ଉନ୍ମାଦିନୀ ନୁହେଁ ଆଉ; ପ୍ରାଣେ ମୋର ଗୁରୁ ଗଭୀରତା;
ମୁଁ ଏବେ କୁଳବଧୂ: ସସଂଭ୍ରମ କୁଳାଚାରରତା।
ବେନିଧାରେ ଶ୍ୟାମ କ୍ଷେତ: କୃଷକର କଣ୍ଠଭରା ଗୀତ;
ନାଲି ନେଳି କଇଁ ଫୁଲ କାଚକେନ୍ଦୁ ତଡାଗମଣ୍ଡିତ;
ପଲ୍ଳବିତ ଆମ୍ରକୁଞ୍ଜେ ଲୋଟିଯାଏ ବାଉଳା ମହକ;
ନିଛାଟିଆ ପଠାଟାରେ ଆଡବଂଶୀ ବିମୋହୀନ ଡ଼ାକ…
ହିଂଜଳସ୍ତବକ ଝରେ,
ବକ୍ଷମୋର ସିକ୍ତ କରେ ବିନ୍ଦୁ ବିନ୍ଦୁ ରକ୍ତ;
ମତ୍ସ୍ୟଶିଶୁ ଶଙ୍କିଯାଏ ଊର୍ଦ୍ଧ୍ବେ ଦେଖେ ମାଛରଙ୍କା ଯୋଗାସନ ରତ;
ଦିନ ଶେଷେ ଗ୍ରାମପଥେ ହାଟଫେରେ ରଙ୍ଗରଙ୍ଗି ଶାଢ଼ୀ-;
ନାବମଙ୍ଗେ ଭଞ୍ଜଗୀତି ମେଲିଦିଏ ରସିକ ନାଉରୀ-;
ଜୀବନର ରୂପରସେ ପୁରପଲ୍ଲୀ କରି ପୁଲକିତ
ଶାନ୍ତ- ପଦେ ମଧୁଛନ୍ଦେ ବହିଚାଲେ ମୁଁ;
ମୁଁ ଶୁଭାଙ୍ଗୀ ସରିତ।
ବହୁପଥ ଅତିକ୍ରମି ଆସିଲିଣି – ମୁଁ ଏକାନ୍ତ କ୍ଲାନ୍ତ;
ବହିବାକୁ ତନୁଭାରା ନାହିଁ ବଳ; ମୁଁ ଯେ ପରିଶ୍ରାନ୍ତ।
ପ୍ରାଣର ଅତଳ ଗର୍ଭେ ଶୁଭେ କା’ର ଗଭୀର ଆହ୍ବାନ,
ଶୀତଳ ହିଲ୍ଲୋଳ ଦୋଳେ ଅପରୂପ ପ୍ରଣୟର ଗାନ,
ନାରିକେଳ ଶାଖେ ଶାଖେ ଅନୁଭବେ କା’ ବାହୁ ପ୍ରସାର;
କଲ୍ଲୋଳର କୋଳାହଳ ତନୁମନେ ଜଗାଏ ଶୀତ୍କାର;
ଅନନ୍ତର କୋଳେ ହଜିଯାଏ ମୋ ନିଜତ୍ବ;
ମୁହିଁ ନାହିଁ ଆଉ।
ସୀମାହୀନ ଜଳ ରାଶି-ମହାସିନ୍ଧୁ-
ସେହି ସେ ତ :
ସେ ତ ମହାବାହୁ।
ଶୁଭେ ଖାଲି ଗମ୍ଭୀର ନିର୍ଘୋଷ
ଆତ୍ମାର ନିର୍ଦ୍ଦେଶ-
‘ମାମେକଂ ଶରଣଂ ବ୍ରଜ;
ବିନାଶେନ ମୃତ୍ୟୁଂ ତୀର୍ତ୍ବା ସଂଭୂତ୍ୟାମୃତମଶ୍ନୁତେ॥