ଇଂରେଜୀ ସାହିତ୍ୟର ଗତିଧାରା (୨)
ଚଶରଙ୍କ ଯୁଗ (ଖ୍ରୀଷ୍ଟାବ୍ଦ ୧୩୦୦-୧୪୦୦)
ନର୍ମାନ୍ ଆଂଗ୍ଲୋସାକ୍ସନ୍ ଓ ବ୍ରିଟେନ୍ ଜାତିମାନଙ୍କର, ସାଧାରଣରେ ଇଂରେଜୀ ଗତିର ଯେଉଁ ସାଂସ୍କୃତିକ ଚିନ୍ତାଧାରା ପ୍ରକାଶ ପାଇଛି ତାହା ଚତୁର୍ଦ୍ଦଶ ଶତାବ୍ଦୀର ସହସ୍ର ପଲ୍ଲୀ କବିତା (Ballad), ଗ୍ରାମ୍ୟ ସଂଗୀତ (Folk-song) ଓ ଗୀତ କବିତା (Lyrics) ମାନଙ୍କରେ।
ପଲ୍ଲୀ-କବିତାଗୁଡ଼ିକରେ ଆମେ ପାଉଁ କୌଣସି ଘଟଣାର ସହଜ ପ୍ରକାଶ। ଏହି ବର୍ତ୍ତନାତ୍ମକ କବିତାର ଆଦିମ ପ୍ରଚଳନ ହେଲା ନୃତ୍ୟ ପ୍ରସଙ୍ଗରେ । ତେଣୁ ଏହା ମୁଖ୍ୟତଃ ବୋଲାହେବା ଉଦ୍ଦେଶ୍ୟରେ ରଚିତ ହୋଇଥିଲା। ପଲ୍ଲୀ କବିମାନଙ୍କର ଏହି ସାବଲୀଳ ସୃଷ୍ଟି ଏକ ଦିଗରେ ଶ୍ରୁତିମଧୁର, ଅପର ଦିଗରେ ଗଭୀର ଭାବେ ହୃଦୟସ୍ପର୍ଶୀ ପଲ୍ଲୀ କବିତାରେ କେତୋଟି ପଦର ପୌନଃପୁନିକ ଆବୃତ୍ତି ଏକ ବିଶିଷ୍ଟ ପ୍ରଥା। ଏହି କବିତାଗୁଡ଼ିକ ଏପରି ଭାବେ ଜନପ୍ରିୟ ହୋଇଉଠିଲା ଯେ ଇଂରେଜ ସାହିତ୍ୟରେ ଏହାର ଛନ୍ଦ ଓ ବିକାଶଭଙ୍ଗୀ ଏକ ବିଶିଷ୍ଟତା ରୂପେ ଗଣ୍ୟ ହେଲା। ପରବର୍ତ୍ତୀ ଯୁଗମାନଙ୍କରେ ବହୁ କବି ଏହି ରୀତିରେ କେତେକ ପଲ୍ଲୀ-କବିତା ରଚନା କରିବାରୁ ପ୍ରୟାସୀ ହୋଇଥିଲେ ମଧ୍ୟ, ପଲ୍ଲୀ, କବିର ଏହି ସ୍ବାଭାବିକ ସରଳ ଭାବ ପ୍ରକାଶ, ହୃଦୟର ଏହି ସହଜ ନିବେଦନ ଆଗରେ ସେମାନେ ପରାଜୟ ସ୍ବୀକାର କରିଅଛନ୍ତି।
ଗୀତି-କବିତାରେ (Lyrics) କବି ଆପଣାର ଭାବୋଚ୍ଛ୍ବାସକୁ ଲିପିବଦ୍ଧ କରୁଥିଲେ।ଏ ପ୍ରକାର କବିତା ପ୍ରଥମେ ବୀଣା (Lyre)ସଂଯୋଗରେ ଗୀତ ହେବା ଉଦ୍ଦେଶ୍ୟରେ ରଚିତ ହେଉଥିଲା; ତେଣୁ ତଦନୁରୂପ ଏହାର ନାମକରଣ ହେଲା। ଇଂରେଜୀ ସାହିତ୍ୟରେ ଗୀତି କବିତାର ଆଦର ଏହାପରେ ବରାବର ଅକ୍ଷୁର୍ଣ୍ଣ ରହିଆସିଛି। କବି ଆପଣାର ଗଭୀରତମ ଆବେଗ ଓ ଅନୁଭୂତିକୁ ରୂପ ଦେବାକୁ ଏହି ଗୀତିକବିତାର ଆଶ୍ରୟ ନେଇଥାଏ। ଗୀତି ଉଦ୍ଦେଶ୍ୟରେ ରଚିତ ହୋଇଥିବାରୁ ଏହାର କଳେବର ଅଳ୍ପ କେତୋଟି ପଦ ମଧ୍ୟରେ ସୀମାବଦ୍ଧ ରହେ। ପର ଯୁଗମାନଙ୍କରେ ଗୀତି କବିତାର ଅଥଁ ବ୍ୟାପକ ହେଲା। ଗୀତି ଉଦ୍ଦେଶ୍ୟରେ ଲେଖା ନ ହୋଇଥିବା କବିତା ମଧ୍ୟ ଗୀତି କବିତା (Lyric) ମଧ୍ୟରେ ଗଣ୍ୟ ହେଲା।
ପଲ୍ଲୀ-କବିତା (Ballad) ମୂଳତଃ ବର୍ଣ୍ଣନାତ୍ମକ କବିତା; କୌଣସି କାହାଣୀ ବା ଘଟଣାକୁ ଆଶ୍ରୟ କରି ତାହା ରଚିତ। ଗୀତି କବିତା ହୃଦୟର ଏକ ଅନୁଭୂତି, ମନର ଏକ ଅବସ୍ଥାକୁ ରୂପ ଦିଏ। ପଲ୍ଲୀ-କବିତାର ପ୍ରଚଳନ ଆଂଗ୍ଲୋ ସାକ୍ସନ୍ମାନଙ୍କ ମଧ୍ୟରେ ପୂର୍ବରୁ ଥିଲା ସତ, କିନ୍ତୁ ନର୍ମାନ୍ମାନଙ୍କ ସଂପର୍କରେ ଆସି ତାହା ଭାଷା, ଛନ୍ଦ ଓ ଭାବ ଦିଗରୁ ଅଧିକ ପରିମାର୍ଜିତ ହୋଇ ସାହିତ୍ୟ ହିସାବରେ ରୁଚିକର ହେଲା।
ଏହିପରି ବହୁ ସଂଖ୍ୟକ ଖଣ୍ଡକାବ୍ୟ ଯେଉଁ ସାଂସ୍କୃତିକ ଜାଗରଣର ସୂଚନା ଅନାମଧେୟ ପଲ୍ଲୀ କବିର ଶବ୍ଦ-ଶିଳ୍ପ-ପ୍ରୟାସ ଯେଉଁ ସାହିତ୍ୟିକ ମନୋଭାବର ଆଭାସ, ତାର ପୂର୍ଣ୍ଣତାର ବିକାଶ ମିଳେ ଉଇଲିୟମ୍ ଲାଙ୍ଗାଲାଡ୍ (Willam Langlad) ନାମକ କବିଙ୍କଠାରେ, ତାହା ପରିପକ୍ବତା ଲାଭ କରେ ବଶର୍ (Chaucer) ଙ୍କର “କାଣ୍ଟର୍ବରୀର କଥାମାଳା”ରେ।
ଦରିଦ୍ର ଉଇଲିୟମ୍ ଲାଙ୍ଗ୍ଲାଡ଼୍ ଲଣ୍ଡନର ଏକ ଗୀର୍ଜାରେ କାର୍ଯ୍ୟ କରି ବହୁ କଷ୍ଟରେ ଆପଣାର ଭରଣପୋଷଣ କରୁଥିଲେ। ସ୍ବଭାବତଃ ସେ ଥିଲେ ଅଳ୍ପଭାଷୀ। ପୁସ୍ତକ ତାଙ୍କର ସହଚର ଥିଲା। ସେ ଲଣ୍ଡନ-ଜୀବନଯାପନ କରି ସମାଜର ବହୁବିଧ ଅଭିଜ୍ଞତା ଲାଭ କରିପାରିଥିଲେ। ଗୀର୍ଜା ସହିତ ସଂପୃକ୍ତ ଥିବାରୁ ସମାଜର କୁସଂସ୍କାରରେ ତାଙ୍କର ପ୍ରାଣ କ୍ଷୁବ୍ଧ ହୋଇଥିଲା। ତାଙ୍କର ଶ୍ରେଷ୍ଠ କାବ୍ୟ ‘କୃଷକ ପିଅର୍ସର ସ୍ବପ୍ନାବେଶ’ ରେ (The vision concerning Piers the Ploughman) ସେ ଇଂଲାଣ୍ଡରେ ତଦନୀନ୍ତନ ଚିତ୍ର ସଙ୍ଗେ ସମାଜର (ଧର୍ମ୍ମଯାଜକମାନଙ୍କ) ଦୋଷଗୁଣ ଦର୍ଶାଇ ସତ୍ପଥର ସନ୍ଧାନ ଦେଇ କାବ୍ୟଟି ସାତଟି ସର୍ଗରେ ବିଭକ୍ତ। ସ୍ବପ୍ନରେ କବି ଦେଖିଲେ ଏକ ଜନାକୀର୍ଣ୍ଣ ପ୍ରାନ୍ତର। ବହୁ ବଣିକ, ତୀର୍ଥଯାତ୍ରୀ, ସନ୍ନ୍ୟାସୀ, ଏକ ରାଜା ଓ ଏକ ସ୍ବର୍ଗଦୂତ ସମସ୍ତେ ସେଠି ଠୁଳ ହୋଇଛନ୍ତି।ଏହି ପ୍ରାନ୍ତରର ଏକ ପ୍ରାନ୍ତରେ ସତ୍ୟର ମନ୍ଦିର, ଅପର ପ୍ରାନ୍ତରେ ନରକ ଅବସ୍ଥିତ। ସ୍ବପ୍ନରେ ସମାଜର ବିଭିନ୍ନ ଅନୁଷ୍ଠାନରେ କାର୍ଯ୍ୟକଳାପ କବି ଦେଖି ପାରୁଛନ୍ତି। ଜନତାର ଚିତ୍ର ଦେବାକୁ ଯାଇ ସମାଜରେ ପାପ ଆଚରଣ ଓ ତାହାର ଶେଷ ପରିଣତି ବିଷୟ କବି ଗଳ୍ପ ଛଳରେ ବର୍ଣ୍ଣନା କରିଅଛନ୍ତି। ଏହି ମହାକାବ୍ୟରେ ଚରିତ୍ର-ଚିତ୍ରଣ କରିବାରେ କବି ସଫଳ ହୋଇନାହାନ୍ତି ସତ୍ୟ, ତଥାପି କବିଙ୍କ ବିରାଟ କଳ୍ପନା ଓ ତୀକ୍ଷ୍ଣ ଦୃଷ୍ଟି ତାଙ୍କର ଗଭୀର ଆନ୍ତରିକତା ଓ ମହତ୍ ଭାବନିଚୟ ଏହି କବିତାକୁ ଉଚ୍ଚ ଆସନ ଦେଇଛି।
ଲାଙ୍ଗଲାଡ୍ ତାଙ୍କର ଅବଦାନ ଦ୍ବାରା ଇଂରାଜୀ ସାହିତ୍ୟରେ ଯେଉଁ ଛାଞ୍ଚ ରଖିଗଲେ, ସେହି ଛାଞ୍ଚ ଉପରେ ଚାରୁଚିତ୍ର କଲେ ମହାକବି ଚଶର। ରାଜ ପରିବାରର ଟହଲକରା ଚାକରରୂପେ ଜୀବନ ଆରମ୍ଭ କରିଥିଲେ ମଧ୍ୟ ଚଶର୍ ସାମାଜର ବହୁବିଧ ଅନୁଷ୍ଠାନ ବିଷୟରେ ଜ୍ଞାନ ଓ ଅଭିଜ୍ଞତା ଲାଭ କରିବାର ସୁଯୋଗ ପାଇଥିଲେ, ବହୁଲୋକଙ୍କର ସଂସର୍ଗରେ ଆସିପାରିଥିଲେ।
ଚଶରଙ୍କ ସମୟରେ ଇଂଲାଣ୍ଡ ଫ୍ରାନ୍ସ ସହ ଯୁଦ୍ଧରେ ବ୍ୟାପୃତ, ତେଣେ ରୋମ୍ର ପୋପ୍ଙ୍କ ସହ ଇଂଲାଣ୍ଡର ସମ୍ପର୍କ ତିକ୍ତ ହୋଇଉଠିଥାଏ। ତେଣୁ ରାଜନୈତିକ କ୍ଷେତ୍ରରେ ଇଂଲାଣ୍ଡବାସୀଙ୍କ ମନରେ ଜାତୀୟ ଚେତନା ଜାଗରୁକ ହୋଇଥାଏ। ଜନ୍ ଉଇକ୍ଲିଫ୍ଙ୍କର ପ୍ରଚାର ଫଳରେ ଗୀର୍ଜାର ସ୍ବେଚ୍ଛାଚାରିତା ବିରୁଦ୍ଧରେ ଲୋକେ ସଚେତନ ହୋଇଉଠୁଥାନ୍ତି,ଧର୍ମଛଳରେ ଯେ ବହୁ ଭ୍ରାନ୍ତି ଓ ଅନ୍ଧବିଶ୍ବାସର ଅତ୍ୟାଚାର ଚାଲିଛି, ଏହି ଭାବରେ ଜନସାଧାରଣଙ୍କ ଆସ୍ଥା କମିଯାଉଛି, ସାଧାରଣରେ ଏକ ଅସନ୍ତୋଷର ଭାବ ମୁଣ୍ଡ ଟେକିଛି। ସମାଜର ଏହି ବୈପ୍ଳବିକ ସନ୍ଧିକ୍ଷଣରେ ଚଶର୍ଙ୍କର ଆବିର୍ଭାବ। ଜାତୀୟ ସଂସ୍କୃତି ଏ ପର୍ଯ୍ୟନ୍ତ କେବଳ ଗୀର୍ଜାର କ୍ଷୁଦ୍ରଗଣ୍ଡି ମଧ୍ୟରେ ସୀମାବଦ୍ଧ ଥିଲା। କାବ୍ୟକବିତା,ଦର୍ଶନ ଓ ବିଜ୍ଞାନ ଧର୍ମପ୍ରଚାରକଙ୍କର ଏକଚାଟିଆ ବିଦ୍ୟା ଥିଲା। ଏହି ଯୁଗରେ ଜନସାଧାରଣ ପ୍ରଥମଥର ପାଇଁ ଜାତୀୟ ସଂସ୍କୃତିକୁ ଆପଣାର କରିବାର ଚେଷ୍ଟା କଲେ, ଜନସାଧାରଣଙ୍କର ଅନୁଭୂତିକୁ ରୂପରେଖା ଦେବାର ଦାୟିତ୍ବ ତାଙ୍କର କବି ହାତରେ ନ୍ୟସ୍ତ କଲେ। ପଲ୍ଲୀ-କବିତା ପ୍ରଭୃତିର ସୃଷ୍ଟି ସେହି ବିରାଟ ଜାଗରଣ ଓ ସଂପ୍ରସାରଣର କ୍ଷୀଣ ଅଥଚ ସ୍ପଷ୍ଟ ଆଭାସ।
ଜନସାଧାରଣଙ୍କର କବି ଚଶର୍ଙ୍କର ଲେଖନୀ ଧର୍ମପ୍ରଚାରକଙ୍କର ନୀତି-ବ୍ୟାଖ୍ୟାନ ଉଦ୍ଦେଶ୍ୟରେ ଚାଳିତ ହୋଇନଥିଲା। ଜନସାଧାରଣ, କୃଷକ ଓ ସୈନିକ, ସାଧୁ ଓ ଜୁଆଚୋର ,ମାଲିକ ଓ ଶ୍ରମିକ ସମସ୍ତଙ୍କର ଜୀବନର ନିଖୁଣ ଛବି ଦେବାରେ ହିଁ ତାଙ୍କର ସାହିତ୍ୟ ସାର୍ଥକତା ଲାଭ କରିଛି। ଜନସାଧାରଣଙ୍କର ସୁଖ ଦୁଃଖ, ବେଦନା ଓ ଆଶା, ଗର୍ବ ଓ ଅହଙ୍କାର ପ୍ରତ୍ୟେକ ସେ ପାଠକ ଆଗରେ ଯଥାଯଥ ଭାବରେ ଥାପିଛନ୍ତି। ପାଠକ ତହିଁରୁ ନୀତି ଓ ଉପଦେଶ ଯାହା ଗ୍ରହଣ କରିପାରେ। ସମାଜ ସଂସ୍କାରର ତୀବ୍ର ତାଡ଼ନା ବା ଧର୍ମ୍ମପ୍ରଚାରକର ନୀତିଶିକ୍ଷା ସାହିତ୍ୟିକ ମର୍ଯ୍ୟାଦାରେ ହାନି ଘଟାଇଥାଏ। ଚଶର୍ ଜୀବନ ଚିତ୍ରିବାରେ ତତ୍ପର ଅପର ଚିନ୍ତା ତାହାଙ୍କୁ ସାହିତ୍ୟିକର କର୍ତ୍ତବ୍ୟରୁ ବିଚ୍ୟୁତ କରିପାରିନାହିଁ।
‘କାଣ୍ଟର୍ବରୀର କଥାମାଳା’ (Tales of Canterbury)ଏହି ମହାକାବ୍ୟରେ ଚଶର୍ ଦଳେ ତୀର୍ଥଯାତ୍ରୀଙ୍କର କଳ୍ପନା କରିଛନ୍ତି। ସେମାନଙ୍କ ମଧ୍ୟରେ ବହୁତ କିସମର ଲୋକ ଅଛନ୍ତି। ସମସ୍ତେ ଆସି ଗୋଟିଏ ଚଟିଘରେ ଜୁଟିଛନ୍ତି, ଯିବେ କାନ୍ଟର୍ବରୀକୁ। ଦୀର୍ଘ ପଥ ଅତିକ୍ରମ କରିବାର ଅବସାଦ ଦୂର କରିବା ଲାଗି ପ୍ରସ୍ତାବ ହେଲା, ପ୍ରତ୍ୟେକ ଯାତ୍ରୀ ଗୋଟିଏ ଗୋଟିଏ କଥା କହିବେ। ଏହି ସୂତ୍ରରେ କବି ସ୍ବତନ୍ତ୍ର ଗଳ୍ପଗୁଡ଼ିକୁଏକତ୍ର ଗୁନ୍ଥି ତାଙ୍କର ମହାକାବ୍ୟ ରଚନା କରିଅଛନ୍ତି। ଏହି ଗଳ୍ପମାନ ଚଶର୍ଙ୍କର ନିଜ ସୃଷ୍ଟି ନୁହେଁ; ବିଭିନ୍ନ ସ୍ଥାନରୁ ସଂଗୃହୀତ ଗଳ୍ପକୁ ଚଶର୍ ସୁନ୍ଦର ଓ ସୁଷ୍ଠୁ କରି ତହିଁରେ ଜୀବନ୍ୟାସ କରିଛନ୍ତି। ବହୁତଗୁଡ଼ିଏ ପୃଥକ ଗଳ୍ପର ସମନ୍ବୟରେ ଚଶର୍ଙ୍କର ମହାକାବ୍ୟ ରଚିତ ହୋଇଥିଲେବି ତାଙ୍କର ବର୍ଣ୍ଣନା ଚାତରୀରେ ସେ ମୂଳ କଥାବସ୍ତୁର ଐକ୍ୟ ଅନାହତ ରଖିପାରିଛନ୍ତି। ଏହି ମହାକାବ୍ୟ ୧୭,୦୦୦ ଧାଡ଼ି ପଦ୍ୟରେ ରଚିତ, କେବଳ ଦୁଇଟି କଥା ଗଦ୍ୟରେ ଲେଖା।
ଚଶର୍ ସ୍ବପ୍ନ-ବିଳାସୀ କବି ନଥିଲେ। ଅତି ସହଜ ସରଳ ଓ ପ୍ରାକୃତିକ ଭାବରେ ସେ ତାହାଙ୍କର କଥାବସ୍ତୁ ପ୍ରକାଶ କରିଅଛନ୍ତି। ଧର୍ମଯାଜକର ଗୁରୁଗମ୍ଭୀର ବାଣୀ ଚଶର୍ଙ୍କ କଣ୍ଠରେ ଫୁଟିବାର ନୁହେଁ; ଇତର ଜନପ୍ରତି ତାଙ୍କର ଘୃଣାଭାବ ନାହିଁ। ଉଦାରଭାବେ ସେ ପ୍ରତ୍ୟେକ ଚରିତ୍ରକୁ ପାଠକ ଆଗରେ ଛିଡ଼ା କରାଇଛନ୍ତି। କାହାରି ଗୁଣରେ ସେ ମୁଗ୍ଧ ହୋଇ ପ୍ରଶଂସାମୁଖର ହୋଇନାହାନ୍ତି, କାହାରି ଦୋଷରେ କ୍ଷୁବ୍ଧ ହୋଇ ସେ ଭର୍ତ୍ସନା କରିନାହାନ୍ତି। ତାଙ୍କର ବ୍ୟାପକ ଅଭିଜ୍ଞତା ଓ ସାର୍ବଜନୀନ ସହାନୁଭୂତି ହେତୁ ପ୍ରତ୍ୟେକ ଚରିତ୍ର ଜୀବନ୍ତ ଓ ବଳଶୀଳା ହୋଇପାରିଛି।
ଚଶର୍ଙ୍କ ଲେଖା ଇଂରେଜୀ ସାହିତ୍ୟରେ ପଥପ୍ରଦର୍ଶକ ହେଲା; ଇଂରେଜ ଜାତିର ଭାବରାଶିକୁ ପ୍ରକାଶ କରିବାର ପ୍ରକୃଷ୍ଟ ଭାଷା ଓ ଶୈଳୀ ଆବିଷ୍କାର କଲା। ମହାକବି ଚଶର୍ଙ୍କୁ ସେଥିଲାଗି ଇଂରେଜୀ ସାହିତ୍ୟର ଆଦିଗୁରୁ (Father of Modern English Literature) ଆଖ୍ୟା ଦିଆଯାଏ।