ମୋର କମିସାର
ଏଇ କରିଛ- ଚିତ୍ରର ପର୍ଯ୍ୟାୟରେ ସେ ପଡ଼ୁନାହିଁ, କିନ୍ତୁ ସେ ଏକ କୌତୂହଳଉଦ୍ଦୀପକ ଲୋକ-ଆଉ ସମସ୍ତଙ୍କଠାରୁ ଭିନ୍ନ-ତେଣୁ ତା ଉପରେ ଦୃଷ୍ଟି ପଡ଼ିବା କଥା।
ଦଶବର୍ଷ ଆଗରୁ ଭିନୋରାଦିର ଫ୍ଲୋରା କାଫେର୍ ବସି ଯେତେବେଳେ ତୁମେ ଟେବୁଲ୍ରେ ଟଙ୍କା ଥାକ କରିଦିଅ ବଡ଼ପାଟିରେ ପ୍ରଧାନ ପରିଚାରକୁ ଡାକି କହୁଥିଲ ‘ବିଲ୍ ଦରକାର,’ ଯେତେବେଳେ ହଠାତ୍ ଡେଙ୍ଗା ଆଉ ରୋଗା ଗୋଟାଏ ଲୋକ ଆସି ତମ ଆଗରେ ଉପସ୍ଥିତ ହେଉଥିଲା, ସେ ପିନ୍ଧିଥାଏ ଗୋଟାଏ କଳା ଲାଞ୍ଜବାଲା କୋଟ୍। ଚେୟାରଗୁଡ଼ାକ ଭିତରେ ସେ ନିଃଶବ୍ଦରେ ଚାଲିଆସେ, ଯେପରି ବୁଢ଼ିଆଣିଟିଏ ପାଣି ପହଁରି ଆସୁଛି ସତେ, କିଛିକ୍ଷଣ ପରେ ସେ ତମର ବିଲ୍ ତମ ସାମନାରେ ହାଜର କରି ଦେଉଥିଲା। ଶିକାରୀ ପଶୁପରି ନିଃଶବ୍ଦ ଦ୍ରୁତ ଗତି, ଆଉ ଯୋଡ଼ାଏ ଆଖି, ଯାହା ଗୋଟାଏ ଚାହାଣିରେ ସବୁ ଦେଖି ନେଉଥିଲା। ତମର ଖାଇବା ଜିନିଷର ଫରମାସି ଦେବାର ଦରକାର ପଡ଼ୁନଥିଲା। ସେ ପରିଚାରକକୁ କହି ପାରୁଥିଲା, ତିନି ନମ୍ବର ଟେବୁଲ୍ରେ ସାଦା କଫି, ସର ଦରକାର ନାହଁ, ବାଁ ପାଖର ଝରକା ଟେବୁଲରେ ‘ପେସ୍ଟ୍ରି’ ଆଉ ‘ପିଗୁଲସ୍ ପେପର’ । ଖରିଦଦାରଙ୍କ ପାଇଁ ସେ ଥିଲା ଚମତ୍କାର ପ୍ରଧାନ ପରିଚାରକ। ସାଥୀ କର୍ମୀମାନଙ୍କ ପାଇଁ ଉତ୍ତମ ସହକର୍ମୀ।
ସେତେବେଳେ ମୁଁ ତାକୁ ଚିହ୍ନି ନଥିଲି। ଜେଲିନେକ୍ଙ୍କର ଘରେ ବହୁଦିନ ପରେ ତା ସାଙ୍ଗରେ ପରିଚିତ ହେଲି। ପେନ୍ସିଲ୍ ବଦଳରେ ଗୋଟାଏ ପିସ୍ତଲ ନେଇ ମୋ ଆଡ଼କୁ ଲକ୍ଷ୍ୟ କରି ସେ କହୁଥିଲା,‘ଏଇଟା ଉପରେ ମୋର ସବୁଠାରୁ ଲୋଭ ବେଶୀ।’
ସତ କହିବାକୁ ଗଲେ ତା ପରଠାରୁ ଆମେ ଦୁଇଜଣ ପରସ୍ପର ପ୍ରତି ଆକୃଷ୍ଟ ହୋଇପଡ଼ୁଁ।
ସହଜାତ ବୁଦ୍ଧି ଆଉ ଲୋକ ଚିହ୍ନିବାର କ୍ଷମତା ତାର ଥିଲା ଅସାଧାରଣ। ସେଥିପାଇଁ ପୁଲିସର ଅପରାଧ ବିଭାଗର କାର୍ଯ୍ୟରେ ତାର ଉନ୍ନତି ହେଲା ସଧାରଣ। ଛୋଟ ଅପରାଧୀ, ଆଉ ହତ୍ୟାକାରୀମାନେ , ସମାଜଚ୍ୟୁତ ବିଚ୍ଛିନ୍ନ ଲକ୍ଷ୍ମୀଛଡ଼ାଦଳ ତା ପାଖରେ ମନକଥା ଖୋଲି କହିବାକୁ ଦ୍ବିଧା କରୁନଥିଲେ। କାରଣ ନିଜକୁ ବଞ୍ଚେଇବା ସେମାନଙ୍କର ଏକମାତ୍ର ଚିନ୍ତା।କିନ୍ତୁ ଏହି ନିଜ-ଦେହଜଗା-ଦଳଙ୍କ ଭିତରୁ କମ୍ ଲୋକ ପୁଲିସ୍ର ରାଜନୈତିକ ବିଭାଗର କବଳରେ ପଡ଼ନ୍ତି। ଏଠି ପୁଲିସ ବୁଦ୍ଧି ସାଙ୍ଗରେ ଲଢ଼ାଇ ଚଳେ ନାହିଁ। କେବଳ ଜଣେ ଗିରଫ ହେଲା ଲୋକର ଅକଲ ଲଢ଼ାଇ ଚଳେ ଏକ ବୃହତ୍ତର ଶକ୍ତି ସାଙ୍ଗରେ । ଗୋଟାଏ ମତବାଦର ବିରୋଧରେ ଲଢ଼ାଇ ହୁଏ , ଲଢ଼ିବାକୁ ହୁଏ ଗୋଟାଏ ଦଳର ସମଷ୍ଟିଗତ ବୁଦ୍ଧି ବିରୋଧରେ । ଛଳଚାତୁରୀ ବା ମାଡ଼ କଦାପି ମତବାଦକୁ ଚୂର୍ଣ୍ଣ କରିପାରେନାହିଁ।
‘ମୋର କମିସାର’ ଭିତରେ ତୁମେ ଅନ୍ତରର କୌଣସି ଦୃଢ଼ ବିଶ୍ବାସ ଖୋଜି ପାଇବ ନାହିଁ। ଯଦି ଅନ୍ୟ କାହାରି ଭିତରେ ସେ ବିଶ୍ବାସ ଥାଏ ତାହା ବୁଦ୍ଧିହୀନତା ମିଶ୍ରିତ; ସେଥିରେ କୌଶଳ ନାହିଁ, ଲୋକ ଚିହ୍ନିବାର ଜ୍ଞାନ ବା ଆଦର୍ଶ ନାହିଁ। ଯଦି ମୋଟ ଉପରେ ସେମାନେ ସଫଳ ହୋଇଥାନ୍ତି ତାର କାରଣ ସଂଗ୍ରାମ ବହୁଦିନ ଧରି ଚାଲିଛି, ଆଉ ସଂକୀର୍ଣ୍ଣ ସୀମା ମଧ୍ୟରେ ଆବଦ୍ଧ ଅଛି। ହୁଏତ ଆଗର ଗୋପନ ସଂଗ୍ରାମଠାରୁ ଜଟିଳତର ପରିସ୍ଥିତି ହେତୁରୁ ତା ସମ୍ଭବ ହୋଇଛି।ରୁଷ୍ ବଲସେଭିକ୍ମାନେ କହନ୍ତି,ଗୋପନ ଅନ୍ଦୋଳନରେ ସଚ୍ଚୋଟ କର୍ମୀର ଆୟୁ ମାତ୍ର ଦୁଇବର୍ଷ। ମସ୍କୋ ଯଦି ତା ପକ୍ଷରେ ଅସହ୍ୟ ହୋଇଉଠେ, ପେଟ୍ରୋଗ୍ରାଡ଼କୁ ସେ ଚାଲିଯାଇ ପାରେ, ସେଠୁ ଓଡ଼ିଶାକୁ ଯାଇ ଲକ୍ଷ ଲକ୍ଷ ନଗରବାସୀଙ୍କ ଭିତରେ ଉଭେଇ ଯାଇପାରେ। ସେଠି କେହି ସେମାନଙ୍କୁ ଚିହ୍ନିବେ ନାହିଁ। କିନ୍ତୁ ଏଠି ଆମର ଅଛି ଖାଲି ପ୍ରେଗ; ଏକ ପ୍ରେଗ୍, ମାତ୍ର ପ୍ରେଗ୍। ଏଠି ଅଧେ ଲୋକ ତୁମକୁ ଚିହ୍ନନ୍ତି। ଶତ୍ରୁର ଗୁପ୍ତଚର ଏଠି ସାଲୁବାଲୁ। ତାହେଲେ ବି ଆମେ ବର୍ଷ ବର୍ଷ ଧରି ତିଷ୍ଠି ରହିଛୁଁ। ଏପରି ଅନେକ କମ୍ରେଡ଼ ଅଛନ୍ତି ଯେଉଁମାନେ ପାଞ୍ଚବର୍ଷ ଗୋପନରେ କାମ କରିଛନ୍ତି, ଗେଷ୍ଟାପୋମାନେ ଏଠି ସେମାନଙ୍କୁ ଆବିଷ୍କାର କରି ପାରିନାହାନ୍ତି। ତାର କାରଣ, ଆମେ ଅନେକ କଥା ଜାଣୁଁ। ହଁ, ଆମର ଶତ୍ରୁ ନିଷ୍ଠୁର ଓ ଶକ୍ତିଶାଳୀ ହେଲେ ମଧ୍ୟ ଧ୍ବଂସ ବ୍ୟତୀତ ଆଉ ଅଧିକ କିଛି ଶିଖ ନାହିଁ।
୨ ୟ କ- ବିଭାଗରେ ତିନିଜଣ ଲୋକ କମ୍ୟୁନିଜିମ୍ର ପ୍ରଧାନ ମୂଳୋତ୍ପାଟନକାରୀ ହିସାବରେ ନାମ କରିଛନ୍ତି, ଆଭ୍ୟନ୍ତରୀଣ ଶତ୍ରୁ ବିରୁଦ୍ଧରେ ସଂଗ୍ରାମରେ ସାହାସ ନିମିତ୍ତ ପାଇଛନ୍ତି କଳା-ଧଳା-ଲାଲ ଫିତା-ସେମାନେ ହେଉଛନ୍ତି ଫ୍ରିଡ଼ରିଖ୍,ଜାନ୍ଦାର ଆଉ କମିସାର, ଜୋସେଫ୍ ବମ୍। ସେମାନେ ହିଟଲରୀ ନ୍ୟାସନାଲ ସୋସିଆଲିଜିମ୍ ସମ୍ବନ୍ଧରେ ବିଶେଷ କିଛି କହିପାରିବେ ନାହିଁ । କାରଣ ସେ ବିଷୟ ତାଙ୍କୁ ଖୁବ୍ କମ୍ ଜଣା। କୌଣସି ରାଜନୈତିକ ଆଦର୍ଶ ନେଇ ସେମାନେ ସଂଗ୍ରାମରେ ପ୍ରବୃତ୍ତ ନୁହନ୍ତି। ପ୍ରବୃତ୍ତ ନିଜର ସ୍ବାର୍ଥପାଇଁ । ନିଜେ ନିଜ ଧରଣରେ ଚଳାଉଛନ୍ତି ଯୁଦ୍ଧ।
ଜାନ୍ଦାର ମଣିଷ ବୋଲି ଏଡ଼େ ଟିକେ, ଅତି ମାତ୍ରାରେ ବିଦ୍ବେଷୀ। ପୁଲିସ ବିଭାଗର ଧରଣଧାରଣ ସମସ୍ତଙ୍କଠାରୁ ବେଶୀ ଜଣା ତାକୁ; ତାଠାରୁ ବେଶୀ ଜାଣେ ଟଙ୍କା ପଇସା ରୋଜଗାରର ଫନ୍ଦି ଫିକର। ପ୍ରେଗ୍ରୁ କିଛିଦିନ ପାଇଁ ବର୍ଲିନକୁ ବଦଳି ହୋଇଯାଇଥିଲା। ପୁଣି ଯୋଗାଡ଼ କରି ସେଠୁ ଚଞ୍ଚଳ ଚାଲି ଆସିଛି। ରାଇଖର ରାଜଧାନୀରେ ଚାକିରି ତାକୁ ପୋଷାଇଲା ନାହିଁ। ଟଙ୍କା ରୋଜଗାର ଦୃଷ୍ଟିରୁ ଦେଖିଲେ ଏଯେ ନବୋନ୍ନତି। ତମସାଚ୍ଛନ୍ନ ଆଫ୍ରିକା ବା ପ୍ରେଗର ଔଷପନିବେଶିକ ଅଫିସର ହେବା ବର୍ଲିନରେ କାର୍ଯ୍ୟଠାରୁ ଢେର ଭଲ। ହାକିମି ତ ଚଳେ, ତା ସାଙ୍ଗକୁ ବ୍ୟଙ୍କ ହାତରେ ଅଙ୍କ ବଢ଼େ। ଜାନ୍ଦାର ଖୁବ୍ ଖଟିବା ଲୋକ; ଥାନାରେ ବସି ଜେରା ବା ତଦନ୍ତ କରେ- ସେ ଯେ କେତେ ଖଟି ପାରେ ଦେଖାଇବାକୁ ଚାହେଁ। ଅଫିସର କାମରେ ଏଇ ନିଷ୍ଠା ଦେଖାଇବାକୁ ପଡ଼େ, ଯଦ୍ବାରା ଲୋକେ ଅଫିସ ବାହାରେ ତାର ସ୍ବାର୍ଥର ଖୋଜ ଖବର ନ ରଖିବେ॥ ଯେଉଁମାନେ ତା ହାତରେ ପଡ଼ନ୍ତି ସେମାନଙ୍କ ଉପରେ ଆମ୍ଭମାନଙ୍କର କରୁଣା ହୁଏ; ତାଠାରୁ ବେଶୀ କରୁଣା ହୁଏ ସେମାନଙ୍କ ଉପରେ ଯେଉଁମାନଙ୍କର ବ୍ୟାଙ୍କରେ ପାସବହି ବା ଅନ୍ୟ କୌଣସି ରକମ ଟଙ୍କା ଜମା ଅଛି। ସେ ଲୋକ ଚଞ୍ଚଳ ମରିବ କାରଣ ତାର ବ୍ୟାଙ୍କ ପାସ୍ବହି ଆଉ ଜମା ଉପରେ ଜାନ୍ଦାରର ପ୍ରଚଣ୍ଡ ଲୋଭ। ଏ ବିଷୟରେ ତାଠାରୁ ପଟୁ ଜର୍ମାନ ଅଫିସର ଆଉ ଅଛନ୍ତି କି ନାହିଁ ସନ୍ଦେହ। ଏ ଦିଗରୁ ବିଚାର କଲେ ତାର ଚେକ୍ ସହକାରୀ ସ୍ମୋଲା ସାଙ୍ଗରେ ତଫାତ୍ ଅଛି ଅଳ୍ପ- ସ୍ମୋଲା ଭଦ୍ର ଦସ୍ୟୁ, ତୁମଠୁ ଟଙ୍କା ପାଇଲେ ସେ ତୁମକୁ ପ୍ରାଣରେ ମାରିବ ନାହିଁ।