ଇଂରାଜୀ ସାହିତ୍ୟର ଗତିଧାରା




ଇଂରେଜୀ ସାହିତ୍ୟର ଗତିଧାରା (୬)

               ପଞ୍ଚଦଶ ଶତାବ୍ଦୀଠାରୁ ୟୁରୋପୀୟ ସମାଜକୁ ଅନୁଧ୍ୟାନ କଲେ ଆମେ ଗଣତାନ୍ତ୍ରିକ ସମାଜର କ୍ରମବିକାଶ ଲକ୍ଷ୍ୟ କରିପାରୁଁ। ଏଥିପୂର୍ବରୁ ସମାଜକୁ ଆଗେଇ ନେବାର ଭାର ଥିଲା। ରାଜ୍ୟର ସାମନ୍ତ ସଂପ୍ରଦାୟ ଉପରେ। ରାଜା ଓ ତାଙ୍କର ସାମନ୍ତମାନେ ପ୍ରତ୍ୟେକ କାର୍ଯ୍ୟରେ ଅଗ୍ରଣୀ ଥିଲେ, ସମାଜର ସାଂସ୍କୃତିକ ଜୀବନ ସେହିମାନଙ୍କୁ କେନ୍ଦ୍ରକରି ଗଢ଼ି ଉଠୁଥିଲା। କିନ୍ତୁ ଏହି ସଂପ୍ରଦାୟ ଯେତେବେଳେ ବଂଶ ପରମ୍ପରାକ୍ରମେ ରାଜ୍ୟର ଏକ ସ୍ଥାୟୀ ଅଂଶରୂପେ ପରିଗଣିତ ହେଲେ, ଯେତେବେଳେ ସମାଜରେ ସେମାନଙ୍କର ଆସନ ଦୃଢ଼ ହୋଇଗଲା, ସେତେବେଳେ ସେମାନେ ସମାଜ ପ୍ରତି ସେମାନଙ୍କର ଦାୟିତ୍ବ ଭୂଲି ଭୋଗବିଳାସରେ ମାତି ରହିଲେ। କ୍ରମଶଃ ସେମାନେ ସମାଜର ମଲାଙ୍ଗ ପ୍ରାୟ ହୋଇ ଜୀବନଯାପନ କଲେ।   ଫଳରେ ସାମନ୍ତ ସଂପ୍ରଦାୟର ଶକ୍ତି ହ୍ରାସ ପାଇଲା ଓ ସମାଜର ଶକ୍ତି କ୍ରମଶଃ ସକ୍ରିୟ ‘ଗଣ’ହାତକୁ ଗଲା। ଜନସାଧାରଣଙ୍କ ମଧ୍ୟରେ ଜ୍ଞାନପ୍ରସାର, ଦେଶଦେଶାନ୍ତରେ ବାଣିଜ୍ୟ ବ୍ୟବସାୟର ବୃଦ୍ଧି ସାଧନ ଆଦି ଫଳରେ ଲୋକଙ୍କ ମନରେ ଗଣତାନ୍ତ୍ରିକ ଚେତନା ଅଧିକ ସଂଜୀବିତ ହେଲା।  ଦେଶର ରାଜା ଅପଦାର୍ଥ, ପରସ୍ପର କଳହରତ, ବ୍ୟସନାସକ୍ତ ସାମନ୍ତମାନଙ୍କ ଉପରେ ସନ୍ଦିହାନ ହୋଇ କାର୍ଯ୍ୟଦକ୍ଷ ଜନତାର ଶକ୍ତି ଉପରେ ଅଧିକ ନିର୍ଭର କଲେ। ଏହି ଅବସ୍ଥାରେ ଅଦ୍ୟାବଧି ଅବହେଳିତ ଜନତା ନବଜ୍ଞାନାଲୋକ ଓ ରାଜଅନୁଗ୍ରହ ନ ପାଇ, ନୂତନ ଜୀବନର ଉନ୍ମାଦନାରେ ଅତିଶୟ ଉଲ୍ଲସିତ ଓ ଉତ୍‌ଫୁଲ୍ଲ ହୋଇଥିଲା। ଏହି ଜୀବନର ଅଭିବ୍ୟକ୍ତି ଆମେ ପାଉଁ ସେକ୍‌ସପିୟର ପ୍ରଭୃତିଙ୍କ ଭାବମୟ, ଉଚ୍ଛ୍ବସିତ ସାହିତ୍ୟରେ। ଷୋଡ଼ଶ ଶତାବ୍ଦୀରେ ଇଂରେଜ ଲୋକ ଶିକ୍ଷାକରେ ଶାସନଗୋଷ୍ଠୀ ବା ରାଜାର ଦୁରାଚାର ଦୁଃଶାସନକୁ ଘୃଣା କରିବାକୁ, ରାଜ୍ୟ ଶାସନରେ ଭାଗ୍ୟଦାର ନିଜ ଜାତୀୟତାର ଗର୍ବ କରିବାକୁ। ଏ ସମୟକୁ ଲୋକଙ୍କ ମଧ୍ୟରେ ଗଣତାନ୍ତ୍ରିକ ଭାବଧାରା ନୂତନ ମାତ୍ର ପ୍ରବେଶ ଲାଭ କରିଥାଏ,ସେମାନେ ରାଜଶକ୍ତିର ଦୋଷଗୁଣ ନିର୍ଦ୍ଦେଶ କରି ସମାଲୋଚନା କରିବା ସ୍ତରରେ ପହଞ୍ଚିନଥାନ୍ତି ।ଗଣତନ୍ତ୍ର ଆଦର୍ଶକ୍ରମେ ପ୍ରସାର ଲାଭ କରିବା ଫଳରେ ଲୋକେ ଭଲମନ୍ଦ ବିଚାର କରିବାକୁ ଲାଗିଲେ। ସେମାନେ ସମାଜ ଓ ରାଜନିତିର ଦର୍ଶକମାତ୍ର ନ ହୋଇ ସମାଲୋଚକ ହେଲେ। ଏହି ସମୟ ସମାଜର ଭାବଧାରାରେ ଚିନ୍ତାଶୀଳତା (Intellectualism) ଜଡ଼ିତ ହେଲା। ଚେକ୍‌ ଜନସନ୍‌ଙ୍କ କାଳରେ ସାହିତ୍ୟ ଏହି ଜୀବନକୁ ଅଭିବ୍ୟକ୍ତ କରେ। ସେ ସମୟର ସାହିତ୍ୟରେ ଭାବର ମାତ୍ରା ହ୍ରାସ ଲାଭ କରି ସମାଲୋଚନାର ସ୍ବର ସ୍ପଷ୍ଟ ହୋଇ ଆସୁଥିଲା।

               ସାମନ୍ତ ପ୍ରଥା ଓ ଗଣତନ୍ତ୍ର ମାଧ୍ୟମରେ ଏ ଯେଉଁ ସଂଘର୍ଷ ଚାଲିଲା, ସେଥିରେ ଆଦର୍ଶ ନେଇ ପ୍ରଥମେ କଜିଆ ଉପୁଜିଲା। ସାମନ୍ତ ପ୍ରଥାର ପ୍ରଧାନ ପୃଷ୍ଠପୋଷକ ଥିଲା ପ୍ରଚଳିତ ଧର୍ମ, ରାଜା ଈଶ୍ବରଙ୍କର ଦୂତ, ସମାଜ ପ୍ରତି ରାଙ୍କର ଦାୟିତ୍ବ କିଛି ନାହିଁ- ଶାସନ ସଂପ୍ରଦାୟର ଅତ୍ୟାଚାରକୁ ଢ଼ାଙ୍କି ରଖିବାଲାଗି ଜନତା ଆଗରେ ଗୀର୍ଜାର ଧର୍ମପାଠକୁ ପାଦ୍ରୀମାନେ ଏହି ସଫେଇ ବାଢ଼ୁଥିଲେ। ଗଣତନ୍ତ୍ରର ପ୍ରସାର ପଥରେ ପ୍ରଚଳିତ ଧର୍ମ ତେଣୁ ପ୍ରଧାନ ପ୍ରତିବନ୍ଧକ ହୋଇ ଛିଡ଼ାହେଲା। ଦୁଇ ଆଦର୍ଶ ଘେନି ୟୁରୋପରେ ତଥା ଇଂଲଣ୍ଡରେ ଧର୍ମବିପ୍ଳବ ସଂଘଠିତ ହେଲା। ମାର୍ଟିନଲୁଥର ପ୍ରଭୃତି ଗୀର୍ଜାର ସାଆନ୍ତିଆ ନୀତି ଓ ଆଚାର ବିରୁଦ୍ଧରେ ବିଦ୍ରୋହ ଘୋଷଣା କରିବା ଫଳରେ ପ୍ୟୁରିଟାନ୍‌ ସଂପ୍ରଦାୟ ସଂସ୍ଥାପିତ ହେଲା ଓ ସାମନ୍ତ ଶକ୍ତିର ସମସ୍ତ ବାଧା ସତ୍ତ୍ବେ ତାହା ଲୋକଙ୍କ ଦ୍ବାରା ଅନୁମୋଦିତ ହେଲା । ପ୍ୟୁରିଟାନମାନେ ଧର୍ମରେ ବ୍ୟକ୍ତିଗତ ସ୍ବାଧୀନତା ପ୍ରତିଷ୍ଠା କଲେ।

                 ସପ୍ତଦଶ ଶତାବ୍ଦୀରେ ଇଂଲଣ୍ଡର ରାଜନୈତିକ ସାମାଜିକ ଜୀବନରେ ଘୋର ବିପ୍ଳବ ଉପୁଜିଥାଏ। ଆଦର୍ଶ ନେଇ ସଂଘର୍ଷ କିଛି କାଳ ପରେ ବାସ୍ତବ ଜୀବନକୁ ଆସି ସ୍ପର୍ଶ କଲା। ରାଜନୀତିରେ ରାଜା ଓ ପାର୍ଲାମେଣ୍ଟ ମଧ୍ୟରେ ବଳ କଷାକଷି ଚାଲିଥାଏ। ପ୍ରଥମ ଚାର୍ଲସଙ୍କର ରାଜଗାଦିରୁ ବିଚ୍ୟୁତି ଓ ଶିରଚ୍ଛେଦ କ୍ରମୱେଲଙ୍କ ନେତୃତ୍ବରେ ପ୍ରଜାତନ୍ତ୍ର ସ୍ଥାପନ ଆଦି ଘଟଣା ଲୋକମାନଙ୍କ ମଧ୍ୟରେ କ୍ରମ ବର୍ଦ୍ଧିଷ୍ଣୁ ଗଣତାନ୍ତ୍ରିକ ଚେତନା ପ୍ରକାଶ କରେ। ସାମନ୍ତ ଶକ୍ତି ଦିନକୁ ଦିନ ଶକ୍ତିହୀନ, କ୍ଳୀବ ଓ ପଙ୍ଗୁ ହୋଇପଡ଼ିଲା ଏବଂ ଲୋକଙ୍କ ମଧ୍ୟରେ ମୁକ୍ତି ଲାଗି ସଂଗ୍ରାମ ଅଧିକ ସଂଗଠିତ ହେଲା। ଜନସାଧାରଣ ଆଉ ତଳିଆ ଜୀବ ହୋଇ ସମାଜର ନିମ୍ନସ୍ତରରେ ପଡ଼ି ରହିଲେ ନାହିଁ, ସମାଜ ବର୍ତ୍ତମାନ ସେହିମାନଙ୍କର ନେତୃତ୍ବକୁ ଅନାଇ ରହିଲା। ଗଣତନ୍ତ୍ର କିନ୍ତୁ ଏ ସମୟକୁ ନିଦ୍ଦିଁଷ୍ଟ ରୂପ ଗ୍ରହଣ କରିନାହିଁ। ଜନଶକ୍ତି ନିୟନ୍ତ୍ରିତ ହୋଇନଥିବାରୁ ବହୁସ୍ଥଳରେ ଦୋଷ ଓ ତ୍ରୁଟି ଲକ୍ଷିତ ହେଉଥାଏ। ରାଜ ଦରବାରରେ ସାମନ୍ତ ସଂପ୍ରଦାୟ ଅତି ନିମ୍ନ ନୈତିକ ଆଦର୍ଶ ସମାଜ ଆଗରେ ଥୋଉଥାଏ, ତେଣୁ ଗଣତନ୍ତ୍ରର ନାୟକମାନେ ଦିଗ ବାରି ପାରୁନଥାନ୍ତି। ସାମାଜିକ ଜୀବନରେ ଏହାର ପ୍ରତିକ୍ରିୟା ଅତି କଦର୍ଯ୍ୟ ଫଳ ଫଳାଉଥାଏ। ଇଂଲାଣ୍ଡର ଜାତୀୟ ଜୀବନ ଏ ସମୟରେ ତେଣୁ ଅତ୍ୟନ୍ତ ଆବିଳ, କର୍ଦ୍ଦମାକ୍ତ। ଏହି ସାମାଜିକ ପରିବେଷ୍ଟନୀ ସାହିତ୍ୟ ଉତ୍ପାଦନର ଅନୁକୂଳ ନୁହେଁ, ଏ ସମୟରେ ଅତ୍ୟଳ୍ପ ସଂଖ୍ୟକ ଲେଖକ ଇଂରେଜ ସାହିତ୍ୟକୋଷରେ ଜ୍ୟୋତିର୍ମନ୍ତ ହେଲେ ଏବଂ ଏହାହିଁ ସ୍ବାଭାବିକ।

                 ଏ ଶତାବ୍ଦୀରେ ଚିନ୍ତାଶୀଳ ବ୍ୟକ୍ତିମାନେ ଗଣତନ୍ତ୍ର ଓ ପ୍ୟୁରିଟାନ୍‌ ଆଦର୍ଶ ଦ୍ବାରା ଗଭୀର ଭାବେ ପ୍ରଭାବିତ ହୋଇଥିଲେ। ନୂତନ ଆଦର୍ଶର ପ୍ରଚାର, ବ୍ୟକ୍ତିଗତ ସ୍ବାଧୀନତାର ଜୟଗାନ,ପୁରାତନ ସାଆନ୍ତିଆ ନୀତି, ଆଡ଼ମ୍ବର ଆଦିକୁ ଜଘନ୍ୟ, ନୀତିବିରୁଦ୍ଧ ବୋଲି ଚିତ୍ରିବା ଏହି ଲୋକମାନଙ୍କ ଆଗରେ ଅତିଶୟ ପ୍ରିୟ ହେବା ସ୍ବାଭାବିକ। ଏ ଯୁଗର ସାହିତ୍ୟିକ ପାରିପାର୍ଶ୍ବିକ ଜୀବନର ନୈତିକ ଅବନତି ଲକ୍ଷ୍ୟକରି ବିଷାଦପୂର୍ଣ୍ଣ ଭାଷାରେ ସତ୍ୟ ଓ ଅସତ୍ୟ, ନୀତି ଓ ଅନୀତି, ନ୍ୟାୟ ଓ ଅନ୍ୟାୟ ମଧ୍ୟରେ ଯେଉଁ ସ୍ବର୍ଗ ନରକର ବ୍ୟବଧାନ ଅବସ୍ଥିତ ତାହା ଦର୍ଶାଇବାରେ ଚେଷ୍ଟିତ। ସପ୍ତଦଶ ଶତାବ୍ଦୀର ଇଂରେଜ ସାହିତ୍ୟିକଙ୍କ ମଧ୍ୟରେ ମାତ୍ର ଦୁଇ ଜଣଙ୍କର ନାମ ଉଲ୍ଲେଖଯୋଗ୍ୟ।

                 ଜନ୍‌ ମିଲଟନ୍‌ ବାଲ୍ୟରୁ ତାଙ୍କ ଜୀବନର ମହତ ଉଦ୍ଦେଶ୍ୟ ଉପଲବ୍ଧି କରିପାରିଥିଲେ ଓ ତାହାର ସମାଧାନ ଲାଗି ଆପଣାକୁ ଉତ୍ସର୍ଗ କରିଥିଲେ। ଜୀବନର ପ୍ରଥମାବସ୍ଥାରେ ବିଦ୍ୟାର୍ଜନ କରିବାରେ ସେ ଏପରି ଉତ୍ସାହୀ ଥିଲେ ଯେ ପଢ଼ୁ ପଢ଼ୁ ତାଙ୍କର ରାତ୍ରି ରାତ୍ରି ଉଜାଗରରେ ବିତିଯାଇଛି। ଅତ୍ୟଧିକ ପଢ଼ିବା ଫଳରେ ତାଙ୍କର ଦୃଷ୍ଟିଶକ୍ତି ଅକାଳରେ ଦୁର୍ବଳ ହୋଇପଡ଼ିଥିଲା, ତଥାପି ସେ ଆପଣାର ବ୍ରତ ପୂର୍ଣ୍ଣ କରିବା ଲାଗି ଏକନିଷ୍ଟ ହୋଇ ପାଣ୍ଡିତ୍ୟ ଅର୍ଜନ କରୁଥିଲେ। ତିରିଶ ବର୍ଷ ବୟସରେ ମିଲ୍‌ଟନ୍‌ ତାଙ୍କର ବିରାଟ ମହାକାବ୍ୟ ପାରାଡାଇସ୍‌ ଲଷ୍ଟ (Paradise lost) ଲେଖା ଆରମ୍ଭ କଲେ। ବାର ସର୍ଗର ଏହି ମହାକାବ୍ୟ ପୃଥିବୀର ସର୍ବଶ୍ରେଷ୍ଠ ମହାକାବ୍ୟମାନଙ୍କ ମଧ୍ୟରେ ସ୍ଥାନ ପାଏ। ଏହାର କଥାବସ୍ତୁ ବାଇବେଲରୁ ଗୃହୀତ, କିପରି ସ୍ବର୍ଗରାଜ୍ୟରେ ସଇତାନ ଓ ଈଶ୍ବରଙ୍କ ମଧ୍ୟରେ ସଂଘର୍ଷ ହେଲା, କିପରି ସଇତାନ ସ୍ବର୍ଗରୁ ବିତାଡ଼ିତ ହେଲା, ଏ ପୃଥିବୀ କିପରି ଆବିଷ୍କୃତ ହେଲା , କିପରି ଆଦିମ ନର ଆଦାମ ଓ ନାରୀ ଈଭ୍‌ ସଇତାନର ପ୍ରଲୋଭନର ବଶବର୍ତ୍ତୀ ହୋଇ ଜ୍ଞାନବୃକ୍ଷର ଫଳ ଖାଇ ଏ ପୃଥିବୀକୁ ହଳାହଳମୟ କରିଦେଲେ। ଏହିସବୁ ଯୁଗର ପ୍ରଭାବ ହେତୁ ଏହି ପୁରାତନ ଧର୍ମ କାହାଣୀ ମୂଳକ ସୃଷ୍ଟିତତ୍ତ୍ବ ମଧ୍ୟରେ ମିଲ୍‌ଟନ୍‌ଙ୍କର କଳ୍ପିତ ନରକ ଓ ସ୍ବର୍ଗ ଆପଣା ସମାଜର ପ୍ରତିଛବି ଧାରଣ କରିଅଛି। ପ୍ରଭୁତ୍ବଲିପ୍‌ସୁ ପରିବେଶ ବିଦ୍ରୋହୀ ସାମନ୍ତ ରୂପରେ ସଇତାନ ଚିତ୍ରିତ ଲୋକହିତୈଷୀ ସ୍ବେଚ୍ଛାଚାରୀ (ଯଥା;କ୍ରମ୍‌ଓୟେଲ୍‌)କୁ  ଆଦର୍ଶ ପୁରୁଷ ବୋଲି କଳ୍ପନା କରି କବି ଈଶ୍ବରଙ୍କର ପ୍ରତିକୃତି ସେହି ଛାଞ୍ଚରେ ଗଢ଼ିଛନ୍ତି। ମିଲଟନ୍‌ ଏହି ମହାକାବ୍ୟରେ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଅଥଚ ଲଳିତ ଭାଷା ପ୍ରୟୋଗ କରି ଅମ୍ରିତାକ୍ଷର ଛନ୍ଦରୁ ଏକ ନୂତନ ଝଙ୍କାର ତୋଳିଛନ୍ତି। ଯାହା ଅଦ୍ୟାବଧି ଇଂରେଜ ସାହିତ୍ୟରେ ଅତୁଳନୀୟ ହୋଇରହିଛି। ଇତି ପୂର୍ବେ ସେକ୍‌ସପିୟର ପ୍ରଭୃତିଙ୍କ କାଳରେ କବିତାର ପ୍ରକାଶଭଙ୍ଗୀ, ଛନ୍ଦ ଓ ଭାଷାରେ ଯେଉଁ ଉତ୍‌ଶୃଙ୍ଖଳା ଦେଖା ହେଇଥିଲା, ମିଲ୍‌ଟନ୍‌ଙ୍କ ପଦ୍ୟରେ ସେ ଉତ୍‌ଶୃଙ୍ଖଳା ନାହିଁ। ମିଲଟନ୍‌ଙ୍କ ଭାଷଣ ସଂଯତ, ଛନ୍ଦ ବିଧିବଦ୍ଧ, ଭାବ ମହତ୍ତ୍ବପୂର୍ଣ୍ଣ ଉଦାର ଓ ଗମ୍ଭୀର। ମିଲ୍‌ଟନ୍‌ଙ୍କ କଳ୍ପନା ଯେପରି ପ୍ରଖର ଥିଲା, ତାଙ୍କର ସୌନ୍ଦର୍ଯ୍ୟବୋଧ ସେହିପରି ଅତି ଉଚ୍ଚକୋଟୀର ଥିଲା। ରାଧାନାଥଙ୍କର ‘ମହାଯାତ୍ରା’ କାବ୍ୟରେ ମିଲଟନ୍‌ଙ୍କର ଏହି କାବ୍ୟର ଛା଼ୟାପାତ ଦେଖିବାକୁ ମିଳେ।

            ୨୭ ବର୍ଷର ଅଧ୍ୟବସାୟରେ  ଲିଖିତ ଏହି ମହାକାବ୍ୟ ରଚିତ ହେବାର ୩ ବର୍ଷ ପରେ ଜଣେ ପ୍ରକାଶକର କୃପା (ନିର୍ବୋଧତା?)ରୁ ଏହା ପ୍ରକାଶ ଲାଭ କଲା। ମିଲ୍‌ଟନ୍‌ ଏହି କାବ୍ୟ ପାଇଁ ନଗଦ ପାଞ୍ଚ ପାଉଣ୍ଡ ପାଇଥିଲେ ଓ ପ୍ରଥମ ତିନି ସଂସ୍କରଣ ବିକ୍ରି ପରେ ପ୍ରତ୍ୟେକ ଥର ପାଞ୍ଚ ପାଉଣ୍ଡ କରି ପାଇବେ ବୋଲି ଚୁକ୍ତି ହୋଇଥିଲା କିନ୍ତୁ ଏହି ମହାକାବ୍ୟର କାଟ୍‌ତି ଏପରି ମାନ୍ଦା ଥିଲା ଯେ ପ୍ରକାଶକଙ୍କୁ ସେଥିଲାଗି ଘୋର ଅନୁତାପ କରିବାକୁ ପଡ଼ିଥିଲା। ମିଲ୍‌ଟନ୍‌ଙ୍କ ମୃତ୍ୟୁପରେ ତାଙ୍କର ସ୍ତ୍ରୀ ଏହି ମହାକାବ୍ୟର ସମସ୍ତ ସ୍ବତ୍ବ ମାତ୍ର ଆଠପାଉଣ୍ଡକୁ ବିକ୍ରି କରି ଦେଇଥିଲେ।

             ମିଲଟନ୍‌ ପରେ ପାରାଡାଇସ୍‌ ଲଷ୍ଟକୁ ଲଗାଇ ଅନ୍ୟ ଏକ ମହାକାବ୍ୟ ରଚନା କଲେ। ପାରାଡାଇସ୍‌ ରିଗେନ୍‌ସ(Paradise Regained) । ଏଥିରେ କିପରି ପାପମାର୍ଗ ପରିତ୍ୟାଗ କରି ମନୁଷ୍ୟ ଖ୍ରୀଷ୍ଟଙ୍କ ଦୃଷ୍ଟମାର୍ଗ ଅନୁସରଣ କରି ପୁନଃ ସ୍ବର୍ଗ ରାଜ୍ୟକୁ ପ୍ରବେଶ କରିବାରେ ସମର୍ଥ ହେଲା, ତାହା ବର୍ଣ୍ଣିତ ହୋଇଅଛି। ଏହି ଗ୍ରନ୍ଥ କିନ୍ତୁ ପୂର୍ବ ମହାକାବ୍ୟର ସମକକ୍ଷ ହୋଇ ପାରିନାହିଁ। ମିଲଟନ୍‌ ଏତଦ୍‌ବ୍ୟତୀତ ଅନ୍ୟାନ୍ୟ କେତେ ଉଚ୍ଚାଙ୍ଗ କବିତା ଲେଖିଯାଇଛନ୍ତି। ମିଲ୍‌ଟନ୍‌ଙ୍କ ସନେଟ୍‌ମାନ ଇଂରେଜ ସାହିତ୍ୟରେ ବିଶିଷ୍ଟ ଆସନ ଅଧିକାର କଲେ। ମହାକବି ସେକ୍‌ସପିୟର ନାଟକ ଲେଖି ଯେଉଁ ପ୍ରତିଷ୍ଠା ଲାଭ କରିଛନ୍ତି। ମିଲଟନ୍‌ ତାହା ପାଇଛନ୍ତି ତାଙ୍କର ମହାକାବ୍ୟ ପାଇଁ।

             ଜାନ୍‌ ବୁନିୟନ୍‌ ଇଂରେଜ ଆବାଳବୃଦ୍ଧଜନିତ ସମସ୍ତଙ୍କ ନିକଟରେ ପରିଚିତ ତାଙ୍କର ପିଲଗ୍ରୀମ୍‌ସ ପ୍ରୋଗ୍ରେସ୍‌(Pilgrims Progress) ନାମକ ପୁସ୍ତକ ଳାଗି। ବୁନିୟନ୍‌ ଉଗ୍ରପନ୍ଥୀ ପ୍ୟୁରିଟାନ୍‌ ଥିଲେ ଓ ତାଙ୍କର ଧର୍ମନୀତି ପ୍ରଚାର କରିବା ଲାଗି ତାଙ୍କୁ ଦୀର୍ଘ କାରାବାସ ଭୋଗ କରିବାକୁ ହୋଇଥିଲା। ଏହି ପୁସ୍ତକ କାରାଗାରରେ ଜନ୍ମଲାଭ କରିଥିଲା। ବାଇବେଲ୍‌ ଗଦ୍ୟ ଦ୍ବାରା ପ୍ରଭାବିତ ସରଳ ପ୍ରାଞ୍ଜଳ ଗଦ୍ୟରେ ଲିଖିତ ଏହି ଗ୍ରନ୍ଥ ସମସ୍ତଙ୍କର ସୁଖପାଠ୍ୟ ହୋଇପାରିଛି।

              ସମସାମୟିକ ଜୀବନରେ ଅବନତ ନୈତିକତାକୁ ଲକ୍ଷ୍ୟକରି ବ୍ୟଥିତ ଲେଖକ ଏହି ପୁସ୍ତକରେ ବିପଥଗାମୀକୁ ସତର୍କବାଣୀ ଶୁଣାଇଛନ୍ତି। ବିଳାସବ୍ୟସନ, ଆଳସ୍ୟ ଓ ଆଡ଼ମ୍ବରକୁ ଇତିପୂର୍ବ ଲେଖକମାନେ ଆଭିଜାତ୍ୟର ଆନୁଷଙ୍ଗିକ ବୋଲି ସେମାନଙ୍କ କାବ୍ୟ ଓ ନାଟକରେ ଚିତ୍ରୁଥିଲେ ତାହାହିଁ ଥିଲା ଆଦର୍ଶ ଜୀବନର ଚିତ୍ର, କିନ୍ତୁ ଏ ଯୁଗ ସେହି ସବୁକୁ ଘୃଣା ଚକ୍ଷୁରେ ଅନାଇବାକୁ ଶିଖିଛି। ମୁକ୍ତିଗାମୀ ମାନବ ଗଣତାନ୍ତ୍ରିକ ଆଦର୍ଶରେ ଭାତୃଭାବାପନ୍ନ ନିଷ୍କପଟ ନାଗରିକର ସରଳ ଜୀବନକୁ ଉତ୍‌କଣ୍ଠ ଜୀବନ ବୋଲି ଜ୍ଞାନ କରିବାକୁ ଶିକ୍ଷାଲାଭ କରିଛି, ଏହି ଗ୍ରନ୍ଥ ତାହାର ଅତି ସ୍ପଷ୍ଟ ପ୍ରମାଣ ଦିଏ।

             ମିଃ ଖ୍ରୀଷ୍ଟିୟାନ୍‌ ଦିନେ ଏକ ଧର୍ମଗ୍ରନ୍ଥ ପଢ଼ି ତାଙ୍କ ମନରେ ଭାବାନ୍ତର ଜାତ ହେବାକୁ ସ୍ବର୍ଗନଗରୀ ମାର୍ଗରେ ଯାତ୍ରୀ ହେଲେ। ପିଠିରେ ତାଙ୍କର ପାପର ଗୁରୁଭାର ମାର୍ଗରେ ବହୁ ବାଧାବିଘ୍ନ, ପାପର ପ୍ରଲୋଭନ ଓ ପ୍ରତିବନ୍ଧକ ଅତିକ୍ରମ କରି ଶେଷରେ ଯେତେବେଳେ ମିଃ ଖ୍ରୀଷ୍ଟିୟାନ ଧର୍ମର ସଙ୍କେଚ କ୍ରୁସ ପାଖରେ ଆସି ପହଞ୍ଚିଲେ, ତାଙ୍କ ଭାର ପିଠିରୁ ଖସିପଡ଼ିଲା। ଏହି ଧର୍ମମୂଳକ ସରଳ ଉପଦେଶାବଳୀକୁ ବୁନିୟନ୍‌ ସହଜ ଏକ ଆଖ୍ୟାୟିକାର ଅବଗୁଣ୍ଠନ ଦେଇ ପଦେ ପଦେ ମାନବିକତାକୁ ଏପରି ଭାବେ ସ୍ପନ୍ଦିତ କରିଛନ୍ତି ଯେ ଗ୍ରନ୍ଥଟି ଉପନ୍ୟାସ ପରି ସରସ ଓ ଚିତ୍ତାକର୍ଷକ ହୋଇପାରିଛି। ଭ୍ରମଣ ବୃତ୍ତାନ୍ତ ବୋଲି ବୁନିୟନ୍ ଯାହା ପାଠକଙ୍କୁ ସରଳ ବିଶ୍ବାସର ଅଭିଭୂତ କରିଛନ୍ତି, ତହିଁରେ ରୂପକଥା-ସୁଲଭ କଳ୍ପନା ବିଳାସ ସହିତ ବାସ୍ତବ ଜୀବନର ଅନୁଭୂତି ଏପରି ନିଖୁଣ ଭାବରେ ଗୁନ୍ଥା ଯେ ଏହି ଗ୍ରନ୍ଥ ଇଂରାଜୀ ସାହିତ୍ୟରେ ଉପନ୍ୟାସର ସୃଷ୍ଟି ପଥରେ ପଥପ୍ରଦର୍ଶକ ହେଲା। 




+ -

© Jataayu Charitable Trust
Site designed,developed & maintained by Tekons