ଇଂରାଜୀ ସାହିତ୍ୟର ଗତିଧାରା




ଇଂରେଜୀ ସାହିତ୍ୟର ଗତିଧାରା (୫)

ନବଜ୍ଞାନାଲୋକ (୧୪୦୦-୧୬୬୦)

             ଚଶରଙ୍କ ମୃତ୍ୟୁ ପରେ ବହୁ ବର୍ଷ ଧରି ଇଂରେଜ ସାହିତ୍ୟର ପୃଷ୍ଠାରେ ରେଖାପାତ ହୋଇନାହିଁ। କିନ୍ତୁ ଏହା ଭାଷାର ପୂର୍ବ ତମିସ୍ରାର ବହୁଳତା ମାତ୍ର।

             ଦ୍ବାଦଶ ଶତାବ୍ଦୀରେ ଯେଉଁ ସାମନ୍ତବାଦ Feudalism ଇଂଲାଣ୍ଡର ସାମାଜିକ ଜୀବନର ମେରୁଦଣ୍ଡ ହୋଇ ଶିକ୍ଷା ଓ ସଭ୍ୟତା,ସଂସ୍କୃତି ଓ ବିକାଶ ପଥରେ ଭାଷାକୁ ଉଜ୍ଜୀବିତ କରିଥିଲା, ପଞ୍ଚଦଶ ଶତାବ୍ଦୀରେ ସେହି ସାମନ୍ତବାଦର ରୁଗ୍‌ଣ କୁତ୍ସିତ କଙ୍କାଳ ଜାତିର ଚକ୍ଷୁଶୂଳ ହୋଇ ଉଠିଲା। ଇଂଲାଣ୍ଡର ରାଜନୈତିକ କ୍ଷେତ୍ରରେ ସାମନ୍ତ ସାମନ୍ତଙ୍କ ମଧ୍ୟରେ ନାନା ଚକ୍ରାନ୍ତ,ଈର୍ଷା, ବିଦ୍ବେଷ, ଷଡଯନ୍ତ୍ର ଓ ଯୁଦ୍ଧ ନାଗରିକ ଜୀବନକୁ ଅଶାନ୍ତ କରି ଦେଇଥିଲା। ତେଣୁ ଫ୍ରାନ୍ସ ସହିତ ବହୁ ବର୍ଷ ବ୍ୟାପି ନିରର୍ଥକ ସମର ଦ୍ବାରା ଇଂଲାଣ୍ଡର ଶାସନ ଦୁର୍ବଳ ହୋଇପଡ଼ିଲା। ଅଜସ୍ର ଯୁଦ୍ଧଦ୍ବାରା ରାଜା ଓ ରାଜ୍ୟର ଶକ୍ତି ଦୁର୍ବଳ ହୋଇଗଲା ଏବଂ ଜନସାଧାରଣ ମଧ୍ୟ ଦୁର୍ବଳ ହୋଇପଡ଼ିଲେ। ଜନସାଧାରଣଙ୍କର ଯୁଦ୍ଧ ଓ ବିଜୟ ଲାଗି ଉତ୍ସାହ ଥିଲା କମ୍‌। ବ୍ୟବସାୟର ପ୍ରସାର, ଧନ ବୃଦ୍ଧି ଓ ନାଗରିକ ଜୀବନରେ ଶାନ୍ତିଶୃଙ୍ଖଳାହିଁ ସେମାନଙ୍କର ଥିଲା କାମ୍ୟ । ଯେତେବେଳେ ସାମନ୍ତ ସାମନ୍ତ ମଧ୍ୟରେ ବିବାଦର ଧୂଳି ଉଡୁଥିଲା, ମଧ୍ୟବିତ୍ତ ଶ୍ରେଣୀ-କୃଷକ ଓ ବଣିକ-ସେହି ଗଣ୍ଡଗୋଳରୁ ବିଜୟ ଉଲ୍ଲାସ ବୃଥା ଆଡ଼ମ୍ବରରୁ ଦୂରରେ ରହି ଆପଣାର ଭାଗ୍ୟ ଗଢ଼ୁଥିଲେ।ସମୃଦ୍ଧିଶାଳୀ ମଧ୍ୟବିତ୍ତ ଜନସାଧାରଣଙ୍କ ସମ୍ମୁଖରେ ଉଚ୍ଛନ୍ନ ସାମନ୍ତକୂଳ ହୀନପ୍ରଭ ହୋଇପଡ଼ିଲେ। ରାଜଶକ୍ତିଠାରୁ ମଧ୍ୟବିତ୍ତ ଶ୍ରେଣୀ ଆପଣାର ମୁକ୍ତି କ୍ରମଶଃ ହାସଲ କରିବାକୁ ଲାଗିଲେ। ସମାଜରେ ଏହି ନୂତନ ସଂପ୍ରଦାୟର ଆଧିପତ୍ୟ ଜାତୀୟ ଜୀବନରେ ଉନ୍ନତି ସ୍ରୋତ ଆଣିଦେଲା। ସାମନ୍ତମାନେ ଉଦ୍ଧତ ପ୍ରକୃତିର ଥିଲେ,ରଣର ଉନ୍‌ମାଦନ ତାଙ୍କଠାରେ ଗଭୀର ଥିଲା; ଅପର ଦେଶମାନଙ୍କ ସହିତ ଯୁଦ୍ଧରେ ରତ ହେବାରେ ଥିଲା ସେମାନଙ୍କ ମହାଆନନ୍ଦ। ଧନିକ ମଧ୍ୟବିତ୍ତ ଶ୍ରେଣୀର ଯେଉଁ ବ୍ୟକ୍ତିମାନେ ରାଜଅନୁଗ୍ରହ  ଲାଭ କରି ରାଜ୍ୟ ଶାସନରେ କୌଣସି ଉଚ୍ଚପଦ ପାଇଲେ, ସେମାନେ ରାଜାଙ୍କର ଅଧିକ ଅନୁଗତ ହେଲେ। ଦେଶର ବାଣିଜ୍ୟ ବୃଦ୍ଧି କରିବା, ଦେଶରେ ଶାନ୍ତିମୟ ଜୀବନଯାପନ କରିବା ଲାଗି ଉପଯୁକ୍ତ ବାୟୁମଣ୍ଡଳ ସୃଷ୍ଟି କରିବା ହେଲା ସେମାନଙ୍କର ଉଦ୍ଦେଶ୍ୟ। ବ୍ୟକ୍ତିଗତ ସ୍ବାଧୀନତା, ଜ୍ଞାନର ପ୍ରସାର, ବିଜ୍ଞାନ ଓ କଳାର ଚର୍ଚ୍ଚା-ଏହାକୁ ଜୀବନ୍ତର ମୂଲ୍ୟବାନ ବସ୍ତୁ ବୋଲି ମଧ୍ୟବିତ୍ତ ଶ୍ରେଣୀ ସଂଭ୍ରାନ୍ତ ବ୍ୟକ୍ତିମାନେ ଜ୍ଞାନ କଲେ।

             ନୂଆ ଅନୁଭୂତିର ଶିହରଣରେ ମନ ଓ ପ୍ରାଣ ଉଦ୍‌ବେଳ ହୋଇପଡ଼େ, ଯାହା ଗତାନୁଗତିକ, ଯାହା ଜ୍ଞାନ, ତାହାର ସୀମା ଅତିକ୍ରମ କରି ମନୁଷ୍ୟ ନୂତନର ସନ୍ଧାନ ପ୍ରୟାସୀ ହୁଏ। ନବଜାଗରଣରେ ଜନସାଧାରଣଙ୍କ ମନରେ ଯେଉଁ ଉଚ୍ଛନ୍ନ ଭାବ ଜାଗ୍ରତ ହୋଇଥିଲା, ଯେଉଁ ସଦ୍ଧିତ୍ସା ଜାତ ହେଲା ତାହାର ବାବର୍ତ୍ତୀ ହୋଇ ୧୯୪୨ ମସିହାରେ କଲମ୍ବସ୍‌ ଆଟ୍‌ଲାଣ୍ଟିକ ମହାସାଗର ବାଟେ ଭାରତକୁ ନୌପଥ ଅନ୍ବେଷଣ କରୁ କରୁ ଆମେରିକା ଆବିଷ୍କାର କରନ୍ତି। ୧୯୪୮ମସିହାରେ ଭାସ୍‌କୋଡାଗାମା ଉତ୍ତମାଶା ଅନ୍ତରୀୟ ବାଟେ ଭାରତକୁ ନୌପଥ ଆବିଷ୍କାର କଲେ।

              ପଞ୍ଚଦଶ ଶତାବ୍ଦୀର ଶେଷଭାଗକୁ ଏହିପରି କେତେକ ଘଟନା ଘଟିଲା, ଯାହାର ଛାୟା ସାରା ୟୁରୋପର ସାମାଜିକ, ରାଜନୈତିକ, ଆର୍ଥିକ ଓ ଆଧ୍ୟାତ୍ମିକ ଜୀବନ ଉପରେ ଗଭୀର ଭାବେ ପଡ଼ିଲା। 

              ୧୪୫୩ ଖ୍ରୀଷ୍ଟାବ୍ଦରେ ଟର୍କମାନେ ଖ୍ରୀଷ୍ଟଧର୍ମର ପ୍ରଧାନ ଧର୍ମପୀଠ କନଷ୍ଟାଣ୍ଟିନୋପଲ ଦଖଲ କରିଯିବା ଫଳରେ ସେଠାରେ ଥିବା ବହୁ ଗ୍ରୀକ୍‌ ପଣ୍ଡିତ ସେମାନଙ୍କର ଗ୍ରନ୍ଥ ଧରି ୟୁରୋପର ବିଭିନ୍ନ ଦେଶକୁ ପଳାୟନ କଲେ। ଏହାଫଳରେ ସମଗ୍ର ୟୁରୋପରେ ଗ୍ରୀକ୍‌ ଗ୍ରନ୍ଥମାନଙ୍କର ଆଲୋଚନା ପ୍ରସାର ଲାଭ କଲା ଏବଂ ସର୍ବତ୍ର ଏକ ସାଂସ୍କୃତିକ ଜାଗରଣ ପରିଦୃଷ୍ଟ ହେଲା। ଏଥିପୂର୍ବେ ୟୁରୋପର ଜନସାଧାରଣ ଉନ୍ନତ ଓ ବହୁମୁଖୀ ଗ୍ରୀକ୍‌ଗ୍ରନ୍ଥ ବା ଗ୍ରୀକ୍‌ସଂସ୍କୃତି ସହିତ ସମ୍ୟକ୍‌ ଭାବେ ପରିଚିତ ହେବାର ସୁଯୋଗ ପାଇନଥିଲେ। ଗୀର୍ଜାର ଧର୍ମଯାଜକ ମାନଙ୍କ ଜରିଆରେ ରୋମର ଶିକ୍ଷା ଓ ସଂସ୍କୃତି ଅଜ୍ଞତାର ପରିବ୍ୟାପ୍ତ ଅନ୍ଧକାର ମଧ୍ୟରେ ଏକମାତ୍ର କ୍ଷୀଣ ଆଲୋକ ରେଖାପାତ କରୁଥିଲା। ବର୍ତ୍ତମାନ ପ୍ରଥମ ଥର ଲାଗି ଜନସାଧାରଣ ଶିକ୍ଷାର ନବ ଆଲୋକ ପ୍ରାପ୍ତ ହେଲେ, ସ୍ଥାନେ ସ୍ଥାନେ ବିଦ୍ୟାଳୟମାନ ବସିଲା, ବିବିଧ ଗ୍ରନ୍ଥମାନଙ୍କର ଆଲୋଚନା ଚାଲିଲା। ଏହି ସାଂସ୍କୃତିକ ନବ ଜାଗରଣ ଫଳରେ ଚିନ୍ତା ମୁକ୍ତତର ହେଲା, ଲୋକମାନଙ୍କ ମନରେ ଜ୍ଞାନପିପାସା ବୃଦ୍ଧି ଲାଭ କଲା, ଫଳତଃ ସାମାଜିକ ଜୀବନରେ ରୂପାନ୍ତର ସଂଗଠିତ ହେଲା। ଏହି ଜାଗରଣ ଜର୍ମାନୀରେ ଆତ୍ମପ୍ରକାଶ କଲା ଧର୍ମସଂସ୍କାର ରୂପରେ। ଇତାଲିରେ ତାହାର ଆକାର ଧାରଣା କଲା ଭୋଗବିଳାସର ଉପାସନାରେ। ଇଂଲାଣ୍ଡ ଉପରେ ଏ ଯୁଗରେ ଜର୍ମାନ୍‌ ଯେତେ ପ୍ରଭାବ ବିସ୍ତାର କରିଅଛି, ତାହା ଅପେକ୍ଷା ଅଧିକ ଛାୟାପାତ କରିଛି ଇତାଲୀୟ ଜୀବନ ଓ ଆଦର୍ଶ, ଭାବ ଓ ରୀତି।

               ଯେତେବେଳେ ରାଜ୍ୟର ତଦାନିନ୍ତନ ପ୍ରଧାନ ଲୋକ-ସାମନ୍ତମାନେ ବିବାଦରେ ପରସ୍ପରଙ୍କୁ ଧ୍ବଂସ କରିବାରେ ବ୍ୟସ୍ତ, ଲଣ୍ଡନର ଏକ ଅପରିଚ୍ଛନ୍ନ ଗୃହକୋଣରେ ଜଣେ ଅକିଂଚନ ବ୍ୟକ୍ତି ଭବିଷ୍ୟତ ଇଂରେଜ ସାହିତ୍ୟକୁ (ଇଂରେଜ ଜୀବନକୁ ବି) ବିଶ୍ବରୂପ ଦେଉଥିଲା-ତାଙ୍କ ନାମ ଉଇଲିୟମ୍‌ କାକ୍‌ସଟନ୍‌।ଫ୍ରାନ୍ସରେ ଜୀବନର ପ୍ରଥମ ଭାଗ କଟାଇ ଦେଶକୁ ଫେରିଲା ବେଳକୁ ସେ ଏକ ଛାପାକଳ ଆଣିଥିଲେ। ତାହାହିଁ ଇଂଲାଣ୍ଡର ପ୍ରଥମ ଛାପାକଳ (୧୪୭୬ଖ୍ରୀଷ୍ଟାବ୍ଦ)। ଏ ସମୟରେ ଛାପାକଳରେ ଛାପା ହେବାର ପ୍ରଣାଳୀ ଥିଲା କାଠବସ୍ତାରେ ଅକ୍ଷର ଖୋଦିତ କରି। ତଥାପି ହାତଲେଖାଠାରୁ ଏହା ଅଧିକ ସୁବିଧାଜନକ, ସହଜ ଏବଂ ଶସ୍ତା ଥିଲା। ଏଥିପୂର୍ବେ ଅଳ୍ପଦିନ ଆଗରୁ କାଗଜର ଉଦ୍‌ଭାବନ ହୋଇଯାଇଥାଏ। ଏହି ଛାପାକଳର ପ୍ରଚଳନ ଦ୍ବାରା ସର୍ବସାଧାରଣଙ୍କ ଲାଗି ଜ୍ଞାନର ଦ୍ବାର ଖୋଲିଗଲା, ସମସ୍ତେ ପଢ଼ିବାର ସୁଯୋଗ ପାଇଲେ। ମଧ୍ୟଯୁଗର ପାଣ୍ଡିତ୍ୟର ଏକଚାଟିଆ ବାଣିଜ୍ୟ ଆଉ ଏଣିକି ଚଳିବାର ନୁହେଁ।

               ଜ୍ଞାନର ଆଲୋକ ଥରେ ଜଳି ଉଠିଲେ, ଅନ୍ଧାର ଆପେ ଆପେ ଅପସରି ଯାଏ। ଇଂଲାଣ୍ଡର ଚାରିଆଡ଼େ ସ୍କୁଲ, କଲେଜ ପ୍ରତିଷ୍ଠିତ ହେଲା ଏବଂ ତତ୍‌ସହିତ ଶିକ୍ଷା ଓ ଛାପାକଳର ପ୍ରଚଳନ ପରେ ଇଂରେଜୀ ଭାଷାରେ ଗଦ୍ୟସାହିତ୍ୟର ଆଦର ବଢ଼ିଲା। କିନ୍ତୁ ଏ ସମୟ ଥିଲା ଗଦ୍ୟର ଶୈଶବ ଅବସ୍ଥା । ଗଦ୍ୟ କୌଣସି ନିର୍ଦ୍ଦିଷ୍ଟ ରୂପ ଗ୍ରହଣ କରି ନଥାଏ। ଏ ଯୁଗରେ ବି ପଣ୍ଡିତମାନେ ଚିରାଚରିତ ପ୍ରଥା ଅନୁସାରେ ଲାଟିନ୍‌ ଭାଷାରେ ଗଦ୍ୟ ଲେଖିବାକୁ ଶ୍ରେୟସ୍କର ମନେକରୁଥିଲେ, କିନ୍ତୁ ଏ ରୀତି ବିରୁଦ୍ଧରେ ଜନମତ ସୃଷ୍ଟି ହୋଇଉଠିଲା। ମାତୃଭାଷା ପ୍ରତି ଏ ପ୍ରକାର ଅବଜ୍ଞାରେ କ୍ଷୁବ୍ଧ ହୋଇ ମୁର୍‌ ଲେଖିଥିଲେ “ଆପଣାର ଭାଷାକୁ ହେୟ ବୋଲିବା ଅଦ୍ଭୁତ କଥା ନୁହେଁ।…କେହି କେହି କହେ ସେ ଆମ ଭାଷାରେ ଯଥେଷ୍ଟ ଶବ୍ଦପୁଞ୍ଜ ନାହିଁ, ତେବେ ତାକୁ ଏତିକି ଉତ୍ତର ଦିଆଯାଇପାରେ ଯେ ଯେଉଁ ଭାଷା ସାହାଯ୍ୟର ଆମେ ଆପଣା ଆପଣା ମଧ୍ୟରେ କଥାଭାଷା କରିପାରୁଛୁ, ସେ ଭାଷା ମାଧ୍ୟମରେ ମନର ଭାବକୁ ପ୍ରକାଶ କରିବା ଲାଗି ତାହା ସମୃଦ୍ଧ ନିଶ୍ଚୟ।” ମୁର୍‌ ଆପେ ତାହାଙ୍କର ବିଖ୍ୟାତ ପୁସ୍ତକ ‘ୟୁଟୋପିଆ’ ଇତାଲୀୟ ଭାଷା ଲେଖିଲେ। ଯାହାହେଉ, ଜାତୀୟତାବୋଧରେ ଇଂରେଜମାନେ ଉଦ୍‌ବୁଦ୍ଧ ହୋଇଥିଲେ। ଲାଟିନ୍‌ ସାହିତ୍ୟର ପ୍ରଧାନ ପୃଷ୍ଠପୋଷକ ଗୀର୍ଜାରେ ମଧ୍ୟ ଲାଟିନ୍‌ ବାଇବେଲ୍‌ ପରିବର୍ତ୍ତେ ତହିଁର ଇଂରେଜୀ ଅନୁବାଦ ପ୍ରଚଳିତ ହେଲା(୧୫୪୦)।

                  ଗଦ୍ୟର ପ୍ରସାର ସାହିତ୍ୟରେ ଉପନ୍ୟାସ ସୃଷ୍ଟି ଲାଗି ପଥ ସୁଗମ କରିଦେଲା। ଏଥିପୂର୍ବେ ଗଳ୍ପ ରଚନା କରୁଥିଲେ ଭାଟମାନେ, ସେମାନଙ୍କ ହାତରେ ଗଳ୍ପସାହିତ୍ୟ ଅତ୍ୟନ୍ତ ଅପରିମାର୍ଜିତ ରୂପ ଧାରଣ କରିଥିଲା। ‘ଚଶରଙ୍କ କଥାମାଳା’ ରେ ପ୍ରଥମେ ମଧ୍ୟଯୁଗର ଗଳ୍ପଗୁଡ଼ିକ ସାହିତ୍ୟର ରଙ୍ଗିନ୍‌ ତୂଳିକା ସ୍ପର୍ଶରେ ରୁଚିକର ହେଲା। କାକ୍‌ସଟନ୍‌ ତତ୍ପରେ ଯେତେବେଳେ ମାଲେରୀଙ୍କ ରଚିତ ମାର୍ଟେଡ଼ ଆର୍‌ଥର୍‌ (MARTED ARTHUR) ନାମକ ଦୀର୍ଘ ପୁରାଣ ପ୍ରକାଶ କରନ୍ତି, ତାହା ଗଳ୍ପ ସାହିତ୍ୟକୁ ଆହୁରି ଏକ ସୋପାନ ଉପରକୁ ଉଠାଇନେଲା। ଅଦ୍ଭୁତ ଓ ଅପାର୍ଥିବ ବହୁ କାହାଣୀ ସମାବେଶରେ ରଚିତ ଏହି ପୁସ୍ତକ ମଧ୍ୟଯୁଗର କଳ୍ପନା ବାହୁଲ୍ୟ ପ୍ରକାଶ କରେ। ଏହା କିନ୍ତୁ ଗଦ୍ୟରେ ଲେଖା ଥିଲା। ଏହି ଗଳ୍ପ ଗୁଡ଼ିକର ବିଶେଷତ୍ବ ଥିଲା ମନୁଷ୍ୟର ପାର୍ଥିବ ଅନୁଭୂତିକୁ ସ୍ପର୍ଶ କରିବାରେ , ମଣିଷର ପ୍ରେମ ଓ ଆକାଂକ୍ଷା, ଦୁଃଖ ଓ ବେଦନାକୁ ବ୍ୟକ୍ତ କରିବାରେ। ଉପନ୍ୟାସ ମାନବର ବାସ୍ତବ ଅନୁଭୂତିକୁ ରୂପଦିଏ। ପରବର୍ତ୍ତୀ ଯୁଗରେ ଯେଉଁ ଉପନ୍ୟାସ ସାହିତ୍ୟରେ ଏକ ପ୍ରଧାନ ସ୍ଥାନ ମାଡ଼ିବସିଲା, ତାହାର ଆଭାସ ମଧ୍ୟଯୁଗର ଏହି କିମ୍ଭୁତ କିମାକାର କାହାଣୀରେ ମିଳେ।




+ -

© Jataayu Charitable Trust
Site designed,developed & maintained by Tekons