ଆବାହନୀ


ଝଡ଼ ଆଜି ବାନ୍ଧିଛି ଜମାଟ:

ରୌଦ୍ରର ଔରସେ ସଂଚାର ତାହାର,

ମହୋଦଧି ଗର୍ଭେ ଲଭିଛି ବିସ୍ତାର;

ଯୁଗ ଯୁଗ ରୁଦ୍ଧ ବହୁ ଦୀର୍ଘଶ୍ବାସ

କୃଷ୍ଣ ପଟଳରେ ଆଚ୍ଛାଦି ଆକାଶ,

ତୋଳେ ଲକ୍ଷ ଲକ୍ଷ ଉତ୍ତାଳ ଲହରୀ

ପାରାବାରେ ସୃଜି ବିକଟ ଭଉଁରୀ

ଘୂରେ ଘିରି ଘିରି ସବୁ କିଛି ଚୂରି

ଚାହେଁ କରିବାକୁ ସବୁ ଧ୍ବଂସ ବୀଭତ୍ସ, ବିଭ୍ରାଟ;

ଝଡ଼ ଆଜି ବାନ୍ଧିଛି ଜମାଟ

 

ଝଡ଼ ଆଜି ଉଠିଛିରେ ଫୁଲି:

ଜନତା ଫୁଙ୍କିଛି ବିଦ୍ରୋହର ଶିଂଗା:

ଚଳିବନି ଏହା ଦର ବି ମହଙ୍ଗା’;

କ୍ଷେତବାଡି ଛାଡି ଛୁଟିଛି କିଷାଣ

  ମାନି ବାରଣ ଦୀର୍ଘ ଅଭିଯାନ,

ଖାଦାନେ ଖାଦାନେ ଖଟଣି ନିଲାମ,

ମୁନାଫା କଷୁଛି ଜୀବନର ଦାମ,

ଛାତ୍ର ହାତେ ଏବେ ମୁକ୍ତିର ନିଶାଣ,

ଜଳେ ହୁତୁ ହୁତୁ ମଶାଳର ନିଆଁ,

ସମ୍ମିଳିତ ପ୍ରାଣ; ଏକହିଁ ସ୍ଲୋଗାନ,

ପଟୁଆରେ ଛାତ୍ର , ଚାଷୀ କୁଲି;

ଝଡ଼ ଆଜି ଉଠିଛିରେ ଫୁଲି

 

ଝଡ଼ ଆଜି ମେଲିଛି ତା ପକ୍ଷ

ପୂରୁବ ଦିଗନ୍ତେ ଉଦ୍ବେଳିତ ପ୍ରାଣ,

ଆରବ ସାଗରେ ତରଙ୍ଗ ଉଦ୍ଦାମ,

ଦେଶସାରା ଆଜି ଲାଠି ଆଉ ଗୁଳି,

ଆଶାନ୍ତିର ଢ଼େଉ ପଡିଛି ଉଛୁଳି,

ଆମେ ଅଭିମନ୍ୟୁ ଚକ୍ରଭେଦକାରୀ,

ନାଶିବୁ ଧସିବୁ ପ୍ରମୋଦ ଉଦ୍ୟାନ

କଳାଶାସନର ଯେତେ ଅକଲ୍ୟାଣ,

ସମବେତ ଆମେ ନଗରେ ଗ୍ରାମେ

ବୁଭୁକ୍ଷିତ ଅସଂଖ୍ୟ ଅସଂଖ୍ୟ

ଝଡ଼ ଆଜି ମେଲିଛି ତା ପକ୍ଷ

 

ଝଡ଼ ଆଜି ଉଠିଛିରେ ମାତି:

ସାଇଁ ସାଇଁ ସାଇଁ ବହୁଛି ବତାସ

ଗମ ଗମ ଗମ ଗରଜେ ଆକାଶ

କଳା କଳା ମେଘ ଗୁରୁ ଗୁରୁ ଭାଷା

ଝମ ଝମ ଝମ ଝରୁଛି ବରଷା

କମ୍ପେ ଗିରି ବନ ଥର ଥର ଥର

କମ୍ପୁଛି ମେଦିନୀ ରକ୍ଷା କର କର,

ହୋଇଛି ପ୍ରବଳ ମାନେ ନା ଶୃଙ୍ଖଳ

ମତୁଆଲ ଦନ୍ତାବଳ ହାତୀ

ଝଡ ଆଜି ଉଠିଛିରେ ମାତି

 

ଝଡ ଆଜି ହୋଇଛିରେ ମସ୍ତ;

ଯହିଁ ପାରେ ତହିଁ ହାଣୁଛି ଆଘାତ,

ହେଉ ତାହା ଠିକ୍ହେଉବା ପ୍ରମାଦ,

ଭାଙ୍ଗିଛି ପ୍ରସାଦ ଟାଳିଛି ମିନାର

ଲିଭିଛି ଆଲୁଅ, ଘୋଟିଛି ଅନ୍ଧାର,

ଡମରୁ ବଜାଇ ନାଚେ ମହାକାଳ,

ଧ୍ବଂସର ଧୂର୍ଜଟୀ, ପ୍ରଳୟ-ପାଗଳ,

ଜାଳିବ, ପୋଡିବ, ଧସିବ, ନାଶିବ,

ଯାହା କିଛି ଏଥି ଜଡତାର କ୍ଲୀବ

ଅଶାନ୍ତ ଅକ୍ଲାନ୍ତ ମିଳିଛି ଦିଗନ୍ତ

ଇନ୍ଦ୍ରପଦ କରି ବିପର୍ଯ୍ୟସ୍ତ

 

ଝଡ ଆଜି ହୋଇଛି ମସ୍ତ




+ -

© Jataayu Charitable Trust
Site designed,developed & maintained by Tekons