-ତୃତୀୟ ଅଙ୍କ-
ବିପ୍ର ବୋଲେ,
ରେ ଚାଣ୍ଡାଳ, ଘଟାଇଲୁ ତୁ ଘୋର ପ୍ରମାଦ,
ମନ୍ତ୍ରେ ଆମ୍ଭେ ଅଧିକାରୀ,
ତୁ ଛୁଇଁଲେ ପ୍ରଭୁଙ୍କର ପାଦ ।
ମାରା ହେଲା, ମାରା ହେଲା ଯେ ବିଗ୍ରହ! ହେଲା ସର୍ବନାଶ;
ତୋ ପାପେ ଦେବତା ରୁଷ୍ଟ; କଅଁଳିବ ନାହିଁ ଦୂବଘାସ।
ଲୋଡା ପ୍ରାୟଶ୍ଚିତ୍ତ…
ଶାସ୍ତ୍ର ଡାକେ ଏ ପାପକୁ ବ୍ୟବସ୍ଥା ଯେ ହେବାର ଉଚିତ;
ସପ୍ତଦିନ ଯାଗଯଜ୍ଞ, ଚଣ୍ଡିକାୟୀ ପ୍ରଚଣ୍ଡ ଯେ କ୍ଷୁବ୍ଧା
ତା ସନ୍ତୋଷ ଲାଗି ଲୋଡା ଯୂପକାଷ୍ଠେ ଶହେ ଆଠ ବୋଦା;
ସୁର୍ଣ୍ଣମୁଦ୍ରା ଏକଶତ,
ବତ୍ସାଯୁକ୍ତା କୃଷ୍ଣଗାଭୀ ଦୁଇଗୋଟି, ନଥିବଟି ଖୁଣ;
ଦାନଠାରୁ ଦକ୍ଷିଣା ଦ୍ବିଗୁଣ।
ଶାସ୍ତ୍ର ବାକ୍ୟ ମାନିନାହିଁ। ଏ ପାପରେ ଧର୍ମଗଲା ଛାଡି।
ଜାଳ ଜାଳ ପାପିଷ୍ଟର ବାସଗୃହ, ଦିଅ ଗ୍ରାମୁଁ ତଡି!!
-କାହିଁ ଯିବି?
ଭାରତର ପ୍ରାନ୍ତୁ ପ୍ରାନ୍ତୁ ଧର୍ମନାମେ କ୍ରୂର ବ୍ୟଭିଚାର…
ଆହେ ଭଗବାନ,
ଦୀନବନ୍ଧୁ ଆହେ ଆର୍ତ୍ତତ୍ରାଣ,
ତୁମେ ତ କହିଚ ପ୍ରଭୁ ନର ଦେହେ ହେବ ଅବତାର,
ଅତ୍ୟାଚାରେ ଅବିଚାରେ ସୃଷ୍ଟି ତୁମ ହୁଏନାରଖାର।
‘ନ ଜଚ୍ଚା ବସଲୋ ହୋତି । ଜଚ୍ଚା ହୋତି ବ୍ରାହ୍ମଣୋ;
କମ୍ମୁନା ବସଲୋ ହୋତି। କମ୍ମୁନା ହୋତି ବ୍ରାହ୍ମଣୋ॥’
ଲୋଡା ନାହିଁ ମନ୍ତ୍ର ତନ୍ତ୍ର, ଲୋଡା ନାହିଁ ପୂଜାର ନୈବେଦ୍ୟ
ଶରୀର ମଧ୍ୟରେ ଜାଣ ଆତ୍ମା ତୋର ପରମ ଆରାଧ୍ୟ;
ଚିତ୍ତଶୂଦ୍ଧି, କ୍ରିୟାଶୁଦ୍ଧି,ଜୀବେ ଦୟା, ସତ୍ୟେ ରଖ ନିଷ୍ଠା,
ଆଚରଣେ ସଦାଚାର, ଭକ୍ତି ପ୍ରୀତି କର ତୁ ପ୍ରତିଷ୍ଠା;
ଏ ମର ଜଗତେ ନର ଅମୃତର ପାଇବ ସନ୍ଧାନ,
ଲଭିବ ନିର୍ବାଣ।
ସଦୟ ହୃଦୟ ଶାନ୍ତ ଜ୍ଞାନବନ୍ତ ତେଜସ୍ବୀ ଭାସ୍ବାନ୍
କିଏ ତୁମେ ଆଂଚବିତ ଆବିର୍ଭୂତ ହୋଇଲ ସନ୍ୟାସୀ?
ଜୀବନର ମହୋତ୍ସବେ ସଦାରତ ଅଥଚ ଉଦାସୀ?
ଶୁଦ୍ଧ ତୁମେ, ସିଦ୍ଧ ତୁମେ ତୁମେ ବୃଦ୍ଧ ତୁମେ ମହାପ୍ରାଣ
ତୁମେ ଅବତାର, ତୁମେ ଭଗବାନ।
ଧମ୍ମ ଶରଣଂ ଗଚ୍ଛାମି
ସଂଘଂ ଶରଣଂ ଗଚ୍ଛାମି
ବୁଦ୍ଧଂ ଶରଣଂ ଗଚ୍ଛାମି॥