ଇଂରାଜୀ ସାହିତ୍ୟର ଗତିଧାରା




ଆଂଗ୍ଲୋ ସାକ୍‌ସନ୍‌ ପଦ୍ୟ ଓ ଇଂରେଜୀ ପଦ୍ୟ ମଧ୍ୟରେ ବହୁତ ପାର୍ଥକ୍ୟ ପରିଲକ୍ଷିତ ହୁଏ; କିନ୍ତୁ ଗଦ୍ୟରେ ଦୁଇ ଯୁଗ ମଧ୍ୟରେ ପାର୍ଥକ୍ୟ ଅତି କମ୍‌। ଆଂଗ୍ଲୋ ସାକ୍‌ସନ୍‌ ଗଦ୍ୟର ଉଦ୍ଦେଶ୍ୟ ରସ ସୃଷ୍ଟି ନଥିଲା ଥିଲା କେବଳ ଘଟନାର ପ୍ରକାଶ । ଚିନ୍ତାର ବିଜ୍ଞପ୍ତି। ଗଦ୍ୟ ଚଳିତ ଉକ୍ତ ଭାଷାରେ ଲିଖିତ ହେଉଥିଲା ଏବଂ ଏଥିରେ ପଦ୍ୟସୁଲଭ କୌଣସି ବକ୍ରୋକ୍ତିର ପ୍ରୟୋଗ ନଥିଲା।

        ରାଜା ଆଲଫ୍ରେଡ଼୍‌ ସାହିତ୍ୟର ପୃଷ୍ଠପୋଷକ ଥିଲେ। ସେ ନିଜେ ଅନେକ ପୁସ୍ତକର ଇଂରେଜୀ ଅନୁବାଦ କରିଥିଲେ। ତାଙ୍କର ଇଙ୍ଗିତରେ ଦେଶର ବହୁ ଇତିହାସ ଲେଖାଯାଇଥିଲା। କିନ୍ତୁ ଏହି ଗଦ୍ୟପାଠ କରାଯିବା ଉଦ୍ଦେଶ୍ୟରେ ଲିଖିତ ହେଉନଥିଲା। ଧର୍ମଯାଜକମାନେ ଯେଉଁପରି ଭାବରେ ଧର୍ମପ୍ରଚାର କରନ୍ତି, ସେହି ଗଦ୍ୟର ଶୈଳୀ ମୁଖ୍ୟତଃ ଜନସାଧାରଣଙ୍କୁ ପଢ଼ି ଶୁଣାଇଦେବା ଉଦ୍ଦେଶ୍ୟରେ ଲିଖିତ। କିନ୍ତୁ ଏହି ସମୟରେ ଗଦ୍ୟସାହିତ୍ୟ ଯେଉଁ ରୂପ ପାଇଲା. ତାହାର ଧାରା ଇଂରେଛୀ-ସାହିତ୍ୟରେ ଚିରଦିନ ରହିଗଲା। କିନ୍ତୁ ଆଗ୍ଲୋ ସାକ୍‌ସନ୍‌ ପଦ୍ୟ ପରେ ରୂପାନ୍ତର ଗ୍ରହଣ କରିବାକୁ ବାଧ୍ୟ ହେଲା।

         ୧୦୬୬ ଖ୍ରୀଷ୍ଟାବ୍ଦରେ ନର୍‌ମାନ୍‌ମାନେ ଇଂଲାଣ୍ଡ ଆକ୍ରମଣ କରି ସେଠାରେ ନରମାନ ଶାସନ ସ୍ଥାପନ କଲେ। ନରମାନମାନେ ଫ୍ରାନ୍‌ସ ଦେଶର ଅଧିବାସୀ ଥିଲେ ଏବଂ ଫ୍ରାନ୍‌ସ ସଂସ୍କୃତିରେ ସେମାନେ ପରିବର୍ତ୍ତିତ ହୋଇଥିଲେ।ନର୍‌ମାନ୍‌ମାନଙ୍କ ସଂସର୍ଗରେ ଆସି ଇଂରେଜ ସାହିତ୍ୟରେ ଏକ ନୂତନ ଯୁଗ ସୃଷ୍ଟି ହେଲା। ଫ୍ରାନ୍‌ସର ସାହିତ୍ୟ ସେ ଦାଶର ଜଳବାୟୁ ଅନୁରୂପ ଜୀବନ୍ତ, ସ୍ଫୂର୍ତ୍ତିମୟ, ଛନ୍ଦମଧୁର, ବୈଚିତ୍ରମୟ ଓ ଉଚ୍ଛଳ। ନର୍‌ମାନ୍‌ ବିଜେତା ଓ ଫ୍ରାନ୍ସର କବି ଆଂଗ୍ଲୋସାକ୍‌ସନ୍‌ ସାହିତ୍ୟକୁ ନୂତନ ଆଦର୍ଶ ନୂତନ ରୀତି ଓ ଭାବରେ ଅନୁପ୍ରାଣିତ କରି ଏକ ଉନ୍ନତତର ସୋପାନକୁ ଉଠାଇଲେ। ନର୍‌ମାନ୍‌ ଆକ୍ରମଣ ପୂର୍ବରୁ ଆଂଗ୍ଲୋ ସାକ୍‌ସନ୍‌ ସାହିତ୍ୟ ଏକ କୃତ୍ରିମ ଆକାର ଧାରଣ କରିଥିଲା। ବୁଥାଡମ୍ବର ଓ ବହିରାବଣର ସାଜସଜ୍ଜାରେ ବିଷୟବସ୍ତୁ ଡୁବି ଯାଉଥିଲା ଓ ସାହିତ୍ୟର ମୂଳ ଉଦ୍ଦେଶ୍ୟ ରସସୃଷ୍ଟି ପରାହତ ହେଉଥିଲା। ଫ୍ରାନ୍‌ସ ସାହିତ୍ୟ ଅପର ଦିଗରେ ଅତି ସରଳ ଭାଷାରେ ତା’ର ଭାବ ବ୍ୟକ୍ତ କରୁଥିଲା। ହୃଦୟକୁ ସ୍ପନ୍ଦିତ କରିବା, ପ୍ରାଣକୁ ସ୍ପର୍ଶ କରିବା ଥିଲା ତା’ର ଏକମାତ୍ର ଲକ୍ଷ୍ୟ।

         କବିତାର ଛନ୍ଦ ଓ ଶୈଳୀ ମଧ୍ୟ ଏହାପରେ ରୂପାନ୍ତର ଗ୍ରହଣ କଲା। ଫ୍ରାନ୍‌ସ ପଦ୍ୟର ଅନୁକରଣରେ ଇଂରେଜୀ କବିତାରେ ଯତିପାତ ରୀତି ଅନୁସୃତ ହେଲା ଓ ପୁର୍ବାଚରିତ ଯମକ ରୀତି ଆଉ ଆଦୃତ ହେଲାନାହିଁ। ଫ୍ରାନ୍‌ସ ପଦ୍ୟର ଅନୁକରଣରେ ଧ୍ବନିରେ ଏହା ପ୍ରୟୋଗ ହେଲା ଏବଂ ପ୍ରତ୍ୟେକ ପଂକ୍ତିରେ ସମାନ ସଂଖ୍ୟକ ଧ୍ବନିମାତ୍ରା ବ୍ୟବହୃତ ହେଲା।

          ଏହି ରାଜନୈତିକ ଓ ସାମାଜିକ ପରିବର୍ତ୍ତନରେ ପ୍ରଥମ ଏକଶତ ବର୍ଷ ମଧ୍ୟରେ ଇଂରେଜ ସାହିତ୍ୟରେ କୌଣସି ନୂଆ ଲେଖା ଦେଖାଯାଏ ନାହିଁ। ବିଜେତା ନର୍‌ମାନ୍‌ମାନେ ବିଜିତ ଆଂଗ୍ଲୋସାକ୍‌ସନ୍‌ ଭାଷାକୁ ପ୍ରଥମେ ଆଦର ନ କରି ରାଜଦରବାରରେ ଫ୍ରେଞ୍ଚ କବିମାନଙ୍କୁ ସମ୍ମାନ ଓ ସହାନୁଭୂତି ପ୍ରଦର୍ଶନ କରୁଥିଲେ। କ୍ରମେ ବିଜେତା ଓ ବିଜିତ ଉଭୟ ଜାତି ପରସ୍ପରର ସାନ୍ନିଧ୍ୟରେ ଆସି ଦେଶର ଭାଷା ପ୍ରତି ଅନୁରକ୍ତ ହେଲେ ଏବଂ ଇଂରେଜୀ ଭାଷାରେ ଫ୍ରାନ୍ସର ବହୁ କବିତା ଓ ଗଦ୍ୟ ରଚନା ଅନୁଦିତ ହେଲା। ବିଜେତାମାନଙ୍କ ଆଗରେ ଏକ ବିରାଟ ସମସ୍ୟା ଥାଏ, ରାଜ୍ୟର ବିଭିନ୍ନ ଅଞ୍ଚଳ ମଧ୍ୟରେ ଏକତା ସ୍ଥାପନ କରି ଶାସନ ସୁଚାରୁ ରୂପେ ଚଳାଇବା। ଏହି କାରଣରୁ ଏହି ସମୟର ସାହିତ୍ୟିକ କୌଣସି ନା କୌଣସି ଉଦ୍ଦେଶ୍ୟ ସାଧନ ଲାଗି ବ୍ୟାକୁଳ ହେଲା ପରି ବୋଧହୁଏ, ତେଣୁ ସାହିତ୍ୟରେ ଉପଦେଶ ଓ ନୀତିର ସ୍ବର ଅତି ସ୍ପଷ୍ଟ।

          ନର୍‌ମାନ୍‌ ଅଧିକାର ଫଳରେ ଆଂଗ୍ଲୋସାକ୍‌ସନ୍‌ ସଂସ୍କୃତି ନଷ୍ଟ ହେଲା, ଅଥଚ ଲୋକଙ୍କ ପକ୍ଷରେ ନବାଗତ ଫରାସୀ ସଂସ୍କୃତି ଗ୍ରହଣ କରିବା ସମୟସାପେକ୍ଷ। ଫଳରେ ଆଗ୍ଲୋ ସାକ୍‌ସନ୍‌ମାନଙ୍କ ଶିକ୍ଷା ଓ ସଂସ୍କୃତି କ୍ଷଣକାଳ ଲାଗି ଛପି ଯାଇଥିଲା। ଶାସକ ସଂପ୍ରଦାୟ ଇଂଲାଣ୍ଡକୁ ଆପଣାର ବାସସ୍ଥାନ କରି ନେବା ପରେ ଦ୍ବାଦଶ ଓ ତ୍ରୟୋଦଶ ଶତାବ୍ଦୀରେ ଧର୍ମଯାଜକମାନେ ଇଂରେଜୀ ଭାଷାରେ ପୁଣି ଧର୍ମପୁସ୍ତକମାନ, ଧର୍ମମୂଳକ ପଦ୍ୟ ଓ କବିତାମାନ ରଚନା କରିଥିଲେ। ଅବଶ୍ୟ ଏହି ସାହିତ୍ୟ ପ୍ରାଚୀନ ଇଂରେଜୀ ସାହିତ୍ୟଠାରୁ ଭାବ, ଶୈଳୀ ଓ ରୀତିରେ ପୃଥକ୍‌। ଏହାପରେ ଇଂରେଜୀ ସାହିତ୍ୟରେ କ୍ରମେ କ୍ରମେ ଅନ୍ୟ ବିଷୟବସ୍ତୁ ଓ ଭାବ ଘେନି କବିତାମାନ ରଚିତ ହେଲା। ଏ ସମସ୍ତ ଲେଖାରେ ଫରାସୀ ରୂପକଥାର ଛାୟା ଗଭୀର ଭାବରେ ପଡ଼ିଛି। ତ୍ରୟୋଦଶ ଶତାବ୍ଦୀରେ ‘ପେଚା ଓ ନାଇଟିଙ୍ଗେଲ୍‌’ ନାମକ ଏକ କୌତୂହଳପୂର୍ଣ୍ଣ ଗୂଢ଼ାର୍ଥବୋଧକ କବିତା ଲେଖା ହୋଇଥିଲା। ଫୁଲବାଡ଼ ଉପରେ ନାଇଟିଙ୍ଗେଲ୍‌ ବସିଛି ଓ ଗୋଟିଏ ଶୁଖିଲା ଗଛଗଣ୍ଡି ଉପରେ ପେଚା ବସିଛି । ଉଭୟଙ୍କ ଭିତରେ ସେମାନଙ୍କ ଗାନର ଦୋଷଗୁଣ ଆଲୋଚନା ହେଲା ଏବଂ ଶେଷରେ ସେମାନଙ୍କ କଳିର ମୀମାଂସା ଲାଗି ଉଭୟେ ନିକୋଲା ନାମକ ଜଣେ କବିଙ୍କୁ ମଧ୍ୟସ୍ଥ ସ୍ଥିର କଲେ। ଏ କବିତାର ନାଇଟିଙ୍ଗେଲ୍‌ ଚିନ୍ତାହୀନ ଯୌବନ ଓ ପେଚା ବୃଦ୍ଧର ବିଜ୍ଞତା ବ୍ୟକ୍ତ କରନ୍ତି। ଏକ ତାହାର ଉଚ୍ଛ୍ବାସମୟ ଗାନ ଦ୍ବାରା ଭଗବାନଙ୍କୁ ସ୍ତୁତି କରି ତୁଷ୍ଟ କରିବାରେ ପକ୍ଷପାତୀ, ଅପର ଗାମ୍ଭୀର୍ଯ୍ୟ, ସାଧୁକାର୍ଯ୍ୟ ଓ ଆତ୍ମନିୟନ୍ତ୍ରଣ ପ୍ରଚାର କରେ। କବିତାରେ କିନ୍ତୁ କୌଣସି ମୀମାଂସାରେ ଇଙ୍ଗିତ ଦିଆଯାଇନାହିଁ। ଏହି କାଳରେ କେତେକ ରାଜନୈତିକ କ୍ଷୁଦ୍ରକବିତା ଲେଖାଯାଇଥିଲା। ଏ ସବୁରେ କବିତାରେ ଚମତ୍କାରିତା ନଥିଲେ ମଧ୍ୟ ଛନ୍ଦର ସ୍ଫୂର୍ତ୍ତି ଓ ବ୍ୟଙ୍ଗ ଲକ୍ଷ୍ୟ କରିବାର ବସ୍ତୁ।

          ନର୍‌ମାନ୍‌ ଆକ୍ରମଣ ଫଳରେ ଆଂଗ୍ଲୋସାକ୍‌ସନ୍‌ ଓ ପାର୍ବତ୍ୟ ଅଞ୍ଚଳର ଅଧିବାସୀ ବ୍ରିଟେନ୍‌ମାନଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ସ୍ଥାପିତ ହେଲା। ଏଥିପୂର୍ବେ ବ୍ରିଟେନ୍‌ମାନେ ସ୍ବତନ୍ତ୍ର ଗୋଷ୍ଠୀ ଓ ସମାଜରେ ରହିଥିଲେ। କିନ୍ତୁ ନର୍‌ମାନ୍‌ମାନେ ଉଏଲ୍‌ସ ଅଧିକାର କରି ସେ ଅଞ୍ଚଳରେ ତାଙ୍କର ଶାସନ ସ୍ଥାପନ କରିବାରୁ ଓ ନର୍‌ମାନ୍‌ମାନେ ବ୍ରିଟେନ୍‌ ଓ ଆଂଗ୍ଲୋସାକ୍‌ସନ୍‌ ଉଭୟଙ୍କର ଶାସକ ହେବାରୁ ଏ ଦୁଇ ଅଧିବାସୀ ଗୋଷ୍ଠୀ ମଧ୍ୟରେ ଭ୍ରାତୃଭାବ ଜାତ ହେଲା ଏବଂ ଦୁଇ ସଂସ୍କୃତି ସମ୍ମିଶ୍ରିତ ହେଲା। ଏହା ଛାୟା ସାହିତ୍ୟରେ ପ୍ରତିଫଳିତ ହେଲା, ବିଖ୍ୟାତ ‘ଆର୍‌ଥର’ ପୌରାଣିକ ଗଳ୍ପ ସୃଷ୍ଟିରେ।

           ନର୍‌ମାନ୍‌ ଶାସକମାନଙ୍କର ଅଳ୍ପ ସମୟରେ ଫ୍ରାନ୍‌ସ ସହିତ ସମସ୍ତ ସମ୍ପର୍କ ତୁଟିଗଲା ଏବଂ ସେମାନେ ଦେଶର ଅଧିବାସୀମାନଙ୍କ ଜାତୀୟତାରେ ଆପଣାର ସ୍ବାର୍ଥ ମିଳାଇଦେଲେ। ଏହି ସାଂସ୍କୃତିକ ସମ୍ମିଶ୍ରଣ ଫଳରେ ଇଂରେଜୀ ଭାଷା ଓ ସାହିତ୍ୟରେ ନୂତନ ପର୍ଯ୍ୟାୟ ଖୋଲିଲା। ଚତୁର୍ଦ୍ଦଶ ଶତାବ୍ଦୀରେ କବି ପାଇଁ ଉଚ୍ଚାଙ୍ଗ ସାହିତ୍ୟ ସୃଷ୍ଟିର ସମସ୍ତ ସାମଗ୍ରୀ ସଜଡ଼ା ହୋଇ ରହିଲା- ସମୃଦ୍ଧ ଭାଷାର ବିପ୍ଳବ ଭଣ୍ଡାର, ଜୀବନ୍ତ ଓ ସ୍ଫୂର୍ତ୍ତିମୟ ଛନ୍ଦ, ତରଳ ଓ ଉଲ୍ଲାସମୟ ଭାବରାଶି। 




+ -

© Jataayu Charitable Trust
Site designed,developed & maintained by Tekons