(୨)
ଗାଁରେ ପଟ୍ଟନାୟକ ଘର ଚଳାଚଳ ଟିକିଏ ଭଲ, ବିଲ ବାଟିଏ ଦି’ ବାଟି ଅଛି। ଧାନ ଆଉ ଟଙ୍କା କରଜବାରଜ ଲାଗେ । ପାଖ ଆଖର ଲୋକେ ସମୟ ଅସମୟରେ ତାଙ୍କ ଦୁଆରେ ହାତ ପତାନ୍ତି। ସେହି ଯୋଗୁଁ ସାଧାରଣ ଲୋକେ ତାଙ୍କୁ ଜମିଦାର ମାନିଆ କରିଥାନ୍ତି, ଜମିଦାର ବଉଁଶ ବୋଲି କହନ୍ତି।
ଜମିଦାରଙ୍କ ବଡ଼ପୁଅ ଶଙ୍କର ଏବେ କଲେଜ୍ରେ ପଢ଼ୁଚି। ଅଧିକାଂଶ ସମୟ ସେ ଥାଏ ସହରରେ। ଛୁଟିରେ କେତେବେଳେ କେବେ ଗାଁକୁଆସେ କୁଣିଆ ଭଳି। ଶଙ୍କରର ଗାଁ- ଲୋକଙ୍କ ସହିତ ମିଳାମିଶା ବିଶେଷ ନଥାଏ।
ଜମିଦାରଙ୍କ ଘରୁ ଲୁଗା ନବାକୁ ଆସି ତରା ଯେଉଁ ଅପମାନ ପାଇଲା ସେଥିରେ ତା’ର ମନରେ ପ୍ରଥମ ଚିନ୍ତା ହେଲା, ଇସ୍ତିରୀ ଗୋଟାଏ ଆଣିବାକୁ, ଇସ୍ତିରୀ ମଧ୍ୟ ଆସିଲା।
ତରାବୋଉ ପ୍ରତବାଦ କରି କହିଲା, “ନଅ ସୁଉକା! ବୁଦ୍ଧି ତ? ହଇଲୋ ସେ ନଅସୁଉକା ପଇସା ରଖିଥୋଇ ତୋ ଗୋଡ଼କୁ ଦରବଟିଏ ଗଢ଼େଇ ଦେଇ ନଥାନ୍ତେ”
“ନହେଲା ନାଇଁ”
“ମୋର କ’ଣ ଯାଉଚି କି? ତୁ ସିମିତି ଘଇତା ଘରକୁ ଖାଲି ଗୋଡ଼ରେ ଯିବୁ।”
‘‘ଗଲେ ଗଲି, ଯା” ତରା ଚିଡ଼ିଗଲା । ଇସ୍ତିରୀଟା ପାଇଁ ତରାର ମନ ଏପରି ଆନନ୍ଦ ହୋଇଥିଲା ଯେ କୌଣସି ପ୍ରତିବାଦ ତାହାର ଦେହସୁହା ହେବାର ନୁହେଁ ।
ଶଙ୍କର କେବେ ଗାଆଁକୁ ଆସିଚେ, ତରା ସାତଥର କରି ମାଆ ସାଆନ୍ତାଣୀଙ୍କଠୁ ପଚାରି ବୁଝେ। ଏତେ ଫଟେଇ ହୋଇ ପଚାରିବାରେ ସାଆନ୍ତାଣୀ ବିରକତ ହୋଇଯାଆନ୍ତି।
“କାଇଁକିଲୋ, ମୋ ପୁଅ ଆସିବା ନଆସିବା ତୋର କିଆଁ ଏତେ ନୋଡ଼ା ପଡ଼ିଚି ମ ?”
ସାଆନ୍ତଘର ଚାକରାଣୀ ଗେହ୍ଲି କହେ, “ପଡ଼ିବ ନାଇଁ, ଯାହାର ଖାଇ ତାହାର ଗାଇ। ଶଙ୍କର ସାଆନ୍ତ ପରା ଆରଥର ତାକୁ ଚାରିପଇସା ଦେଇଥେଲେ ଯେ, ସେଇଯୋଗୁ ଖୋଜୁଛି।”
କଥାଟା ସାଆନ୍ତାଆଣୀଙ୍କ ମନକୁ ପାଏ, “ହାଁ, ହାଁ,କଥା ସେଇଠି” ତରା କହେ- “ଶଙ୍କର ସାଆନ୍ତ ଭାରି ଭଲ ମଣିଷ ନାଇଁଲୋ ଗେହ୍ଲି?” ହସ ଉଠେ।
“ଯୋଉ ତ ସଫା କରୁଚୁ, ଏଥିରେ ୟାକୁ ପଇସା ଦିଆ ହଉଚି, କାଇଁକି ମ ?”
“ଦେଖିବ ନାଇଁ-” ବଡ଼ ଦାମ୍ଭିକତାରେ ତରା ଜବାବ ଦିଏ। ଶଙ୍କର ଯେବେ ଗାଁକୁ ଆସେ ତରା ଛଡ଼ା କେହି ଜମିଦାରଙ୍କ ଘରକୁ ଲୁଗା ପାଇଁ ଯିବେନାହିଁ। ତରା ଯିବ ଯେ ଓଳିଗୋଟା ସେହିଆଡ଼େ ଲାଖିଥିବ । ଶଙ୍କର କିପରି ବସିଛି, କିପରି ଚାଲୁଛି, ତା’ର ଲୁଗାପିନ୍ଧା କିପରି, କିପରି ଆପେ ଆପେ କଳଖୁରରେ ଛଅର ହେଉଛି, କିଭଳି ଟେରୀ କାଟିଛି, କିଭଳି କଥାଭାଷା ; ସବୁ ତରାର ନିରୀକ୍ଷଣର ବସ୍ତୁ। ସେ ଛିଡ଼ା ହେଇ ରହେ , କିନ୍ତୁ ବୁଝି ପାରେନା, କେହି ବୁଝିପାରନ୍ତି ନାହିଁ, କାହିଁକି ସେ ଛିଡ଼ା ହେଇଚି। ହୁଏତ ସେଇ ଛିଡ଼ା ହେବାରେ ତାର ଥିଲା ଆନନ୍ଦ, ତା’ର ଆତ୍ମାର ନିର୍ବାଣ ।
ଶଙ୍କରର ଲୁଗା ଭୀମା ଯେତେ କାଚିଲେ ବି ତରାର ମନକୁ ଯାଏ ନାହିଁ ।
“ବାପା ଆଉ ଦି’ଟା ପାହାର ଦିଅ।” ଶେଷକୁ ଆପେ କାନିରେକୁ ଅଣ୍ଟାରେ ଗୁଡ଼େଇ ଦେଇ କାଚି ବଶେ ।
“ସହରିଆ ବାବୁଟି, ଆମର ଧୋବ ଯିଏ,ସିଏ ତାଙ୍କ ମହଳ।” ତରା ଭୀମାକୁ ବୁଝାଏ । ଭୀମା ଇସ୍ତିରୀ ଦିଏ,ତରା ମନକୁ ପାଏ ନାହିଁ।”
“ଏତେ ଦିନ ତ ଲୁଗା କାଚୁଥେଲେ,କିଏ ହେଲେ ପଇସାଟାଏ ଦଉଥେଲା ?” ତରା ଧୋତି ଧଡ଼ି ଉପରେ ଇସ୍ତିରୀ ଚଳାଏ, ଶଙ୍କରର ଲୁଗା ଆଉକାହାର ଲୁଗା ସହିତ ମିଶିବ ନାହିଁ। ତା ଦିହରେ ମଶିଆ ହାତ ଲାଗିବ ନାହିଁ।
ତରା ଯେବେ ବାସିଲୁଗା ନେଇ ଜମିଦାର ଘର ଦୁଆରେ ଛିଡ଼ାହୁଏ,ତା ଛାତିଟା ଦପ୍ ଦପ୍ ପଡ଼େ । ଶଙ୍କର ଯେତେବେଳେ ଲୁଗାର ସାପ୍ ଦେଖେ , ତରା ନିରିଖେଇ, ଅନାଏ ଶଙ୍କର ମୁହଁକୁ।
“ହଁ, ହେଉଚି,” ଶଙ୍କରର ଶୁଖିଲା କଥାରେ ତରା ଏତେ ଉଲୁସି ଉଠେ ଯେ ସେ ହସି ପକାଏ।