ଦେବବାଣୀ


ଘନାଇଛି ଅନ୍ଧକାର, ଘୂମନ୍ତ ମଥୁରା;

ଆର୍ତ୍ତନାଦେ ଥରି ଉଠେ ଅବରୁଦ୍ଧ କାରା,

ଦେବକୀର ନେତ୍ରେ ଜଳେ ଅମଙ୍ଗଳ ତାରା,

କଂସ ସାବଧାନ!

 

ଗର୍ଭେ ସଂଚରି ଅଛି ଯେ ଶିଶୁ ମହାନ୍

ମହାପ୍ରାଣ

ସେ ଅନିର୍ବାଣ!

ବ୍ୟଭିଚାରେ ଜର୍ଜ୍ଜରିତା ଉତ୍‌ଫଣ ଜମୁନା

କୂଳେ କୂଳେ ହାଣେ ତା କୃଷ୍ଣ ଉତ୍ତେଜନା,

ଧସିବାକୁ ଚାହେଁ ତାହା ଗ୍ଲାନିଜୀର୍ଣ୍ଣ ଯାହା କିଛି ପୁରୁଣା

କଂସ ସାବଧାନ!

 

ଅନ୍ୟାୟର ପ୍ରତିପକ୍ଷେ ଦୃପ୍ତ ପ୍ରତିଶୋଧ,

ଅବିଚାର ପ୍ରତିପେକ୍ଷେ ପୁଞ୍ଜୀଭୂତ କ୍ରୋଧ

ସୂଧମୂଳ ହିଂସା ମାଗେ ନେବ ପରିଶୋଧ

କଂସ ସାବଧାନ!

 

ସୃଷ୍ଟିର ନି୍ୟମ , ହେବ ନାହିଁ ଆନ,

କ୍ରିୟାଠାରୁ ପ୍ରତିକ୍ରିୟା ନୁହେଁ କେବେ ସାନ;

ରାତ୍ରିର ଦୁର୍ଭେଦ୍ୟ ଦୁର୍ଗେ

ହେବ, ହେବ ଆଲୋକର ଉଚ୍ଛଳ ପାର୍ବଣ

ସତ୍ୟ ଏହା ଚିରନ୍ତନ, ଅଭ୍ରାନ୍ତ ଅମ୍ଳାନ

 

କଂସ ସାବଧାନ!




+ -

© Jataayu Charitable Trust
Site designed,developed & maintained by Tekons