ମୁଁ ଚାହେଁ ଜୀବନର ଅନନ୍ତ ପ୍ରବାହେ
ମିଶିବାକୁ;
ଭାସିବାକୁ ସୀମାହୀନ ମହାସ୍ରୋତେ ନିଜକୁ ହଜାଇ :
ବିନ୍ଦୁ ଏକ ମହାକାଳ ସିନ୍ଧୁବକ୍ଷେ
ଯହିଁ ଆଉ ନଥିବ ମୋ ସତ୍ତା-
ଜନ୍ମଜନ୍ମାନ୍ତତର ମୁହିଁ
ଖୋଜି ବୁଲେ ସେ ପ୍ରଶାନ୍ତି, ସେହି ନୀରବତା।
ଝରିଲି ମୁଁ ବାରିବିନ୍ଦୁ ଟପ ଟପ ଟପ…
ଡାକେ ମୋତେ ବନଲତା
ଗିରି ଗୁଳ୍ମ ଆରଣ୍ୟ ବିଟପ,
ଡାକେ ମୋତେ ତୃଷାର୍ତ୍ତ ମୃତ୍ତିକା ଧରିତ୍ରୀର।
ନିର୍ବାପି ଅସହ୍ୟ ରୁଦ୍ରଶିଖା
ଝରିଲେ ମୁଁ ବାରିଧାରା ଝର ଝର ଝର……
ଶିହରୁଛି ବନଭୁଇଁ-
ଶିହରୁଛି ପର୍ବତ ଶିଖର
ଜୀବନର ନବ କୋଳାହଳେ;
ଜୀବନର ବାର୍ତ୍ତାବହ,
ଅସ୍ଥିର ମୁଁ ,ଚଳିବି ଚଞ୍ଚଳେ
ସାଥୀ ମେଳେ ଡେଇଁ ଡେଇଁ ଶିଳାରୁ ଶିଳାରେ
ଛନ୍ଦେ ଛନ୍ଦେ ନାଚି ନାଚି ତାଳେ ତାଳେ ତାଳେ;
ମୁଁ ଏକ ନିର୍ଝର
ରହିବାକୁ କୁହନାହିଁ,
ବହୁପଥ ଯିବି ମୁହିଁ
ସେଥିଲାଗି ଗତିମୋର ତର ତର ତର
ମୁଁ ଏକ ନିର୍ଝର।
ପରବତ ଛାଡି ଏବେ ସମତଳେ ଗଡିଲି,
କଳ କଳ ଛଳ ଛଳ ଚପଳତା ଛାଡିଲି,
ଫୁଲି ଫୁଲି ଉଠେ ଛାତି, ନଈ ହୋଇ ବଢ଼ିଲି।
ମୁଁହି ଏବେ ସମତଳେ ଗଡ଼ିଲି।
ଯୌବନ ଉନ୍ମାଦଭରା ସ୍ପର୍ଶାତୁରା କୁମାରୀ ମୁଁ କନ୍ୟା,
ଉଲ୍ଲାସ- ଉଚ୍ଛଳ,
ମାନେ ନା ଶୃଙ୍ଖଳା-
-ପ୍ଲାବନୀ ମୁଁ ବନ୍ୟା।
ମୁଁ ବନ୍ୟା! ମୁଁ ବନ୍ୟା!
ରୌଦ୍ରର ଔରସୁ ଜାତ
ମତୁଆଲା ଶ୍ରାବଣୀର କନ୍ୟା,
କଳାମେଘୀ; ମୁଁ ବନ୍ୟା।
ବିଭବର ଗୁରୁଭାରେ ଉନ୍ମାଦିନୀ-
କୁଳଟା ମୁଁ ରାଧା;
ଖମାଖାଲ ବାଡହିଡ ଡ଼େଇଁ ଚାଲେ;
ଏଡିଦେଇ ବାଧା,
କୂଳ ଲଙ୍ଘିଯାଏ ବହି
ପଥେ ପଥେ ଜନପଦ ଆବୋରି
ମୋତେ ଦେଖି ଶଙ୍କି ଯାଏ କେ, କିଏ ବା କହେ ଫାଙ୍ଗୁଳି;
ମୁଁ ଜାଣେ ମୁଁ କିନ୍ତୁ କୁଳବୁଡା ନୁହେଁ ନୁହେଁ,
ମୁଁ ରାଇ ରାଧା ବାତୁଳୀ,
ବଂଶୀସ୍ବନେ ପ୍ରାଣମୋର ଚହଲିଛି-
ପଡିଛି ତ ଉଛୁଳି।