ଶର୍ବରୀ
ତୁମେ ପ୍ରଭୁ ବୁଡ଼ିଗଲେ ଅତଳ ସାଗରେ
ଡ଼ୁବିଗଲା ଏ ଧରିତ୍ରୀ ଗଭୀର ତିମିରେ
ଦୃଷ୍ଟି ବିନା ସୃଷ୍ଟି ତୁମ ନାଶ ଯାଏ ସିନା!
ଅନ୍ଧାର ତ ଅଟେ କିନ୍ତୁ ତୁମରି ସର୍ଜନା!
ଦେହୀ ଯେହ୍ନେ ଫିଙ୍ଗିଦେଇ ସ୍ଥୂଳ ଅଧିବାସ
ଦେହେର ବିନାଶେ ସାଧେ ସ୍ବରୂପ ପ୍ରକାଶ,
ନବ କେଳେବର ଲାଗି ଆଗାମୀ ଜୀବନେ
ପ୍ରସ୍ତୁତିର ପର୍ବ ରଚ ସୁଷୁପ୍ତି ସପନେ।
ତମଃସିନ୍ଧୁ ମଧ୍ୟେ ତୁମେ ଜ୍ୟୋତିର୍ବିନ୍ଦୁ ଅଟ;
ଅନିତ୍ୟ ମାୟାରେ ମଜ୍ଜି ନିତ୍ୟକୁ ପ୍ରକଟ।
ଜ୍ଞାନର ଗଣିତ ଘୋଷେ (ତୁମ) ନୀତି ପାଠଶାଳା
ସତ୍ୟ ଶିବ ସୁନ୍ଦରର ଅଭ୍ରାନ୍ତ ଇସାରା।
ବିଶ୍ବସ୍ରଷ୍ଟା ହେ ଅର୍କଦେବତା!
ତୁମ ପଦେ ସ୍ବତଃ ନତ ହୋଇଯାଏ ମଥା।