ମୁଁ ବିଚରଣ କରେ
ପ୍ରକୃତିର ବିଚିତ୍ର ଚିତ୍ରଶାଳାରେ।
ତୁମର ବିକୃତ ସଭ୍ୟତାଠାରୁ
ମୁଁ ଦୂରରେ ରହିବାକୁ ଚାହେଁ।
ମୁଁ ବୁଝିପାରେ ନାହିଁ
କାହିଁକି ତୁମେ ଏ ସୁନ୍ଦର ବନ ଭୂଇଁକୁ ଧ୍ବଂସ କର
ନିପାତ କର ସତେଜ ବୃକ୍ଷଲତାମାନଙ୍କୁ
ଆଉ ଶିକାର କର
ଅସହାୟ ଠେକୁଆଗୁଡାଙ୍କୁ
ନୃତ୍ୟରତ ମୟୂରପଲଙ୍କୁ।
ଘୃଣାର ବିଷାକ୍ତ ତୀରରେ
ଜର୍ଜରିତ ତୁମର ସଭ୍ୟତା
ରକ୍ତାକ୍ତ କରିଛି ତୁମରତ ପ୍ରାସାଦ
ଓ ପ୍ରାନ୍ତର
କୁତ୍ସିତ କରିଛି ସହର ଓ ବସ୍ତି
ସବୁଠାରେ ଖାଲି ଅଶାନ୍ତି ଓ ଅସ୍ବସ୍ତି
ହାହାକାର ଚିତ୍କାର।
ତୁମେ ବୀଭତ୍ସ କରିଛ
ସ୍ରଷ୍ଟାର ସୁନ୍ଦର ସଂସାର।
ତୁମେ ଘୃଣା କର ସବୁ କିଛି;
ସୃଷ୍ଟି ପ୍ରକୃତିର, ପ୍ରତିବେଶୀ, ସ୍ତ୍ରୀ, ପରିବାର ଆପଣାକୁ।
ତୁମର ବିଭୀଷିକାକୁ
ମୁଁ ବରଦାସ୍ତ କରିପାରେ ନାହିଁ।
ତେଣୁ ମୁଁ ତୁମ ଉପରକୁ ଲମ୍ଫ ଦିଏ
ଚାହେଁ ତୁମକୁ ଘାଉଲା କରିବାକୁ,
ଖତମ କରିବାକୁ
ତୁମର ଅଶ୍ଳୀଳ ସଭ୍ୟତାକୁ॥