କାରାଗାରେ ବନ୍ଦୀ,ସାଥୀ ହେ ମୋର
ଉଦ୍ଧତ ପ୍ରାଚୀର ଛିଡ଼ା କଠୋର;
ଚରଣ ମିଳାଇ ନ ପାରିଲେ ନାହିଁ
ଏକହିଁ ଲଢ଼ାଇ ଏକହିଁ ସୁର।
ହଁ, ଆମେ ଅଛୁଁ ତୁମ ସାଥିକି!
ଦୁଇଶ ସତଷଠୀ ନମ୍ବର ଗାରଦରେ ୧୯୪୩ ସାଲର ମଇ ଦିବସ ଉତ୍ସବ ପାଳନର ପରିସମାପ୍ତି ସେତିକିରେ ହେଲା ବୋଲି ଆମେ ଭାବିଲୁଁ। କିନ୍ତୁ ଏତିକିରେ ଶେଷ ହେଲାନାହିଁ। ନାରୀ କୟଯୀଙ୍କ ନାରୀ ୱାର୍ଡ଼ର ଅଗଣାରେ ପଦକ୍ଷେପ କରି ଚାଲିଛନ୍ତି।ଲାଲ ଫୌଜର ଯାତ୍ରା ସଙ୍ଗୀତ ମୁହଁରେ ସୁସୁରୀ ବଜେଇ ଗାଉଛି। ତାପରେ ଗାଇଲା ପାର୍ତିଜାଙ୍କା ଆଉ ଅନ୍ୟାନ୍ୟ ସୋଭିଏଟ୍ ଗୀତ। ପୁରୁଷମାନଙ୍କ ଗାରଦର ସାହାସ ସଙ୍ଗେ ସଙ୍ଗେ ସଂମିଶ୍ରିତ କରୁଛି ତାହାର ନିର୍ଭୀକତା। ଚେକ୍ ପୁଲିସର ପୋଷାକପିନ୍ଧା ଲୋକଟି-ଯେ ମୋତେ କାଗଜ ଆଉ ପେନ୍ସିଲ ଆଣି ଦେଇଥିଲା- ସେ ପହରା ଦେଉଛି ବାହାରେ ଛିଡ଼ା ହୋଇ ଯେପରି ମୋ ଲେଖିବା ସମୟରେ କେହି ହଠାତ୍ ଆସି ମୋ ଉପରେ ନଜର ନ ପକାନ୍ତି। ଆଉ ଜଣେ ଚେକ୍ ପ୍ରହରୀ-ସେ ମୋତେ ଲେଖିବକୁ ଉତ୍ସାହିତ କରିଛି, ଆଉ ଲେଖା ସରିଗଲେ ସେ କାଗଜ ଗୁଡ଼ାକ ନେଇଯାଏ ଲୁଚେଇ କରି ରଖିବାକୁ, ଉପଯୁକ୍ତ ସମୟ ଆସିଲେ ସେଗୁଡ଼ିକ ଛାପା ହେବ। ଏଇ କାଗଜ ଖଣ୍ଡକ ପାଇଁ ତାର ହୁଏତ ମୁଣ୍ଡକାଟ ହୋପାରେ, ତେବେ ବି ସେ ଜୀବନକୁ ବିପନ୍ନ କରୁଛି ଆଜିର କାରା ପ୍ରାଚୀରର ଅନ୍ତରାଳ ଆଉ ଆଗାମୀ ଦିନର ସ୍ବାଧୀନତାର ବ୍ୟବଧାନ ଭିତରେ କାଗଜର ସେତୁ ନିର୍ମାଣ କରୁଛି। ସମସ୍ତେ ଏକହିଁ ସଂଗ୍ରାମ ଲଢ଼ୁଛନ୍ତି-ଅସୀମ ସାହାସରେ, ଯେଉଁଠି ଥାଆନ୍ତୁ ପଛକେ, ଯୋଉ ହତିଆର ହେଉନା କାହିଁକି। ସେମାନେ ଏ ବିଷୟରେ ଏତେ ନିରାଡମ୍ବର ଆଉ ସରଳ, ଏପରିକି ଶୋଚନା ବି ନହିଁ, ତୁମର କେବେମନେ ହେବନାହିଁ ଯେ ଏ ମରଣ ପଣ ଯୁଦ୍ଧ। ଏ ଯୁଦ୍ଧରେ ସେମାନେ ବିଜୟୀ ହେବେ କି ମୃତ୍ୟୁବରଣ କରିବେ ତା ଏ ପର୍ଯ୍ୟନ୍ତ..
ଦଶଥର କୋଡ଼ିଏଥର ବିପ୍ଳବୀ ବାହିନୀର ମଇ ଦିବସ ପ୍ୟାରେଡ଼୍ ତୁମେ ଦେଖିଥିବ। ଚମତ୍କାର ସେ ପ୍ୟାରେଡ଼୍। କିନ୍ତୁ ଯୁଦ୍ଧରେ ହିଁ ତୁମେ ସେମାନଙ୍କର ଶକ୍ତିର ପରିଚୟ ପାଇବ, ବୁଝି ପାରିବ ସେମାନେ ଅଜେୟ। ତୁମେ ଯାହା ଭାବିଥିଲ ତାଠାରୁ ମୃତ୍ୟୁ ଅନେକ ସହଜ, ଆଉ ବୀରତ୍ବ ଲାଗି ଟାହିଆ ନାହିଁ। କିନ୍ତୁ ଯୁଦ୍ଧ ତମର ଧାରଣାଠାରୁ ଅନେକ ନିଷ୍ଠୁର, ଏଥିର ସ୍ଥିର ରହି ଜୟଲାଭ ପର୍ଯ୍ୟନ୍ତ ଯୁଦ୍ଧ କରିବାକୁ ଲୋଡ଼ା ଅସୀମ ଶକ୍ତି। ତୁମେ ଏଇ ସୈନ୍ୟବାହିନୀକୁ ଅଗ୍ରସର ହେବାର ଦେଖିଛ, କିନ୍ତୁ ସବୁବେଳେ ବୁଝିପାରିନାହିଁ କେତେ ଏହାର ଶକ୍ତି, ତାର ଆଘାତ ଏତେ ନିରାଡ଼ମ୍ବର ଆଉ ନ୍ୟାୟସଙ୍ଗତ।
ଆଜି ତୁମେ ବୁଝିପାରିଛ।
୧୯୪୩ ସାଲର ମଇ ଦିବସର ପ୍ୟାରେଡ଼୍ରେ।
୧୯୪୩ ମଇ ପହିଲା ମୋ କଥା ସ୍ରୋତରେ ମୁହୂର୍ତ୍ତକ ପାଇଁ ବାଧା ସଷ୍ଟି କରିଛି। ତା ତ ହେବାର କଥା । ଉତ୍ସବ ଦିନରେ ମନୁଷ୍ୟର ଭାବନା ଭିନ୍ନ ଧରଣର ହେବ। ଆଉ ଆଜିର ଆନନ୍ଦର ଉପଲବ୍ଧି ହୁଏତ ମୋର ସେହି ସ୍ମୃତିକୁ ବିକୃତ କରିଦେଇପାରେ।
ପେଟ୍ଚେକ୍ ବିଲଡିଂର ‘ସିନେମା’ କଦାପି ଉପଭୋଗର ବସ୍ତୁ ନୁହେଁ। ଏହା ଉତ୍ପୀଡ଼ନଶାଳାର ପ୍ରବେଶଦ୍ବାର। ଏହିଠାରୁ ତୁମେ ଚିତ୍କାର ଆଉ ଗଁ ଗଁ ଶୁଣିପାରିବ,ଭାବିବ-କଣ ଅଛି ତମ ଭାଗ୍ୟରେ କେଜାଣି! ଦେଖିବ ଶକ୍ତି ସମର୍ଥ ଆଉ ସୁସ୍ଥକାୟ ବ୍ୟକ୍ତି ଏହା ମଧ୍ୟରେ ପ୍ରବେଶ କରୁଛି- ଦୁଇ ତିନି ଘଣ୍ଟା ପରେ ଫେରିଆସିଲେ ଏକବାରେ ଭାଙ୍ଗିରୁଜି ଯନ୍ତ୍ରଣାରେ ପଙ୍ଗୁ ହୋଇ। ପ୍ରବେଶ କଳାବେଳକୁ ଏକ ଦୀପ୍ତ ସ୍ବର ତମକୁ ଜଣାଇଥିଲା ବିଦାୟ ସମ୍ଭାଷଣ-ସେଇ ଫେରିଆସିଲା, ବେଦନାରେ ତାର କଣ୍ଠରୁଦ୍ଧ ହୋଇଆସୁଛି, ଭଗ୍ନସ୍ବର ଆଉ ଜ୍ବରାକ୍ରାନ୍ତ। କେତେବେଳେ ଏହାଠାରୁ ଖରାପ ଅବସ୍ଥା ଆଖିରେ ପଡ଼େ। ତୁମେ ଦେଖିଲ ଦୁଇଟି ସ୍ବଚ୍ଛ ଚକ୍ଷୁ ତମ ଆଡ଼କୁ ସହଜ ଭାବରେ ଚାହିଁ ଗୃହ ମଧ୍ୟକୁ ପ୍ରବେଶ କଲା, ଫେରି ଆସିଲା ଯେତେବେଳେ ଆଉ ତମ ମୁହଁଆଡ଼କୁ ଚାହିଁବାକୁ ସାହାସ କରୁନାହିଁ ସେ। ଉତ୍ପୀଡ଼ନ-ଶାଳା ହୁଏତ କ୍ଷଣକ ପାଇଁ ତାର ଆସିଥିଲା ଦୁର୍ବଳତା,ଭୟ ଆଉ ବ୍ୟବସ୍ଥିତ ଭାବ। ହୁଏତ ନିଜକୁ ରକ୍ଷା କରିବାର ଦୁର୍ଦ୍ଦମନୀୟ ଇଚ୍ଛା ଜାଗି ଉଠିଥିଲା। ତାର ଅର୍ଥ କାଲି ପୁଣି ସେମାନେ ନୂତନ ଶିକାର ନେଇ ଆସିବେ,ବିଭୀଷିକାର ପର୍ଯ୍ୟାୟ ଆରମ୍ଭ ହେବ ସେମାନଙ୍କର ଜୀବନରେ। ସେମାନଙ୍କର ସାଥୀ ଶତ୍ରୁ ନିକଟରେ ତାଙ୍କୁ ଧରେଇ ଦେଇଛି।
ଜଣେ ତାର ସାହାସ ଓ ବିବେକ ହରାଇଛି ଓ କାହାରି ଶରୀର ପଙ୍ଗୁ ହୋଇଯାଇଛି। ଏ ଦୁଇଟି ଦୃଶ୍ୟ ମଧ୍ୟରେ ପ୍ରଥମଟି ଅଧିକ ମର୍ମନ୍ତୁଦ। ଯଦି ମରଣ ଆସି ତୁମର ଆଖି ବୁଜିଦିଏ,(ମରଣର ସଦର୍ପ ପ୍ରବେଶ ତ ଏଠି ଲାଗି ରହିଛି) ପୁନର୍ଜନ୍ମ ଯଦି ତୁମର ଇନ୍ଦ୍ରିୟଗୁଡ଼ିକୁ ସଜୀବ କରିଦିଏ,ସେତେବେଳେ ବିନା ବାକ୍ୟରେ ବୁଝିବ କିଏ ଦୋଦୁଲ୍ୟମାନ ଚିତ୍ତ ହୋଇଛି-କିଏ ବିଶ୍ବାସଘାତକତା କରିଛି-କିଏ ଏକ ମୁହୂର୍ତ୍ତକ ପାଇଁ ମଧ୍ୟ ଆତ୍ମସମର୍ପଣ କରିବା ଚିନ୍ତାକୁ ସ୍ଥାନ ଦେଇଛି-ଆଉ ବିଚାରିଛି ତାର ସାଥୀମାନଙ୍କ ମଧ୍ୟରୁ ଅପ୍ରଧାନ କର୍ମୀମାନଙ୍କ କଥା କହିଦେଲେ ଭଲ ହେବପରା। ଯେଉଁମାନେ ଏପରି ଦୁର୍ବଳ ହୋଇପଡ଼ନ୍ତି, ସେମାନେ କରୁଣା ପାତ୍ର। କମ୍ରେଡ଼ର ଜୀବନ ବିନିମୟରେ ଯେଉଁ ଜୀବନ ସେମାନେ ପାଇବେ, ତାହା କିଭଳି ସେମାନେ କାଟିବେ।
ପ୍ରଥମ ଯେଉଁଦିନ ସିନେମାରେ ଆସି ବସିଥିଲି ସେତେବେଳେ ହୁଏତ ଏହି ଚିନ୍ତା ମୋ ମନକୁ ଆସିନାର୍ହି, କିନ୍ତୁ ଏଇ ଚିନ୍ତା ମୋ ମନକୁ ସେଠି ବହୁବାରେ ଆସିଛି। ସେଦିନ ସକାଳେ-ଅଲଗା ପରିବେଷ୍ଟନୀ ମଧ୍ୟରେ ଏହି ଚିନ୍ତାହିଁ ଉପସ୍ଥିତ ହେଲା, ଉପଲବ୍ଧିର ଉତ୍ସ ୪୦୦ ନମ୍ବର ପ୍ରକୋଷ୍ଠରେ।
ବେଶୀ ସମୟ ସିନେମାରେ ବସି ନାହିଁ, ଘଣ୍ଟାଏ ଖଣ୍ଡେ, ହୁଏତ ଦେଢ଼ଘଣ୍ଟା ହେବ। ପଛପଟୁ କେହି ମୋର ନାଁ ଧରି ଡାକିଲା। ଦୁଇ ଜଣ ବେସାମରିକ ଲୋକଙ୍କ ଦାୟିତ୍ବରେ ମୁଁ ରହିଲି। ଚେକ୍ ଭାଷାରେ କଥା କହୁଥିଲେ ସେମାନେ। ସେମାନେ ମୋତେ ଲିଫ୍ଟରେ ଚଢ଼ାଇ ପାଞ୍ଚମହଲାର ଗୋଟାଏ ବଡ଼ ଘରକୁ ନେଇଗଲେ। ଦୁଆରେ ଲେଖାଥିଲା ନମ୍ବର ୪୦୦।
ପ୍ରଥମେ ଏକ ବସିରହିଲି କାନ୍ଥ ନିକଟରେ , ଗୋଟାଏ ଏକୁଟିଆ ଚୌକିରେ। ଚାରିଆଡ଼କୁ ଦୃଷ୍ଟିପାତ କଲି,ମନରେ ମୋର ଏକ ଅଦ୍ଭୁତ ଅନୁଭୂତି। ଉପସ୍ଥିତ ମୁହୂର୍ତ୍ତ ଜୀବନରେ ଭେଟିଥିଲି.ଆଉଥରେ କେବେ। ଆଗେ କେବେ ଏଠିକି ଆସିଛିକି? ନା, କେବେ ତ ନୁହେଁ। କିନ୍ତୁ ସବୁତ ପରିଚିତ। ଏଇ ଘର ମୁଁ ଚିହ୍ନେ, ଜର ବାଉଳର ନିର୍ମମ ସ୍ବପ୍ନରେ ଦେଖିଛି ଏଇ ଘର ଚିହ୍ନିବାକୁ କଷ୍ଟ ହେଉନାହିଁ। ବର୍ତ୍ତମାନ ତ ଦିନର ପୂର୍ଣ୍ଣ ଆଲୋକରେ ଝଲମଲ କରୁଛି, ସୁନ୍ଦର ଦେଖାଯାଉଛି,ରଙ୍ଗ ଫୁଟି ଉଠୁଛି ସ୍ପଷ୍ଟ। ଟାଇନ୍, ଗୀର୍ଜା, ଲେଟନାର ସବୁଜ ଉଦ୍ୟାନ ଆଉ ପ୍ରାସାଦ ଏହାର ବିଷ୍ପାରିତ ବାତାୟନ ଦେଖାଯାଉଛି।