-ପଞ୍ଚମ ଅଙ୍କ-
ବଡ ଆଉ ସାନ
ସବୁ ବିଧି ଭିଆଣ
ସମ୍ରାଟ ସାମନ୍ତ
ସେ ତ ପ୍ରଭୁଙ୍କ ସିଦ୍ଧାନ୍ତ।
ରାଜପଦ:
ଦେବଦତ୍ତ ସ୍ବତ୍ବ
ପକ୍ବ ଶ୍ମଶ୍ରୁ ଧର୍ମରାଜ ବଖାଣୁଛି ବାଇବେଲ-ତ୍ବତ୍ତ
ଅଶ୍ରୁସିକ୍ତ ଭୂମିଦାସ ଆଗେ;
ଅସରନ୍ତି ଜୀବନଟା ପରିପୂର୍ଣ୍ଣ ଦୈନ୍ୟ ଦୁର୍ବିପାକେ।
ଏ ହାତରେ ସୃଷ୍ଟି କଲା ଯାହାକିଛି ସୁନ୍ଦର ସରସ,
ସେ ସବୁ ତ ସାମନ୍ତର;
ଭାଗ୍ୟେ ତା’ର ନିତ୍ୟ ହା଼-ହୁତାଶ
ବୁଭୁକ୍ଷିତ ଭୂମିଦାସ ଦୀର୍ଘଶ୍ବାସେ ପ୍ରଶ୍ନ ତୋଳେ:
-ଏହାର କି ନାହିଁ ଶେଷ, ନାହିଁ ସୀମା
ଦେଶବ୍ୟାପୀ ଅତ୍ୟାଚାର, ଅବିଚାର ଅତିଷ୍ଠ ଅନ୍ୟାୟ?
ଆଶ୍ବାସଇ ବିଶ୍ବାସର ଗୀର୍ଜାଗୁରୁ :
‘ପ୍ରଳୟାନ୍ତେ ନିଶ୍ଚେ ପ୍ରଭୁ ଦେବେ ତାଙ୍କ ରାୟ଼’।
ଜର୍ଜରିତ ଜନଗଣ
ଗର୍ଜିଉଠେ ବଜ୍ରକଣ୍ଠେ-
ଆମେ ଚାହୁଁ ମୁକ୍ତି!
ଆନ କଥା ସବୁ ମିଥ୍ୟା,
ସତ୍ୟ ଏକା ରୁଷୋ ଉକ୍ତି-
‘ଏ ବନ୍ଧନ ସାମାଜିକ ଚୁକ୍ତି।’
ଷୋଡଶ ଲୁଇ ଯେ ଆମ୍ଭେ,
ଦେବଦତ୍ତ ଆମ୍ଭ ଅଧିକାର,
ଆମ୍ଭେ ମେରୀ,
ମହାମାନ୍ୟା ରାଜେଶ୍ବରୀ
ସାମ୍ରାଜ୍ଞୀ ତୁମ୍ଭର।
ଆତଲାନ୍ତା ଉପକୂଳେ ବହିଯାଏ ଆଗ୍ନେୟ ତୋଫାନ-
ଲେଲିହାନ ଶିଖାରେ ତା’ ମଧ୍ୟଯୁଗେ ଲଭେ ଅବସାନ।
ପଡେ ଗିଲୋଟିନ୍।
ଆମେ ମୁକ୍ତ ଆମେରେ ସ୍ବାଧୀନ।
ଛିଡିପଡେ ଯୁଗାନ୍ତର କଳଙ୍କିତ ସାମନ୍ତ-ବନ୍ଧନ;
ମୁକ୍ତ ଆମେ ଭୁମିଦାସ, ମୁକ୍ତ ପୁଞ୍ଜି, ମୁକ୍ତ ଜନଗଣ।
ପ୍ୟାରୀ ରାଜଧାନୀ
ସମ ଅଧିକାର ଆଉ ଭ୍ରାତୃତ୍ବର ତୋଳେ ମହାଧ୍ବନି।