ଇଂରେଜୀ ସାହିତ୍ୟର ଗତିଧାରା (୧୦)
ବିଂଶ ଶତାବ୍ଦୀ
ଭିକ୍ଟୋରିଆ ଯୁଗର ରେସ୍ ଲାଗି ରହହିଲା ପ୍ରଥମ ମହାସମର ଯାଏଁ। ପୁଞ୍ଜିବାଦର ଚକ୍ରତଳେ ସାମାଜିକ ଜୀବନ କ୍ରମଶଃ ଦରିଦ୍ର, ବକଳାଙ୍ଗ ,କୁତ୍ସିତ ହୋଇପଡ଼ୁଥାଏ। ଦୂରରେ ଯୁଦ୍ଧର ଲେଲିହୀନ ଜିହ୍ବା। ତଥାପି ୧୯୧୪ ସାହିତ୍ୟ ରାଜ୍ୟରେ ବିଶେଷ କିଛି ପରିବର୍ତ୍ତନ ଦେଖା ଦେଇନଥିଲା। ଯଦିଓ ନୂତନ ଏହି ଜୀବନ ନୂତନତାର ସମସ୍ୟାମାନ ଲେଖକ ଓ ଭାବୁକମାନଙ୍କୁ ବିବ୍ରତ କରୁଥିଲା, ଏହାକୁ କିପରି ଭାବେ ରୂପରେଖା ଦିଆଯିବ, ଏ ଜୀବନର ଅଭିବ୍ୟକ୍ତି କିପରି ହେବ, ତାହା ସ୍ପଷ୍ଟ ହୋଇନଥିଲା। ଭିକ୍ଟୋରିଆ ଯୁଗର ଚିନ୍ତାଧାରାକୁ ଆଧୁନିକ ଜବନର ପରିଧାନରେ ସମ୍ମିତ କରି ରିଉପଟ୍, ବ୍ରୁକ୍,ଜନ୍ ମେଶପିଲ୍ଡ, ଉଡ଼ୟାଡ଼୍କ୍ୟୁପ୍ଲିଙ୍ଗ୍, ଓସ୍କର ୱାଇଲଡ୍ ପ୍ରଭୃତି କବି ଓ ଲେଖକମାନେ ପାଠକମାନଙ୍କୁ ସାମୟିକ ତୃପ୍ତି ଦେଇଥିଲେ ବି ସେମାନେ ଏ ନୂତନ ଯୁଗକୁ ଯଥାଯଥ ଭାବରେ ପାଠକମାନଙ୍କ ଆଗରେ ଆଣିପାରି ନାହାନ୍ତି, ନୂତନ ଆଦର୍ଶରେ ଜୀବନକୁ ଉଜ୍ଜୀବିତ କରି ପାରିନାହାନ୍ତି।
ଶିଳ୍ପର ପ୍ରସାର, ପ୍ରଚୁର ଧନାରମ, ସାମ୍ରାଜ୍ୟ ବିସ୍ତାର ସତ୍ତ୍ବେ ଇଂଲଣ୍ଡର ସାମାଜିକ ଜୀବନ ଏ ଶତାବ୍ଦୀର ଆରମ୍ଭରୁ ହୋଇ ପଡ଼ିଥିଲା ଅତି ଦୁସ୍ଥ, ମ୍ଳାନ, ଅନ୍ଧକାରମୟ। ପୁଞ୍ଜିବାଦର କ୍ରୁର କୃଷ୍ଣ ଯନ୍ତ୍ର ଜନସାଧାରଣଙ୍କ ଜୀବନକୁ ଏପରି ନିର୍ମମ ଭାବରେ ପିଷ୍ଟ କରିବାକୁ ଲାଗିଲା ଯେ ସାଧାରଣ ଲୋକର ମନୁଷ୍ୟତ୍ବ ଲୋପ ପାଇଗଲା, ସେ ହୋଇଗଲା ବିଲ୍କୁଲ୍ କଳ ମଣିଷ। ଏହି ସାମାଜିକ ଶ୍ରେଣୀ ସଂଘର୍ଷ ତୀବ୍ରତା ଲାଭ କରିବା ଫଳରେ ଏ ଯୁଗର ପ୍ରଧାନ ପ୍ରଧାନ ଚନ୍ତାଶୀଳ ଲେଖକମାନେ ଅନୁଭବ କରିପାରିଲେ ଯେ ରାଜନୈତିକ ଗଣତନ୍ତ୍ର ଏକ ବ୍ୟଙ୍ଗ, ସେଥିପାଇଁ ଲୋଡ଼ା ଅର୍ଥନୈତିକ ଗଣତନ୍ତ୍ର , ତାହାହିଁ ସାମ୍ୟବାଦ। ସେମାନେ ହୃଦୟଙ୍ଗମ କରିପାରିଲେ ଆମେ ଯେଉଁସବୁ ସାମାଜିକ ଅନୁଷ୍ଠାନକୁ ଏତେଦିନ ହେଲା ସମ୍ମାନ ଦେଖାଇ ଆସିଥିଲୁଁ, ରାଜା ଓ ପାର୍ଜି, ଜାତୀୟତା ଓ ବୀରତ୍ବ, ବାଣିଜ୍ୟ ଓ ବିଜ୍ଞାନ , ଶିଳ୍ପ ଓ ସଭ୍ୟତା-ସବୁରି ପଛରେ ଲୁଚି ରହିଛି ବିରାଟ ନିଷ୍ଠୁର ଅମାରାତି। ସାଧାରଣ ନାଗରିକ ପକ୍ଷରେ ଏସବୁର ଅର୍ଥ ନାହିଁ। ସବୁ କ୍ଷେତ୍ରରେ ତାକୁ କେବଳ ଶୋଷଣ କରାଯାଉଛି, ତାହାରି ପିଠିରେ ଲଦନ୍ ବୁହାଇ ଅନ୍ୟମାନେ ଲାଭ ଉଠାଉଛନ୍ତି। ସେମାନେ ଦେଖିଲେ, ଚଳନ୍ତି ସାମଜଟା ଶିରା ପ୍ରଶିରା କୀଟଦ୍ରଂଷ୍ଟ, ପୋକରା। ଏ ସମାଜ ଭାଙ୍ଗିବାକୁ ପଡ଼ିବ। ନୂତନ ଆଦର୍ଶ ନୂତନ ଏକ ଜୀବନ ହିଁ ମାନବର ଏକମାତ୍ର କାମ୍ୟ। ତାହା ହିଁ କେବଳ ଜୀବନର ବହୁ ସହସ୍ର ସମସ୍ୟାକୁ ନ୍ୟାୟ ସଂଗତ ଭାବରେ ସମାହିତ କରିପାରିବ;ଏ ଯୁଦ୍ଧର ନିଆଁକୁ ନିର୍ବାପିତ କରିପାରିବ; ଦାରିଦ୍ର୍ୟ,ରୋଗ,ଦୁଃଖ ଆଦି ମୋଚନ କରିପାରିବ। ତାହା ସାମ୍ୟବାଦ।
ସାମ୍ୟବାଦର ବାର୍ତ୍ତା ପ୍ରଚାର କରିବାରେ ହିଁ ନବଯୁଗର ଲେଖକମାନେ ମ୍ରିୟମାଣ ଜନତାକୁ ନବ ଆଶା ଓ ପ୍ରେରଣା ଦେଲେ;ଲୋକଙ୍କ ଆଗରେ ପହଞ୍ଚିଥିବା ବିଷମ ସମସ୍ୟାମାନଙ୍କର ଗୋଟାଏ ମୀମାଂସା ପାଇଁ ପଥ ଦର୍ଶାଇ ପାରିଲେ। ଅନ୍ୟ ଦଳେ ସାହିତ୍ୟିକ ଆଧୁନିକ ଜୀବନର କ୍ରୂର ଘଟଣାମାନ ଦେଖି ବ୍ୟଥିତ ହେଲେ, ଏଥିରୁ ତ୍ରାଣ ପାଇବା ଲାଗି ସମାଜ ଅଗରେ କୌଣସି ଆଦର୍ଶ ଥାପି ପାରିଲେ ନାହିଁ, ସେମାନେ ସମରବିମୁଖ ହୋଇ ପରୀମହଲକୁ ପଳାୟନ କଲେ।ଆଧୁନିକଜୀବନ ହଳାହଳମୟ, କଳ୍ପନାରେ ହିଁ କେବଳ କ୍ଷଣକ ଳାଗି ଆମେ ଏହି ଦୁଃଖ –ଜଞ୍ଜାଳର ଜ୍ବାଳା ପାସୋରି ଦେଇପାରିବା, ଏହି ମନୋଭାବ ନେଇ ସେମାନେ ସବୁଠି ପରୀର ସ୍ବପ୍ନ ଦେଖିଲେ –ଅବସର କଳ୍ପନା ଭିତରେ ସେମାନଙ୍କର କଳାକୁ ସୀମାବଦ୍ଧ ରଖିଲେ। ଏହି ସମ୍ପ୍ରଦାୟର ପ୍ରଧାନ କବି ହେଉଛନ୍ତି ୟେଟସ୍- ସେ ଜଣେ ଆଇରିଶ,ରବୀନ୍ଦ୍ରନାଥଙ୍କ ସମ୍ପର୍କରେ ଯାହାଙ୍କର ନାମ ଆମେ ବରାବର ଶୁଣିବାକୁ ପାଉଁ। ୱାଲ୍ଟର୍ ଡିଲା ମେୟର ଏହି ସାମ୍ପ୍ରଦାୟର ଅନ୍ୟତମ ବିଶିଷ୍ଟ ଲେଖକ। ‘ଭୂତ’କବିତା ଲେଖିବାରେ ସେ ବଡ଼ ଦକ୍ଷ।
ବିଜ୍ଞାନ ଆଧୁନିକ ଜୀବନକୁ ଅତି ଦ୍ରୁତ କରିଦେଇଛି। ପ୍ରତି ମୁହୂର୍ତ୍ତରେ ନୂଆ ନୂଆ ଆବିଷ୍କାର,ପ୍ରତି କ୍ଷେତ୍ରରେ ବ୍ୟଗ୍ରତା। ଖବରକାଗଜ ଓ ସାମୟିକ ପତ୍ରର ସଂଖ୍ୟା ନାହିଁ। ପ୍ରତିଦିନନ ପର୍ବତ ପ୍ରମାଣ ନୂଆ ବହି ପ୍ରକାଶ ପାଉଛି। ଏହି କ୍ଷୀପ୍ରତା ମଧ୍ୟରେ କବି ଓ ଲେଖକର ଭାବନାକୁ ସୌନ୍ଦର୍ଯ୍ୟମଣ୍ଡିତ କରି ପ୍ରକାଶ କରିବା ଅତି ଦୁଷ୍କର ବ୍ୟାପାର। ସୁନ୍ଦର ଅସୁନ୍ଦର ବାଛିବାକୁ ପାଠକର ବି ଫୁରସତ୍ କାହିଁ? ତେଣୁ ଏ କାଳର ସାହିତ୍ୟିକ ସୌନ୍ଦର୍ଯ୍ୟର ଉପାସକ ହୋଇନାହିଁ। ସେ ଲେଖେ ତା’ ର ପାଠକମାନେ ଯାହା ଚାହାନ୍ତି- ସାମାଜିକ ପ୍ରଚାରପତ୍ର।ନରମ ଦରଦୀ ସୁଚାରୁ ଭାଷା ଯେଣୁ ଜନତାର କୋଳାହଳ ମଧ୍ୟରେ ଡୁବିଯାଏ, ସାହିତ୍ୟର ଭାଷା ସେଥିପାଇଁ ଏ ଯୁଗରେ ଶକ୍ତିମତୀ ଓ ତେଜସ୍ବିନୀ। ବହୁ ସଂଖ୍ୟକ ଲେଖକଙ୍କ ମଧ୍ୟରେ ଆପଣାର ପ୍ରତିଷ୍ଠା ଅର୍ଜନ କରିବାକୁ ହେଲେ କଥାଟା ସିଧାସଳଖ ଭାବେ କହିଲେ କି ବେଳେ? ଅସଂଖ୍ୟ ଭାଷଣ, ବକ୍ତବ୍ୟ, ରଚନା ଓ ପ୍ରବନ୍ଧ ସତ୍ତ୍ବେ ପାଠକ ମନରେ ଗୋଟେ କଥା କହି ଗଭୀର ଏକ ରେଖାପାତ କରିବାକୁ ହେଲେ, ହଜାରେ ଲେଖା ଭିତରେ ଗୋଟିଏ ଲେଖା ପ୍ରତି ପାଠକର ମନକୁ ଆକର୍ଷଣ କରିବାକୁ ହେଲେ ଭାଷା ଓ ଭାବକୁ ଏପରି ଆକାରରେ ସଜ୍ଜିତ କରିବା ଦରକାର, ଯାହାଦ୍ବାରା ପାଠକମାନଙ୍କୁ ଆଘାତ ଲାଗିବ, ପାଠକ ମନରେ ଚମକ ଦେବ, ହଜାରେ ଲେଖା ମଧ୍ୟରୁ ସେ ଲେଖାକୁ ଲକ ସ୍ବାତନ୍ତ୍ର୍ୟ ହେବ।
ଆଧୁନିକ କବିତା
ଆଧୁନିକ କବିତା ନ ଜାଣିଲା ଲୋକଙ୍କୁ କିମ୍ଭୁତ କିମାକାର ବସ୍ତୁ, ଭାବ ଦିଗରୁ, ଓ ଛନ୍ଦ ଦିଗରୁ। ପ୍ରିୟା ଓ ପ୍ରଣୟ, ଚନ୍ଦ୍ରମା ଓ ସାଗରିକାକୁ ନେଇ ରୂପ କବିତା ସୃଷ୍ଟିର ଯୁଗ ଅତୀତ। ଆଧୁନିକ କବିତା ହୋଇପାରେ ଏକ୍ସପ୍ରେସ୍ ଗାଡ଼ି, ରବିବାରର ‘ଦୈନନ୍ଦିନ ଖବରକାଗଜ’, ମିଲିଟାରୀ ପ୍ୟାରେଡ୍ ବା ଗଢ଼ାଣିରେ ସାଇକେଲ ଚଢ଼ା। ପୁଣି ତାହାର ଛନ୍ଦ ଅଭିନବ। ହୁଏତ ଯତିପାତ ନ ଥାଇପାରେ। ତଳେ ଏକ ନମୁନା-
ThenThe family should come down
Like so many cats after the birds’She always said.
The snowflakes would sway down
and thud,
thud
thud
would sound the fallinng
pleasants
(Mary –Anne Sitwell)
ଏପରି ଲେଖିବାର ଅର୍ଥ କ’ଣ?ଉପରକୁ ଅତି ନିରର୍ଥକ ବୋଲି ବୋଧ ହେଉଥିଲେ ବି, ଆପାତତଃ କବିତା ଘେନି ସ୍ବେଚ୍ଛାଚାରିତା ପରି ଜଣାପଡ଼ୁଥିଲେ ହେଁ ଏହା ଗଭୀର ବୈଜ୍ଞାନିକ ସତ୍ୟ ଓ ବିଶ୍ଳେଷଣ ଉପରେ ପ୍ରତିଷ୍ଠିତ। ଜୀବନରୁ ଛନ୍ଦର ଉତ୍ପତ୍ତି ଓ ରସର ସ୍ବଜନ। ଜୀବନରେ ଯେବେ ଛନ୍ଦ ନାହିଁ, ରସର ଏକାନ୍ତ ଅଭାବ, ତେବେ ସ ଜୀବନର ଅଭିବ୍ୟକ୍ତି କ’ଣ ଛନ୍ଦମୟ ହୋଇପାରେ? ଜୀବନକୁଚିତ୍ରିବାକୁ ଯାଇ ରସର ବିରଳତା ସତ୍ତ୍ବେ କବି କାହିଁକି ରସର ମିଥ୍ୟା ଆରୋପ କରିବ ଏ ଜୀବନର ଅନୁଭୂତି ଯେବେ ନିର୍ମମ, କୁତ୍ସିତ,ପ୍ରାଣହୀନ,କଳପ୍ରଧାନ ହୁଏ, ତେବେ କବିତା ଠିକ୍ ତାହାହିଁ ପ୍ରକାଶ କରିବ, ଛନ୍ଦହୀନ ଭାଷାରେ ନିର୍ମମ ଭାବରେ। ଏହା ହେଲା ଆଧୁନିକ କବିତା ବିଷୟରେ ଏକ ସ୍ଥୁଳ ଧାରଣା । କିନ୍ତୁ ଆଧୁନିକ କବିତାର ନାନାପ୍ରକାର ନୂତନ ନୂତନ ଛନ୍ଦର ସ୍ରଷ୍ଟା ବି- ସେ ଛନ୍ଦ ବିଷୟବସ୍ତୁ ଠାରୁ ସ୍ବତନ୍ତ୍ର ନୁହେଁ- ତହିଁରୁ ଉଦ୍ଭୂତ। ଉଦାହରଣସ୍ବରୂପ, ପାୱାର ହାଉସ୍ ବିଷୟକ କବିତାର ଛନ୍ଦରେ ହୁଏତ ଆପେ ଆପେ କରିପାରିବା ଗୋଟାଏ ଭସ୍ ଭସ୍…ନେତୃତ୍ବ ଓ ବୈତିତ୍ରୃ ଆମ ଆଧୁନିକ କବିତାମାନଙ୍କରେ ଦେଖିବାକୁ ପାଇବା।