ଦକ୍ଷଜଜ୍ଞ


ଦକ୍ଷରାଜା ଯଜ୍ଞ କରେ ଆଡମ୍ବରେ ଯଜ୍ଞ କରେ

ମନ୍ତ୍ରପଢ଼ାଯନ୍ତ୍ରଗଢ଼ା

ବହୁତ ଘିଅ ହୋଇଛି ପୋଡା;

ଅନେକ ହାତୀ ଅନେକ ଘୋଡା;

ଧାଡିକି ଧାଡି ଅଟ୍ଟାଳିକା ହେଲାଣି ଛିଡା;

ଟମକ ବାଜେ ପାଇକ ନାଚେ ପଲ୍ଲୀପୁରେ;

ଦକ୍ଷରାଜା ଯଜ୍ଞ କରେ ଆଡମ୍ବରେ; ଯଜ୍ଞ କରେ

 

କର୍ମଚାରୀ କେଜାଣି କେତେ;

ମୁହୁର୍ମୁହୁ ହୁକୁମ ଛୁଟେ;

ଅମାର ଭରେ ଅଜଣା ଖେତେ

ଘଡିକି ଘଡି ଫତୁଆ ଜାରି ଇଚ୍ଛାମତେ;

କଲମଗାର ଖଣ୍ଡାଧାରେ ଶାସନ ଚାଲେ

ଦକ୍ଷରାଜା ଯଜ୍ଞ କରେ ଆଡମ୍ବରେ; ଯଜ୍ଞ କରେ

 

ନୌକା ଚଳେ ଯାତ୍ରୀବାହୀ:

ଆହୁଲା ମାରେ ଅମଲାସାହି,

ପଝାରୀ ତେଣେ ପଇସା ବାଇ;

ଭଉଁରୀ ଟାଣେ ,ମଙ୍ଗୁଆଳ ମାରୁଛି ହାଇ,

ଡଙ୍ଗା ଚାଲେ ଅତଳ ଜଳେ ଅନ୍ଧକାରେ

ଦକ୍ଷରାଜା ଯଜ୍ଞ କରେ ଆଡମ୍ବରେ; ଯଜ୍ଞ କରେ

 

ନିମନ୍ତ୍ରିତ ଶାସକକୁଳ,

ସକଳେ ଏବେ ହେଲେଣି ଠୁଳ

ଜାମାରେ ଖୋସି ଗୋଲାପଫୁଲ;

ବଜାର ତେଜେ ; ବଢ଼ୁଛି ଦର ଅମୂଲମୂଲ

ସ୍ବପ୍ନପୁରୀ କୁଆଁରୀପରୀ କୁହୁକ ବଳେ;

ଦକ୍ଷରାଜା ଯଜ୍ଞ କରେ ଆଡମ୍ବରେ; ଯଜ୍ଞ କରେ

 

 

ଆସିଲେ ସଭେଁ, କାହିଁରେ ଶିବ?

ଦେହଟା ଅଛି ନାହିଁ ଜୀବ

ଜୀବନ ବୃଥା ଥିଲେ ଜିଭ;

ତୁଚ୍ଛ ସିନା ବିଭବ ଯେବେ ପ୍ରାଣ ଥିବ;

ମିଥ୍ୟା ଥାଟ, ଥାପିଛି ଘଟ ଅମଙ୍ଗଳେ

ଦକ୍ଷରାଜା ଯଜ୍ଞ କରେ ଆଡମ୍ବରେ; ଯଜ୍ଞ କରେ

 

 

ସତ୍ୟବ୍ରତ ଦୁରୂହ ଅତି;

ଶିବକୁ ଛାଡି ନାହିଁରେ ଗତି;

ଅସତୀ ମେଳେ ମରିଛି ସତୀ;

ପାର୍ବତୀ ତ ବରଣ କଲା ନିପଟ ଯତି

ତପଃଭୋଳା ଭସ୍ମବୋଳା ଦିଗମ୍ବରେ

ଦକ୍ଷରାଜା ଯଜ୍ଞ କରେ ଆଡମ୍ବରେ; ଯଜ୍ଞ କରେ

 

 

ଜାଗ ରେ ଜାଗ ଯୋଗେଶ୍ବର,

ସତୀର ଶବ ସ୍କନ୍ଧେତୋଳ;

ତ୍ରିଶୂଳେ ଭରି ଶକ୍ତି ତୋର

ଚରଣେ ଛୁଟା ତାଣ୍ଡବର ଧ୍ବସଂରୋଳ,

ସୃଷ୍ଟିଛଡା ବହ୍ନି ଜଳା ତ୍ରୀନେତ୍ରରେ

ଦକ୍ଷରାଜା ଯଜ୍ଞ କରେ ଆଡମ୍ବରେ; ଯଜ୍ଞ କରେ

 

 

ଭ୍ରୂକୁଟୀ ନାଚୁ ବିଷାଣ ଧରି,

ଡମରୁ ବାଜୁ ଭୟଙ୍କରୀ

ମରିବାର ଯେ ଯାଉ ସେ ମରି;

ବଜ୍ରଘାତେ ତୁଙ୍ଗ ଗିରି ଉଠୁରେ ଥରି ;
ପ୍ରଳୟ ରଚ ଚହଟ ମିଛ ସ୍ବୟଂବରେ

 

ଦକ୍ଷରାଜା ଯଜ୍ଞ କରେ ଆଡମ୍ବରେ; ଯଜ୍ଞ କରେ




+ -

© Jataayu Charitable Trust
Site designed,developed & maintained by Tekons