(୩)
ଡିବି ଡିବି ଡିବି ଯୋଡ଼ି ନାଗରା ବାଜିଲା। ତେଲିଙ୍ଗି ବାଜା ଦାଣ୍ଡ ଉଛୁଳେଇ ପକେଇଲା। ଢୋଲ ବାଜିଲା ବଡ଼ କାଠ ବାଜିଲା ହୁଳହୁଳିରେ ଘର ଦୁଲୁକିଲା । ଡାକହାକରେ ବାହାର ଚମକିଲା, ଜମିଦାର ଘର ବାହଘର ଶଙ୍କର ବିଭା ହେଉଛି ।
ପଟ୍ଟନାୟକ ଘର ବୁନିଆଦି ବଜାଇ ରଖିବାକୁ ହାତ ଖୋଲି ଖର୍ଚ୍ଚ କରୁଛନ୍ତି। ବିଭାଘର ପାଇଁ ଘରେ ଯେପରି ଆୟୋଜନ ହୋଇଛି ବାହାରକୁ ସେପରି ଆଡ଼ାଟାବି ରହିଛି । ରୋଷଣୀ ଆଉ ବାଣରେ ଆଖି ଖୁସି ହୋଇଯାଉଛି । ଗଲାଆଇଲା ଲୋକେ ପେଟପୂରା ଖାଇଯାଉଛନ୍ତି।
ବଡ଼ ପୁଅର ବିଭାଘର ।ପହିଲି ନିମିତ୍ତ,ଲୋକେ କଅଣ କହିବେ? ବନ୍ଧୁବାନ୍ଧବ, ସଙ୍ଗୀତମୈତ୍ର, କୋଠିଆବେଠିଆ ସମସ୍ତେ ଆସି ପଟ୍ଟନାୟକଙ୍କ ଘରେ ଠୁଳ ହୋଇଛନ୍ତି । ବାରିକ ଆସିଛି.ବାରିକାଣୀ ଆସିଛି, ତାର ତିନି ପୁଅ ବି ଆସିଛନ୍ତି ତା’ ଆଗରୁ ପୁରୋହିତବି ଆସିଛି। ବାଡ଼ିଆଡ଼େ ମହାରାଣୀ ବସିଛି ତା’ ସାଙ୍ଗରେ ଭାଉଜ ନଣନ୍ଦ କରି ଚାରି ଛଅ ଜଣକୁବି ଡାକି ଆଣିଛି ।
କାହାକୁ ଜୋଡ଼ , କାହାକୁ ଲୁଗା, କାହାକୁ ଶାଢ଼ୀ,କାହାକୁ ଖିରୀ ଖେଚେଡ଼ି , କାହାକୁ ପୁରି ମାଲପୁଆ ,କାହାକୁ ପିଠାପଣା। କିଏ ବା ଖାଲି ସରବତ ପିଉଛି।
“କିଲୋ ସାଆନ୍ତ ବାହାଘର, ତୁ ଶୋଇଛୁ କଅଣ? ତରାବୋଉ ପଚାରିଲା । ”
“ମୋ ଦିହ ଭଲ ଲାଗୁନାହିଁ।”
“କେତେ ପିଠାପଣା ଖିରି କାକରା କିଏ କଅଣ ଖାଇଯାଉଛନ୍ତି। କିଏ କେତେ ବୋହି ଆଣୁଛନ୍ତି, ତୁ ଶୋଇଲୁ କଅଣ ମ?”
“ଖାଆନ୍ତୁ”
“ଯୋଉ ରୋଷଣୀ ଲୋ, ଆଖି ଦେଖିନଥିଲା। ଦେଖିବାକୁ ଯିବୁନାହିଁ?”
“ନାଇଁଲୋ” ତରା କଣ୍ଠରେ ବିରକ୍ତି ।
“କମି ବଡ଼ଲୋକ ଘରେ ସାଆନ୍ତଙ୍କ ଘର ବନ୍ଧୁ ବାନ୍ଧିଲେ !! ତା’ର ଷାଠିଏ ବାଟି ଜମି । ଦୁଇଶହ ଭରି ସୁନା ଦେଉଛି । କେତେକଅଣ ଦରବ ଦେଉଛି ମୋ ତୁଣ୍ଡ ନେଉଟୁ ନାହିଁ। ପୁଅ ପଢ଼ାକୁ ଏକା, ଝିଅ ଘର ମିଳିଲା ସିମିତି।”
“କାହିଁକି ବକର ବକର ହେଉଚୁ ମାଆ” ଅଧୈର୍ଯ୍ୟରେ ତରା କହିଲା ।
“ମୋ ପେଟ ଭାରି କାମୁଡ଼ୁଛି ତୁ ଯା,”।
ହୁକୁମ ଦାବଲ, ହୁକୁମ ଦାବଲ, ଗଉଡ଼ର ଡାକ ଶୁଭିଲା, ବାଇଦ ବାଜି ଉଠିଲା, ଲୋକ ଧାଡ଼ି ବାନ୍ଧି ଚାଲିଲେ, ଆକାଶ ନାଲି ନେଳି ଆଲୁଅରେ ଉଜ୍ଜ୍ବଳ ହେଲା ପଦ୍ମ ପୋଖରୀ ତୁଠରେ ହିଞ୍ଜଳ ଗଛର ଆରପଟରେ ଛିଡ଼ା ହୋଇଥିବା ତରାର କାଳିଆ ଚମଡ଼ା ତଳେ ରକତ ଜୋର୍ରେ ଛୁଟିଲା, ଛାତି ଦପ୍ ଦପ୍ ଉଠିଲା ପଡ଼ିଲା, ପଡ଼ିଲା ଉଠିଲା। “କିଲୋ କାହିଁକି କାନ୍ଦୁଛୁ ? ଘରକୁ ଫେରି ଭୀମା ତରାକୁ ପଚାରିଲା । ତରା କୋହ ରୋକି ପାରିଲା ନାହିଁ ।
ତରାବୋଉ କହିଲା“ତା ପେଟ ଭାରି କାମୁଡ଼ୁଛି”।
ତାପର ଦିନ ତରା ତା ବୋଉ ଆଗରେ ପ୍ରସ୍ତାବ କଲା । “ଇସ୍ତିରୀଟା ଆମର କଅଣ ହେଉଚି? ବିକି ଦିଅନ୍ତେ କାହାକୁ? ”