ଇଂରାଜୀ ସାହିତ୍ୟର ଗତିଧାରା




ବ୍ରାଉନିଂ ଅତି ଉଚ୍ଚକୋଟୀର ଚିନ୍ତାବିତ୍‌ ଥିଲେ। ପ୍ରତ୍ୟେକ ବିଷୟକୁ ସେ ଏକ ନୂଆ ଦୃଷ୍ଟିକୋଣରୁ ଦେଖୁଥିଲେ। ବ୍ରାଉନିଂଙ୍କ ମତରେ ଆମେ ଧର୍ମର ଲଉଡ଼ି ଧରି ଜୀବନର ଗତିପଥରେ ଚାଲି ପାରିବା ନାହିଁ, ପ୍ରକୃତିର ସ୍ରୋତରେ ବି ଆପଣାକୁ ଭସାଇ ଦେଇ ପାରିବା ନାହିଁ। ପ୍ରକୃତିରେ ଭଲ ଓ ମନ୍ଦ ଉଭୟ ଅଛି, ତାହାର ନୀତିଶିକ୍ଷା ବିଷୟରେ କୌଣସି ପ୍ରଶ୍ନ ଉଠିପାରେ ନାହିଁ। ଭାଗ୍ୟ ଉପରେ ବି ନିର୍ଭର କରାଯାଇନପାରେ, କାରଣ ଅନେକ ସମୟରେ ତ ଧର୍ମର ପରାଜୟ ଓ ପାପର ଜୟ ହୋଇଥାଏ। କେବଳ ଆପଣା ଆତ୍ମାର ବାଣୀ ନିଶ୍ଚିତ। ତାହା ଭ୍ରାନ୍ତି ଉପରେ ପ୍ରତିଷ୍ଠିତ ହେଲେ ବି ଆତ୍ମାର ବାଣୀଦ୍ବାରା ଚାଳିତ ଜୀବନ ଅର୍ଥହୀନ ନୁହେଁ। ଅନ୍ତରର ବାଣୀ ମନରେ ବଳ ଦିଏ, ଅଭିଳାଷର ସଂଚାର କରେ, ହୃଦୟକୁ ଶକ୍ତିମାନ୍‌ କରେ, ପ୍ରାଣକୁ ଉଦ୍ଦୀପିତ କରେ, ତେଣୁ ତାହା କାମ୍ୟ। ଯେଉଁ ପ୍ରାଣରେ ସ୍ଫ‍ନ୍ଦନ ନାହିଁ, ଯେଉଁ ଜୀବନରେ ବ୍ୟକ୍ତିତ୍ବ ଲୋପ ପାଇଛି, ସେ ଜୀବନର ମୂଲ୍ୟନାହିଁ, ଅର୍ଥ ନାହିଁ। ଏହି ମୌଳିକ ଚିନ୍ତା ପ୍ରୟୋଗ କରି ବ୍ରାଉନିଂ କେତେକ ବ୍ୟକ୍ତିଙ୍କର ଚରିତ୍ର ତାଙ୍କର କବିତାରେ ଫୁଟାଇଛନ୍ତି- ଅପାତତଃ ପରାହତ, ଭ୍ରଷ୍ଟ କେତୋଟି ଜୀବନ; କିନ୍ତୁ ଅନ୍ତରର ବାଣୀଦ୍ବାରା ପ୍ରଣୋଦିତ ହୋଇଥିବାରୁ ସେହି ପରାଜୟ ମହତ୍‌ ହୋଇପାରିଛି, ସେହି ଭ୍ରଷ୍ଟ ଜୀବନ ଅର୍ଥପୂର୍ଣ୍ଣ ହୋଇଛି। ଚରିତ୍ରର ନିଜ ଦୃଷ୍ଟିକୋଣରୁ ସେ ଦୁନିଆକୁ ଦେଖିଛନ୍ତି, ସେମାନଙ୍କର ମନୋଭାବ ଓ କ୍ଷଣିକ ଜୀବନକୁ ଫୁଟାଇ ପାରିଛନ୍ତି। ବ୍ରାଉନିଂଙ୍କର କବିତାବଳୀ ମଧ୍ୟରେ ପିପି ପାସେସ୍‌ (Pippa Passes), ନାଟକୀୟ କବିତାବଳୀ ରାଜା ଭିକ୍‌ଟର ଓ ରାଜା ଚାର୍ଲସ।

           ଏ ଯୁଗର ଅନ୍ୟ କବିମାନଙ୍କ ମଧ୍ୟରେ ରୋଷେଟି(Rossetti) ମରିସ୍‌(Moris)ସୁଇନିବର୍ଣ୍ଣ (Swinborne)  ଓ ବ୍ରାଉନିଂଙ୍କ ପତ୍ନୀ ଏଲିଜାବେଥ୍‌ , ବ୍ରାଉନିଂ ଉଲ୍ଲେଖଯୋଗ୍ୟ । ରୋଷେଟି ଙ୍କ ସାରଲ୍ୟ, ମାରିସଙ୍କର ସୌନ୍ଦର୍ଯ୍ୟ ପିପାସା, ସୁଇନ୍‌ବର୍ଣ୍ଣଙ୍କର ଲାଳିତ୍ୟ ସେମାନଙ୍କର ଲେଖାକୁ ଆଦରଣୀୟ କରିଛି। ଏଲିଜାବେଥ୍‌ ବ୍ରାଉନିଂଙ୍କର ଦାନ, ମୂଲ୍ୟବାନ ଚତୁର୍ଦ୍ଦଶପଦ୍ୟ କବିତାଗୁଚ୍ଛ।

            ଜନସାଧାରଣଙ୍କ ମଧ୍ୟରେ ଶିକ୍ଷାର ବହୁଳ ପ୍ରସାର ହେବାରୁ ଗଦ୍ୟସାହିତ୍ୟ ଅଧିକ ଲୋଡ଼ା ହେଲା, ବିଶେଷତଃ ଗଳ୍ପ ଓ ଉପନ୍ୟାସ। ଏହି ସମୟରେ ଇଂଲାଣ୍ଡରେ ଶିଳ୍ପକେନ୍ଦ୍ର ସଂଖ୍ୟା ବହୁତ ବଢ଼ିଯାଇଥାଏ –ଅଧିକାଂଶ ଲୋକେ ନଗରବାସୀ। ସ୍କଟ୍‌, ଜେନ୍‌ ଅଷ୍ଟିନ୍‌ ପ୍ରଭୃତି ଯେଉଁ ଉପନ୍ୟାସ ଲେଖିଥିଲେ ସେଥିରେ ନଗରବାସୀ ସେମାନଙ୍କର ଜୀବନର ଚିତ୍ର ପାଇଲେ ନାହିଁ- ଗ୍ରାମ୍ୟଜୀବନ ନେଇ ତାହା ରଚିତ ହୋଇଥିଲା। ଚାର୍ଲସ୍‌ ଡିକେନ୍‌ସ (Charles Dickens) ସହରର ଜୀବନକୁ ଚିତ୍ରକରି ଉପନ୍ୟାସ ଲେଖିବାରେ ପ୍ରଥମ। ବାଲ୍ୟ ଅବସ୍ଥାରେ ଦାରୁଣ ଦାରିଦ୍ର୍ୟର ସମ୍ମୁଖୀନ ହୋଇ ସେ ସହରତଳି ଜୀବନ ସହିତ ଅତି ଘନିଷ୍ଟ ଭାବେ ଜଡ଼ିତ ଥିଲେ। ଡିକେନ୍‌ସନ୍‌ ଉଚ୍ଚଶିକ୍ଷା ପାଇବାର ସୁଯୋଗ ପାଇନଥିଲେ। ପ୍ରଥମେ ମୋହରିର , ତତ୍ପରେ ସଟହ୍ୟାଣ୍ଡ ଲେଖକ ହୋଇ ଆପଣାର ଜୀବିକା ନର୍ବାହ କରିଥିଲେ। କରୁଣ ରସ ସହିତ ହାସ୍ୟରସ ମିଳାଇ ଲେଖିବାର ଅଦ୍ଭୁତ କୌଶଳ। ଡିକେନ୍‌ସଙ୍କର ଉପନ୍ୟାସକୁ ପାଠକ ନିକଟରେ ଆବୃତ କରିପାରିଥିଲା। ଏକ ଆଖିରେ ହସେଇ,ଆଉ ଆଖିରେ କନ୍ଦେଇ ଡିକେନ୍‌ସ ସମାଜ ସଂସ୍କାର ଲାଗି ଉପାଖ୍ୟାନ ଛଳରେ ଆତର୍କିତ ଭାବେ ନୀତିଶିକ୍ଷା ଦିଅନ୍ତି। ତାଙ୍କର ଲେଖା ମାନବିକତାର ପୂର୍ଣ୍ଣ, ସବୁରି କଷ୍ଟରେ ତାଙ୍କ ସହାନୁଭୂତି ବିପ୍ଳବ ଓ ଉଦାର। ବର୍ଣ୍ଣିତ ବସ୍ତୁ, ଚରିତ୍ର ଓ ଘଟଣାକୁ ଆଖି ଆଗରେ ନଚେଇ ଦେବାର ଶକ୍ତି ତାଙ୍କର ଥିଲା। ହାସ୍ୟରସର ବାହୁଲ୍ୟ ହେତୁରୁ ଡିକେନ୍‌ସଙ୍କ ଚରିତ୍ର-ଚିତ୍ରଣ ଅଧିକାଂଶ ସମୟରେ କାର୍ଟୁନ ଚିତ୍ର ଭଳି ହୋଇଥାଏ। ବଳିଷ୍ଠ କଳ୍ପନା , ଅଦ୍ବିତୀୟ ଶୈଳୀ, ଜୀବନ ବର୍ଣ୍ଣନା ,ଚରିତ୍ର ଚିତ୍ରଣ କରିବାରେ ଚମତ୍କାରିତା ଡିକେନ୍‌ସଙ୍କୁ ଇଂଲଣ୍ଡର ସର୍ବଶ୍ରେଷ୍ଠ ଔପନ୍ୟାସିକ ଆସନ ଦେଇଅଛି॥ ତାଙ୍କର ବହୁ ଉପନ୍ୟାସ ମଧ୍ୟରୁ ମାତ୍ର କେତୋଟିର ନାମ ଦିଆହେଲା-ପିକ୍‌ବିକ୍‌, ଡେଭିଡ୍‌ କପରଫିଲ୍‌ଡ, ଓଲିଭର ଟୁଇଷ୍ଟ , ନିକୋଲାସ୍‌  ନିକୋଲ୍‌ବି।

           ଏ ଯୁଗର ଅପର ଏକ ବଡ଼ ଔପନ୍ୟାସିକ ହେଉଛନ୍ତି ଉଇଲିୟମ୍‌ ଥେକ୍‌ରେ (Willam Make Peace Thackeray)ଥେକରେ କଲିକତାରେ (ଖ୍ରୀ;ଅ;୧୮୧୯) ଜନ୍ମ, ତାଙ୍କର ପିତା ଥିଲେ ଇଷ୍ଟ ଇଣ୍ଡିଆ କମ୍ପାନୀରେ ଜଣେ କର୍ମଚାରୀ। ସାତବର୍ଷ ବେଳେ ଥେକରେ ଇଂଲାଣ୍ଡକୁ ଫେରିଯାଇଥିଲେ। ତାଙ୍କ ପ୍ରଧାନ ଉପନ୍ୟାସ ମଧ୍ୟରେ ଏସ୍‌ମଣ୍ଡ, ଭେନିଟି, ଫେଆର (Vanity Fair),ରାଉଣ୍ଡ ଏବାଉଟ୍‌ ପେପର୍ସ (Roundabout Papers), ଆଗନ୍ତୁକ। ଥେକରେ ସମାଜର ତଥାକଥିତ ଦୁଶ୍ଚରିତ୍ର, ଠକ ଓ ପାଜିମାନଙ୍କର ମନସ୍ତତ୍ତ୍ବ ପ୍ରକାଶ କରିବାରେ ବିଶେଷ ଦକ୍ଷତା ଦେଖାଇଛନ୍ତି। ଏକ ଦିଗରେ ଡିକେନ୍‌ସ ଯେପରି ଜାତୀୟ ଦୁର୍ବଳତାକୁ ବ୍ୟଙ୍ଗ କରିଛନ୍ତି, ଥେକରେ ଅପର ଦିଗରେ ସେହିପରି ସାମାଜିକ ପାରମ୍ପରିକ ଜାତିରୁ ବିଦ୍ରୁପ କରିଛନ୍ତି। ଡିକେନ୍‌ସଙ୍କ ଲେଖାରେ ଅତିରଞ୍ଜନ ବହୁ ସ୍ଥାନରେ ଦେଖାଯାଏ; ଥେକରେ କିନ୍ତୁ ଅତି ବାସ୍ତବ ଚିତ୍ର ଆଙ୍କିବାର ପକ୍ଷପାତୀ।

              ଏହି ଯୁଗର ଅନ୍ୟାନ୍ୟ ବହୁ ଉପନ୍ୟାସ ଲେଖକ ଓ ଲେଖିକା ସାହିତ୍ୟର କଳେବର ବୃଦ୍ଧି ସାଧନ କରିଛନ୍ତି। ଭିକ୍ଟୋରିୟା ଯୁଗର ଶେଷ ଭାଗରେ ଆମେ ଦୁଇଜଣ ଔପନ୍ୟାସିକଙ୍କର ନାମ ଶୁଣିବାକୁ ପାଉଁ-ଜର୍ଜ ମେଗିଡିଥ୍‌ ଓ ଟୋମସ୍‌ ହାର୍ଡ଼ି (Thomas Hardy)।  ମେଗିଡିଥ୍‌ ସମସାମୟିକ ଜାତୀୟ ରୀତିନୀତିର ଚିତ୍ରଣ କରି ଜାତୀୟ ଦୋଷଦୁର୍ବଳତା ଓ ଗୁଣପ୍ରତି ପାଠକମାନଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି। ହାର୍ଡ଼ି କଳ୍ପନା କରିଛନ୍ତି ଏକ ଭାଗ୍ୟଚକ୍ର; ଅଚେତନ,କଳ ଭଳି-ଯାହା ଧର୍ମାଧର୍ମ ନିର୍ବିଶେଷରେ ମନୁଷ୍ୟର ଜୀବନକୁ ନିୟନ୍ତ୍ରିତ ବା ନିଷ୍ପେସିତ କରୁଛି। ତାଙ୍କର ଉପନ୍ୟାସଗୁଡ଼ିକର ବିଷୟବସ୍ତୁ ଏହି ଦର୍ଶନ ଉପରେ ପ୍ରତିଷ୍ଠିତ। ମେରିଡିଥ୍‌ ,ଜୀବନରେ ଆନନ୍ଦ ଓ ଆଲୋକ ଦେଖୁଥିଲେ। ହାର୍ଡି ଦୁଃଖ ଓ ନୈରାଶ୍ୟର ଅନ୍ଧକାରରେ ତାଙ୍କର ଉପନ୍ୟାସ ଗୁଡ଼ିକ ଅତି ମର୍ମନ୍ତୁଦ କରିଛନ୍ତି। ତତ୍କାଳୀନ ସମାଜରେ ବହୁ ସତ୍‌ ଲୋକଙ୍କର ଦାରିଦ୍ର୍ୟ ଓ ଦୂରବସ୍ଥା ଏବଂ ବହୁ ଅସତ୍‌ ଲୋକଙ୍କର ବୈଷୟିକ ଉନ୍ନତି ଦେଖି ଧର୍ମାଧର୍ମ ଦୃଷ୍ଟିକୋଣରୁ ଏ ବୈଷମ୍ୟର କୌଣସି ସମାଧାନ ନ ପାଇ ଏକ ଦିଗରେ ମେଗିଡିଥ୍‌ ‘ଜୀବନରେ ସୁଖଦୁଃଖ , ଭଲମନ୍ଦ ଲାଗି ରହିଛି, ସବୁ ଉପଭୋଗ କର’ଏହା କହି ସନ୍ତୁଷ୍ଟ ରହିଥିବା ବେଳେ ହାର୍ଡ଼ି ଏକ କାଳ୍ପନିକ ଭାଗ୍ୟଚକ୍ର ଦ୍ବାରା ସମସ୍ୟାର ଏକ ସରଳ ସମାଧାନ କରିଦେଇଛନ୍ତି।

          ଜନ୍‌ ଇସ୍‌କିନ୍‌ ଓ ଟୋମସ୍‌ କାର୍ଲାଇଲ୍‌ ନାମକ ଦୁଇ ଜଣ ପ୍ରତିଭାଶାଳୀ ବ୍ୟକ୍ତି ଏହି ଯୁଗରେ ଜନ୍ମଗ୍ରହଣ କରିଥିଲେ।ଏମାନଙ୍କର ସାହିତ୍ୟକୁ ଦାନ ବିପୁଳ ହୋଇନଥିଲେ ବି ଯୁଗର ଚିନ୍ତାଧାରାକୁ ଏମାନେ ବିଶେଷ ଭାବେ ପ୍ରଭାବିତ କରିଥିଲେ। ଇସ୍‌କିନଙ୍କର ପ୍ରତିଭା ବହୁମୁଖୀ ଥିଲା। ସେ ଏକାଧାରାରେ ଥିଲେ ଚିତ୍ରକଳା କଥା ସାହିତ୍ୟର ସମାଲୋଚକ, ସମାଜ ସଂସ୍କାରକ ଓ ଓ ଶିକ୍ଷାବିତ୍‌। ଶିଳ୍ପ ସଭ୍ୟତାରେ ଯେଉଁ ଦୋଷ ଦେଖା ଦେଇଥିଲା-ଧନ ହିଁ ମୂଳ- ଏହି ମନୋଭାବ ବିରୁଦ୍ଧରେ ସେ ପ୍ରଚାର କରି କହିଥିଲେ ଯେ କର୍ମ ଜୀବନ ସତ୍ୟ, ଧନ ନିମିତ୍ତ ମାତ୍ର। ନିମିତ୍ତକୁ ଆମେ ଜୀବନର ଉଦ୍ଦେଶ୍ୟ ବୋଲି ଭାବିବା ହେତୁ ସମାଜରେ ଏତେ ଦୈନ୍ୟ,କୁତ୍ସିତତା ସ୍ଥାନ ପାଇଛି, ଯୁଗର କୁଳବୃଦ୍ଧ ଶିକ୍ଷାଗୁରୁ କାର୍ଲାଇଲ୍‌ ବ୍ୟକ୍ତି ଉପରେ ବଶି ଜୋର୍‌ ଦେଉଥିଲେ। ବଳଶାଳୀ ବ୍ୟକ୍ତିତ୍ବ ଦ୍ବାରା ଯୁଗ ପ୍ରବର୍ତ୍ତିତ ହୁଏ, ସମାଜର ଉତ୍‌ଥାନ ହୁଏ। ବୀର ମାନବଜାତି ଶ୍ରେଷ୍ଠ ପୁରୁଷ। ତାହାରି ପ୍ରଭାବ,ବୁଦ୍ଧି ଓ ବ୍ୟକ୍ତିତ୍ବ ସମାଜରୁ ସବୁ କଳଙ୍କ ଦୂର କରେ। ଏହି ଚିନ୍ତାଧାରା ଉପରେ କାର୍ଲାଇଲ୍‌ଙ୍କର ଅଧିକାଂଶ ଲେଖା ପ୍ରତିଷ୍ଠିତ। ବୀର ଓ ବୀରପୂଜା, ଫରାସୀ ବିପ୍ଳବ, କ୍ରମବେଲ୍‌ ପ୍ରଭୃତି ତାଙ୍କର ପ୍ରସିଦ୍ଧ ରଚନା। ଐତିହାସିକ ବଷୟବସ୍ତୁ ନେଇ ସେ ଘଟଣାଗୁଡ଼ିକୁ ପଛରେ ଥିବା ଦାର୍ଶନିକ ସତ୍ୟ ପ୍ରତିଷ୍ଠା କରିଛନ୍ତି ଓ ସମସାମୟିକ ମନସ୍ତତ୍ତ୍ବ ଦିଗରୁ ବିଷୟର ବିଚାର କରିଛନ୍ତି। ଏହାଦ୍ବାରା ଐତିହାସିକ ବିଷୟବସ୍ତୁ ଗୁଡ଼ିକ ଜୀବନ୍ତ ଓ ନାଟକୀୟ ହୋଇଉଠିଛି, ଆଉ ଶୁଷ୍କ ଘଟଣାର ସମନ୍ବୟ ହୋଇ ରହିନାହିଁ।

           ଶତାବ୍ଦୀର ଶେଷକୁ ସମାଜ ଜୀବନରେ ଏକ ନବଧାରା ଦେଖାଦେଲା। ରାଜରାଜୋଡ଼ାଙ୍କ ଏକଛତ୍ର ଶାସନକୁ ଯେଉଁ କଳସଭ୍ୟତା ଲୋପ କରି ଗଣତନ୍ତ୍ର ପ୍ରତିଷ୍ଠା କରସବା ସଙ୍ଗେ ସଙ୍ଗେ ଲୋକମାନଙ୍କ ମନରେ ଆଶା ସଂଚାର କରିଥିଲା, ସେ ସଭ୍ୟତା ବୁର୍ଜୁୟାର ଶୋଷଣ ଫଳରେ ଏକ ଉତ୍କଟ ଆକାର ଧାରଣ କଲା। ଦେଶର ଶ୍ରମିକ ପେଟର ଦାଉରେ ଚିତ୍କାର କରିବାକୁ ଆରମ୍ଭ କଲା, ଜନସାଧାରଙ୍କ ପକ୍ଷରେ ଜୀବନ କ୍ରମଶଃ ଦୁର୍ବହ ହୋଇଉଠିଲା, ଲୋକେ ଅନୁଭବ କଲେ ଯେ ଏ ସମାଜରେ କାହିଁ କେଉଁଠି କିଛି ଦୋଷ ରହିଯାଇଛି। ଲୋକଙ୍କର ଆଶାର ସୌଧ ଲୋଟି ପଡ଼ୁଛି, ବାୟୁରେ ହାହାକାର ଆର୍ତ୍ତନାଦ, ଅଦୂରରେ ପୁଞ୍ଜିବାଦର ଉତ୍କଟ ସମରାଗ୍ନି । ଏହି ସମୟରେ ପଟ୍ଟ ପରିବର୍ତ୍ତନ ହେଲା ବିଂଶ ଶତାବ୍ଦୀକୁ, ଆଧୁନିକ ଜୀବନକୁ।




+ -

© Jataayu Charitable Trust
Site designed,developed & maintained by Tekons