ଭାରତ ବନ୍ଦନା


ପବିତ୍ର ମୋ ସମ୍ବିଧାନ, ପବିତ୍ର ଭୋଟ;

ସତ୍ୟ, ନ୍ୟାୟ, ଗଣତନ୍ତ୍ର ଲାଗି ପାସ୍ପୋର୍ଟ

ସାର୍ବଭୌମ ପାର୍ଲାମେଣ୍ଟ, ମନ୍ତ୍ରିତ୍ବ ଜାହିର;

କଳିଯୁଗେ ରାମ ରାଜ୍ୟ ନୌକାରସାହିର

 

ଗନ୍ଧମାର୍ଦ୍ଦନ ଥାପିଲା ପ୍ରାୟ ହନୁମାନ

ଆମ୍ବେଦକର ରୋପିଲେ ଆମ ସମ୍ବିଧାନ

ବ୍ରିଟେନର ବୀଜ ଆଉ ଆମେରିକା ସାର,

ତହିଁରୁ ଫୁଟିଲା ଛତୁ ମୌଳିକାଧିକାର

ଆମ୍ବେଦକର ଯେ ଜାଣ ମନୁ କଳିକାଳେ;

ଆଧୁନିକ ଶାସ୍ତ୍ରକାର ବିଧାନବିଦ୍ୟାରେ;

ସୃଷ୍ଟିକଲେ ବ୍ରହ୍ମାଣ୍ଡ ସେ ଯୁଗର ବ୍ରହ୍ମା,

ଖଣ୍ଡ ଖଣ୍ଡ ହେଲା ଅଣ୍ଡା ଧରେ ଉଷୁମା

 

ଖଣ୍ଡିତ ଭାରତବର୍ଷେ ପଣ୍ଡିତ ନେହେରୁ

ବିଶ୍ବାମିତ୍ର ସୃଜିଲେ ଯେ ଧର୍ମଛଡା ତରୁ

ବିଂଶ ବର୍ଷେ ହେଲା ତା ତ୍ରିଂଶ ସଂଶୋଧନ,

ମୌଳିକ ଯେ ଅଧିକାର ମୂଳରୁ ଛେଦନ

 

ବୃକ୍ଷର ପତ୍ରେ ପତ୍ରେ ତକ୍ଷକର ବାସ

କଷି ଧରି ଅପର୍ଯ୍ୟାପ୍ତ, ଫଳେ ସର୍ବନାଶ;

ଡାଳେ ଡାଳେ ଲୋଟିଯାଏ ଯୋଜନାକଳିକା;

ଫିଟିଲେ ଫାଟିଲେ ଜାଣ ବେଲୁନ୍ଭଳିକା 

 

ସଂଜୀବିତ ରାମରାଜ୍ୟେ ଶୁଦ୍ଧ ଗଣତନ୍ତ୍ର

ଦାରିଦ୍ର୍ୟ କବଚେ ଲେଖା ସାମ୍ୟବାଦ ମନ୍ତ୍ର,

ନିରାପତ୍ତା ଦାୟେ ଚାଲେ ଆଶ୍ରିବା ଗାରଦ

 

ନମୋ ନମୋ ଦାରୁଭୂତ ଇଣ୍ଡିଆ ଭାରତ




+ -

© Jataayu Charitable Trust
Site designed,developed & maintained by Tekons