ଇଂରାଜୀ ସାହିତ୍ୟର ଗତିଧାରା




ଇଂଲାଣ୍ଡର ଗଳ୍ପ ସାହିତ୍ୟ ଏହି ଯୁଗରେ ବିଶେଷ ଉନ୍ନତି ଲାଭ କରିଥିଲା। ଏଥିପୂର୍ବେ ଗଦ୍ୟ ସାହିତ୍ୟର ବହୁଳ ପ୍ରସାର ନଥିବାରୁ ଗଳ୍ପ ଓ ଆଖ୍ୟାୟିକାମାନ କବିତାରେ ଲିପିବଦ୍ଧ ହେଉଥିଲା। ଏହା ଗଳ୍ପସାହିତ୍ୟର ବିକାଶ ଦିଗରେ ବିଶେଷ ଅନ୍ତରାୟ ହୋଇଥିଲା। ଏହି ସମୟରେ ଗଦ୍ୟ ସାହିତ୍ୟର ପ୍ରସାର ହେବା ସଙ୍ଗେ ସଙ୍ଗେ,ଗଳ୍ପସାହିତ୍ୟ ଗଦ୍ୟର ଆଶ୍ରୟ ଗ୍ରହଣ କଲା। ଗଦ୍ୟର ପରିସର ବୃହତ୍ତର, ବିଷୟବସ୍ତୁ ପ୍ରକାଶ କରିବାକୁ ତହିଁର କ୍ଷେତ୍ର ମୁକ୍ତତର।

          ଏହି କାଳର ଜୀବନର ସମାଲୋଚନନା କଲେ ଜଣାଯାଏ ଯେ, ଲୋକେ କଳ୍ପନାବିଳାସିତା ଛାଡ଼ି ବାସ୍ତବ ଜୀବନରେ ଅଧିକ ଆଗ୍ରହ ପ୍ରକାଶ କରୁଥିଲେ। ସାମାଜିକ ପରିସ୍ଥିତିରେ, ବାସ୍ତବ ପରିସର ମଧ୍ୟରେ ଲୋକେ ଯେଉଁ ଅନୁଭୂତି ଲାଭ କରୁଥିଲେ, ଏ ଯୁଗରେ କବି, ଲେଖକ ଓ ଚିତ୍ରକର ସେହି ଅନୁଭୂତିକୁ ଚିତ୍ରିବାରେ ତତ୍ପର ହୋଇଛନ୍ତି, କାଳ୍ପନିକ , ଅସମ୍ଭବ ରୂପ କାହାଣୀ ଏ କାଳର ବୈଷୟିକ ମନୋବୃତ୍ତିକୁ ସନ୍ତୁଷ୍ଟ କରି ନପାରେ। ତେଣୁ ଗଳ୍ପରଚକମାନେ ସେମାନଙ୍କର ଗଳ୍ପଲାଗି ବାସ୍ତବ ପରିସ୍ଥିତି ସୃଷ୍ଟି କଲେ, ସମ୍ଭବପର ଘଟଣାମାନ କଳ୍ପନା କଲେ, ଚରିତ୍ରଗୁଡ଼ିକ କଲେ ସତ ସତ ନରନାରୀ। ବାସ୍ତବ ଜୀବନକୁ ସ୍ପର୍ଶ କରି, ବାସ୍ତବ ଜୀବନକୁ ଚିତ୍ର କରି ଆଖ୍ୟାୟିକାର ସୃଷ୍ଟି ପ୍ରଥମେ ଏହି ଯୁଗରେ ହେଲା। ଏହି ନୂତନ ଉଦ୍ଭାବନର ନାମ ନଭେଲ୍‌ ବା ଉପନ୍ୟାସ। ଉପନ୍ୟାସର ପ୍ରଥମ କଳ୍ପନା ଇଂରେଜ ସାହିତ୍ୟିକମାନେ କରଥିବାରୁ ବିଶ୍ବସାହିତ୍ୟ ଏହି ବିଶିଷ୍ଟ ଦାନ ଲାଗି ଇଂରେଜୀ ସାହିତ୍ୟ ନିକଟରେ ଋଣୀ।

         ରୀତିମତ ଉପନ୍ୟାସ ପ୍ରକାଶ ପାଇବା ପୂର୍ବରୁ ଇଂରେଜ ସାହିତ୍ୟର ଏହି ଯୁଗରେ ଦୁଇଟି ପୁସ୍ତକ ପ୍ରକାଶ ପାଇଥିଲା, ଯାହା ଉପନ୍ୟାସ ସାହିତ୍ୟର ଅତି ନିକଟ ହୋଇଆସିଥିଲା। ଡେନିଏଲ୍‌ ଡିପୋଙ୍କର ପ୍ରସିଦ୍ଧ ପୁସ୍ତକ ରବିନସନ୍‌ କ୍ରୁଶୋ ୧୭୧୯ ଖ୍ରୀଷ୍ଟାବ୍ଦରେ ପ୍ରକାଶିତ ହେଲା। ରବିନସନ୍‌ ନାମକ ଜଣେ ଯୁବକ ଘରୁ ପଳାଇ ଯାଇ ଜାହାଜରେ ଯାଉ ଯାଉ ଜାହାଜ ଧ୍ବଂସ ହେବାରୁ ଅଜଣା ଅଶୁଣା ଏକ ଦେଶରେ ଲାଗି, ବଣୁଆ ଲୋକଙ୍କ ମଧ୍ୟରେ କିପରି ଜୀବନଯାପନ କରି, ଶେଷରେ ନିଜ ଦେଶକୁ ଫେରି ଆସିଲା ତାହାରି ଇତିବୃତ୍ତ ଭ୍ରମଣ ବୃତ୍ତାନ୍ତ ଛଳରେ ପ୍ରକାଶ କରାଯାଇଛି। ଏହି ଗଳ୍ପରେ ପ୍ରତ୍ୟେକ ବିଷୟରେ ଏପରି ଟିକିନିଖି ବର୍ଣ୍ଣନା ଅଛି ଯେ ଘଟଣାଟି ସମ୍ପୂର୍ଣ୍ଣ ସତ୍ୟପ୍ରାୟ ପ୍ରତୀୟମାନ ହୁଏ। ଏହି ଗଳ୍ପ ପଢ଼ି ଇଂଲଣ୍ଡରବହୁ ଲୋକଙ୍କର ବହୁ କାଳ ଧରି ଧାରଣା ଥିଲା ଯେ ରବିନ୍‌ସନ୍‌ କ୍ରୁଶୋ ନାମକ ପ୍ରକୃତରେ ଜଣେ ଲୋକ ଥିଲା।

           ସ୍ବିଫ୍ଟ(Swift) ଙ୍କର ଗଲିଭର ‘ଭ୍ରମଣ କାହାଣୀରେ’ ଖ୍ରୀ ୧୭୨୬ ଗଲିଭର ଜାହାଜ ଡୁବିଯିବାରୁ ସେ ଯାଇ କିମ୍ଭୁତକିମାକାର ଏକ ଦେଶରେ ଲାଗିଲା। ଅତି କ୍ଷୁଦ୍ରକାୟ ଓ ଅତି ବିଶାଳକାୟ ଲୋକମାନଙ୍କ ମଧ୍ୟରେ ତାହାର ଅନୁଭୂତିମାନ ଅଦ୍ଭୁତ ପ୍ରକାରର। ଏହି ଆଖ୍ୟାୟିକାରେ ଗଳ୍ପର ଆବରଣରେ ରାଜନୈତିକ ଓ ସାମାଜିକ କେତେକ ଅନୁଷ୍ଠାନ ପ୍ରତି କ୍ରୁର ଆକ୍ରୋଶ ପ୍ରକାଶ  କରାଯାଇଥିଲା। ଏହାର ଗୂଢ଼ାର୍ଥକୁ ଛାଡ଼ିଦେଲେ ବି ଗଳ୍ପଟି ଅତିଶୟ ଚିତ୍ତାକର୍ଷକ ଓ ଆମୋଦଜନକ।ଏଥିରେ ଅବାସ୍ତବ ଓ ଅସମ୍ଭବ ଘଟଣାର ସମାବେଶ ହୋଇଥିଲେ ମଧ୍ୟ ସ୍ବିଫ୍‌ଟ କିପରି ଟିକିନିଖି ବର୍ଣ୍ଣନାର ଚମତ୍କାରିତା ବଳରେ ପାଠକ ମନରେ ସତ୍ୟପ୍ରତୀତି ଜାତ କରିପାରୁଛନ୍ତି, ତାହା ଲକ୍ଷ୍ୟ କରିବାର କଥା।

         ଉପନ୍ୟାସ ସାହିତ୍ୟର ପ୍ରଥମ ସୃଷ୍ଟି ହେଲା ୧୭୪୦ ଖ୍ରୀଷ୍ଟାବ୍ଦରେ। ସାମୁଏଲ୍‌ ରିଚାର୍ଡସନ୍‌ (Samual Richardson) ନାମକ ଛାପାକଳର ଜଣେ ସାମାନ୍ୟ ଅଳ୍ପ ଶିକ୍ଷିତ କର୍ମଚାରୀ ପାମେଲା ବା ଧର୍ମର ଜୟ (Pamela of Virtue Rewarded)ନାମକ ଗଳ୍ପ ସାହିତ୍ୟ ପ୍ରକାଶ କରନ୍ତି। ଏହି ଗଳ୍ପର ବୈଶିଷ୍ଟ୍ୟ, ଏହାର ଘଟଣା ଗୁଡ଼ିକ ସତ୍ୟପ୍ରାୟ ପ୍ରତୀତ ହେଉଥିଲା, ବାସ୍ତବ ଜୀବନ ନେଇ ଏହା ସଂଗଠିତ ହୋଇଥିଲା। ଅଦ୍ୟାବଧି କେବଳ ଇଂରେଜୀ ସାହିତ୍ୟ ନୁହେଁ, ବିଶ୍ବର ଯେକୌଣସି ସାହିତ୍ୟରେ ଯେଉଁ ସମସ୍ତ ଗଳ୍ପ ରଚିତ ହୋଇଥିଲା ତହିଁରେ କଳ୍ପନାର ବହୁଲ୍ୟ ପରିଲକ୍ଷିତ ହେଉଥିଲା। ତହିଁର ବର୍ଣ୍ଣିତ ଘଟଣାବଳୀ ବାସ୍ତବ ସାମାଜିକ ଜୀବନଠାରୁ ବହୁତ ଛାଡ଼ଥିଲା। ସେହିସବୁ କାହାଣୀ ଓ ରୂପକଥା ସାଙ୍ଗକୁ ବାସ୍ତବ ଜୀବନର ଚିତ୍ର ଦେଇ ଏ ଯେଉଁ ନୂତନ ପ୍ରକାରର ସୃଷ୍ଟି ହେଲା, ତାହା ଉପନ୍ୟାସ (Novel)ନାମରେ ଅଭିହିତ ହୋଇ ସାହିତ୍ୟର ଏକ ବିଶିଷ୍ଟ ଅଙ୍ଗରୂପେ ଗଣ୍ୟ ହେବାକୁ ଲାଗିଲା। ରିଚାଡ଼ସନ୍‌ଙ୍କ ପ୍ରଥମ ଉପନ୍ୟାସର ପ୍ରକାଶଠାରୁ ଉପନ୍ୟାସ ସାହିତ୍ୟର ଆଦର କ୍ରମାଗତ ଗଢ଼ିଚାଲିଛି।

        ରିଚାର୍ଡ଼ସନ୍‌ ଅତି ଚମତ୍କାର ଚିଠି ଲେଖି ପାରୁଥିଲେ। ତାଙ୍କର ପାମେଲା ଓ ପରବର୍ତ୍ତୀ ଉପନ୍ୟାସମାନଙ୍କରେ ପ୍ରକାଶଭଙ୍ଗୀ ମଧ୍ୟ ପତ୍ରର ଆଦାନପ୍ରଦାନରେ। ପାମେଲାର କଥାବସ୍ତୁ ଦରିଦ୍ର ଏକ ବାଳିକାର ପ୍ରେମ। ଧନି ପ୍ରେମିକ ସହିତ ତା’ର ପ୍ରେମପଥରେ ପ୍ରଧାନ ଅନ୍ତରାୟ  ହୋଇ ଛିଡ଼ା ହୋଇଛି ଦୌଲତ। ପାମେଲା ଏ ସମସ୍ୟାର ସମ୍ମାନଜନକ କରିପାରିଛି ବିବାହ ଦ୍ବାରା। ପରବର୍ତ୍ତୀ ‘କ୍ଲାରିସା’ଉପନ୍ୟାସରେ ନାୟିକାର ଧନଦୌଲତ ଯଥେଷ୍ଟ କିନ୍ତୁ ନାୟକ ଅତି ଦରିଦ୍ର, ଅପଦାର୍ଥ। କ୍ଲାରିସାର ପ୍ରେମ କ୍ଲାରିସାର ଜୀବନକୁ ଦୁଃଖମୟ କରିଦେଇଛି, ପରିଶେଷରେ ଦୁଃସର ବିରହରେ ତା’ର ମୃତ୍ୟୁ ଘଟିଛି।

        ରିଚାର୍ଡସନ୍‌ଙ୍କର ଉପନ୍ୟାସଗୁଡ଼ିକ ସରଳ ଓ ସୁଖପାଠ୍ୟ। ସାମାଜିକ ପରିବେଷ୍ଟନୀ ମଧ୍ୟରେ ଦୈନନ୍ଦିନ ଜୀବନର ଘଟଣାପ୍ରବାହରେ ଯେଉଁ କ୍ଷୁଦ୍ର ଓ ବୃହତ୍‌ ଭାବପ୍ରବଣତା ପ୍ରକାଶ ଲାଭ କରିଥାଏ, ଔପନାସିକ ସେଗୁଡ଼ିକୁ  ଅତି ଯତ୍ନ ସହକାରେ ଲକ୍ଷ୍ୟ କରିପାରିଥିଲେ। ତେଣୁ ତାଙ୍କର ଲେଖାଗୁଡ଼ିକ ଭାବପ୍ରବଣତାରେ ରସପ୍ଲୁତ ହୋଇଅଛି। ରିଚାର୍ଡସନ୍‌ଙ୍କ ଦକ୍ଷତା ବହୁ ଔପନ୍ୟ୍ୟାସିକଙ୍କର  ଇର୍ଷା ଜନ୍ମାଏ। ରିଚାର୍ଡ଼ସନ୍‌ଙ୍କର ଦୋଷଦର୍ଶୀମାନେ ତାଙ୍କର ନୀତିଶିକ୍ଷା ଦେବାର ପ୍ରବୃତ୍ତିକୁ ନାପସନ୍ଦ କରିଥାନ୍ତି। କିନ୍ତୁ ମନେ ରଖିବାକୁ ହେବ ଯେ ନୀତିଶିକ୍ଷାକୁ ସାହିତ୍ୟରେ ପ୍ରଧାନ ଏକ ଅଙ୍ଗ କରି ଥୋଇବାରେ ରିଚାର୍ଡ଼ସନ୍‌ ଯଦି ଦୋଷୀ, ତେବେ ତାଙ୍କ ଯୁଗର ପ୍ରଧାନ ପ୍ରଧାନ କବି ଓ ସାହିତ୍ୟିକ ମଧ୍ୟ ସେହି ଦୋଷରେ ଦୁଷ୍ଟ; ଏହା ଯୁଗର ପ୍ରଭାବ ମାତ୍ର।

           ହେନେରୀ ଫିଲଡିଙ୍ଗ (Henry Fielding) ପ୍ରଥମେ ନାଟ୍ୟକାର ହିସାବରେ ପରିଚିତ ହୋଇଥିଲେ ମଧ୍ୟ ଔପନ୍ୟାସିକ ଭାବରେ ଇତିହାସ ତାଙ୍କକୁ ମନେରଖିଛି । ପାମେଲା ଉପନ୍ୟାସର ସାଫଲ୍ୟ ଦେଖି ଫିଲ୍‌ଡିଙ୍ଗ ଉପନ୍ୟାସ ଲେଖିବାକୁ ମନସ୍ଥ କଲେ। ତାଙ୍କର ଉପନ୍ୟାସମାନଙ୍କରେ ସମସାମୟିକ ଜୀବନର ଆଚାର ବ୍ୟବହାରର ନିଖୁଣ କିନ୍ତୁ ଆମେ ପାଇଥାଉଁ। ଏହି ବ୍ୟବହାରରେ ଯେଉଁ ଚାପଲ୍ୟ ଓ ଅଗଭୀରତା ପରିଲକ୍ଷିତ ହେଉଥିଲା, ବାହ୍ୟ ଆଡ଼ମ୍ବର ଓ ଚାକଚକ୍ୟର ପଶ୍ଚାତରେ ଯେଉଁ କୁତ୍ସିତତା ଲୁକ୍କାୟିତ ଥିଲା ଫିଲ୍‌ଡ଼ଙ୍ଗ ସେ ସବୁକୁ ବ୍ୟଙ୍ଗ ଉପହାସ କରିଛନ୍ତି।ରିଚାର୍ଡ଼ସନ୍‌ଙ୍କର ଗାମ୍ଭୀର୍ଯ୍ୟପୂର୍ଣ୍ଣ ଉପଦେଶାତ୍ମକ ଉପନ୍ୟାସର ପାଠକମାନେ ଫିଲ୍‌ଡିଙ୍ଗ୍‌ଙ୍କର ହାସ୍ୟରସମୟ ପ୍ରକାଶଭଙ୍ଗୀରେ ସଜୀବତା ଓ ସରସତା ଉପଲବ୍ଧି କରିପାରିଥିଲେ ଟମ୍‌ସ ଜୋନ୍‌ସ ଓ ଜୋନାଥନ୍ନ  ଓ୍ୟାଇଲ୍‌ଡ଼ ତାଙ୍କର ବିଶିଷ୍ଟ ଉପନ୍ୟାସ।

          ଉପନ୍ୟାସ ଲେଖା ଯେଉଁସବୁ ସାହିତ୍ୟିକମାନଙ୍କୁ ପ୍ରଲୋଭିତ କରିବାକୁ ଲାଗିଲା, ସେମାନଙ୍କ ମଧ୍ୟରେ ଏଠାରେ ସୁଲେଟ୍‌ ଓ ଷ୍ଟାର୍ନେଙ୍କ ନାମ ଉଲ୍ଲେଖଯୋଗ୍ୟ। ବହୁସଂଖ୍ୟକ ଲେଖିକା ମଧ୍ୟ ଉପନ୍ୟାସରେ ହାତଦେଲେ। ଏହି ନାରୀ ଔପନ୍ୟାସିକମାନଙ୍କ ମଧ୍ୟରେ  ପଲ୍ଲୀନିବାସୀ ଏକ ଧର୍ମ ପ୍ରଚାରକଙ୍କ କନ୍ୟା ଜେନ୍‌ ଅଷ୍ଟିନ୍‌ (Jane Austen)ବିଶିଷ୍ଟ ସ୍ଥାନଅଧିକାର କରନ୍ତି। ଗାର୍ହସ୍ଥ୍ୟ ଜୀବନର ଟିକିନିଖି ବିଷୟ ହେବାରେ ,ପଲ୍ଲୀ ଜୀବନରେ କ୍ଷୁଦ୍ର କ୍ଷୁଦ୍ର ଘଟଣା ନେଇ ଯେପରି ପାରିବାରିକ ଓ ସାଂସାରିକ ସୁଖଦୁଃଖ ଆଶା ଓ ବିରହ ଗଠିତ ହୋଇଥାଏ,ତାହାର ନିଖୁଣ ଛବି ଆଙ୍କିବାରେ ଜେନ୍‌ ଅଷ୍ଟିନ୍‌ଙ୍କର ବିଶେଷ ଦକ୍ଷତା ଥିଲା। ଅନାସକ୍ତ ଭାବରେ ସେ ଗ୍ରାମବାସୀଙ୍କର ଅଳସ ମନ୍ଥର ଜୀବନର ଗତି ବର୍ଣ୍ଣନା କରିଯାଇଛନ୍ତି। ତାଙ୍କ ଉପନ୍ୟାସରେ ବିରାଟ ରୋମାଞ୍ଚକର କୌଣସି ଘଟଣା ଘଟିନାହିଁ, ପାଠକ ମନରେ ରୋମାଞ୍ଚ ବା ଶିହରଣ ଲାଗି ଉପାଦାନ ନାହିଁ, କିନ୍ତୁ ଉପନ୍ୟାସ ଗୁଡ଼ିକର ସାର୍ଥକତା ଜୀବନର ଅନାବିଳ ଅନତିରଞ୍ଜିତ ଛବି ଆଙ୍କିବାରେ ହିଁ ନିହିତ।

           ଅଷ୍ଟାଦଶ ଶତାବ୍ଦୀର ପଦ୍ୟକୁ ଅନେକ ସମାଲୋଚକ କବିତା ବୋଲି ମାନିବାକୁ ନାରାଜ। ସେ ପଦ୍ୟରେ ହୃଦୟକୁ ସ୍ଫନ୍ଦିତ କରିବାର ଉପାଦାନ ଅତ୍ୟଳ୍ପ। ଅଷ୍ଟାଦଶ ଶତାବ୍ଦୀର ପଦ୍ୟସାହିତ୍ୟ ଯେପରି ଦରିଦ୍ର, ସମସାମୟିକ ଗଦ୍ୟସାହିତ୍ୟ ସେହିପରି ସମୃଦ୍ଧ ଓ ଉନ୍ନତ। ଅଷ୍ଟାଦଶ ଶତାବ୍ଦୀଠାରୁ ଇଂରେଜୀ ଗଦ୍ୟସାହିତ୍ୟ ନିର୍ଦ୍ଦିଷ୍ଟ ରୂପ ଗ୍ରହଣ କଲା, ଗଦ୍ୟସାହିତ୍ୟ କ୍ରମଶଃ ଜନପ୍ରିୟ ହେବାକୁ ଲାଗିଲା। ଅତଃପର ଯୁଗମାନଙ୍କରେ ଯେଉଁ ଗଦ୍ୟ ସାହିତ୍ୟ ଗଢ଼ିଉଠିଛି,ତାର ମୂଳଭିତ୍ତି ଏହି ଯୁଗରେ।




+ -

© Jataayu Charitable Trust
Site designed,developed & maintained by Tekons