-ଷଷ୍ଠ ଅଙ୍କ-
ମୁକ୍ତି ତ ସପନ-
ଆମ ଦୁନିଆଁରେ ଯେତେ ମେହେନତୀ ଜନସାଧାରଣ
କି ପାଇଛୁଁ କୁହ
ଶ୍ରମ ସ୍ବେଦ ରକ୍ତସ୍ନାନ ପରିବର୍ତ୍ତେ?
ଯୁଗ ଯୁଗାନ୍ତରେ
କେବେ ପ୍ରଭୁ କେବେ ରାଜା, କେବ ଅବା ବୁର୍ଜୁୟା ବେଶରେ ସେମାନେ କରନ୍ତି ଲୁଟ୍ ଆମ ରୁଟି, ଆମର ଅର୍ଜନ;
କାଳେ କାଳେ ଆମେ ଭାଲେ ଲେଖା ଖାଲି ଦାରିଦ୍ର୍ୟ-ଦଂଶନ।
ଆମ ରକ୍ତେ ଚଳେ କଳ,
ବିଲେ ଆମେ ଠେଲୁ ହଳ,
ସବୁରି ଜନକ ଆମେ,
ସବୁଥିରୁ ଆମେତ ବଂଚିତ;
ହେମ ଶିହରଣ ଖେଳେ ଖେତେ ଖେତେ ; ଆମେ ବୁଭୁକ୍ଷିତ।
ସେମାନେ ଗଢ଼ନ୍ତି ରାଷ୍ଟ୍ର;
ଜୀବନ ମହୋତ୍ସବ ଆମର ସେ ଏକ ହିଁ ସମ୍ବଳ।
ଆମେ ସର୍ବହରା-
ସାରା ବିଶ୍ବେ ନିଃସ୍ବ ଆମ ଦେଶେ ଦେଶେ, ଗୋରା ଅବା କଳା;
ଜାଗ ଜାଗ ଜାଗରେ ଦଳିତ
ଏକତାହିଁ ଆମ ବଳ; ବିଶ୍ବବ୍ୟାପୀ ହୁଅସଂଗଠିତ
ଏକ ହୁଅ ମେହନତୀ ଜନତାର ଅଜେୟ ସେନାନୀ,
ଏକ ହୁଅ, ଏକ ହୁଅ, ହେ ଶୋଷିତ କଙ୍କାଳ ବହିନୀ।
ଏକପଟେ କୁରୁବଳ, ଅନ୍ୟ ଦିଗେ ଆମର ଛାଉଣୀ,
ଶ୍ରମିକ-କୃଷକ ଆଉ ବୁଦ୍ଧିଜୀବି-ଛାତ୍ର ଓ କିରାନୀ।
ଅବତୀର୍ଣ୍ଣ କର୍ଣ୍ଣଧାର କାର୍ଲମାର୍କସ୍ ବିପ୍ଳବ ବିଜ୍ଞାନୀ
ବଂଚିତର ମନ୍ତ୍ରଦାତା ସଖା କୃଷ୍ଣ ସୁଦର୍ଶନପାଣି:
ଆରେ ମୋହଗ୍ରସ୍ତ-
ବିଶ୍ବରୁପୀ ଦେଖ କୁରୁକ୍ଷେତ୍ର।
ଯୁଗାନ୍ତକ ରଣେ ମତ୍ତ କ୍ଷାତ୍ରଧାମେ ଅଗ୍ରଜ ଲେଲିନ୍,
ଧନୁର୍ଦ୍ଧର ମହୋତେଜା ମହାଚୀନ, ଭୀମ ହୋଚିମିନ୍,
ନକୁଳ ଯୁଗୋସ୍ଲାଭିଆ, କ୍ୟୁବା ସହଦେବ;
ରତ ଧର୍ମଯୁଦ୍ଧେ
ତୃଷାର୍ତ୍ତ ମେଦିନୀବକ୍ଷ ସିକ୍ତ କରେ ରକ୍ତ ବୈତରଣୀ,
ଦୁଃଶାର ରୁଧିର ମାଗେ ବିବସନା, ମୁକ୍ତ ଯେତେ ବେଣୀ,
ଅକୌରବା ହେବ ନିଶ୍ଚେ ଧରା,
ସମାଜର ମୁକ୍ତମାର୍ଗେ ନାୟକତ୍ବ କରେ ସର୍ବହରା
ଆସ ଆମେ ହେବା ସବୁ ସାଥୀ,
ଗାଅ ଇଣ୍ଟରନ୍ୟାସାନାଲ । ଏକ ହେବ ଏ ମାନବ ଜାତି॥