ଇଂରାଜୀ ସାହିତ୍ୟର ଗତିଧାରା




କବି ସାମୁଏଲ୍‌ ଟେଲର୍‌ କଲେରିଜ୍‌(Coleridge)ୱାଡ଼ସ୍‌ ଓ୍ୟାର୍ଥଙ୍କ ପରମବନ୍ଧୁ ଥିଲେ। କଲେରିଜ୍‌ଙ୍କର ଅସାଧାରଣ ପ୍ରତିଭା ଥିଲା। ଅତ୍ୟଳ୍ପ ବାକ୍ୟ ପ୍ରୟୋଗରେ ସେ ଯେପରି ଭାବରେ ରୂପ ରସ ଦେଇ ବର୍ଣ୍ଣନା କରି ପାରୁଥିଲେ, ତାହା ପାଠକ ଓ ସମାଲୋଚକଙ୍କୁ ମୁଗ୍ଧ ଚକିତ କରିଥାଏ। ଏହି ବର୍ଣ୍ଣନା ଚାତୁରୀ ଫଳରେ ସେ ଆଧିଭୌତିକ ଘଟନାବଳୀକୁ ସ୍ବାଭାବିକ କରି ଥାପି ପାରୁଥିଲେ। କବି କିନ୍ତୁ ଅଳ୍ପ ବୟସରେ ଅଫିମନିଶାର ବଶବର୍ତ୍ତୀ ହୋଇପଡ଼ିବାରୁ ତାଙ୍କର ପ୍ରତିଭା ବିଶେଷ ବିକାଶ ଲାଭ କରିପାରିଲା ନାହିଁ। ତଥାପି ‘ପୁରାତନ ନାବିକ’,‘କ୍ରିଷ୍ଣାବେଲ୍‌’ ଅସମାପ୍ତ’ ‘କୁବ୍‌ଲା ଖାଁ’, କବିତାମାନ ତାଙ୍କୁ ଇଂରାଜୀ ସାହିତ୍ୟରେ ବିଶିଷ୍ଟ ଆସନ ହୋଇଅଛି।

       ରୁଷୋ ଓ ଭଲଟାୟାରଙ୍କ କଣ୍ଠରେ ଯେଉଁ ‘ସାମ୍ୟ, ମୁକ୍ତି ଓ ମୈତ୍ରୀ’ ଫରାସୀ ବିପ୍ଳବର ମୂଳମନ୍ତ୍ର ହୋଇଥିଲା, ସାମନ୍ତବାଦ ର ମୂଳୋତ୍ପାଟନ ଓ ଗଣତାନ୍ତ୍ରିକ ସମାଜର ପ୍ରତିଷ୍ଠାରେ ଜୀବନର ଯେଉଁ ସମ୍ଭବନା ବିକାଶଲାଭ କରିଥିଲା, ତାହାର ବିହ୍ବଳବାଣୀ, ଇଂଲାଣ୍ଡର ଯୁବଶକ୍ତିର ଅଧିନାୟକ ବାଇରନ୍‌(Byron),ସେଲି(shelly)ଓ କିଟ୍‌ସ (Keats)ଙ୍କ ଲେଖନୀରେ ଫୁଟିଉଠିଲା। ଦୂର ଅତୀତ  ଯେତେବେଳେ କିଟ୍‌ସଙ୍କ ଚିନ୍ତାଧାରାକୁ ରଙ୍ଗିନ୍‌ କରିଛି, ଯେତେବେଳେ ସେଲିଙ୍କର ବଳଶାଳୀ କଳ୍ପନା ଭବିଷ୍ୟତ ପ୍ରତି ପ୍ରଭାବିତ, ସାଇରନ୍‌ ସେତେବେଳେ ତଦାନୀନ୍ତନ ଜୀବନ ନେଇ ବ୍ୟସ୍ତ। ପିଲାଦିନୁ କବର ପାଇବା ପର୍ଯ୍ୟନ୍ତ ବାଇରନ୍‌ଙ୍କ ଜୀବନ ପାରିବାରିକ, ସାମାଜିକ, ନୈତିକ, ଆର୍ଥିକ ଓ ରାଜନୈତିକ ନାନା କ୍ଳେଶ ଦ୍ବାରା ବନ୍ଧୁର,ଦୁଃଖମୟ। ତାଙ୍କର ସୁନ୍ଦର ଚେହେରାକୁ ,ଛୋଟାଗୋଡ଼ ଏକ ବିରୋଧ ସୃଷ୍ଟି କରିଥିଲା;ଚରିତ୍ରଗତ ଦୋଷ ତାଙ୍କର ଥିଲା ଅନେକ। ସକଳ ଦୋଷ ସତ୍ତ୍ବେ ବାଇରନ୍‌ ତାଙ୍କ ଯୁଗର ଥିଲେ ଜଣେ ବଳଶାଳୀ ଲେଖକ। ସେକ୍‌ସପିୟରଙ୍କ ପରେ ୟୁରୋପଖଣ୍ଡରେ ଦେଶେ ଦେଶେ ସାମ୍ମାନିତ ହୋଇଥିଲେ ବାଇରନ୍‌ ଓ ତଙ୍କର ପ୍ରଭାବ ୟରୋପୀୟ ସାହିତ୍ୟକୁ ପ୍ରଭାବିତକରି ପାରିଥିଲା। ବାଇରନ୍‌ ତାଙ୍କର ଆଦର୍ଶବାଦକୁ ଚଳନ୍ତି ଜୀବନ ପ୍ରତି ପ୍ରୟୋଗ କରି ଅନ୍ୟାୟ ଓ ଅତ୍ୟାଚାରର ତୀବ୍ର ପ୍ରତିବାଦ କରି ଉଠିଥିଲେ, କୁନୀତି ଓ କୁଶାସନ ବିରୁଦ୍ଧରେ ବିଦ୍ରୋହ ଘୋଷଣାକରିଥିଲେ। ଜନତାର ମୁକ୍ତି ଲାଗି ତାଙ୍କର ଲେଖନୀ ଚାଳନା କରିଥିଲେ। ତାଙ୍କ ସୃଷ୍ଟ ଚରିତ୍ରମାନ ବାଇରନ୍‌ଙ୍କ ଚିନ୍ତାଧାରାର ଅନୁରୂପ-ଦୁଃସାହସିକ, ଉଦ୍ଧତ, ଅଧୀରଳ ତେଜୋମୟ ଓ ପ୍ରେମିକ ପୁରୁଷ , ଯେ ଯହିଁ ଅନ୍ୟାୟ ଦେଖେ, ସେଠି ଯୁଦ୍ଧ ଘୋଷଣା କରେ। ତାକର କବିତା କୌଣସି ସମାଧିତତ୍ତ୍ବର ଆଧିଭୌତିକ ବାଣୀ ଦ୍ବାରା ଝଂକୃତ ନ ହେଲେ ବି ଗଭୀର ଆନ୍ତରିକତା ତାଙ୍କର ସ୍ବରକୁ କରିଛି ତେଜୀୟାନ, ଭାଷାକୁ ଉଗ୍ର ଓ ଭାବକୁ ବଳଶାଳୀ। ଭାବର ଉନ୍ମାଦନାରେ କବି ଏପରି ବିଚଳିତ ହୋଇପଡ଼ନ୍ତି ଯେ ଭାଷାଚିତ୍ରଣ ଦିଗପ୍ରତି ତାଙ୍କର ଆଦୌ ନଜର ପଡ଼େନାହିଁ । ଫଳତଃ ତାଙ୍କର କବିତାରେ ବହୁ ସ୍ଥଳରେ ଭାଷା ଗଦ୍ୟର ଭାଷା, ଛନ୍ଦହୀନ ଓ ଲାଳିତ୍ୟ ବର୍ଜିତ॥ ୟୁରୋପରେ ତାଙ୍କର ବିପୁଳ ନାମ ସତ୍ତ୍ବେ ଇଂରେଜୀ ସାହିତ୍ୟରେ ତାଙ୍କର ପରବର୍ତ୍ତୀ ଯୁଗର ସମାଲୋଚକମାନେ ତାଙ୍କ ଲାଗି ଏକ ନିମ୍ନସ୍ତର ନିର୍ଦ୍ଧାରିତ କରିଛନ୍ତି। ତାଙ୍କ କବିତାରେ ସ୍ଥଳେ ସ୍ଥଳେ ଅତି ଚମତ୍କାର ପ୍ରାକୃତିକ ବର୍ଣ୍ଣନା ସହ ଦେଖିବାକୁ ମିଳେ ଅତି ବାସ୍ତବ, ଜୀବନ୍ତ ଓ ସତ୍ୟମୂଳକ ଚିତ୍ର। ସମାଲୋଚକମାନଙ୍କର ବିରୋଧ ସତ୍ତ୍ବେ ଏ କଥା ସମସ୍ତେ ସ୍ବୀକାର କରନ୍ତି ଯେ ବାଇରନ୍‌ ତାଙ୍କ ଯୁଗର ପ୍ରତିଭାବାନ୍‌ କବି ଥିଲେ ଓ ତାଙ୍କର ଦୃଷ୍ଟି ସୁଦୂରପ୍ରସାରୀ ଥିଲା। ଗ୍ରୀସ୍‌ର ସ୍ବାଧୀନତା ସଂଗ୍ରାମ ଯେତେବେଳେ ତେଜି ଉଠିଲା, ମୁକ୍ତିର ପ୍ରତୀକ କବି ବାଇରନ୍‌ ଚିନ୍ତା ଓ ଭାବରାଜ୍ୟରେ ନିଜକୁ କିଳି ରଖିପାରିଲେ ନାହିଁ-ଯୁଦ୍ଧର ଗୋଳାବାରୁଦ ଭିତରକୁ ସେ ଆପଣାଛାଏଁ ଝାମ୍ପଦେଲେ। ସେହିଠାରେ ଅତ୍ୟଧିକ ଶାରୀରିକ ପରିଶ୍ରମ ହେତୁ ସେ ରୋଗାକ୍ରାନ୍ତ ହୋଇ ଯୁବା ବୟସରେ ଦେହ ତ୍ୟାଗ କଲେ। ଜନତାର ମୁକ୍ତିକାମୀ କବିଙ୍କର ଅଧିକ ସଙ୍ଗତ ମରଣ କଣ ହୋଇପାରେ? ବାଇରନ୍‌ଙ୍କର ପ୍ରଧାନ କାବ୍ୟ ମଧ୍ୟରେ ଚାଇଲ୍ଡ ହାରଲ୍‌ଡ, ଡନ୍‌କୁଆନ,ମାନଫ୍ରେଡ଼ ଓ ଲାରା।

       ସେଲୀ ବାଲ୍ୟରୁ କଳ୍ପନାବିଳାସୀ ଥିଲେ। ମୁକ୍ତି କାମନା ତାଙ୍କ ଚରିତ୍ରର ବୈଶିଷ୍ଟ୍ୟ। ହେରିୟଟ୍‌ ୱେଷ୍ଟବ୍ରୁକ୍‌ ନାମକ ବାଳିକା ପ୍ରତି ପାରିବାରିକ ଜୀବନରେ ଯେଉଁ ଅନ୍ୟାୟ ହେଉଥିଲା, ତାହାର ପ୍ରତିକାର କରିବାକୁ ଯାଇ ସେଲୀ ଶେଷରେ ତାହାକୁ ବିବାହ କରିଥିଲେ, କିନ୍ତୁ  କିଛିକାଳ ପରେ ସେଲୀ ସେହି ପତ୍ନୀଙ୍କୁ ପରିତ୍ୟାଗ କରି ଦ୍ବିତୀୟବାର ଦାରପରିଗ୍ରହ କଲେ। ସେଲୀ ମଧ୍ୟ ବାଇରନ୍‌ଙ୍କ ପରି ମୁକ୍ତି ସଂଗ୍ରାମରେ ସୈନିକ ହେବା ଲାଗି ଇଂଲାଣ୍ଡ ଛାଡ଼ି ଆୟାର୍ଲାଣ୍ଡ ଯାଇଥିଲେ, କିନ୍ତୁ ସେଠାକାର ଲୋକେ ଯଥେଷ୍ଟ ଉତ୍ସାହ ପ୍ରକାଶ କରି ନଥିବାରୁ ତାଙ୍କୁ ନିରାଶ ହୋଇ ପ୍ରତ୍ୟାବର୍ତ୍ତନ କରିବାକ ପଡ଼ିଥିଲା। ତିରିଶ ବର୍ଷ ବୟସରେ ନୌକା କ୍ରୀଡ଼ା କରୁକରୁ ଇତାଲୀରେ ତାଙ୍କର ଅକାଳ ମୃତ୍ୟୁ ଘଟିଲା।

       ସେଲୀ ଚଳନ୍ତି ଜୀବନନର ଦାରିଦ୍ର୍ୟ, ଅନାଟନ, କୁତ୍ସିତତାରେ ମର୍ମାହତ ହୋଇ ଏକ ସୁଷ୍ଠୁ ଆଦର୍ଶମୟ ଭବିଷ୍ୟତର କଳ୍ପନା କରିଛନ୍ତି। ଏହି ସଂସାରକୁ ଏକ ଛାଞ୍ଚରେ ଢ଼ାଳିବା,ପୃଥିବୀ ଉପରେ ନନ୍ଦନ  ସୃଷ୍ଟି କରିବା ତାଙ୍କର କାମନା। ମାନବ ସମାଜର ପ୍ରଗତି କେବଳ ପ୍ରେମ ବଳରେ ହିଁ ସମ୍ଭବ;ନୈସର୍ଗିକ ଭାବ ଏହି ପ୍ରେମର ତୂଳିକାରେ ପ୍ରତ୍ୟେକ ପଦାର୍ଥକୁ ସୁନ୍ଦର କରିଦିଏ। ଦାସତ୍ବ ଓ ବନ୍ଧନ ଏ ସଂସାରର ସକଳ କଳୁଷ ଓ କୁତ୍ସିତତା ଲାଗି ଦାୟୀ-ବାହ୍ୟ ବନ୍ଧନକୁ କାଟିଦେଇ ଅନ୍ତରର ବାଣୀ ଦ୍ବାରା ଚାଳିତ ହୁଅ- ଜୀବନର ଯେଉଁ ମାର୍ଗରେ ହିଁ ପ୍ରକୃଷ୍ଟ ବିକାଶ।‘ଇସମଲାମର ବିଦ୍ରୋହ’,‘ବନ୍ଧନହୀନ ପ୍ରୋମିଥିୟସ୍‌’, ‘ଅରାଜକତା ଗୀତିନାଟ୍ୟ’ପ୍ରଭୃତି କବିତାରେ  ସେ ଏହି ସମାଧିତତ୍ତ୍ବ ବୟାନ କରିଯାଇଛନ୍ତି। ସେଲୀଙ୍କର ଭାଷା କଳ୍ପନାଦୀପ୍ତ, ଭାବମୟ ଓ ଅଗ୍ନିମୟ।

     କିଟସ୍‌ଙ୍କ କଣ୍ଠରେ ସମାଧିତତ୍ତ୍ବର ‘ୟୁରେକ୍‌କା’ ନାହିଁ; କୌଣସି ନୈସର୍ଗିକ ଭାବଦ୍ବାରା ତାଙ୍କର ଚିନ୍ତାରାଶି ଉତ୍‌କ୍ଷିପ୍ତ ନୁହେଁ। ବସ୍ତୁଗତ ସୌନ୍ଦର୍ଯ୍ୟରେ ସେ ମୁଗ୍ଧ; ରୂପ-ରସ-ଗନ୍ଧମୟ ଏ ଜୀବନର ସୁଖଦୁଃଖ, ଆନନ୍ଦ ଓ ଅଶ୍ରୁ ମଧୁର, ଅତି ପ୍ରିୟ। ଏ ଜୀବନକୁ ଏ ଦୁନିଆକୁ ସେ ବଦଳାଇବାକୁ ଚାହାନ୍ତି ନାହିଁ-କେବଳ ଭଲ ପାଆନ୍ତି। ତାଙ୍କର କବିତାର ସ୍ବର ଅତି ନରମ, ଦରଦୀ, ପ୍ରାଣସ୍ପର୍ଶୀ। ‘ଇସାବେଲ’, ‘ଏଣ୍ଟିମିୟନ’,‘ଅସମାପ୍ତ’, ‘ହାମେରିୟନ’ ଓ କେତେଗୁଡ଼ିଏ ଗୀତିକବିତା ଲେଖି ଅଳ୍ପ ବୟସରେ –ଛବିଶ ବର୍ଷ ବୟଃକାଳରେ ଯକ୍ଷ୍ମାରୋଗରେ ପୀଡ଼ିତ ହୋଇ ସେ ଦେହତ୍ୟାଗ କଲେ। ତାଙ୍କର କବିପ୍ରତିଭା ପୂର୍ଣ୍ଣତା ଲାଭ କରିବାକୁ ଅବସର ପାଇନାହିଁ ସତ, କିନ୍ତୁ ଯେ କେତୋଟି ରଚନା ସେ ଇଂରେଜୀ ସାହିତ୍ୟକୁ ଦେଇଯାଇଛନ୍ତି, ସେଥିରେ ତାଙ୍କର ଆସନ ଅତି ଉଚ୍ଚରେ, ‘ସୁନ୍ଦର ତୃପ୍ତିର ଅବସାଦ ନାହିଁ’ କିଟ୍‌ସଙ୍କର (A thing of beauty of joy for ever) ର ପ୍ରତିଧ୍ବନି।    hbnchytutuyiutyuituu667666jgjfg

      କବି ହିସାବରେ ସାର୍‌ ୱାଲଟର୍‌ ସ୍କଟ୍‌ଙ୍କୁ ମନେରଖିବାର ଯଥେଷ୍ଟ କାରଣ ଥିଲେ ମଧ୍ୟ ଔପନାସିକ ରୂପେ ସେ ଅଧିକ ପରିଚିତ ଥିଲେ। ସ୍କଟ୍‌ଲ୍ୟାଣ୍ଡର ରାଜଧାନୀ ଏଡ଼ିନ୍‌ବରାରେ ଜନ୍ମି, ସ୍କଟ୍‌ ପାର୍ବତ୍ୟ ଅଞ୍ଚଳର ଜୀବନ ସହିତ ବିଶେଷ ପରିଚିତ ଥିଲେ। ତାଙ୍କର ଉପନ୍ୟାସ ସ୍କଟ୍‌ଲ୍ୟାଣ୍ଡରର ଅତୀତ ଜୀବନକୁ ରୂପଦାନ କରିଛି, ସାମନ୍ତମାନଙ୍କର ଉତ୍‌ଶୃଙ୍ଖଳ ବୀରତ୍ବ ଓ ଦୁଃସାହସିକ କର୍ମର ବର୍ଣ୍ଣନା କରିଛି, ଯୁଦ୍ଧ ଓ ହତ୍ୟା, ଅବରୋଧ ଓ ମୁକ୍ତିର କାହାଣୀ ରହିଛି। ଭାଷା ପ୍ରତି ବିଶେଷ ନଜର ଦେଇନଥିଲେ ବି କଥାବସ୍ତୁର ମାଦକତାରେ ସ ପାଠକମାନଙ୍କୁ ଭସାଇ ନେଇଥାନ୍ତି। ସ୍କଟ୍‌ ବହୁତ ଗୁଡ଼ିଏ ଉପନ୍ୟାସ ଲେଖିଯାଇଛନ୍ତି,ସେ ସବୁ ୱେର୍ଭଲି ଉପନ୍ୟାସ ମାଳା ନାମରେ ବିଖ୍ୟାତ କବିତାରେ ମଧ୍ୟ  ସେହିପ୍ରକାର ଅତୀତ ଚିତ୍ରିତ।‘ଶେଷ କବିର ପତନ’ ‘ମାର୍ମଏନ୍‌’ ଓ ‘ହ୍ରଦର ରମଣୀ’ ତାଙ୍କର କାବ୍ୟ।

          ମୁଁ ମାତ୍ର ଅଳ୍ପ ସଂଖ୍ୟକ କବି ଓ ଲେଖକଙ୍କର ପରିଚୟ ଦେଲି। ଏମାନଙ୍କ ଛଡ଼ା ଏ ଯୁଗରେ ବହୁ କବି ଓ ଲେଖକ ସେମାନଙ୍କର ଦାନରେ ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ଏ ଯୁଗ ପ୍ରଧାନତଃ କବିତାର ଯୁଗ।  ନୂତନ ନୂତନ ଛନ୍ଦର ସୃଷ୍ଟି, ସାବଲୀଳ ଆବେଦନଭଙ୍ଗୀ, ଶତଚିତ୍ରସମ୍ବଳିତ ରୂପଜାଲ,ଉଲ୍ଲାସର ଗଭୀରତା, ଆବେଗର କ୍ଷୀପ୍ରତା,କଳ୍ପନାର ବନ୍ଧହୀନ ଗତି ଓ ଚିନ୍ତାଧାରାର ବୃହତ୍ତର ପରିସର-ଏସବୁ ଏକତ୍ର ହୋଇ ଏ ଯୁଗକୁ ଇଂରେଜୀ ସାହିତ୍ୟର ଏକ ଗୌରବମଣ୍ଡିତ ଅଧ୍ୟାୟରେ ପରିଣତ କରିଛି।




+ -

© Jataayu Charitable Trust
Site designed,developed & maintained by Tekons