ଖୋଦା, ହେ ମୋର ମହାପ୍ରଭୁ
ଜନମ ହେବା ଆଗୁ
ତୋ ପାଖେ ପରା ହଲପ କଲି
ମଣିଷ ହେବି ବୋଲି।
ଦୁନିଆଁଟାରେ ମଣିଷ କାହିଁରେ?
କେଇଟା ବାଘ
ବାକିତକ ଛେଳି!!
ଅମାର ଘରେ କୋଲପ ଦେଇ
ଅମୀର ସାଜେ ଯେହୁ,
ମରଦ ସିଂହ ଚାହେଁ ରେ ଚାହେଁ
ତାହାରି ତାଜା ଲହୁ।
ତୋପ ମୁହଁରେ କରେ ଯେ ଲୋପ
ଜନ୍ମଗତ ମଣିଷ ଅଧିକାର,
ପିସ୍ତଲ ଭରେ ତାହାରି ଲାଗି,
‘ହେଲେ ହେବି ବା ଖୁନି, ଦାଗୀ
ଖପୁରୀ ତାର ଉଡ଼ାଇ ଦେବି;
ହାତକୁ କରି ଲାଲ୍।
ହେବନି କେବେ ହେବନି କେବେ
ସେ ଲାଗି ମନସ୍ତାପ।
ଖୁନ୍ କରି, ଲୁଟ କରି, ମଣିଷ ମାରି
କର୍ଲି କିରା ପାପ୍?
ମହାପ୍ରଭୁ, ତୁ ତ ସବୁରି ବାପ୍,
କର୍ ନିଶାପ୍।’