ଇଂରାଜୀ ସାହିତ୍ୟର ଗତିଧାରା




ରଙ୍ଗମଞ୍ଚର ଏହି ଅବସ୍ଥାରେ ରୀତିମତ ନାଟକର ସୃଷ୍ଟି ହୁଏ।  ତଥାପି ନାଟକର ଆଦର ଅତିଶୟ ବ୍ୟାପକ ଥିଲା।

             ଗର୍ବୋଡକ୍‌ ଜାତୀୟ ଜୀବନର ଏକ ଅଧ୍ୟାୟକୁ ଲିପିବଦ୍ଧ କରେ। ଗୋଲାପ ଯୁଦ୍ଧ (War of rose) ସମୟରେ ଇଂଲାଣ୍ଡର ରାଜନୈତିକ ଓ ସାମାଜିକ ଜୀବନକୁ ଭିତ୍ତିକରି ଏହି ନାଟକଟି ରଚିତ। ଇଂଲାଣ୍ଡର ରାଜା ଗର୍ବୋଡକ୍‌ ତାଙ୍କ ଦୁଇ ପୁଅଙ୍କ ମଧ୍ୟରେ ଆପଣାର ରାଜ୍ୟ ବାଣ୍ଟି ଦିଅନ୍ତି। ପୁଅମାନେ କଳି କରିବାରୁ ସାନଭାଇ ବଡଭାଇଙ୍କୁହତ୍ୟା କଲା। ରାଣୀ ବଡ଼ପୁଅକୁ ଅଧିକ ଦେଖିପାରୁଥିଲେ; ତହୁଁ ସେ ସାନପୁଅକୁ ମାରି ଜେଷ୍ଠପୁତ୍ରର ହତ୍ୟାର ପ୍ରତିଶୋଧ ନେଲେ। ଏଥିରେ ଜନସାଧାରଣ ଉତ୍ତ୍ୟକ୍ତ ହୋଇ ବିଦ୍ରୋହ କଲେ ଏବଂ ବୃଦ୍ଧ ରାଜା ଓ ରାଣୀ ଉଭୟଙ୍କୁ ହତ୍ୟା କଲେ। ସାମନ୍ତମାନେ ମିଳିତ ହୋଇ ବିଦ୍ରୋହୀମାନଙ୍କୁ ଧ୍ବଂସ କଲେ, କିନ୍ତୁ ରାଜସିଂହାସନ ଲାଗି କୌଣସି ଉତ୍ତରାଧିକାରୀ ନଥିବାରୁ ସେହି ସାମନ୍ତମାନେ ଆପଣା ଆପଣା ମଧ୍ୟରେ ବିବାଦ କରି ସମଗ୍ର ରାଜ୍ୟକୁ ବିଶୃଙ୍ଖଳିତ କରି ପକାଇଲେ। ଏହି ନୀତିମୂଳକ ନାଟକଟି ପାଞ୍ଚୋଟି ଅଙ୍କରେ ବିଭକ୍ତ। ଗ୍ରୀକ୍‌ ଟ୍ରାଜିଡିର ଅନୁକରଣରେ ପ୍ରତ୍ୟେକ ଅଙ୍କ ଶେଷର ଏକ ନାଟ୍ୟବାଣୀ ବା କୋରାସ୍‌ର ବ୍ୟବସ୍ଥା ଥିଲା। ଏହ ନାଟକଟି ଅମିତ୍ରାକ୍ଷର ଛନ୍ଦରେ କବିତା ଆକାରରେ ଲେଖା। ଏଥିରେ ପ୍ରଥମ ଥର ପାଇଁ ଇଂରେଜୀ ନାଟକ ଏକ ନିର୍ଦ୍ଦିଷ୍ଟ ରୂପ ଲାଭ କଲା।

             ସେହିପରି ଇଟାଲୀୟ ମିଳନାନ୍ତ ନାଟକର ଆଦର୍ଶରେ ଇଂରେଜ ସାହିତ୍ୟରେ ମିଳନାନ୍ତ ନାଟକର ସୃଷ୍ଟି କଲା। ଏହିସବୁ ନାଟକରେ ହାସ୍ୟର ଯେଉଁସବୁ ଉପାଦାନ ପ୍ରଦାନ କରାଯାଉଥିଲା,ତାହା ଅବଶ୍ୟ ମାର୍ଜିତ ରୁଚିର ପରିଚାଳକ ନୁହେଁ, ତଥାପି ଏ ସବୁରେ ଚରିତ୍ର ଚିତ୍ରଣ ଳାଗି ନାଟ୍ୟକାରମାନଙ୍କର ପ୍ରୟାସ ସ୍ପଷ୍ଟ। ଗାମାରଗର୍ଟନ୍‌ର ଛୁଞ୍ଚି ନାମକ ହାସ୍ୟରସାତ୍ମକ ନାଟକର ବିଷୟବସ୍ତୁ ଏହି ଯେ ଗର୍ଡନର ଛୁଞ୍ଚି ହଜିଗଲା। ସେଥିଲାଗି ଘର ତାହାର ପାଳଗଦା ଆଦି ଖୋଲାହେଲା,ଗ୍ରାମରେ ହୁଲସ୍ଥୁଲ ପଡ଼ିଗଲା, ପୁଲିସଠାରୁ ଡାକ୍ତର ପର୍ଯ୍ୟନ୍ତ ସମସ୍ତେ ଏଥିଲାଗି ଅନୁସନ୍ଧାନ ଆରମ୍ଭ କରିଦେଲେ। ଶେଷରେ ଦେଖିଲା ବେଳକୁ ଗାମାରର ମୂଲିଆ ହଜ୍‌ର ମୋଜାରେ ସେହି ଛୁଞ୍ଚିଟା ଲାଗିଯାଇଛି। ଏହି ନାଟକର ବିଷୟବସ୍ତୁ ସାମାଜିକ ଜୀବନର ନିକଟତର ହୋଇଆସିଛି। କିନ୍ତୁ ନାଟକରେ ସାହିତ୍ୟିକ ମାଧୁରୀ ଏ ପର୍ଯ୍ୟନ୍ତ ଫୁଟି ପାରିନାହିଁ।

             ଏହାପରେ ଗ୍ରୀକ୍‌ ସାହିତ୍ୟ ବିଶାରଦ କେତେକ ସାହିତ୍ୟିକ ଯେତେବେଳେ ନାଟକରେ ହାତ ଦେଲେ, ଆମେ ପ୍ରଥମଥର ପାଇଁ ଇଂରେଜ ସାହିତ୍ୟରେ ଉଚ୍ଚଧରଣର ନାଟକର ସନ୍ଧାନ ପାଇଁ । ଏହି ନାଟ୍ୟକାରମାନଙ୍କ ମଧ୍ୟରୁ ମାର୍ଲୋ,ଗ୍ରୀନ୍‌,ଲିଲି,ପିଲ୍‌,ଲଜ୍‌ ଓ ନାସଙ୍କର ନାମ ପ୍ରଧାନ।ଗ୍ରୀକ୍‌ ନାଟକମାନଙ୍କର ତିନି ଐକ୍ୟ (Three Unities) ରୀତି ପାଳନ କରାଯାଏ; ନାଟକୀୟ ବସ୍ତୁ ଏକଦିନ ମଧ୍ୟରେ ଏବଂ ଏକ ସ୍ଥାନରେ ସମ୍ପନ୍ନ ହୁଏ ଏବଂ ସମସ୍ତ କାର୍ଯ୍ୟ (action) ର ଏକ ସମନ୍ବୟ ଥାଏ। ଏହାଦ୍ବାରା ନାଟକୀୟ କଥାବସ୍ତୁର ପରିସର ନିରୂପିତ ହୋଇଯାଏ। ଏଥିପୂର୍ବରୁ ଇଂରେଜ ନାଟ୍ୟକଳାରେ ସେମିତି ପ୍ରକାର କୌଣସି ବିଶିଷ୍ଟ ରୀତି ଅନୁସୃତ ହେଉନଥିଲା। ବିଭିନ୍ନ ଦୃଶ୍ୟ ମଧ୍ୟରେ କାଳ ଓ ସମୟର ବ୍ୟବଧାନ ନଥିଲା। ଏହା ଆଗରୁ ଇଂରେଜ ସାହିତ୍ୟରେ ଯେଉଁସବୁ ନାଟକ ଲେଖାଯାଇଥିଲା,ତାହା କେବଳ କେତେକ ଦୃଶ୍ୟମାନଙ୍କ ଏକତ୍ର ସମାବେଶ। ଏହାଦ୍ବାରା ନାଟକର ରସ ଗ୍ରହଣପକ୍ଷେ ଦର୍ଶକମାନଙ୍କୁ କଳ୍ପନାର ଆୟାସ ପ୍ରୟୋଗ କରିବାକୁ ହେଉଥିଲା, ନାଟକ ଗୁଡ଼ିକର ସାହିତ୍ୟିକ ମର୍ଯ୍ୟାଦା ସେହିପରି ଅତି ନିମ୍ନ ସ୍ରରର ଥିଲା। ନାଟ୍ୟକାର ପ୍ରଥମେ ବିଷୟବସ୍ତୁ, ଚରିତ୍ରଚିତ୍ରଣ, ରୀତି ଓ ଶୈଳୀ ଦିଗରୁ ନାଟକକୁ ରୂପାନ୍ତର ପ୍ରଦାନ କରନ୍ତି। ନାଟକର ବିଷୟବସ୍ତୁକୁ ଉଦାର ଓ ମହତ୍‌ କରିବାକୁ ବାଇବେଲ୍‌ର ଅନୁକରଣରେ କ୍ଷୁଦ୍ର ଉପାଖ୍ୟାନ ତଥା ମୋରାଲ୍‌ଟି ନାଟକର ବିଷୟବସ୍ତୁ ଗଠିତ ହେଉଥିଲା। ଅନ୍ୟ ପକ୍ଷରେ ଇଣ୍ଟର୍‌ଲ୍ୟୁଡ଼ ନାଟକମାନଙ୍କରେ ବିଷୟବସ୍ତୁ ମର୍ଯ୍ୟାଦା ରକ୍ଷା କରାଯାଉନଥିଲା। ମାର୍ଲେଙ୍କର ବିଷୟବସ୍ତୁ ହେଲା ବିଶ୍ବବିଜୟୀ ତୈମୁରଲଙ୍ଗ, ଅଳଙ୍କାର ପିପାସୁ  ଫଷ୍ଟ, ବିପୁଳ ଧନପତି ବାରାବସ। ହୃଦୟର ଗଭୀର ଭାବରାଶିକୁ ସ୍ଫନ୍ଦିତ କରି ସେ ମନୁଷ୍ୟର ଉଚ୍ଚତମ ଅଭିଳାଷ ଓ ହୀନତମ ପତନର ଚିତ୍ର କରିବାର ପ୍ରୟାସର ଚିତ୍ର କରିବାରର ପ୍ରୟାସ କଳ୍ପନାର ତୂଳୀରେ ତାଙ୍କର ଚରିତ୍ରମାନ ବିଶାଳ ଆକାରର ଧାରଣ କରିଥିଲେ ସୁଦ୍ଧା, ସେମାନେ ଆଉ ନିର୍ଜୀବ ପ୍ରାୟ ହୋଇ ରହିଲେ ନାହିଁ। ମନୁଷ୍ୟର ଭାବରାଶି ପରି ସେମାନେ ପରିଚାଳିତ, ପୁଲକିତ, ଉତ୍‌କ୍ଷିପ୍ତ । ସେ ତାଙ୍କର ଚାରୋଟି ପ୍ରସିଦ୍ଧ ନାଟକ (୧) ତୈମୁରଲଙ୍ଗ, (୨) ଫାଷ୍ଟସ୍‌, (୩) ମାଲାଟାର ଇହୁଦୀ, (୪) ଏଡୁଆଡ଼ରେ ଅମିତ୍ରାକ୍ଷର ଛନ୍ଦର ଆଶ୍ରୟ ନେଇଥିଲେ।

             ତାଙ୍କ ଲେଖନୀରେ ଏପରି ସାବଲୀଳ ହେଲା ଯେ ଏ ଯୁଗର ପ୍ରାୟ ସମସ୍ତ ନାଟକ ସେହି ଅମ୍ରିତାକ୍ଷରରେ ଳେଖାହେଲା। ମାର୍ଲୋଙ୍କ ଲେଖାମାନ କଳ୍ପନାର ଅତିଶଯ୍ୟ ଦୋଷରେ ଦୂଷ୍ଟ ହେଲେ ମଧ୍ୟ ତାଙ୍କର ସୌନ୍ଦର୍ଯ୍ୟବୋଧ ଅତି ସୂକ୍ଷ୍ମ ଥିଲା ଓ ତାଙ୍କର ଲେଖାମାନ ଅତି ଶକ୍ତିଶାଳୀ ଥିଲା। ମାର୍ଲୋଙ୍କ ନାଟକ ମାନଙ୍କର ଛାୟା ତାଙ୍କ ସମସାମୟିକ ନାଟ୍ୟକାରମାନଙ୍କ ଉପରେ ବିଶେଷ ଭାବେ ପଡ଼ିଛି, ବିଶେଷତଃ ସେକ୍‌ସପିଅରଙ୍କ ଉପରେ । ମାର୍ଲୋ ନାଟକକୁ ଏକ ସ୍ଥାୟୀ ରୁଚି ଦେଇଗଲେ ଏବଂ ଅତଃପର ଭାରବେ ମାର୍ଲୋଙ୍କର ପ୍ରଦର୍ଶିତ ପଥରେ ଯାଇ ବିଶ୍ବ କବି ସେକ୍‌ସପିଅର ନିଜର ଖ୍ୟାତି ଅର୍ଜନ କଲେ। ଏଥିଲାଗି ମାର୍ଲୋଙ୍କୁ ଇଂରେଜ ନାଟକର ଆଦିଗୁରୁ (Father of English drama) ଆଖ୍ୟା ପ୍ରଦାନ କରାଯାଏ।

             ଏ କାଳର ଜୀବନରେ ତଥା ସାହିତ୍ୟରେ କଳ୍ପନାର ଏକାନ୍ତ ବିଳାସ ପରିଲକ୍ଷିତ ହୁଏ। ବାସ୍ତବତାର ଗଦ୍ୟମୟ ସଂକୀର୍ଣ୍ଣ ପରିସର ଏ ଯୁଗର ମୁକ୍ତିକାମୀ ଆଶାୟୀ ଅଭିଳାଷୀମାନବକୁ କୌଣସି ପ୍ରକାରେ ସନ୍ତୁଷ୍ଟ କରପାରିନଥିଲେ। ତେଣୁ ଆମେ ନାଟକରେ ତଥା ଅନ୍ୟତ୍ର ବହୁ ଅବାସ୍ତବ ବିଷୟରେ ଅବତାରଣା ପାଉଁ ଏବଂ ଏହି ଅବାସ୍ତବ ଅଲୌକିକ ଓ କାଳ୍ପନିକ ବିଷୟବସ୍ତୁ ଜରିଆରେ ନାଟ୍ୟକାର ଓ ସାହିତ୍ୟିକମାନେ ସେମାନଙ୍କର ପାଠକ ଓ ଦର୍ଶକମାନଙ୍କୁ ଅତ୍ୟନ୍ତ ସମ୍ଭାବନାର ଇଙ୍ଗିତ ଦେଉଥିଲେ। ସେହି ଯୁଗକୁ ରୋମାଣ୍ଟିକ୍‌ ଯୁଗ ବୋଲି ତେଣୁ ବୋଲାଯାଏ। ଏହା ଇଂରାଜୀ ସାହିତ୍ୟରେ ଏ ସୁବର୍ଣ୍ଣ ଅଧ୍ୟୟ।   




+ -

© Jataayu Charitable Trust
Site designed,developed & maintained by Tekons