ଇଂରାଜୀ ସାହିତ୍ୟର ଗତିଧାରା




ସେକ୍‌ସପିୟର ନାଟକୀୟ ପଦ୍ଧତିରେ ବିଶେଷ କିଛି ଉନ୍ନତି ସାଧନ କରି ନଥିଲେ। ପ୍ରତ୍ୟେକ ନାଟକ ପାଞ୍ଚଟି ଅଙ୍କରେ ବିଭକ୍ତ ଏବଂ ପ୍ରତ୍ୟେକ ଅଙ୍କରେ ଏକାଧିକ ଦୃଶ୍ୟର ସମାବେଶ ହୋଇଅଛି। କଥାବସ୍ତୁର ପ୍ରକାଶଭଙ୍ଗୀରେ ମୁକ୍ତତାର ପକ୍ଷପାତୀ ସେକ୍‌ସପିୟର ଗ୍ରୀକ୍‌ ନାଟକର ଐକତ୍ରୟ ଅନୁସରଣ କରିବାକୁ ଅନିଚ୍ଛୁକ। କୌଣସି ଆଖ୍ୟୟିକାକୁ ଜବରଦସ୍ତ ପାଠକଙ୍କ ଉପରେ ଲଦି ନ ଦେଇ ସେକ୍‌ସପିୟର ତାଙ୍କ ଚରିତ୍ରମାନଙ୍କୁ ଏକ ବିଶିଷ୍ଟ ନାଟକୀୟ ପରିସ୍ଥିତିରେ ଉପସ୍ଥାପିତ କରି ଦିଅନ୍ତି ଏବଂ ତତ୍ପରେ ନାଟକୀୟ ଚରିତ୍ରମାନଙ୍କର ଭାବର ଘାତ ପ୍ରତିଘାତ ହେତୁ ଏକ ପରିସ୍ଥିତି ଅନିବାର୍ଯ୍ୟ ଭାବେ ଅପର ପରିସ୍ଥିତି ସୃଷ୍ଟି କରେ,ଫଳତଃ ନାଟକର କଥାବସ୍ତୁ ସ୍ବତଃ ପ୍ରକାଶଲାଭ କରେ। ସେକ୍‌ସପିୟର ତାଙ୍କର ଶୋକାନ୍ତ ନାଟକମାନଙ୍କରେ ସାଧାରଣତଃ ନାୟକକୁ ଉନ୍ନତିର ଉତ୍ତୁଙ୍ଗ ଶିଖରକୁ ତୋଳିନିଅନ୍ତି ଏବଂ ତତ୍ପରେ ତା’ର ପତନ ଆଣି ଦିଅନ୍ତି। ଏହାଦ୍ବାରା ଭାଗ୍ୟ ବିପର୍ଯ୍ୟୟ ଓ ପତନ ଅତି ଦାରୁଣ ଓ ମର୍ମନ୍ତୁଦ ହୋଇଥାଏ । ଉଦାହରଣସ୍ବରୂପ ଓଥୋଲୋ ନାଟକରେ ଅଭିଜାତ ନାୟିକା ନିଗ୍ରୋ ଓଥୋଲୋ ପ୍ରତି ଆକୃଷ୍ଟ ହୋଇ ସମାଜର ପ୍ରତିବନ୍ଧକକୁ ଲଙ୍ଘି ନାୟକ ଉପରେ ଏକାନ୍ତ ବିଶ୍ବାସ ସ୍ଥାପନ କରିଅଛି। ଅତଃପର ନାୟକ ଈର୍ଷବଶତଃ ନାୟିକାର ପାତିବ୍ରତ୍ୟରେ ସନ୍ଦେହକରି ତାହାକୁ ହତ୍ୟା କରିଛି। ନାଟକର ପୂର୍ବାଂଶରେ ସେକ୍‌ସପିୟର ଯଦି ନାୟିକା ଡେସ୍‌ଡିମୋନାର ପ୍ରେମ ଓ ବିଶ୍ବାସକୁ ଅତି ଉଦାର ଓ ଉଚ୍ଚାଙ୍ଗ କରି ନଥାନ୍ତେ, ନାଟକର ଉତ୍ତରାଂଶରେଈର୍ଷାବୃତ୍ତାନ୍ତ ଏତେ ଶୋକଗଭୀର ହୋଇପାରିନଥାନ୍ତା।

              କବି ଆଦର୍ଶବାଦୀ ନଥିଲେ ବା ଜୀବନର ଅଭିବ୍ୟକ୍ତିରେ କୌଣସି ବିଶିଷ୍ଟ ମତବାଦ ସେ ବ୍ୟକ୍ତ କରିନାହାନ୍ତି। ବିଶିଷ୍ଟ ଚରିତ୍ର ଦ୍ବାରା ବ୍ୟକ୍ତ ହୋଇଥିବା ଦର୍ଶନକୁ ସେକ୍‌ସପିୟରଙ୍କ ମତବାଦ ବୋଲି ମନେକରିବା (ଯାହା କେତେକ ସମାଲୋଚକ କରିଥାନ୍ତି) ଭ୍ରମ। ସତ୍‌ ନାଟ୍ୟକାର ରୂପେ ସେ ବିଭିନ୍ନ ଚରିତ୍ରମାନଙ୍କର ଦୃଷ୍ଟିକୋଣରୁ ଜୀବନର ସମାଲୋଚନା କରିଛନ୍ତି ମାତ୍ର; ନାଟକରେ ନାଟ୍ୟକାରଙ୍କ ବ୍ୟକ୍ତିଗତ ମତ ବା ଭାବ ପ୍ରକାଶ କରିବାର ଅବସର ନାହିଁ। କବିଙ୍କର ପ୍ରକୃତି ଚିତ୍ରଣରେ କୌଣସି ଅଧ୍ୟ୍ୟାତ୍ମବାଦ ନାହିଁ। ବୃକ୍ଷଲତା,ଆକାଶ ଓ ଧରଣୀର ବାହ୍ୟ ସୌନ୍ଦର୍ଯ୍ୟରେ ସେ ମୁଗ୍ଧ,ସୀମାବଦ୍ଧ। ସେକ୍‌ସପିୟର ଯୁଗର ଯାହା କାମ୍ୟ ଓ ଆଦର୍ଶ ତାକୁ ହିଁ କାମ୍ୟ ଓ ଆଦର୍ଶ କରି ଥାପିଛନ୍ତି। ସେ ଜୀବନର ମହତ୍ତ୍ବ ଉପଲବ୍ଧି କରିଥିଲେ ଓ ପ୍ରତ୍ୟେକର ଚିନ୍ତାଧାରା ଓ ଭାବସ୍ପନ୍ଦନ ପ୍ରତି ସମ୍ମାନ ପ୍ରଦର୍ଶନ କରିଛନ୍ତି ଓ ଯଥାଯଥ ଭାବରେ ପ୍ରକାଶ କରି ନାଟ୍ୟକାରର ମର୍ଯ୍ୟାଦାକୁ ଗୌରବାନ୍ବିତ କରିଛନ୍ତି। ଜୀବନର ସହସ୍ର ଲୀଳାଖେଳା ମଧ୍ୟରେ,କୃପଣର କାର୍ପଣ୍ୟ ଓ ଧନିକର ବିଳାସ ମଧ୍ୟରେ ଯେଉଁ ସୌନ୍ଦର୍ଯ୍ୟର ଆଭା ନିରନ୍ତର ବିଦ୍ୟମାନ, କବି ସେହି ସୌନ୍ଦର୍ଯ୍ୟର ସୁଷ୍ଠୁ ପ୍ରତିଛବି ଆପଣାର ନାଟକ ଦର୍ପଣରେ ଧରି ପାରିଛନ୍ତି।

 ଫ୍ରାନ୍‌ସିସ ବେକନ୍‌

              ଏ ମନୀଷୀ ସେକ୍‌ସପିୟରଙ୍କ ସମସାମୟିକ। ଆବାଲ୍ୟରୁ ବେକନ୍‌ ସାହିତ୍ୟ ପ୍ରତି ଆକୃଷ୍ଟ ହୋଇଥିଲେ ମଧ୍ୟ ଜୀବିକା ନିର୍ବାହ କରିବା ଲାଗି ତାଙ୍କୁ ଆଇନ ବ୍ୟବସାୟୀ ହେବାକୁ ପଡ଼ିଲା। ଆଇନଜ୍ଞ ହିସାବରେ ସେ ଅଳ୍ପକାଳ ମଧ୍ୟରେ ନିଜର ପ୍ରତିଷ୍ଠା ଲାଭକରି ଇଂଲାଣ୍ଡର ରାଜଦରବାର ଅଧୀନରେ ନାନା କର୍ମରେ ନିଯୁକ୍ତ ହୋଇ ଆପଣାର ବୁଦ୍ଧି ଓ ପ୍ରତିଭା ବଳରେ ରାଜ୍ୟର ସବୁଠାରୁ ସମ୍ମାନାସ୍ପଦ ଳର୍ଡ  ଚାନ୍‌ସେଲର୍‌ ପଦକୁ ଉତ୍ତୀର୍ଣ୍ଣ ହେଲେ। ବ୍ୟୟୀ ଲୋକ ଥିବାରୁ ବେକନ୍‌ଙ୍କୁ ସର୍ବଦା ଋଣଗ୍ରସ୍ତ ହେବାକୁ ପଡ଼ୁଥିଲା ଏବଂ ବିଚାରପତି ଥାଇ  ସେ ନାନାଦି କୁ-ଆଚରଣ ଆଶ୍ରୟ ଗ୍ରହଣ କରୁଥିବା ଅଭିଯୋଗ ହେତୁ ପାର୍ଲିଆମେଣ୍ଟ ତାଙ୍କ ପ୍ରତି କଠୋର ଦଣ୍ଡବିଧାନ କରିଥିଲା। ଜୀବନରେ ଶେଷ ଭାଗରେ କୃତସର୍ବସ୍ବ ହୋଇ ବେକନ୍‌ଙ୍କୁ ଅତି ଦୁଃଖମୟ କାଳ କଟାଇବାକୁ ହୋଇଥିଲା।

              ବେକନ୍‌ ତତ୍‌କାଳୀନ ଇଂଲାଣ୍ଡର ସର୍ବାପେକ୍ଷା ବିଦ୍ବାନ୍‌ ଓ ଜ୍ଞାନୀ ଲୋକ ଥିଲେ ଓ ଲାଟିନ୍‌, ଗ୍ରୀକ୍‌,ଫରାସୀ ପ୍ରଭୃତି ବୈଦଶିକ ସାହିତ୍ୟରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା। ବେକନ୍‌ ଲାଟିନ୍‌ ଭାଷାରେ କେତେକ ଗ୍ରନ୍ଥ ପ୍ରଣୟନ କରିଯାଇଛନ୍ତି ଓ ତାଙ୍କର ରାୟଗୁଡ଼ିକ ଇଂରେଜ ଆଇନ ବିଦ୍ୟାରେ ବିଶିଷ୍ଟ ସ୍ଥାନ ଅଧିକାର କରିଛି। ରଚନା(Essay) ଇଂରେଜୀ ସାହିତ୍ୟକୁ ତାଙ୍କର ସର୍ବୋତ୍ତମ ଦାନ। ବେକନ୍‌ଙ୍କ ପୂର୍ବରୁ ଇଂରେଜୀ ସାହିତ୍ୟରେ ରଚନା ସୃଷ୍ଟି ହୋଇନଥିଲା। ବେକନ୍‌ ଫରାସୀ ସାହିତ୍ୟରେ ରଚନା ଅନୁକରଣରେ ୧୫୯୭ ଖ୍ରୀଷ୍ଟାବ୍ଦରେ ପ୍ରଥମେ ଏକ ରଚନା ଗୁଚ୍ଛ ପ୍ରକାଶ କରନ୍ତି। ପ୍ରବନ୍ଧଠାରୁ ରଚନା ଏହି ପାର୍ଥକ୍ୟ ଯେ ରଚନାରେ ସାହିତ୍ୟିକ ଆପଣାର ଭାବ ପ୍ରକାଶ କରିବା ଓ ସାହିତ୍ୟ ସୃଷ୍ଟି କରିବାର ଅବସର ପାଏ। ରଚନା ଗୁଚ୍ଛରେ ବେକନ୍‌ ଯେଉଁ ପ୍ରାଞ୍ଜଳ,ବଳଶାଳୀ,ସଂଶ୍ଳିଷ୍ଟ ଓ ଭାବେଦ୍ୟୋତକ ଗଦ୍ୟ ସୃଷ୍ଟି କରିଛନ୍ତି, ତାହା ଅଦ୍ୟାବଧି ଆଦର୍ଶ ଗଦ୍ୟ ରୂପେ ପରିଗଣିତ। ନ୍ୟୂ ଅଟ୍‌ଲାଣ୍ଟିସ୍‌ (New Atlantis) ବେକନ୍‌ଙ୍କର ଅନ୍ୟତମ ବିଶିଷ୍ଟ ଦାନ।ଏହି ଗ୍ରନ୍ଥରେ ମୁରଙ୍କ ୟୁଟୋପିଆ ଭଳି ଏକ କାଳ୍ପନିକ ଜଗତର ପରିକଳ୍ପନା କରାଯାଇଛି। ବେକନ୍‌ ନିଜେ ଜଣେ ଦାର୍ଶନିକ ଓ ବୈଜ୍ଞାନିକ ଥିଲେ। ପ୍ରକୃତିକୁ ପର୍ଯ୍ୟାବେକ୍ଷଣ କରି କେତେକ ଘଟଣାରୁ କିପରି ସାଧରଣ ସତ୍ୟରେ ଉପନୀତ ହେବାକୁ ପଡ଼ିବ-(Induction) ଏହି ଜାତିର ସେ ଉଦ୍ଭାବକ । ସେହି ହେତୁରୁ ଅଦ୍ୟାବଧି ଦାର୍ଶନିକ ଓ ବୈଜ୍ଞାନିକମାନେ ବେକନ୍‌ଙ୍କ ଜ୍ଞାନଗୁରୁ ରୂପେ ସ୍ବୀକାର କରି ଆସିଛନ୍ତି। ନ୍ୟୁ ଆଟ୍‌ଲାଣ୍ଟିସ୍‌ ଗ୍ରନ୍ଥରେ ବେକନ୍‌ଙ୍କର କେତେକ ପରିକଳ୍ପନା (ଆକାଶରେ ଉଡ଼ିବା ଉଡ଼ାଜାହାଜ ରୋଗମୁକ୍ତ ହେବାଲାଗି ମୁକ୍ତବାୟୁର ପ୍ରକୋଷ୍ଠ ଆଦି) ତାଙ୍କର ପରବର୍ତ୍ତୀ କାଳମାନଙ୍କରେ ସମ୍ଭବ ଓ ବାସ୍ତବ ହୋଇଅଛି।

              ୟୁଟୋପିଆର ମୁର୍‌ ଆଦର୍ଶ ସାମାଜିକ ଜୀବନର ଚିତ୍ର, ଆଙ୍କିଛନ୍ତି, ସରଳ ଜୀବନଯାପନ ପ୍ରଣାଳୀକୁ ସେ ସମାଜର କାମ୍ୟ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ବେକନ୍‌ ସମାଜର ମନକୁ ନିର୍ମଳ ଓ ଉନ୍ନତ କରିବାର ପକ୍ଷପାତୀ, ସରଳ ଜୀବନ ତାଙ୍କର ଆଦର୍ଶ ନୁହେଁ,ବେକନ୍ ଆଡ଼ମ୍ବରପୂର୍ଣ୍ଣ ଅଥଚ ଶୃଙ୍ଖଳାବଦ୍ଧ ଜୀବନର ପକ୍ଷପାତୀ।

              ବେକନ୍‌ ଇଂରେଜୀ ସାହିତ୍ୟରେ ବହୁ ଗ୍ରନ୍ଥ ପ୍ରଣୟନ କରି ନଥିଲେ ମଧ୍ୟ ତାଙ୍କର ବ୍ୟକ୍ତିତ୍ବ ଓ ଭାବଧାରା ଇଂରେଜୀ ଗଦ୍ୟ ସାହିତ୍ୟକୁ ବହୁ ପରିମାଣରେ ରୂପଦାନ କରିଅଛି ଓ ଇଂରେଜ ଜାତୀୟ ଚିନ୍ତାଧାରାକୁ ବିଶେଷଭାବେ ପ୍ରଭାବିତ କରିଆସିଛି।

 ବେନ୍‌ ଜନସନ୍‌  

               ଆମେରିକା ଆବିଷ୍କାର ଓ ବାଣିଜ୍ୟର ପ୍ରସାର, ଛାପାକଳର ପ୍ରତିଷ୍ଠା , ଗ୍ରୀକ୍‌ଗ୍ରନ୍ଥ ଓ ସଭ୍ୟତାର ପ୍ରସାର ଓ ରାଜନୈତିକ ଶାନ୍ତି, ଶୃଙ୍ଖଳା ଓ ସମୃଦ୍ଧି ଫଳରେ ଇଂରେଜ ସମାଜରେ ଯେଉଁ ଜ୍ଞାନାଲୋକର ରଶ୍ମି ବିଚ୍ଛୁରିତ ହୋଇଥିଲା ତାହା ସପ୍ତଦଶ ଶତାବ୍ଦୀ ବେଳକୁ ରୂପାନ୍ତର ଗ୍ରହଣ କଲା। ପ୍ରଥମେ ନବାଲୋକ-ପ୍ରାପ୍ତ ଜନତା ବିଦ୍ୟା ଓ କଳା ବିଷୟରେ ଉତ୍ସାହୀ ହୋଇ ଉଠିଥିଲେ। ପରେ ଜନସାଧାରଣଙ୍କ ମଧ୍ୟରେ ଜ୍ଞାନର ପ୍ରସାର ହେତୁ ଜନତା ରାଜନୀତିରେ ଭଲମନ୍ଦ ବାଛିଲା, ଧର୍ମ ଓ ସମାଜରେ ଦୋଷ ଓ କୁସଂସ୍କାର ପ୍ରତି ନଜର ଦେଲା, ଲୋକଙ୍କ ମଧ୍ୟରେ ସମାଲୋଚନା ପ୍ରବୃତ୍ତି ପ୍ରକାଶ ପାଇଲା। ଜାତୀୟତାରେ ଉଦ୍‌ବୁଦ୍ଧ ଆବେଗ ଉଲ୍ଲାସମୟ ଷୋଡଶ ଶତାବ୍ଦୀର ଜନତା ରୂପକଥା ମୂଳକ କବିତା ଓ ନାଟକ ସୃଷ୍ଟି କରିବାରେ ପକ୍ଷପାତୀ ଥିଲା। ସେକ୍‌ସପିୟରଙ୍କ ପରବର୍ତ୍ତୀ ସମାଜରେ ଏହି ପରିବର୍ତ୍ତନ ବଶତଃ ସାହିତ୍ୟରେ ରୂପକଥାର କୁହୁକ କାହାଣୀ ଲାଗି ଅବସର ରହିଲା ନାହିଁ; ବ୍ୟଙ୍ଗ ଓ ସମାଲୋଚନା ଲାଗି କ୍ଷେତ୍ର କ୍ରମେ ପ୍ରଶସ୍ତ ହେଲା। ସାମାଜିକ, ରାଜନୈତିକ ଓ ଆଧ୍ୟାତ୍ମିକ କ୍ଷେତ୍ରରେ ବିଭିନ୍ନ ମତବାଦର ସୃଷ୍ଟି ହେଲା ଏବଂ ବିଭିନ୍ନ ମତବାଦ ମଧ୍ୟରେ ତୀବ୍ରତା ଦେଖାଦେଲା। ସପ୍ତଦଶ ଶତାବ୍ଦୀର ପ୍ରାରମ୍ଭରେ ସାମାଜିକ ଭାବଧାରାରେ ଏହି ପରିବର୍ତ୍ତନର ସୁସ୍ପଷ୍ଟ ସୂଚନା ଆମେ ପାଉଁ ବେନ୍‌ ଜନସନ୍‌ ଓ ଅନ୍ୟାନ୍ୟ ବହୁ ଲେଖକଙ୍କର ନାଟକରୁ। ଅବଶ୍ୟ ଏତେବେଳକୁ ସମାଜ ଏକ ଅବସ୍ଥାରୁ ଅନ୍ୟରେ ପରିଣତ ହୋଇନାହିଁ, ତଥାପି ଜ୍ଞାନାଲୋକର ଯୁଗ ମଉଳି ଯାଉଛି। ନାଟକରେ, ତେଣୁ ସେକ୍‌ସପିୟରଙ୍କ କାଳର ଜୀବନର ଉଚ୍ଛ୍ବସିତ ଅଭିବ୍ୟକ୍ତି ପରିବର୍ତ୍ତେ ସାମାଜିକ ଚାଲିଚଳନରେ ସମାଲୋଚନା ଓ ନୀତିଶିକ୍ଷା ଅଧିକ ଆଦର ପାଇଲା। ବିଚକ୍ଷଣ ବେନ୍‌ ଜନ୍‌ସନ୍‌ ଇଂରେଜ ସମାଜିକ ମନବୃତ୍ତିରେ ଏହି ପରିବର୍ତ୍ତନ ଲକ୍ଷ୍ୟ  କରିପାରିଥିଲେ ଏବଂ ତଦନୁସାରେ ତାଙ୍କର ଶକ୍ତିଶାଳୀ ଲେଖନୀକୁ ଚାଳିତ କରି ସେ ଯୁଗର ସର୍ବଶ୍ରେଷ୍ଠ ସାହିତ୍ୟିକର ସ୍ଥାନ ଅଧିକାର କରିଥିଲେ।

              ବେନ୍‌ ଜନ୍‌ସନ୍‌ଙ୍କ ସାହିତ୍ୟିକ ଜୀବନ ସେକ୍‌ସପିୟରଙ୍କ ଜୀବବ୍ଦଶାରେ ଆରମ୍ଭ ହୋଇଥିଲା। ସେକ୍‌ସପିୟର  ଜନସନ୍‌ଙ୍କ କେତେକ ନାଟକରେ ଅଭିନୟ କରିଛନ୍ତି ମଧ୍ୟ। ବେନ୍‌ ଜନ୍‌ସନ୍‌ଙ୍କ ନାଟକମାନଙ୍କରେ ମନୁଷ୍ୟର ଦୋଷଦୁର୍ଗୁଣକୁ ଉପହାସ କରି ବ୍ୟଙ୍ଗ ଚିତ୍ର ପ୍ରଣୟନ ହୋଇଛି। ଏ ପ୍ରକାର ଫାର୍ସ ସୃଷ୍ଟି କରିବାରେ ଜନ୍‌ସନ୍‌ଙ୍କ ଅତୁଳନୀୟ ପ୍ରତିଭା ଥିଲା। ସେକ୍‌ସପିୟରଙ୍କ ସମସାମୟିକ ନାଟ୍ୟକାରମାନେ ଗ୍ରୀକ୍‌ ନାଟକର ଐକ୍ୟତ୍ରୟ ଲଂଘନ କରି ମୁକ୍ତତର ନାଟକ ଲେଖିବାର ପକ୍ଷପାତୀ ଥିଲେ। କିନ୍ତୁ ବେନ୍‌ ଜନ୍‌ସନ୍‌ ତାଙ୍କ ଯୁଗର ନାଟକରେ ଜୀବନର ଯେପରି ଅଗଭୀର ସମାଲୋଚନା ହେଉଥିଲା ତାହା ଲକ୍ଷ୍ୟ କରି ନାଟକୀୟ କଥାବସ୍ତୁକୁ ଅଧିକ ସଂଶ୍ଳିଷ୍ଟ ଓ ଉପଭୋଗ୍ୟ କରିବା ମାନସରେ ଐକତ୍ରୟର ଆଶ୍ରୟ ନେଇ ଅଛନ୍ତି। ନାଟ୍ୟକାର ତାଙ୍କର ନାଟକମାନଙ୍କରେ ଗଦ୍ୟର ବହୁଳ ବ୍ୟବହାର କରିଛନ୍ତି ଏବଂ ପାଠକେ କବିତା ଅପେକ୍ଷା ତାଙ୍କର ଗଦ୍ୟରେ ଅଧିକ ଚମତ୍କାରିତା ଉପଲବ୍ଧି କରିଥାଆନ୍ତି। ତାଙ୍କର ରଚିତ ନାଟକ ମଧ୍ୟରୁ ଭଲପୋନ୍‌ (Volpone), ନୀରବ ନାରୀ (The Sillent Women) ଓ ଆଲ୍‌କେମିଷ୍ଟ (alchemist) ଉଲ୍ଲେଖଯୋଗ୍ୟ।




+ -

© Jataayu Charitable Trust
Site designed,developed & maintained by Tekons