ଦୀପଟିଏ ଜାଳ


ଅସ୍ତମିତ ସୁର୍ଯ୍ୟ ଏବେ;

ତମିସ୍ରିତ ବହଳ ପରଦା ଆବୋରିଛି ପୃଥିବୀକୁ

ଘୋଟିଯାଏ ନିସ୍ପନ୍ଦ ଜଡତା ଦିଗନ୍ତୁ ଦିଗନ୍ତ

ହେ ସଂଯମି, ଆହେ ପ୍ରାଣବନ୍ତ,

ଅନ୍ଧର ଏକ ଛତ୍ର ଆଧିପତ୍ୟ କରି ଅସ୍ବୀକାର

ଦୀପଟିଏ ଜାଳ

ଭଗ୍ନଦୁର୍ଗ ବାର୍ତ୍ତା କହେ;

ବିପର୍ଯ୍ୟସ୍ତ ଆମର ସେନାନୀ ଦିଏ ଛତ୍ରଭଙ୍ଗ

ଗ୍ଲାନି ଜର୍ଜରିତ ତ୍ରସ୍ତ ରାଜଧାନୀ ଶଙ୍କାକୁଳ ପ୍ରାଣେ

ଭରିଦିଏ ଧୈର୍ଯ୍ୟ ବଳ ଅଭୟ ପ୍ରଦାନେ

ପ୍ରିୟଜନ ବିରହରେ ଶୋକାତୁର ମ୍ରିୟମାଣ ପ୍ରାଣେ

ସ୍ମୃତିରିକ୍ତ ଅଷାଢ଼ର ଆଦ୍ୟମେଘ ଅଭିଶାପ ହାଣେ

ଦୁଃସହ ଦୁର୍ବହ

ହେ ବିରହ, କରି ବାର୍ତ୍ତାବହ ବାରିଦରେ

ମିଳନ-ପୁଳକ ଛନ୍ଦା ଅଶ୍ରୁଭରା ତୁମ ପ୍ରତୀକ୍ଷାର

ଦୀପଟିଏ ଜାଳ

ଅଚେତନ ଜଡ ପ୍ରାୟ ପ୍ରାଣପିୟ ହେଲା ଧରାଶାୟୀ

କାଳର କରାଳ ହସ୍ତେ;

ମୃତ୍ୟୁ ତାର ଆତ୍ମାରୁ ଛଡାଇ ନେଉଛି ଘଟରୁ

ହେ ସାବିତ୍ରୀ, ମୃତ୍ୟୁର କବଳୁ ତୁମେ ତାକୁ

କରିବାକୁ ସତ୍ୟବଳେ ଜୀବନ୍ତ ଉଦ୍ଧାର

ଦୀପଟିଏ ଜାଳ

ହତଜ୍ଞାନ ଆପଣାକୁ କେନ୍ଦ୍ର କରି ଗର୍ଜେ ଅହମିକା;

ବିସ୍ମରିଛି ସୃଷ୍ଟିକ୍ରିୟା ଅନାଦିରୁ ଅନନ୍ତ ଭୂମିକା

ଆସକ୍ତ ବିଷୟେ

ଦିବ୍ୟଦୃଷ୍ଟି ଜ୍ଞାନ ବନ୍ତ ଆହେ,

ସ୍ଥୁଳର ପରଳ ଭେଦି ଅନ୍ତରେ ତାଆତ୍ମଚେତନାର

 

ଦୀପଟିଏ ଜାଳ




+ -

© Jataayu Charitable Trust
Site designed,developed & maintained by Tekons