ସଂସାରୋୟଂ


ଜାଣେ ନା କିଏ ବିଂଧାଣୀ କାହିଁ ଲାଗି ଗଢ଼ିଲା ତନୁ,

ପଞ୍ଚଭୂତ ସମନ୍ବୟେ କଳ୍ପନାର ଯେତେ ଇନ୍ଦ୍ରଧନୁ

ଭରି ମୋର ଅଙ୍ଗେ ଅଙ୍ଗେ, ପ୍ରାଣେ ଦେଇ ଅଦମ୍ୟ ପ୍ରେରଣା,

ସଂଜୀବିତ କରି ମୋର ବୁକୁତଳେ ଆଶା ଉଦ୍ଦୀପନା

 

ମୁଁ ଚାଲିଛି: ଗତିପଥେ କେତେ ସାଥି, କେତେ କୋଳାହଳ;

ଶୁଭ କେତେ ଗୀତଛନ୍ଦ, ଦେଖେ କେତେ ଉତ୍ସବ ଉଚ୍ଛଳ;

କେତେ ଛଳ ଛଳ ଆଖିକହେ ପୁଣି ବ୍ୟଥା ଅସରନ୍ତି

ତା ଜୀବନ ଛତ୍ରେ ଛତ୍ରେ;

ମହାନାଟକ ଚାଲେ ଦୁଃଖ ଶୋକ ହର୍ଷ ଲୋତକେ,

ଐଶ୍ବର୍ଯ୍ୟ ଦୈନ୍ୟ ଛା୍ୟାତଳେ ଭରି ଅଙ୍କେ ଅଙ୍କେ

 

ଧନୀର ବିଷୟ ତୃଷା, ନିର୍ଦ୍ଧନର ବୈରାଗ୍ୟ ବିଭବ ,

ପ୍ରତି ଛତ୍ରେ ଫୁଟିଉଠେ ଜୀବନର ବିପୁଳ ଗୌରବ

ସେ ଗୌରବ  ପ୍ରଜ୍ବଳିତ ଦୀପ୍ତମନ୍ତ ମୁଁ ଏକ ସଳିତା,

ରୁପ-ରସ-ଗନ୍ଧ ନେଇ ଅକସ୍ମାତେ ହୋଇଛି ସମ୍ଭୁତ

ମୁଁ ଏକ ବୁଦ୍ବୁଦ୍

ସମ୍ଭବିଛି କାଳ-ସ୍ରୋତେ

କାଳ ସ୍ରୋତେ ହୋଇଯିବି ଲୀନ;

 

ବାନ୍ଧିବାକୁ ଏଥି ମୋତେ କିଆଁ ଚାହଁ ଚିରଦିନ?




+ -

© Jataayu Charitable Trust
Site designed,developed & maintained by Tekons