ଇଂରାଜୀ ସାହିତ୍ୟର ଗତିଧାରା




ଇଂରେଜୀ ସାହିତ୍ୟର ଗତିଧାରା (୩)

           ପଞ୍ଚଦଶ ଶତାବ୍ଦୀର ଆଦ୍ୟରୁ ଇଂରେଜ ଜାତୀୟ ଜୀବନରେ ଯେଉଁ ନୂତନ ପର୍ଯ୍ୟାୟର ସୂତ୍ରପାତ ହୋଇଥିଲା, ତାହାର ଗୌରବମୟ ଅଧ୍ୟ୍ୟାୟ ବିକାଶ ଲାଭ କଲା ଷୋଡ଼ଶ ଶତାବ୍ଦୀର ମଧ୍ୟଭାଗରେ। ଏହି ସମୟରେ (ବିଶେଷତଃ ରାଣୀ ଏଲିଜାବେଥଙ୍କ ରାଜତ୍ବ ବେଳେ) ଇଂଲାଣ୍ଡ ରାଜନୀତିରେ ଓ ବାଣିଜ୍ୟ ବ୍ୟବସାୟରେ ଯେପରି ପ୍ରତିଷ୍ଠା ଲାଭ କରିଥିଲା, ସେହିପରି ସାହିତ୍ୟରେ ମଧ୍ୟ ଇଂଲାଣ୍ଡରେ ବିଶିଷ୍ଟ କବି, ନାଟ୍ୟକାର ଓ ମନୀଷୀମାନଙ୍କର ଜନ୍ମ ଓ ବିକାଶ ସମ୍ଭବ ହୋଇଥିଲା।

ଏଡ୍‌ମଣ୍ଡ୍‌ ସ୍ପେନ୍‌ସର୍‌

          ସ୍ପେନ୍‌ସର୍‌ ଏକ ଦରିଦ୍ର ପରିବାରରେ ଜନ୍ମଲାଭ କରିଥିଲେ ଖ୍ରୀଷ୍ଟାବ୍ଦ ୧୫୫୨ ରେ । ଆର୍ଥିକ ବହୁ ବାଧାବିଘ୍ନ ସତ୍ତ୍ବେ ସେ ଯେ ଏମ୍‌.ଏ. ଡିଗ୍ରୀପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ, ତାହାର ମୂଳରେ ଥିଲା ତାଙ୍କର ଅସୀମ ଅଧ୍ୟବସାୟ ଓ ଉତ୍ସାହ।ଲିଚେଷ୍ଟରର ସାମନ୍ତଙ୍କ ସହିତ ପରିଚିତ ହେବା ପରେ ତାଙ୍କର ପୃଷ୍ଠପୋଷକତା ହେତୁ ସ୍ପେନ୍‌ସରଙ୍କ ଦୁଃଖ କିୟତ୍‌ ପରିମାଣରେ ଅବସାନ ହେଲା ଏବଂ ଲିଚେଷ୍ଟରଙ୍କର ଚାକିରିରେ ରହିଲେ। ଏହିଠାରେ ସ୍ପେନ୍‌ସରଙ୍କୁ ଇଂଲାଣ୍ଡର ବିଶିଷ୍ଟ ବ୍ୟକ୍ତିମାନଙ୍କର ସଂସର୍ଗରେ ଆସିବାକୁ ସୁଯୋଗ ଜୁଟିଲା ଏବଂ ତାଙ୍କର ସାହିତ୍ୟିକ ଜୀବନ ଲାଗି ଅନୁକୂଳ ପରିସ୍ଥିତି ମିଳିଲା। ଅତଃପର ସ୍ପେନ୍‌ସର ଚାକିରି ଅନୁରୋଧରେ ଦେଶଛାଡ଼ି ଆୟର୍ଲାଣ୍ଡକୁ ଗଲେ ଏବଂ ଏହିଠାରେ ବହୁକାଳ ରହିଲା ପରେ ସାହିତ୍ୟିକ-ବନ୍ଧୁ ସାର୍‌ ୱାଲ୍‌ଟର ରାଲେଙ୍କ ଆନୁକୂଲ୍ୟରେ ରାଣୀ ଏଲିଜାବେଥ୍‌ଙ୍କ ସହିତ ତାଙ୍କ ପରିଚୟ ହୁଏ। ରାଣୀ ତାଙ୍କୁ ବାର୍ଷିକ କିଛି ଅର୍ଥ ସାହାଯ୍ୟ ଦେଲେ ମଧ୍ୟ ସ୍ପେନ୍‌ସର ଆଜୀବନ ଚାକିରୀ ଛାଡ଼ିଦେଇ କେବଳ ସାହିତ୍ୟିକ ଜୀବନଯାପନ କରିବାକୁ ସମର୍ଥ ହୋଇଥିଲେ। ସ୍ପେନ୍‌ସର ଆଜୀବନ ଆର୍ଥିକ ଦୂରବସ୍ଥାର ସମ୍ମୁଖୀନ ହୋଇ ସତଚାଳିଶବର୍ଷ ବୟସରେ ମୃତ୍ୟୁମୁଖରେ ପତିତ ହେଲେ। ଶେଷ ଜୀବନରେ ତାଙ୍କୁ ଯେଉଁ ଦାରିଦ୍ର୍ୟର କ୍ରୂର ନିର୍ଯ୍ୟାତନା ସହ୍ୟ କରିବାକୁ ହୋଇଥିଲା ତା’ର ଇତିହାସ ଅତି କରୁଣ।

           ସାମାଜିକ ଜୀବନରେ ସ୍ପେନ୍‌ସର ଆପଣାର ପ୍ରତିଷ୍ଠା କରିପାରିନଥିଲେ ସତ୍ୟ, କିନ୍ତୁ କବିତା ରାଜ୍ୟରେ ସେ ସମ୍ରାଟ୍‌ର ସିଂହାସନରେ ଆରୋହଣ କରିଥିଲେ। ବିଶ୍ବର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ କବି ତାହାରି ଜୟଗାଥା ଲେଖି ଅମର ହୋଇଛନ୍ତି। ଜୀବନରେ ସୌନ୍ଦର୍ଯ୍ୟ ହିଁ ସତ୍ୟ, ସୌନ୍ଦର୍ଯ୍ୟର ଉପାସନା ଜୀବନର କାମ୍ୟ, ସୌନ୍ଦର୍ଯ୍ୟ ଉପଲବ୍ଧିରେ ପ୍ରାଣର ତୃପ୍ତି- ଏହାହିଁ ତାଙ୍କର କବିତାର ମୂଳମନ୍ତ୍ର। ସ୍ପେନ୍‌ସରଙ୍କର ଉପରେ ଯେପରି ଏକ ଦିଗରେ ଯୁଗର ଧର୍ମାନ୍ଦୋଳନ ପ୍ରଭାବ ବିସ୍ତାର କରିଥିଲା, ସେହିପରି ବି ଇତାଲୀୟ ଭୋଗବିଳାସିତା ତାଙ୍କ ପ୍ରାଣକୁ ସ୍ପର୍ଶ କରିଥିଲା। ଫଳତଃ କବିଙ୍କ ପ୍ରତିଭା ପ୍ରକାଶଲାଭ କଲା ଗାମ୍ଭୀର୍ଯ୍ୟପୂର୍ଣ୍ଣ  ଧର୍ମୋପଦେଶ ମୂଳକ ବୀରଗାଥା ପ୍ରଣୟନ କରିବାରେ, କଳ୍ପନାର ତୂଳୀରେ ଚମତ୍କାର ରୂପକଥାର ସୃଷ୍ଟିରେ, ଅଳଙ୍କାର ବହୁଳ ମହାକାବ୍ୟ ରଚନାରେ।

           କବି ବୀରତ୍ବର କାହାଣୀ ଦ୍ବାରା, ପାଠକକୁ ସହଜେ ମନ୍ତ୍ରମୁଗ୍ଧ କରିପାରୁଥିଲେ। ତାଙ୍କ ଯାଦୁକର କବିତା ପଢ଼ୁ ପଢ଼ୁ ପାଠକ ଭାସିଯାଉଥିଲା କେଉଁ ସ୍ବପ୍ନପୁରୀକୁ। ତାଙ୍କର ସୌନ୍ଦର୍ଯ୍ୟ ଉପାସନାରେ ଉତ୍‌ଶୃଙ୍ଖଳା ନଥିଲା। ଧୀର, ଗମ୍ଭୀର ଭାବରେ ସେ ଏ ଧାରଣାର ବସ୍ତୁଗତ ମାଧୁରୀରେ ମୁଗ୍ଧ ହୋଇଥିଲେ। ସ୍ପେନ୍‌ସରଙ୍କୁ ଅନେକଟା ଆମର ରାଧାନାଥଙ୍କ ସହିତ ତୁଳନା କରାଯାଇପାରେ । ତାଙ୍କର ପ୍ରଧାନ ରଚନା ମଧ୍ୟରେ ଫେଆର କୁଇନ୍‌ ବା ପରୀରାଣୀ (Fair Queen),ମେଷପାଳକର ପାଞ୍ଜିକା (The Shepherd’s), ଏମୋରେଟି (Amoretti)ଓ(Astrophel) ଉଲ୍ଲେଖଯୋଗ୍ୟ।

ବିଶ୍ବକବି ଉଇଲୟମ୍‌ ସେକ୍‌ସପିୟର

             ଭାରତୀୟ ସାହିତ୍ୟରେ କାଳିଦାସ ଯେଉଁ ସ୍ଥାନ ଅଧିକାର କରନ୍ତି, ଇଂରେଜୀ ସାହିତ୍ୟରେ ସ୍ପେକ୍‌ସପିୟରଙ୍କ ସ୍ଥାନ ଠିକ୍‌ ସେଇଠି।କାଳିଦାସଙ୍କ ଜୀବନବୃତ୍ତାନ୍ତ ସେପରି ଅନିଶ୍ଚିତତାପୂର୍ଣ୍ଣ ଓ କାହାଣୀ କୁହେଳିକାମୟ, ସେକ୍‌ସପିୟରଙ୍କର ବି ସେହିପରି। ଅଦ୍ୟାବଧି ଐତିହାସିକମାନେ ସେକ୍‌ସପିୟରଙ୍କ ଇତିବୃତ୍ତି ବିଷୟରେ ସନ୍ଦିଗ୍ଧ। ଏପରିକି, କେହି କେହି କହନ୍ତି ସେକ୍‌ସପିୟର ବୋଲି କେହି ବ୍ୟକ୍ତି ନଥିଲେ, ଏହା ଛଦ୍ମନାମ। କିନ୍ତୁ ସାଧାରଣତଃ ନିମ୍ନ ଜୀବନବୃତ୍ତାନ୍ତ ଉପରେ ଆସ୍ଥା ସ୍ଥାପନ କରାଯାଇଥାଏ।

            ଉଇଲିୟମଙ୍କ ପିତା ଜନ, ପିତାମହ ରିଚାର୍ଡ଼, ଗ୍ରାମଷ୍ଟାଫୋର୍ଡ଼ ଜିଲ୍ଲାରେ। ଖ୍ରୀଷ୍ଟାବ୍ଦ ୧୫୬୩ ବା ସେହି ସମୟରେ ଅଳ୍ପବିତ୍ତ ପରିବାରରେ ଜନ୍ମଗ୍ରହଣ କରି ସେକ୍‌ସପିୟର ସାମାନ୍ୟ ବିଦ୍ୟାର୍ଜନ ପରେ ପିତାଙ୍କୁ  ତାଙ୍କ ବ୍ୟବସାୟରେ ସାହାଯ୍ୟ କଲେ। ଅଳ୍ପ ବୟସରେ ସେକ୍‌ସପିୟରଙ୍କୁ ଏକ ବୟୋଜେଷ୍ଠା କନ୍ୟା ସହିତ ବିବାହକରିବାକୁ ହୋଇଥିଲା, ଏହାପରେ ସେକ୍‌ସପୟର ଜୀବିକା ନିର୍ବାହ ଲାଗି ବୋଧହୁଏ ଶିକ୍ଷକତା ଓ ନାନାଦି କର୍ମ କରିଥିଲେ। ପ୍ରବାଦ, ସେ ଥରେ ହରିଣ ଚୋରି କରିଥିବା ଅପରାଧରେ ବେତମାଡ଼ ଖାଇଥିଲେ। ଯାହାହେଉ, ବିବାହର ଚାରିବର୍ଷ ପରେ ସେ ଲଣ୍ଡନକୁ ଯିବାକୁ ମନସ୍ଥ କଲେ। ସେଠାକୁ ଯାଇ ପ୍ରଥମ ଛ ବର୍ଷ ତାହାଙ୍କୁ ବହୁ କଷ୍ଟ ସହ୍ୟ କରିବାକୁ ପଡ଼ିଥିଲା। କଥିତ ଅଛି, ନାଟ୍ୟ ମନ୍ଦିର ବାହାରେ ଦର୍ଶକମାନଙ୍କର ଘୋଡ଼ା ଜଗିବା ଥିଲା ତାଙ୍କ କାମ। ଅଳ୍ପକାଳ ମଧ୍ୟରେ ସେକ୍‌ସପିୟର ପ୍ରତିଷ୍ଠାବାନ୍‌ ଅଭିନେତା ହିସାବରେ ପରିଚିତ ହେଲେ ଏବଂ ରଙ୍ଗମଞ୍ଚ ଲାଗି ନାଟକ ଲେଖିଲେ। ସେତେବେଳକୁ ରଙ୍ଗମଞ୍ଚର ଅବସ୍ଥା ଉନ୍ନତ ହୋଇନଥିଲେ ମଧ୍ୟ, ଲଣ୍ଡନରେ ବ୍ୟବସାୟ ସୂତ୍ରରେ ନାଟ୍ୟ ମନ୍ଦିରମାନ ପ୍ରତିଷ୍ଠା ହୋଇଥିଲା। ‘ଗ୍ଲୋବ୍‌’ ନାଟ୍ୟମନ୍ଦିର ସହିତ ସମ୍ପୃକ୍ତ ଥାଇ ସେକ୍‌ସପିୟର ନାଟକ ପରେ ନାଟକ ଲେଖି ରଙ୍ଗମଞ୍ଚସ୍ଥ କରାଉଥିଲେ। ସେକ୍ସପିୟରଙ୍କ ଏହି ଜୀବନବ୍ୟାପୀ ସାଧନା ସତ୍ତ୍ବେ ଜୀବଦଶାରେ ତାଙ୍କର ଉଚିତ ସମ୍ମାନ ସେ ପାଇନଥିଲେ ଏକ ଅନ୍ୟମଧେୟ (ହୁଏତ ଆମର ବୈଷ୍ଣବ ପାଣି ଭଳି) ନାଟ୍ୟକାର ରୂପେ ଇଂଲାଣ୍ଡର ଗଳିରେ ଜୀବନ ନିର୍ବାହ କରିଥିଲେ। ବାଉନ ବର୍ଷରେ ତାଙ୍କର ସ୍ବାସ୍ଥ୍ୟ ଭାଙ୍ଗିଗଲା ଏବଂ ୧୬୧୬ ଖ୍ରୀଷ୍ଟାବ୍ଦରେ ସେ ତାଙ୍କର ଗୃହ ନିବାସରେ ଇହଧାମ ତ୍ୟାଗ କଲେ। ସେକ୍‌ସପିୟର ଇଂଲାଣ୍ଡର ସାହିତ୍ୟ ସମ୍ରାଟ୍‌। ଜୀବନର ଅଭିବ୍ୟକ୍ତି ତାଙ୍କ ଯଶସ୍ବୀ ଲେଖନୀରେ ଏପରି ବୈଚିତ୍ର୍ୟମୟ, ସୁଷ୍ଠୁ ଓ ସର୍ବାଙ୍ଗ ସୁନ୍ଦର ହୋଇପାରିଛି ଯେ ତାଙ୍କର ଲେଖା ବିଶ୍ବସାହିତ୍ୟରେ ରତ୍ନ ହୋଇ ଚିରକାଳ ରହିବ।

            ସେକ୍‌ସପିୟର ଚବିଶ ବର୍ଷବ୍ୟାପୀ ତାଙ୍କର ସାହିତ୍ୟ ସାଧନାକାଳ ମଧ୍ୟରେ ୩୬ଟି ନାଟିକ, ଦୁଇଟି ମହାକାବ୍ୟ ଓ ଶତାଧିକ ଚତୁର୍ଦ୍ଦଶପଦୀ କବିତା ରଚନା କରି ଯାଇଛନ୍ତି। ପ୍ରଥମେ ସେ ମାର୍ଲୋଙ୍କ ପଦାଙ୍କ ଅନୁସରଣ କରି ଅଦୂର ପଶ୍ଚାତରେ ଇଂଲାଣ୍ଡର ରାଜବଂଶରେ ଯେଉଁ କୂଟଚକ୍ରାନ୍ତ ଆଦି ହେଉଥିଲା, ତାହାରି ଉପରେ କେତେକ ଐତିହାସିକ ନାଟକ ଲେଖିଥିଲେ। ଆତଃପରେ ସାମାଜିକ ଜୀବନ ଉପରେ ହାସ୍ୟରସମୂଳକ ଓ ମିଳନାନ୍ତକ କେତେକ ରୂପ ନାଟକ ପ୍ରଣୟନ କଲେ। କ୍ରମଶଃ ସେକ୍‌ସପିୟରଙ୍କ ଆତ୍ମପ୍ରତ୍ୟୟ ଜାତ ହେବା ସହିତ ତାଙ୍କ ଲେଖନୀ ଅଧିକ ଶକ୍ତିଶାଳୀ ଓ ସୁଷ୍ଠୁ ନାଟକ ପ୍ରଣୟନରେ ସମର୍ଥ ହେଲା। ଶୋକାନ୍ତ ନାଟକ ବା ଟ୍ରାଜିଡି ଲେଖିବାରେ ସେକ୍ସପିୟରଙ୍କ ପରାକାଷ୍ଠା ପ୍ରତିଫଳିତ। ଜୀବନର ଶେଷ ପର୍ଯ୍ୟାୟରେ ସେ ଯେଉଁ ନାଟକମାନ ଲେଖିଥିଲେ ସେଥିରେ ପୂର୍ବ ନାଟକମାନଙ୍କର ଭାବସ୍ଫୂର୍ତ୍ତି ବା ଉତ୍‌ଶୃଙ୍ଖଳତା ନାହିଁ; ଅଛି ସ୍ବପ୍ନ ରାଜ୍ୟର ଶିଖିଳ, ରଙ୍ଗ ମଧୁର ପରିବେଷ୍ଟନୀ।

            ପୂର୍ବରୁ କହିଛି ସେକ୍‌ସପିୟରଙ୍କ ସମୟରେ ରଙ୍ଗମଞ୍ଚ ଉନ୍ନତ ଥିଲା। ତେଣୁ ନାଟକର ବକ୍ତିମାରେ କବିତା ଦ୍ବାରା ଦୃଶ୍ୟ ସମାବେଶର ଅଭାବ ପୂରଣ କରାଯାଉଥିଲା। ପୂଣି ରୂପକାହାଣୀ ଲାଗି ମତ୍ତ ଏଲିଜାବେଥ୍‌ କାଳୀନ ଇଂରେଜ ଜନସାଧାରଣ ଆବେଗପୂର୍ଣ୍ଣ କବିତା ଭିନ୍ନ  ଗଦ୍ୟରେ ସନ୍ତୁଷ୍ଟ ନୁହନ୍ତି। ତେଣୁ ସେକ୍‌ସପିୟର ତଥା ସମସାମୟିକ ନାଟ୍ୟକାରମାନଙ୍କୁ କବିତାରେ ନାଟକ ପ୍ରଣୟନ କରିବାକୁ ପଡ଼ୁଥିଲା। ନାଟକର ପରିସ୍ଥିତି ଓ ଚରିତ୍ରର କ୍ଷୁଦ୍ର ପରିସର ମଧ୍ୟରେ ନାଟ୍ୟକାରକୁ ସୀମାବଦ୍ଧ ରହିବାକୁ ହୁଏ। ଏହି କ୍ଷୁଦ୍ର ପରିସର ମଧ୍ୟରେ ସେକ୍‌ସପିୟର ଯେଉଁ କବିତ୍ବର ପାରିଜାତ ଫୁଟାଇ ପାରିଛନ୍ତି, ବିଭିନ୍ନ ଚିତ୍ରମାନଙ୍କ ମୁଖରେ ଯେପରି ମାନବର ଭାବରାଶି ଅଭିବ୍ୟକ୍ତ କରି ପାରିଛନ୍ତି, ତାହା ବିଶ୍ବ ସାହିତ୍ୟରେ ଅଦ୍ୟାବଧି ଅଦ୍ବିତୀୟ। ଚୋରର ମନକଥା, ତାହାର ହାବଭାବ ଯେପରି ନିଖୁଣ ଭାବରେ ଫୁଟିଛି,ସାଧୁର ହୃଦୟ ମଧ୍ୟ ସେହିପରି ପ୍ରାଞ୍ଜଳ ଭାବରେ ବ୍ୟକ୍ତ ହୋଇଛି, ରାଜ୍ୟର ଉଦ୍ଧତ ପ୍ରକୃତି ଯେପରି ସଠିକ୍‌ ହୋଇ ପ୍ରକାଶ ପାଇଛି,ସେହିପରି ବି ପ୍ରେମିକାର ଉଚ୍ଛ୍ବାସ ଓ ଆବେଗ ଅକ୍ଷୁର୍ଣ୍ଣ ରୂପ ପାଇଛି। ବିଭିନ୍ନ ପରିସ୍ଥିତିରେ ବିଭିନ୍ନ ଚରିତ୍ରମାନଙ୍କ ମନରେ ଭାବ ସେହିମାନଙ୍କ ଭାଷାରେ ପ୍ରକାଶ କରିବାରେ ନାଟ୍ୟକାରର ସଫଳତା ପର୍ଯ୍ୟବେସିତ ଓ ସେକ୍‌ସପିୟରଙ୍କ ସାହିତ୍ୟିକ କର୍ଯ୍ୟାଦା ଏ ଦିଗରେ ନଷ୍କଳଙ୍କ।

             ସେକ୍‌ସପିୟର ଅବଶ୍ୟ କୌଣସି ମୌଳିକ କାହାଣୀ ସୃଷ୍ଟି କରିନାହାନ୍ତି, ପ୍ରାୟତଃ ରୋମୀୟ ଏବଂ ଗ୍ରୀକ୍‌ ଗଳ୍ପ ଓ ପ୍ରବାଦବଳୀରୁ ତାଙ୍କର ନାଟକର କଥାବସ୍ତୁ ସଂଗୃହୀତ। କିନ୍ତୁ ନାଟକୀୟ ପରିସ୍ଥିତି, ଚରିତ୍ରଚିତ୍ରଣ ଓ ଭାବଦ୍ୟୋତନା ଦ୍ବାରା ଅତି ତୁଚ୍ଛ ଆଖ୍ୟାୟିକାକୁ ସେ ରତ୍ନରେ ପରିଣତ କରିପାରିଛନ୍ତି। ତାଙ୍କର ନାଟକମାନଙ୍କରେ ଯୁଗୋଚିତ କଳ୍ପନାର ଆତିଶଯ୍ୟ ପରିଦୃଷ୍ଟ ହୁଏ; କିନ୍ତୁ କବିଙ୍କର କୁହୁକ ଲେଖନୀ ସ୍ପର୍ଶରେ ଅଦ୍ଭୁତ, ଅସମ୍ଭବ କାଳ୍ପନିକ କରିସ୍ଥିତି ଗୁଡ଼ିକ ଏପରି ଜୀବନ୍ତ ହୋଇଉଠେ ଯେ ପାଠକ ବା ଦ୍ରଷ୍ଟା ସେହି କଳ୍ପନାପୂରୀର ରୂପଜାଲ ମଧ୍ୟରେ ଛନ୍ଦି ହୋଇଯାଏ, ଅତିରଞ୍ଜିତ ପରିସ୍ଥିତି ଓ ଚରିତ୍ରଗୁଡ଼ିକ ବାସ୍ତବ ପରି ବୋଧହୁଏ।




+ -

© Jataayu Charitable Trust
Site designed,developed & maintained by Tekons