ଇଂରାଜୀ ସାହିତ୍ୟର ଗତିଧାରା




ଇଂରେଜୀ ସାହିତ୍ୟର ଗତିଧାରା (୭)

ସାହିତ୍ୟର ଅଭ୍ୟୁତ୍‌ଥାନ (ଖ୍ରୀ୧୭୮୦-୧୮୪୦)

     ଅଷ୍ଟଦଶ ଶତାବ୍ଦୀରେ ଇଂଲାଣ୍ଡର ବୈଷୟିକ ସମୃଦ୍ଧି ତଥା ସଂସ୍କୃତିଗତ ଜୀବନ ସହର ଓ ଶିଳ୍ପକେନ୍ଦ୍ରକୁ ମେଣ୍ଟ କରି ଗଢ଼ି ଉଠିଥିଲା, ସହରର ଚାକଚକ୍ୟ ବାହ୍ୟାଡ଼ମ୍ବର,ବାକ୍‌ସ୍ଫୃତ୍ତି ଚାଲିଚଳନ ଓ ଆଦବ କାୟଦା ଗହଳିରେ ମାନବ ହୃଦୟକୁ ଗଭୀର ଭାବରାଶି କେଉଁଆଡ଼େ ହଜିଯାଇଥିଲା। ପଲ୍ଲୀ ଓ ପ୍ରକୃତି ପ୍ରତି କିପରି ଏକ ଉଦାସୀନ ଭାବ; ଲୋକେ ଯୁକ୍ତିତର୍କରେ ମାତି ରହି କଳ୍ପନାବିମୁଖ ହୋଇ ବିଲ୍‌କୁଲ କବିତ୍ବହୀନ ହୋଇପଡ଼ିଥିଲେ। ଏହିପରି ଅଗଭୀର, ଉଲ୍ଲାସହୀନ ନିଷ୍ଫଳ ଓ ଆକାଂକ୍ଷାବିରହିତ ଜୀବନ କେତେଦିନ ଭଲଲାଗେ? କ୍ରମେ ଏହି ସହରର ସଭ୍ୟତା ବିରୁଦ୍ଧରେ ପ୍ରତିକ୍ରିୟା ପ୍ରକାଶ ପାଇଲା, ଶିଳ୍ପର ପ୍ରସାର ଫଳରେ ଜାତୀୟ ଜୀବନର ଉନ୍ନତି ହେବ ବୋଲି ଲୋକେ ଯେଉଁ ମୋହର ମାରିଥିଲେ, ସେ ମୋହର ଜନତାର ମନରୁ କ୍ରମେ ଦୂରୀଭୁତ ହେବାକୁ ଲାଗିଲା। କାରଖାନାର ଚାରିକଡ଼ରେ ସଂକୀର୍ଣ୍ଣ ଗଳି ଭିତରେ ଶ୍ରମିକମାନେ ଯେଉଁ ଦୁଃସ୍ଥ ଜୀବନଯାପନ କରୁଥିଲେ, ତାହା ପ୍ରତ୍ୟେକ ଚିନ୍ତାଶୀଳ ଲୋକକୁ ବିବ୍ରତ କରିପକାଇଲା। ‘କି ଥିଲା ଦେଶ , କି ହେଲା ଆଜ’-ଏହି ଭାବ ବହୁ କବି ଓ ଭାବୁକଙ୍କ ମନରେ ବାରମ୍ବାର ଆଘାତ କଲା, ସେମାନେ ପଛକୁ ଫେରି ଚାହିଁଲେ- ପଲ୍ଲୀ ଓ ପ୍ରକୃତି ବର୍ତ୍ତମାନ ତାଙ୍କ ପ୍ରାଣକୁ ଗଭୀର ଭାବେ ଅଭିଭୂତ କରିବାକୁ ଲାଗିଲା।

       ଏହି ସମୟରେ ଇଂଲାଣ୍ଡର ଜାତୀୟ ଜୀବନ ଉପରେ ଫ୍ରାନ୍ସର ପ୍ରଭାବ ଅତି ଗଭୀରଭାବେ ପଡ଼ିଥିଲା। ଫ୍ରାନ୍ସର ସମାଜରେ ସାମନ୍ତବାଦର ଯେ ପ୍ରଭୁତ୍ବ ଥିଲା, ଶିଳ୍ପ ବିପ୍ଳବ। (ଖ୍ରୀ ୧୭୮୯) ଫଳରେ ସେ ପ୍ରଭୁତ୍ବ ବିରୁଦ୍ଧରେ ମିଲ୍‌ ମାଲିକ ଓ ଶ୍ରମିକ ଶ୍ରେଣୀ ବିଦ୍ରୋହ କଲେ। ଭଲଟାୟାର ଓ ରୁଷୋଙ୍କ ଶକ୍ତିଶାଳୀ ଲେଖନୀ ନିଃସୃତ“ମିକ୍ତି, ସାମ୍ୟ ଓ ମୈତ୍ରୀ” ର ବାଣୀରେ ସମଗ୍ର ଫ୍ରାନ୍ସର ଜନତା ଉଦ୍‌ବେଳିତ ହୋଇଉଠିଲେ। ଈଶ୍ବର ସମସ୍ତଙ୍କୁ ସମାନ କରିଛନ୍ତି, ପ୍ରକୃତି ଏକ ଓ ଆରକ ମଧ୍ୟରେ ପାର୍ଥକ୍ୟ ରଖିନାହିଁ, ସମାଜରେ ଦଳେ ଲୋକ ଜୋର ଜବରଦସ୍ତ ଆପଣାକୁ ସାମନ୍ତ ବୋଲାଇ ଅନ୍ୟମାନଙ୍କ ଉପରେ ସେମାନଙ୍କର ପ୍ରଭୁତ୍ବ ବଜାୟ ରଖିଛନ୍ତି; ଏହି ଅମଙ୍ଗଳ ବନ୍ଧନରୁ ମନୁଷ୍ୟକୁ ମୁକ୍ତି ଲାଭ କରିବାକୁ ପଡ଼ିବ ଏହି ନୂତନ ଡାକରେ ଫ୍ରାନ୍ସର ଜନତା ସଂଘବଦ୍ଧ ହୋଇ ରାଜତନ୍ତ୍ର ଳୋପ କରିବାକୁ ରକ୍ତାକ୍ତ ସଂଗ୍ରାମର ସମ୍ମୁଖୀନ ହେଲା। ୧୪ଶ ଲୁଇଙ୍କୁ ଫାଶୀକାଠରେ ଝୁଲାଇଲା ଓ ଫ୍ରାନ୍ସରେ ଗଣତାନ୍ତ୍ରିକ ସରକାର ପ୍ରତିଷ୍ଠା କରିବାକୁ ପ୍ରୟାସୀ ହେଲା । ଫରାସୀ ବିପ୍ଳବ ୟୁରୋପ ତଥା ଇଂଲାଣ୍ଡରେ କିଛିକାଳ ପାଇଁ ଘୋର ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଇଂଲାଣ୍ଡର ଲୋକଙ୍କ ମନରେ ‘ମୁକ୍ତି, ସାମ୍ୟ ଓ ମୈତ୍ରୀ’ ର ଆଦର୍ଶ ମଧ୍ୟ ଛାୟାପାତ କଲା। କବି ଓ ଭାବୁକ ସାମାଜିକ ବ୍ୟବସ୍ଥାକୁ ଈଶ୍ବରଦତ୍ତ ବ୍ୟବସ୍ଥା (ଏହାହିଁ ସାମନ୍ତବାଦୀ ସମାଜରେ ଖ୍ରୀଷ୍ଟିୟାନ ଧର୍ମ ଅଦ୍ୟାବଧି ପ୍ରଚାର କରୁଥିଲା) ମନେ ନ କରି ନୂତନ ମାର୍ଗରେ ଚିନ୍ତା କରିବାକୁ ଲାଗିଲେ, ପ୍ରକୃତିର ଅନାବୀଳ ଆଦର୍ଶର ପ୍ରତୀକ ରୂପେ ଉପାସନା କଲେ, ପ୍ରକୃତି ମଙ୍ଗଳମୟ, କଳୁଷହାରୀ ଓ ସତ୍ୟ-ଶିଳ୍ପ-ସୁନ୍ଦର।         

       ଉନ୍ନବିଂଶ ଶତାବ୍ଦୀର ପ୍ରଥମ ଭାଗ ଇଂରେଜୀ କବିତାରେ ଏକ ନୂତନ ଆଧ୍ୟାୟ ଖୋଲିଲା। ଅଷ୍ଟାଦଶ ଶତାବ୍ଦୀର କଳ୍ପନାବିମୁଖତାର ପ୍ରତିକ୍ରିୟା ରୂପେ ରୂପକଥାର ପ୍ରାବଲ୍ୟ ଏ ଯୁଗରେ ଲକ୍ଷିତ ହୁଏ। ସହରର ସଭ୍ୟତା, ସମାଜର ଅପ୍ରାକୃତିକତା ବିରୁଦ୍ଧରେ ବିଦ୍ରୋହୀ ଏ କାଳର କବିମାନେ ପଲ୍ଲୀର ସରଳ ଜୀବନ ପ୍ରତି ପ୍ରଶଂସାମୁଖର ହୋଇ ଉଠିଛନ୍ତି। ‘ପ୍ରକୃତି’ ମଧ୍ୟରେ କବିର ବିରାଟ ସତ୍ୟ ଅନୁଭବ କରିପାରିଛନ୍ତି। ଅଷ୍ଟାଦଶ ଶତାବ୍ଦୀର କବିମାନେ ଯେଉଁ ପରିମାଣରେ ବାସ୍ତବତାର ପକ୍ଷପାତୀ ଥିଲେ ଏ କାଳର କବି ସେହି ପରିମାଣରେ ଆଦର୍ଶବାଦୀ।        

       ଏହି ଯୁଗର ସୂତ୍ରପାତ ପ୍ରକୃତରେ ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ହୋଇଥିବ। ପୂର୍ବରୁ କହିଥିଲି ଗୋଲ୍‌ଡ଼ ସ୍ମିଥ୍‌(Gold smith)କିପରି ତାଙ୍କର ‘ବ୍ୟକ୍ତପଲ୍ଲୀ’(deserted village) କବିତାରେ ଶିଳ୍ପବିପ୍ଳବର ସମାଲୋଚନା ଓ ଅତୀତର ପଲ୍ଲୀ ଜୀବନକୁ ଶ୍ରେୟଜ୍ଞାନ କରିଥିଲେ। ତାଙ୍କର ସମସାମୟିକ କବି ‘ବଣ୍ଣିସ୍‌’(burns)ଗ୍ରାମ୍ୟ ଭାଷାରେ ପଲ୍ଲୀଜୀବନର ସୁଖଦୁଃଖ ଗାନ କରି ଜନସାଧାରଣଙ୍କର ଅତି ପ୍ରିୟ କବି ହୋଇଥିଲେ।      

      ୧୭୮୯ ଖ୍ରୀଷ୍ଟାବ୍ଦରେ ଗ୍ରାମ୍ୟଗୀତିକା (Lyrical Ballads)ବୋଲି ୱାର୍ଡ଼ସ୍‌ଓ୍ୟର୍ଥ ଓ କଲରିଜ୍‌ଙ୍କର କବିତା ସଂକଳନ ପ୍ରକାଶ ପାଏ। ରୂପ ସାହିତ୍ୟର ଯୁଗ ଏହି ବର୍ଷଠାରୁ ଆରମ୍ଭ ହେଲା ବୋଲି ସାଧାରଣତଃ ଧରାଯାଏ। ଏହି ଗ୍ରାମ୍ୟଗୀତିକାର କବତାଗୁଡ଼ିକ ମଧ୍ୟରୁ କବି ୱାର୍ଡ଼ସ୍‌ଓ୍ୟର୍ଥ ଯେଉଁ କବିତାଗୁଡ଼ିକ ରଚନା କରିଛନ୍ତି, ସେ ଗୁଡ଼ିକର ବିଷୟବସ୍ତୁ ଅତି ସାଧାରଣ, ବାସ୍ତବ ଜଗତର ଅନୁଭୂତିରୁ ଗୃହୀତ, କିନ୍ତୁ କବିଙ୍କର ଭାବୋଚ୍ଛ୍ବାସର ତୂଳିକା ସ୍ପର୍ଶରେ ତାହା ଅପାର୍ଥିବ ହୋଇ ଉଠିଛି। ଅପର ପକ୍ଷରେ କଲରିଜ୍‌ଙ୍କ କବିତାଗୁଡ଼ିକର ବିଷୟବସ୍ତୁ ଅପାର୍ଥିବ, କିନ୍ତୁ ବର୍ଣ୍ଣନା ଚାତୁରୀରେ କବି ସେଗୁଡ଼ିକୁ ପ୍ରାକୃତିକ,ଅନୁଭୂତିଗତ ବିଷୟ କରି ପାରିଛନ୍ତି। ଏହି କବିତାଗୁଚ୍ଛ ପୂର୍ବଯୁଗର ବିଧିବଦ୍ଧ ଛନ୍ଦ, କଳ୍ପନାବିମୁଖ ଓ ସ୍ପନ୍ଦନହୀନ ଭାବଧାରା ବିରୁଦ୍ଧରେ ବିଦ୍ରୋହ ଘୋଷଣା କରି ମୁକ୍ତିର ଛନ୍ଦ ଓ ଭାଷାରେ ଗଭୀର ଅନୁଭୂତିମାନ ବ୍ୟକ୍ତ କରିଅଛି। ସହର ଛାଡ଼ି ପ୍ରକୃତି ଓ ପଲ୍ଲୀ ଜୀବନର ଚିତ୍ର ଫୁଟାଇବାକୁ ପ୍ରୟାସୀ ହୋଇଛି।     

       ଏହି ରୂପ ସାହିତ୍ୟ ଯୁଗର ସ୍ରଷ୍ଟା ଓ ଦିଗ୍‌ଦ୍ରଷ୍ଟାର ସମ୍ମାନ ୱାଡ଼ଓ୍ୟର୍ଥଙ୍କୁ ଦିଆଯାଇଥିଲା। ୱାଡ଼ସ୍‌ଓ୍ୟାର୍ଥଙ୍କ ଜୀବନ ସରଳ ଅଚଞ୍ଚଳ ଧାରାରେ ପ୍ରବାହିତ ହୋଇଥିଲା। ଉତ୍‌ଶୃଙ୍ଖଳା ଘଟଣାବଳୀ ଦ୍ବାରା ରାଞ୍ଚଲ୍ୟମୟ ନୁହେଁ।ଆବାଲ୍ୟରୁ ଚିନ୍ତାଶୀଳ, ବିଦ୍ୟାନୁରାଗୀ, ୱାଡ଼ସ୍‌ଓ୍ୟାର୍ଥ ତାଙ୍କର ସ୍କୁଲ ପଢ଼ା ଦିନରୁ ବି ସତ୍ୟର ସନ୍ଧାନରେ ଅସ୍ଥିର ହୋଇ ଉଠୁଥିଲେ। ତାଙ୍କ ଜୀବନର ଏକ ଘଟଣା ବାହ୍ୟ ଜଗତର ଅସ୍ତିତ୍ବ ସତ୍ୟ କି ମାୟା, ଏ ବିଷୟରେ ସନ୍ଦିହୀନ ହୋଇ ୱାଡ଼ସ୍‌ଓ୍ୟାର୍ଥ  ଥରେ ପଥର କାନ୍ଥରେ ଢ଼ୋ ଢ଼ୋ ମୁଣ୍ଡ ପିଟୁଥିଲେ।            

        ୱାଡ଼ସ୍‌ଓ୍ୟାର୍ଥ ତଥା ଏ ଯୁଗର ପ୍ରାୟ, ସବୁ କବି ସମାଧିତତ୍ତ୍ବ (mysticism) ରେ ଆସ୍ଥାବାନ୍‌ ଥିଲେ। ସମାଧୀସ୍ଥ ଅବସ୍ଥାରେ କି ଅତୀନ୍ଦ୍ରିୟ ସତ୍ୟ (mystic truth) ର ଦର୍ଶନଲାଭ କରନ୍ତି। ଏହି ସତ୍ୟ ହେତୁବାଦ୍‌ ସାହିତ୍ୟରେ ପ୍ରତିପାଦିତ ହୋଇନପାରିଲେ ମଧ୍ୟ, କବି ତହିଁର ସତ୍ୟତା ବିଶ୍ବାସ କରନ୍ତି। ୱାଡ଼୍‌ସଓ୍ୟାର୍ଥ  ବିଶ୍ବାସ କରୁଥିଲେ ଯେ ପ୍ରକୃତିର ଶିଷ୍ୟତ୍ବ ଗ୍ରହଣ କରିବା ଦ୍ବାରା ଆମେ ଭଗବାନଙ୍କ ନିକଟତର ହୋଇପାରିବା; ପ୍ରକୃତିର ପ୍ରତ୍ୟେକ ପଦାର୍ଥ, ସାମାନ୍ୟ ଫୁଲ ଓ ଲତା, ସର୍ବତ୍ର ପରିବ୍ୟାପ୍ତ ପୁରୁଷ ଭଗବାନଙ୍କର ସତ୍ତା ଅନାବିଳ ଭାବରେ ଧାରଣ କରିଅଛି;ଆମର ସମାଜରେ ମନୁଷ୍ୟର ଅନ୍ତରରେ ଯେଉଁ ସକଳ କୁତ୍ସିତତା ପରିଲକ୍ଷିତ ହୁଏ, ସେହି ସକଳ ଦୂର କରିପାରେ କେବଳ ପ୍ରକୃତିର ସାନ୍ନିଧ୍ୟ। ପ୍ରକୃତିର ସାନ୍ନିଧ୍ୟ କଳୁଷହାରୀ, ଶାନ୍ତିପ୍ରଦ ଓ ନୈସର୍ଗିକ। ବ୍ଲେକ୍‌ କିନ୍ତୁ ୱାଡ଼ସ୍‌ଓ୍ୟାର୍ଥଙ୍କର ଓଲଟା କଥାଟା କହିଛନ୍ତି। ସର୍ବପପରିବ୍ୟାପ୍ତ ସତ୍ତାକୁ ଅନୁଭବକରିବାରେ ପ୍ରଧାନ ଅନ୍ତରାୟ ହୋଇ ଛିଡ଼ା ହୋଇଛି- ପ୍ରକୃତି। ପ୍ରକୃତିରେ ବ୍ୟାଘ୍ର ପରି ହିଂସ୍ର ଓ ମେଷ ଛାଗଳ ପରି ନିରୀହ ଜୀବ ଦେଖିବାକୁ ମିଳେ, ଏହି ଅନୈକ୍ୟର ସମ୍ମୁଖୀନ ହୋଇ ମନୁଷ୍ୟ ସନ୍ଦିହୀନ ହୋଇଉଠେ-ଏ ପ୍ରକୃତି କଣ ଏକ ଈଶ୍ବରଙ୍କ ସୃଷ୍ଟି? ପ୍ରକୃତିର ମାୟାଜାଲ ଛେଦ କରିପାରିଲେ କେବଳ ମନୁଷ୍ୟ ସର୍ବମୟ ଭଗବତ୍‌ ସତ୍ତାର ସନ୍ଧାନ ପାଇପାରିବ-ଅନ୍ୟଥା ନୁହେଁ।ସେଲି ବିଶ୍ବାସ କରନ୍ତି ଆକାର ଓ ପ୍ରକାର ନେଇ ପଦାର୍ଥଗତ ସ୍ଥୁଳ ଚକ୍ଷୁରେ ଦୃଶ୍ୟମାନ ଏହି ସକଳ ଅନୈକ୍ୟ ସତ୍ତ୍ବେ ଏକ ଅତୀନ୍ଦ୍ରିୟ ସୌନ୍ଦର୍ଯ୍ୟର ସତ୍ତା ବିଶ୍ବମୟ ବ୍ୟାପି ରହିଛି; ଯାବତୀୟ କାର୍ଯ୍ୟ ସେହି ସୌନ୍ଦର୍ଯ୍ୟ ସତ୍ତା ଦ୍ବାରା ନିୟନ୍ତ୍ରିତ। ପାର୍ଥିବ ବନ୍ଧନରୁ ମୁକ୍ତି ହିଁ କେବଳ ଆମକୁ ସେହି ଜ୍ଞାନର ଆଲୋକ ଦେଇପାରିବ। ସମାଧିତତ୍ତ୍ବ ଲବ୍ଧ ସତ୍ୟ ଅପର ଠାରୁ ପୃଥକ୍‌ ହୋଇଥିଲେ ମଧ୍ୟ ସେହି ସତ୍ୟର ଅନୁପ୍ରେରଣା କବିଙ୍କର କଣ୍ଠରେ ବିଶ୍ବାସଜନିତ ଉଚ୍ଛ୍ବସିତ ବାଣୀ ଆଣିଦିଏ।ସତ୍ୟୋପଲବ୍ଧି ଆନନ୍ଦରେ ଏ ଯୁଗର କବିମାନେ ମୁଖର, ଭାବାତୁର। ଏହି ହେତୁ ଏହି ଯୁଗର କବିମାନେ ବହୁ ସଂଖ୍ୟକ ଗୀତି କବିତା (Lyrical poems) ଦ୍ବାରା ଇଂରେଜୀ ସାହିତ୍ୟକୁ ସଜୀବ ଓ ସମୃଦ୍ଧ କରିଥିଲେ। 




+ -

© Jataayu Charitable Trust
Site designed,developed & maintained by Tekons