ରାହୁଗ୍ରାସ


ସୂର୍ଯ୍ୟକୁ ଗ୍ରାସି ରାହୁ;

ପ୍ରସାରିତ ଗୃଧ-ପକ୍ଷ ଭଳି

କ୍ରୁଦ୍ଧ ବିକଟାଳ ବାହୁ ତା

ତୋଟି ଚିପି ଅସହାୟ ଲୁଣ୍ଠିତା ଧରାର

ଜୀବନକୁ କରେ ଶ୍ବାସରୁଦ୍ଧ

 

ମିତ ଆଚମ୍ବିତ ନୁହଁ !

ବେଳାରେ

ଧରଣୀ ଡୁବିଯାଏ ଅଶ୍ଳୀଳ ଅନ୍ଧାରେ;

ବ୍ୟାପିଯାଏ ଧରିତ୍ରୀର ଛତ୍ରେ ଛତ୍ରେ ଅସ୍ପୃଶ୍ୟ ଯେ ଗ୍ଲାନି;

ଉଦ୍ଧତ ଉଜାଣି

ବାଧାଦିଏ ଜୀବନର ମହାସ୍ରୋତ

 

ଜନପଦେ

ଧାଡିବାନ୍ଧେ  ପଟୁଆର

କଳାପତାକାର

ସମୀରଣ ସ୍ତବ୍ ହୁଏ;

ଭରିଉଠେ ଆର୍ତ୍ତ ହାହାକାର

ଦିଗେ ଦିଗେ

ରକ୍ତମୟୀ ପିଶାଚର କିଳିକିଳା ରବ

ରାଜପଥେ;

ଛିନ୍ନମସ୍ତା ରଚେ ତା ବୀଭତ୍ସ ଉତ୍ସବ

ପଲ୍ଲୀ ପୁରେ;

ଘରେ ଘରେ ମେଲିଦିଏ ବିସୂଚିକା ବୀଜ

ବିପୁଳ ବିପଣୀ ତା;

ହାଟେ ବାଟେ ବିଷାକ୍ତ ବଣିଜ ଫଣା ତୋଳେ;

ସତ୍ୟମେବ ଜୟତେ ଛାପାମରା ନ୍ୟାୟ

ବାଣ୍ଟେ ତୁଳାଧାରୀ

ଲମ୍ବପାଟ ଉତ୍କୋଚ ପୂଜାରୀ

ଘନୀଭୂତ ହତାଶାର ବିଷର୍ଣ୍ଣ ନାଟକ

ଚକ୍ଷୁର କୋଟରେ;

ହିଂସ୍ର ବନ ମଧ୍ୟେ ହଜାଏ ସଡକ

ଆପଣାର କ୍ଷୀଣକାୟା

ସବୁକିଛି କଳୁଷିତ, ଜ୍ବାଳାମୟ ଗରଳ ଗରଳ;

କଣ୍ଟକିତ ଖେତେ ଖେତେ        ବ୍ୟର୍ଥତାର ପ୍ରଚୁର ଫସଲ;

ନିଷ୍ପ୍ରଭ ଅବସନ୍ନ କ୍ଲାନ୍ତ,

ସବୁକିଛି କିମାକାର, କଦାକାର, ବିକୃତ, ବିଭ୍ରାନ୍ତ

ଆଉ ମୁଁ ପାରୁନି ଭାବି ;ସବୁକିଛି ଲାଗେ ଇତସ୍ତତଃ;

ତୃଷାତୁର ବାଲି-ସ୍ତୁପ ଖାଲି-

ଆଶାଶୂନ୍ୟ ଦିଗନ୍ତ ଦିଗନ୍ତୁ

ବିନ୍ଧେ ବିଷାକ୍ତବାୟୁର ସପ୍ତଫେଣୀ,

ଅଭିଶପ୍ତ ଲାଗେ ପରମାୟୁ;

ମିତ, ଆଚମ୍ବିତ ନୁହେଁ ,

ସୂର୍ଯ୍ୟକୁ ଗ୍ରାସିଛି ରାହୁ

କିନ୍ତୁ ଏହା ନିଶ୍ଚିତ,

ସୂର୍ଯ୍ୟ ହେବ ରାହୁ ମୁକ୍ତ; ତେଜଃପୁଞ୍ଜ ହେବ ବିଛୁରିତ

ପୁଣି ପୁଣି ସତ୍ୟସ୍ନାତା ଧରିତ୍ରୀର ପବିତ୍ର ମାଟିରେ

ଫୁଟିବ ସୁନାର ଆଭା; ଲୋଟିଯିବ ତାହାରି ଛାତିରେ

ସତେଜ ସବୁଜ ଶସ୍ୟ ଦେବାଳୟେ ଆତ୍ମା ତା ଆଳତି

ସମର୍ପିବ ଭକ୍ତିଭରେ ଦେବତାର ଦର୍ଶନଭିକାରୀ

ପୁଷ୍ପ ଧରି କରପୁଟେ ନରନାରୀ ହେବେ ନତଜାନୁ

ଗୀତିର ଝରଣା ପୁଣି ଛୁଟିବରେ ଆଶାସିକ୍ତ ପ୍ରାଣୁ

କଳକଳ ନାଦେ ପୁଣି ରଙ୍ଗମଞ୍ଚ ହେବ ଉଦ୍ଭାସିତ

ଆଲୋକର ସପ୍ତବର୍ଣ୍ଣେ

ଏହା ସତ୍ୟ; ମିତ, ଏହା ଏକାନ୍ତ ନିଶ୍ଚିତ,

 

ସୂର୍ଯ୍ୟ ହେବ ରାହୁମୁକ୍ତ




+ -

© Jataayu Charitable Trust
Site designed,developed & maintained by Tekons