-ଚତୁର୍ଥ ଅଙ୍କ-
ମହୋତ୍ସବେ କେତେ ଲୀଳା, କେତେ ରଙ୍ଗ, ନାନାବିଧ ବେଶ;
ତ୍ରିଗୁଣେ ଭିଆଇ ବସ୍ତୁ ଚାରିବର୍ଣ୍ଣେ ସୃଜିଲା ମଣିଷ।
ମଜ୍ଜିଯାନ୍ତି ଥୋକେ ଲୋକ ଧରାତଳେ ବସ୍ତୁର ପ୍ରାଚୁର୍ଯ୍ୟେ;
ଆନ ତାକେ: ଆସ ଭାଇ ଅପାର୍ଥିବ ଆତ୍ମାର ଐଶ୍ବର୍ଯ୍ୟେ
ବିରାଜେ ଯେ ଦିବ୍ୟଭୂମି, ତା’ର ଆମେ ହେବା ଅଧିକାରୀ;
ଏଠି ମରୀଚିକା ଖାଲି, ସେଠି ଝରେ ପ୍ରଶାନ୍ତିର ବାରି।
ଏଇ ଦେଖ-
ଝଲମଲ କରେ ରୋମ ରୋମାଞ୍ଚକ ନଗରସମ୍ରାଟ;
ବୀର୍ଯ୍ୟ ଫୁଟେ ବାହୁସ୍ଫୋଟ, ମସ୍ତକେ ତା’ ଶୌର୍ଯ୍ୟର ମୁକୁଟ।
ଦୁର୍ଗଚୂଡେ ଘନ ଘନ ବାଜୁଛି ବିଗୁଲ-
ଜୈତ୍ର ଉଡେ, ଅଶ୍ବପୃଷ୍ଠେ ଅଭିଯାତ୍ରୀ ଚଳେ
ପୃଥୀ କରି ହୁଲସ୍ତୁଲ
ଜାଳି ଜାଳି ପୁରପଲ୍ଲୀ, ରକ୍ତେ ରଞ୍ଜି ମୁକ୍ତ ତରବାରି
ଦୁର୍ଦ୍ଧର୍ଷ ଦୁର୍ବାର ସେନା ଦିଗେ ଦିଗେ ସାମ୍ରାଜ୍ୟ ବିସ୍ତାରି
ପ୍ରଭୁଙ୍କ ସମ୍ଭୋଗ ଲାଗି
ସୃଷ୍ଟି କରି ଦେଶ ଦେଶ ଅଗଣତି ନିର୍ଯାତିତ ଦାସ,
ମଧୁମୟ ଧରାଧାମେ ସୃଷ୍ଟି କରି ବଂଚି ତ’ର ଅସନ୍ତୋଷ।
ନିର୍ଯାତିତ ନର ତୁମେ ଦେବଶିଶୁ, ତୁମେ ମୋ ସୋଦର,
ତୁମକୁ ମୁଁ ପ୍ରେମ କରେ, ତୁମ ମୁଁ କରିବି ଆଦର
ନିଜକୁ ନ ମଣ ସାନ, ପ୍ରଭୁ ତୋର ଅତୀବ ମହାନ୍;
ବିଶ୍ବର ଏ ମହୋତ୍ସବେ ନିଃସ୍ବ କରି ତୋତେ ଅପମାନ
ଦିଏ ଯେହୁ,
ପ୍ରଭୁପାଦ ଲଭିବାରୁ ହେବ ସେ ବଞ୍ଚିତ
ପତିତ ବୋଲାନ୍ତି ଯାକୁ ନିଶ୍ଚିତ ସେ ହୋଇବ ଉତ୍ଥିତ
ସ୍ବର୍ଣ୍ଣ-ସଂହାସନେ ତୁହି ଜାଣ ଜାଣ ହେବୁ ଅଧିଷ୍ଠିତ।
ଜାଗଗଗଜଜଜଜଜଜଜଜଜଜଜଜାଗ ଉତ୍ତିଷ୍ଠତ
ଅଜ୍ଞାତ ଜାତି ଗୋତ୍ର, ମେରୀପୁତ୍ର କିଏ ଏହି ଯୀଶୁ?
ସଂଜୀବିତ କରେ ଶବ
ଜାରଜକୁ କହେ ଦେବ ଶିଶୁ।
ଦଳିତକୁ କୋଳେ ତୋଳେ,
କରେ ପୁଣି ପତିତ ଉଦ୍ଧାର।
ସ୍ପର୍ଦ୍ଧା, ଆମ୍ଭର ପ୍ରଭୁତ୍ବ ଦମ୍ଭଭରେ କରେ ଅସ୍ବୀକାର।
ଈଶବାଣୀ ସଇତାନି।
ବନ୍ଦୀକର,
କର କଣ୍ଠରୋଧ;
ତୃଷାର୍ତ୍ତ ମରୁରେ ନେଇ
ରାଜଦ୍ରୋହେ
କର କ୍ରୁଶବିଦ୍ଧ।
“ଅପକର୍ମ ପରିଣାମେ ଅଜ୍ଞ ସେ ଯେ,
ସେମାନଙ୍କୁ କ୍ଷମା କର ପ୍ରଭୁ!
ପ୍ରଭୁ କୃପାକର,
ତମିସ୍ରିତ କୋଣେ କୋଣେ ଆଲୋକ ସମ୍ଭବୁ।”
ଆମେନ୍, ଆମେନ୍, ଆମେନ୍,