ମଧ୍ୟାହ୍ଣ
କ୍ଷିପ୍ର କ୍ଷୁର ରଥଅଶ୍ବ ପ୍ରଖର ନିଃଶ୍ବାସେ
ଉତ୍ତପ୍ତ ଦିଗନ୍ତେ ଯେବେ ମଧ୍ୟାହ୍ନ ଆକାଶେ
ନିଷ୍କରୁଣ ରୌଦ୍ରଜାଳେ ପ୍ରକଟ ଭୀଷଣ
ମଦନର ଭସ୍ମକାରୀ ରୁଦ୍ର କି ଆପଣ?
ମୁକୁଳା ଜଟାୟୁ ପାଶ କରି ପ୍ରଜ୍ଜଳିତ
ଉଦଣ୍ଡ ତାଣ୍ଡବ ନୃତ୍ୟେ ହେଲେ କି ପ୍ରମତ୍ତ?
ଗାଣ୍ଡିବ ବାନ୍ଧିଛ ଗୁଣ ନାଶିବ ଖାଣ୍ଡବ?
ରୁଷ୍ଟ ମହାକାଳ ରଚ ଧ୍ବଂସ ମହୋତ୍ସବ।
ଜଳିଯାଏ ତରୁଲତା, ଶୁଷ୍କ ଜଳାଶୟ,
ତବ ତେଜେ ସୃଷ୍ଟି ତବ ଲଭିବ ବିଲୟ
ଆତଙ୍କିତ ବିଶ୍ବବାସୀ
ତବ ଆଶିଷ ଭିକ୍ଷାସୀ
ଭୟଙ୍କର ହେ ମାର୍ତ୍ତଣ୍ଡ ପ୍ରଚଣ୍ଡ ତେଜସ୍ବୀ!
ଯୋଡିପାଣି ଜଣାଉ କାକୁତି
ସଂବରଣ କର ପ୍ରଭୁ ସଂହାର ମୂରତି!
ସାୟାହ୍ଣ
ପରିଶ୍ରାନ୍ତ କ୍ଲାନ୍ତ ପଦେ ଅବଶ ସାୟାହ୍ଣେ
ଆଶ୍ରାକର ତୁମେ ଯେବେ ପଶ୍ଚିମ ଗଗନେ
ଚଉଦରେ ଫିଙ୍ଗି ତୁମେ ରଙ୍ଗର ବିଭବ
ପ୍ରକଟାଇ ମୁର୍ହୁ ମୁହୁ ଚିତ୍ର ଅଭିନବ
ମନେହୁଏ ଶ୍ଳଥ ହସ୍ତେ କେଉଁ ଚିତ୍ରକାର
ଆଙ୍କିଯାଏ କଳ୍ପନାର ଶେଷ ଛବି ତା’ର;
ଅବା କେଉଁ ପଥଚାରୀ କରେ ଲିପିବଦ୍ଧ
ବହୁ ଅନୁଭୁତି ସିକ୍ତ ବିଚିତ୍ର ପ୍ରବନ୍ଧ;
ଜୀର୍ଣ୍ଣ ଦେହେ କବି ଅବା ରଚେ ଶେଷ-ଗୀତି,
ଅବ୍ୟକ୍ତ ବ୍ୟଥାକୁ ତା’ର ଦେଇ ଅଭିବ୍ୟକ୍ତି।
ମେଘେ ଜାଳି ବହ୍ନିଶିଖା ମହାତପା ହେ ସବିତା
ସ୍ବହସ୍ତରେ ରଚ ଅବା ଆପଣାର ଚିତା?
ନେବା ଆଗୁଁ ରାତ୍ରୀର ଆଶ୍ରୟ
ବିଶ୍ବଜନେ ଦେଇଯାଅ ତୁମ ବରାଭୟ।