ବନ ଜନପଦେ କାହିଁ ତା ନିସ୍ତାର?
ବ୍ୟାଧ ଯେ ରହିଛି ଘେରି ଚଉପାଶେ;
ସେବେ ସେ ଲୁବ୍ଧକ ଥିଲା ହରିଣୀର-
ଏବେ ସେ ପ୍ରଲୁବ୍ଧ ମଣିଷର ମାଂସେ
ବଳିଷ୍ଠ ତା ବାହୁ, ଶକ୍ତ ମାଂସପେଶୀ,
ଧମନୀରେ ଧାଏଁ ରକ୍ତ ଲାଲେ ଲାଲ,
ଉଜ୍ବଳ ଆନନେ ଜଳେ ଦୁଇଆଖି,
ଦୀପ୍ତମନ୍ତ କରି ପ୍ରଶାନ୍ତ କପାଳ।
ଚଟକଳ ଚିପୁଡ଼ୁଛି ଶିରା ତାର,
ଲେଥେରେ ତା ଛାତି ହେଉଛି ତ ପିଟା,
ତା କଲିଜା କୁହୁଳୁଛି ଚିମିନିରେ,
କଳେ କଳେ ଜଳେ ତା ଜୀବନ ଚିତା।
କଳକୁ ମାଲିକ, ଜମିକୁ ମାଲିକ,
ହାଡ କୁଢ଼ କୁଢ଼ ଅସଂଖ୍ୟ ବେକାର,
ଗଡିଗଲେ ଚକେ ସଭ୍ୟତା ବର୍ବର,
ମଣିଷ କରୁଛି ମଣିଷ ଶିକାର।
ସେବେ ଟାଣିଥିଲା ଦଉଡିଆ ପାଶ,
ଏବେ ସେ ପାତିଛି ଅର୍ଥନୀତି ଜାଲ;
ଖୋଲା ବଜାରରେ ନ ମିଳୁଛି କିଛି,
ଗଳିରେ ଖୁନ୍ଦିଛି ମନାଇଚ୍ଛା ମାଲ।
ଶୋଷକ ସାଥିରେ ଶାସକ ଯେ ସହ୍ଲା,
ନିର୍ବାଚନ ଆଗୁଁ ଚାନ୍ଦା କୋଟି କୋଟି,
ବଜାର ତେଜିଲା, ଭୋଟର ଯେ ହେଲା-
ନୋଟରେ ଛନ୍ଦିଛି ଭୋଟରଙ୍କ ଚୁଟି।
ସେବେ ବାନ୍ଧିଥିଲା ଚାରିଗୋଟା ଶ୍ବାନ,
ଏବେ ତ ଅଛନ୍ତି ଦୃଢ଼ ମିଲିଟାରୀ,
ମଣିଷ ମାରଣେ ତାଲିମ ସେମାନେ,
ଝାଁପ ଦେବେ ଖାଲି ଆଖି ଦେଲେ ଠାରି।
ଏକପାଶେ ଥିଲା ଅଗ୍ନିର ବାରଣ
ଏବେ ତ ଜଲୁଛି ସମସ୍ୟା ବେକାରି;
ପେଟ ବିକଳରେ ମରେ ଛଟପଟ
ନାହିଁ ଧନ୍ଦାଫନ୍ଦା ନାହିଁ ଟି ଚାକିରି।
ଦ୍ବାର ଜଗିଥିଲା ଧରି ଧନୁର୍ବାଣ;
ଆଜି ତା ହାତ ରେ କ୍ଷମତାର ଡୋର
ସହରେ ସହରେ ଚାଲିଛି ତ ଗୁଳି,
ଛନ୍ଦିବାକୁ ଅଛି ‘ ମିଶା’ ର ଶିକୁଳି॥