ହେ ମୋର ପାଠକ, ଜାଣିରଖ
ଆମେ ସବୁ କାଳ୍ପନିକ
ବିନ୍ଦୁ ଏକ ଏକ;
ଦୈର୍ଘ୍ୟ ପ୍ରସ୍ଥ ନାହିଁ,
ଅଛି ମାତ୍ର ଅବସ୍ଥିତି;
ସୃଷ୍ଟିର ଗୋଲକଧନ୍ଦା ୟେ,
ପ୍ରକୃତିର ବିଚିତ୍ର ଜ୍ୟାମିତି।
ଆଉ ତୁମେ ଜାଣିରଖ ସୂତ୍ର ଜାଗତିକ;
ଏ ବିଶ୍ବରେ ସବୁ କିଛି ଗତିଶୀଳ,
ସବୁ କିଛି ଅସ୍ଥାୟୀ , ଅଳୀକ;
ଏଥି ନାହିଁ କିଛି ନିତ୍ୟ ଅବା ଚିରନ୍ତନ
ସବୁ କିଛ କାଳରୁ ଉଦ୍ଭବି
ପୁଣି କାଳଗର୍ଭେ ହୋଇଯାଏ ଲୀନ;
ବସ୍ତୁ ନାହିଁ, ଖାଲି ନାଚେ ଛାୟା-
ଲୀଳାମୟୀ ପ୍ରକୃତିର କ୍ରୀଡନକ ଆମେ ଯେତେ;
ସବୁ କିଛି ମାୟା।
ମାୟା କିନ୍ତୁ ଅଟେ ସତ୍ୟ , ଅଟେ ନିତ୍ୟ,
ସତ୍ୟ ଏ ସଂସାର;
ଅଭ୍ରାନ୍ତ ତା’ ଗତିଛନ୍ଦ,
ଅନାହତ ତା ବୀଣା ଝଙ୍କାର।
କ୍ଷଣସ୍ଥାୟୀ ପ୍ରତିଟି ତରଙ୍ଗ,
ତାହା ଅଟେ ବିଶାଳ ସେ କାଳରୁ ଭ୍ରୂଭଙ୍ଗ,
ସୀମାହୀନ ମହାସିନ୍ଧୁ ଅବିଚ୍ଛେଦ୍ୟ ଅଙ୍ଗ।
ଜୀବନର ଅନନ୍ତ ୟେ ଯାତ୍ରା…
ଯାତ୍ରାପଥେ ପ୍ରତିପଦ ଏକ ଏକ ମାତ୍ରା।
ଜନ୍ମ ମୃତ୍ୟୁ ସୀମାରେଖା ମଧ୍ୟେ ଅବସ୍ଥିତ
ନୁହେଁ ମୁଁ ଅନୃତ;
ବିକାଶର ଚିରସ୍ରୋତା ମନ୍ଦାକିନୀ ଧାରା ମଧ୍ୟେ
ବିନ୍ଦୁ ମୁଁ ଅମୃତ।
ଜାଗତିକ ଜ୍ୟାମିତିରେ ଜ୍ଞାତବ୍ୟ ଏ ସ୍ବତଃସିଦ୍ଧ
ସତ୍ୟ ଚିରନ୍ତନ:
ତଳେ ଲଗ୍ନ ବିନ୍ଦୁ ଥାଏ ଅପ୍ରକଟ, ଜଡ ଅଚେତନ;
କିନ୍ତୁ ଯେବେ-
ତା’ ସତ୍ତାରେ ବାହୁ ଟେକି ଜଳିଉଠେ ଆକାକ୍ଷାଂର ଶିଖା,
ଆପଣାର ଗତିପଥ ରଚେ ପ୍ରାଣ: (ଉଚ୍ଛନ୍ନ ରାଧିକା
ବଂଶୀସ୍ବନେ ଗୃହ ତେଜି ଛୁଟେ ଯେହ୍ନେ ଯମୁନାର ତଟେ)
ରେଖା ସେହୁ ପ୍ରତିପାଦେ ସ୍ଥିତି ସାଥେ ଦୈର୍ଘ୍ୟକୁ ପ୍ରକଟେ।
ଭୂମିଠାରୁ ବିନ୍ଦୁ ଯେବେ ଏକ ଲକ୍ଷ୍ୟେ ଚଳେ ଉର୍ଦ୍ଧ୍ବ ରେଖ
ଇନ୍ଦ୍ରିୟର ସୀମା ଟପି, ଭେଟିବ ସେ ନିଶ୍ଚେ ଦିବ୍ୟଲୋକ;
ସେ ବିନ୍ଦୁରେ ଗତି ଯେବେ ଭୂମିଠାରୁ ହୁଏ ଅବନତ,
ଖସିବ ତଳକୁ ତଳ ସୀମାହୀନ ନରକର ଗର୍ତ୍ତ॥
ମୁଁ ସେ ବିନ୍ଦୁ ସେ ସତ୍ତା-
ଯା ଭିତରେ ବାସକରେ ସମ୍ଭାବିତ ରାକ୍ଷସ/ଦେବତା।