କୁହେଳୀର ଭିତ୍ତି ପରେ ବ୍ୟାପ୍ତିମୟ ମାୟାଜାଲ ଟାଣି
ପ୍ରଣବ ଧ୍ବନିରେ ତୋଳେ ତ୍ରିପଟାରେ ସୃଜନର ବାଣୀ।
ଧ୍ବନିରୁ ସଂଚାର ଲଭେ ଆଦି ମହାକାଶ,
ମହାକାଶେ ହେଲା ପୁଣି
ମରୁତ ପ୍ରକାଶ
ମରୁତରୁ ହେଲା ତେଜଃର ଉଦ୍ଭବ
ତେଜରୁ ସମ୍ଭତ ହେଲା ଆପଃ ମହାପ୍ରଭୂ
ଆପରୁ ଜନ୍ମିଲା ପୁଣି ମହାପ୍ରାଣ କ୍ଷତି.....
ଆଦ୍ୟ ଉପାଦାନ ଏଥି ଆରମ୍ଭିଲା ସୃଷ୍ଟି।
ଦେଖେ ଏବେ ସେ ପ୍ରଚ୍ଛଦପଟେ
ଆଲୋକ ଓ ଅନ୍ଧାରର ଛାୟାନୃତ୍ୟ
ଆଉ ଯାହା ଏ ଜୀବନେ ସମ୍ଭବ ବା ଘଟେ।
ଏଇ ଦେଖ,
ଉଷା ସଲଜ୍ଜ ଗଣ୍ଡେ ଅରୁଣର ଆରକ୍ତ ଚୁମ୍ବନ;
ରେଳପଥେ ଦୁର୍ଘଟଣା, ରାସ୍ତାଘାଟେ ଭିକ୍ଷୁ ପଲଟନ;
ସୁସଜ୍ଜିତ ଉଦ୍ୟାନର ଫୁଲ ଦୋଳେ ମଳୟ ହିଲ୍ଲୋଳେ
ଅଜ୍ଞାନ ସେ ମ୍ଲେଚ୍ଛପିଲା ମରିପଡେ ବସ୍ତି ମାଡ଼ଗୋଳେ।
ଦେଖ ବାତ୍ୟାର ପ୍ରକୋପ, ଭୂମିକମ୍ପ,
ଉଚ୍ଚ ଅଟ୍ଟାଳିକା
ଆପାଣାର ଦେହବିକା
ଯେ ବାଳିକା ମରେ ତା ଜୀବିକା
ଶାନ୍ଶାହୀ ଦରବାରେ ତାନ୍ସେନୀ ଶୁଣ ୟେ ଆଳାପ
ବିଧାତାରେ ଦେଇ ଅଭିଶାପ
ଚାଷୀବୁଢ଼ା ପିଟୁଛି ତା’ ମୁଣ୍ଡ
ଫୁଲତୋଡ଼ା ହାତେ ଧରି
ଅଭ୍ୟର୍ଥନା ଲାଗି କା’ର ବହୁଲୋକ ରୁଣ୍ଡ
ହୋଇଛନ୍ତି
ହତ୍ୟାକାରୀ ଗୁଳିଚୋଟେ କେ ପଡୁଛି ଟଳି;
କେ ପୁଣି ଛୁଟିଛି ବୀର
ରକ୍ତ ନଦୀ ପହଁରି ପହଁରି।
ଜୀବନର ଧାର ବହେ ଅବାରିତ
ଘାତ-ପ୍ରତିଘାତେ
ଅସମ୍ପୁର୍ଣ୍ଣ ସେ ନାଟକ
ପରିପୂର୍ଣ୍ଣ ନାନା ପ୍ରଶ୍ନ, ନାନାରଙ୍ଗ
ହର୍ଷ ଓ ବିଷାଦେ
ବାସୁକୀ ତା ଫଣା ପରେ ନେଇଛି ତ ସଂସାରର ଭାର।
ଯେ ବାସୁକୀ ସେହି ମହାକାଳ।