ବିନ୍ଦୁ……….
ଦୈର୍ଘ୍ୟ ନାହିଁ, ପ୍ରସ୍ଥ ନାହିଁ, ନାହିଁ ବେଧ,
ଅଛି ମାତ୍ର ଅବସ୍ଥିତି।
ସବୁ ଦୈର୍ଘ୍ୟ, ସବୁ ପ୍ରସ୍ଥ, ସବୁ ବେଧ
ବିନ୍ଦୁରୁ ଗଣିତ ହୁଏ,
ବିନ୍ଦୁରେ ହିଁ ତାର ପରିଣତି।
ଅନୁଭବେ ଆଣେ ତା’ର ଉପସ୍ଥିତି।
ଲମ୍ବିଛି ସେ ଆଗ ପଛ-
ବ୍ୟାପିଛି ସେ ଚତୁର୍ଦ୍ଦିଗେ,
ଭେଦି ନିମ୍ନେ ଊଠେ ଉର୍ଦ୍ଧ୍ବେ,
ଆଖି ନାହିଁ ପାଏ।
ବୁଦ୍ଧି ହଜେ କଳିବାକୁ ଯାଇ ତାକୁ,
ଆପାଣାକୁ ମଣେ ଅସହାୟ।
ଅମାପ ସେ ସରୀସୃପ
ସମଗ୍ର ଅତୀତ ଗିଳି, ଖାଏ ବର୍ତ୍ତମାନ,
ତେବେ ବି ସେ
ଭବିତବ୍ୟେ ଗ୍ରାସିବାକୁ ଚାହେଁ।
ତା’ର କୁମ୍ଭିପାକେ
ତୁମେ ଓ ମୁଁ, ପୃଥ୍ବୀସାରା,
ସୂର୍ଯ୍ୟଚନ୍ଦ୍ର ଗ୍ରହତାରା,
ଦୃଶ୍ୟାଦୃଶ୍ୟ
ସବୁରି ଭୟ, ସବୁରି ବିଲୟ।
ନିଶ୍ଚଳ ସେ, ନିଃଶବ୍ଦ ସେ, ଆଦିମ ସେ ଅଣ୍ଡ
ପ୍ରଚଣ୍ଡ ଶବଦେ
ଦେଖ ଦେଖ ଫାଟିପଡେ ହୋଇ ଖଣ୍ଡ ଖଣ୍ଡ…
ଫଣୀ ଦିଏ ଲମ୍ଫ,
ସୃଷ୍ଟିରେ ସେ ଆଦି ସରୀସୃପ
ଆଦିମ ସେ ସରୀସୃପ
ସୃଷ୍ଟି କରି ଅଜସ୍ର କୁଣ୍ଡଳୀ ଆଚ୍ଛାଦେ କ୍ଷଣକେ ବିଶ୍ବେ ଆଦିମ କୁହେଳୀ।