣ୍ଡ। ଚମତ୍କାର ସ୍ବାଦ-କିନ୍ତୁ ସ୍ବାଦଠାରୁ ତହିଁରେ ଥିଲା ଅଧିକ ମୂଲ୍ୟ-ସେ ଥିଲା ମନୁଷ୍ୟର ଜୀବନର ବାସ୍ତବ ସ୍ମାରକ। ଗେଷ୍ଟାପୋ କୟେଦୀଖାନାର ଅସ୍ବାଭାବିକତା ମଧ୍ୟରେ ଏହିତକ ଯେପରି କେତେକଟା ସଭ୍ୟତାନୁମୋଦିତ ଓ ସ୍ବାଭାବିକ ଜୀବନର ଦାନ। କି ଅପୂର୍ବ ଆନନ୍ଦରେ ଗୁଲାସ ବିଷୟରେ ଆମେ କଥାବାର୍ତ୍ତା ହେଉଥିଲୁ। ମୁମୂର୍ଷୁର ଦୈନନ୍ଦିନ ଭୀତି ସଙ୍ଗରେ ଏକ ଚାମଚ ମାଂସର ଝୋଳ ଯେ କେତେ ମୂଲ୍ୟବାନ ହୋଇପାରେ ତାହା କିଏ ବୁଝିବ।




+ -

© Jataayu Charitable Trust
Site designed,developed & maintained by Tekons