-ଦ୍ବିତୀୟ ଅଙ୍କ-
ଏଥୁ ଅନନ୍ତରେ ଶୁଣ ଘଟିଲା ବିଭ୍ରାଟ;
କେହୁ କହେ ମୁହିଁ ବଡ
ମୁହିଁ ନର, ସୃଷ୍ଟିରେ ମୁଁ ଶ୍ରେଷ୍ଠ,
ଆଦାମ ତନୁଜ ଆମ୍ଭେ, ନୋହାତରୀ ବୀଜ ମଧ୍ୟେ ସାର;
ଆମ୍ଭଲାଗିଏ , ସର୍ଜନା, ବିଶ୍ବଭରି ବିପୁଳ ସମ୍ଭାର।
ଆହେ ମୁକ ତରୁଲତା,ଅନାୟାସେ ତୁମ୍ଭଙ୍କୁ ଛେଦିବୁ
ସାବଧାନ, ସାବଧାନ, ଆଜିଠାରୁ ଆମ୍ଭେ ତୁମ ପ୍ରଭୁ।
ବନାନୀର ଜୀବଜନ୍ତୁ , ତୁମେ ସବୁ ଜାଣି ରଖ ମଧ୍ୟ,
ତୁମର ଜୀବନ ଆମ୍ଭ ଇଚ୍ଛାଧୀନ , ତୁମେ ଆମ ବଧ୍ୟ।
ଆମେ ମହାବଳ,
କ୍ରୂର, କୁଚକ୍ରୀ, କୌଶଳୀ ଜାନୁଆର; ହିଂସାରେ ପ୍ରବଳ।
ଏମନ୍ତ ଘଟଣା,
ଦେବଶିଶୁ ଆପଣାର ପାପପଙ୍କେ ହୁଏ ପଥବଣା,
ଦେବଭାବ ତେଜି ନରେ ତମସାରେ ହୋଇଲେ ଆସକ୍ତ;
ଏକହିଁ ମନୁର ପୁତ୍ରେ ନାନା ଜାତି ଶ୍ରେଣୀରେ ବିଭକ୍ତ,
ମୁଁ ବ୍ରାହ୍ମଣ କେ ବୋଲଇ,
କେ ବା ରାଜା, କେହି ବା ସମ୍ରାଟ,
କେ ହୋଇଲା ଅସବର୍ଣ୍ଣ;ଜାତି ଧର୍ମ ବାଦ ବିସମ୍ବାଦ।
ଅହମିକା ଗଲା ଘୋଟି, ନିଜ ଗୋତ୍ର ଗଲେ ସେ ବିସ୍ମରି;
ବଳବନ୍ତ ଜନେ ସର୍ବ ସାମାଗ୍ରୀକୁ ବସିଲେ ଆବୋରି;
ଜନନୀକୁ ଜାୟା କରି ବୋଲାଇଲେ ସେହୁ ମହୀପତି;
ତା’ ଔରସେ ଜାତହେଲା ଯେ ଜାରଜ ଡଙ୍କିଣୀ ‘ସମ୍ପତ୍ତି’
ସମାଜକୁ ସେହି ହେଲା କିଳା,
ତା’ ଲାଗି ଲାଗିଲା ଦ୍ବନ୍ଦ, ପୁରେ ପୁରେ ବିପତ୍ତି ଘୋଟିଲା।