ଇଂରାଜୀ ସାହିତ୍ୟର ଗତିଧାରା




ଡି.ଏଚ୍‌. ଲରେନ୍‌ସ ଅନ୍ୟ ଜଣେ ପ୍ରସିଦ୍ଧ ଔପନ୍ୟାସିକ। ତାଙ୍କ ମତରେ ଯୌନ ସମ୍ପର୍କ ଯେଣୁ ମନୁଷ୍ୟର ଖାଦ୍ୟପେୟ ଓ ବିଶ୍ରାମ ପରି ଏକ ଶାରୀରିକ ଓ ଜୀବନମୂଳକ ଆବଶ୍ୟକ ବିଷୟ, ତେଣୁ ସେଥିରେ ଅଯଥା ବା ମିଥ୍ୟାମୂଳକ ରୋମାନ୍‌ସ ଆରୋପ କରିବା ଦ୍ବାରା ଆମେ ଭୁଲ୍‌ କରିଥାଉଁ। ଏହି ମନସ୍ତତ୍ତ୍ବମୂଳକ ତଥ୍ୟ ଉପରେ ସେ ତାଙ୍କର ଉପନ୍ୟାସ ଗଢ଼ିଛନ୍ତି। ସେଥିରେ ମା ଓ ପୁଅ ମଧ୍ୟରେ ବି ନିଃସାଙ୍କୋଚରେ ଯୌନ ବିଷୟ କଥାବାର୍ତ୍ତା ସେ ବାଢ଼ିଛନ୍ତି।

         ଏ ଯୁଗର ଅନ୍ୟାନ୍ୟ ବିଶିଷ୍ଟ ଉପନ୍ୟାସ ଲେଖକଙ୍କ ମଧ୍ୟରେ ଜେମ୍‌ସ ଷ୍ଟିଫେନ୍‌, ଇ, ଏମ୍‌, ଫାଷ୍ଟର୍ ,ଯୋ‌ଶେଫ ଜନ୍‌ରାଡ ପ୍ରଭୃତିଙ୍କ ନାମ ଉଲ୍ଲେଖ ତରାଯାଇପାରେ।

        ସମ୍ବାଦପତ୍ର ଏ ଯୁଗର ସାହିତ୍ୟକୁ  ବିଶେଷ ଭାବରେ ରୂପ ଦେଇଛି। ଆଧୁନିକ କର୍ମବହୁଳ ଯୁଗରେ ସମ୍ବାଦପତ୍ର ନ ହେଲେ ନଚଳେ। ପାଠକ ଏହି ସମ୍ବାଦପତ୍ର ସବୁ ପଢ଼ୁ ପଢ଼ୁ ମଧ୍ୟ ମୁହୂର୍ତ୍ତକ ଲାଗି ସାହିତ୍ୟ ଆସ୍ବାଦନ ପାଇବାକୁ ଚାହେଁ। ତେଣୁ ସମ୍ବାଦପତ୍ରମାନେ ଅନ୍ୟାନ୍ୟ ଖବର ଓ ଆଲୋଚନା ମଧ୍ୟରେ ପ୍ରବନ୍ଧ, ରମ୍ୟରଚନା ଓ କ୍ଷୁଦ୍ରଗଳ୍ପ ଛପାଇଥାନ୍ତି। ଏହିପରି ଫରମାସୀଦିଆ ଲେଖକ ପାଠକ ମନରେ ମାତ୍ର ଅଳ୍ପ କେତୋଟି ଧାଡ଼ିଭିତରେ କି ରସ ବା ସୃଷ୍ଟି କରିପାରିବ? ଏ.ଜି.ଗାର୍ଡ଼ିନର,ଜି.କେ. ଚେଷ୍ଟରଟନ୍‌ ଓ ପ୍ରିଷ୍ଟଲି ଏହିପରି କ୍ଷୁଦ୍ର ରଚନା ଲେଖିବାରେ ପ୍ରସିଦ୍ଧିଲାଭ କରିଛନ୍ତି। ସେଲ୍‌ସ ଶ’,ହକ୍‌ସଲି ପ୍ରଭୃତି ସାହିତ୍ୟିକମାନେ ମଧ୍ୟ ଜଟିଳ ବୈଜ୍ଞାନିକ, ଦାର୍ଶନିକ ,ଅର୍ଥନୈତିକ ବା ରାଜନୈତିକ ତଥ୍ୟମାନ ସାମ୍ବାଦିକ ଭାଷାରେ ଉପସ୍ଥାପନ କରିଛନ୍ତି। ଏହି ପ୍ରକାର ଲେଖାଦ୍ବାରା ହିଁ ଜନସାଧାରଣଙ୍କର ସାହିତ୍ୟପିପାସା ମେଣ୍ଟା ଯାଇପାରୁଛି।

       ଆଧୁନିକ ସାହିତ୍ୟ ଆମୋଦପ୍ରମୋଦ ଲାଗି ସୃଷ୍ଟ ନୁହେଁ, କଳ୍ପନାବିଳାସ ଏହାର ଚରମ ଲକ୍ଷ୍ୟ ନୁହେଁ। ବୈଜ୍ଞାନିକ ଭାବରେ ଜୀବନକୁ ପର୍ଯ୍ୟବେକ୍ଷଣ କରି ସତ୍ୟାସତ୍ୟ ନିରୂପଣ କରିବା, ସମାଜକୁ ଶିକ୍ଷିତ କରାଇବା, ଜ୍ଞାନାଲୋକ ପ୍ରସାର କରିବା ହେଲା ଏହାର ଆଦର୍ଶ। ସମାଜ ପ୍ରତି ଆଜିକାଲିକାର ଲେଖକର ଗୁରୁଦାୟିତ୍ବ ଅଛି। ତା’ର ଲେଖନୀରୁ ମିଥ୍ୟା ଝରିବ ନାହିଁ, ସେ ବୈଜ୍ଞାନିକ ସତ୍ୟକୁ ପ୍ରକାଶ କରିବ, ପାଠକକୁ ଭୁଲାଇବ ନାହିଁ।ଆଧୁନିକ ସାହିତ୍ୟ ତେଣୁ ଉଦ୍ଭିଦ ବିଜ୍ଞାନ ବା ପଦାର୍ଥ ବିଜ୍ଞାନ ପରି ସମାଜର ଏକ ଅପରିହାର୍ଯ୍ୟ ବିଷୟ ହୋଇ ପଡ଼ିଛି। ମାନବ ହୃଦୟର ଭାବରାଶିକୁ ତନ୍ନ ତନ୍ନ କରି ପରୀକ୍ଷା କରି ତାହାର ଚିନ୍ତାଧାରା ଓ ସ୍ଫନ୍ଦନ କିପରି ଭାବେ ନିୟନ୍ତ୍ରିତ ହେଉଛି, ମିଥ୍ୟାର ମାୟାଜାଲରେ ମନୁଷ୍ୟର ଭ୍ରାନ୍ତ ଧାରଣା କିପରି ଅନ୍ଦୋଳିତ ହେଉଛି,ମାନବର ଆଦର୍ଶ କ’ଣ , କ’ଣ କଲେ ମନୁଷ୍ୟ ତା’ର ଦୁଃଖ ଦୁର୍ବଳତାରୁ ରକ୍ଷା ପାଇପାରିବ, ଭବିଷ୍ୟତ ସମାଜର ରୂପରେଖ କ’ଣ ହେବ ଇତ୍ୟାଦି ହେଲା ଏ ଯୁଗର ସାହିତ୍ୟସ୍ରଷ୍ଟାର ପ୍ରଧାନ ଚିନ୍ତା।




+ -

© Jataayu Charitable Trust
Site designed,developed & maintained by Tekons