ଇଂରାଜୀ ସାହିତ୍ୟର ଗତିଧାରା




ଇଂରେଜୀ ସାହିତ୍ୟର ଗତିଧାରା (୧)

ପ୍ରାଚୀନ ଯୁଗ

        ଜୀବନର ବିକାଶରେ ପରିସ୍ଥିତି  ହାତ ବରାବର ରହିଥାଏ।  ଯେ କୌଣସି ଜାତିର ଦୃଷ୍ଟିକୋଣ, ଚିନ୍ତା ଓ ଭାବଧାରା ଏହି ପରିସ୍ଥିତି ଦ୍ବାରା       ଅନେକ ପରିମାଣରେ ନିୟନ୍ତ୍ରିତ ହୋଇ ଆତ୍ମପ୍ରକାଶ କରେ। ତେଣୁ କୌଣସି ଜାତିର ପରିଚୟ ପାଇବାକୁ ହେଲେ ଆମ ତା’ର ଭୂଗୋଳ ଓ ଇତିହାସକୁ ଅବଜ୍ଞା କରିପାରିବା ନାହିଁ। ଇଂରେଜୀ ସାହିତ୍ୟ ଯେଉଁ ପ୍ରାଣସ୍ପନ୍ଦନକୁ ଲିପିବଦ୍ଧ କରିଛି, ଯେଉଁ ଆଶା ଆକାଙ୍କ୍ଷା, ଯେଉଁ ଆଦର୍ଶ ବା ଅନୁଭୂତିକୁ ପ୍ରକାଶ କରିଛି, ତାହା ବୁଝିବାକୁ ହେଲେ ଆମେ ସେ ଦେଶର ପାଣିପବନ, ସେ ଦେଶର ପ୍ରାକୃତିକ ଦୃଶ୍ୟ, ସେ ଜାତିର ଉତ୍‌ଥାନ ପତନ, ସେ ସମାଜର ଆଚାର ବ୍ୟବହାର,ପ୍ରବାହ ଓ ସଂକଟ ଓ ପାରିପାର୍ଶ୍ବିକ ପ୍ରଭାବ ପ୍ରତି ଅବହେଳା ପ୍ରକାଶ କରି ନ ପାରୁ।

        ୟୁରୋପ ମହାଦେଶର ପଶ୍ଚିମରେ ଆଟଲାଣ୍ଟିକ୍‌ ମହାସାଗରର ଏକ ପ୍ରାନ୍ତରେ ଏକ ଦ୍ବୀପ ଇଂଲାଣ୍ଡ,ଆୟତନରେ ବଙ୍ଗ ପ୍ରଦେଶ ଭଳି। ଚାରିପାଖେ ଦରିଆ। ସେ ଦେଶରେ କୌଣସି ଉନ୍ନତ ଉଦାର ଗିରିମାଳା ନାହିଁ କିମ୍ବା ଦୀର୍ଘପ୍ରବାହିତା ନଦୀ ନାହିଁ। ସ୍ବଚ୍ଛ ଚାଷଜମି ନେଇ ସେ ଦେଶର ଲୋକେ ମେଷ ପାଳିବାକୁ ଜୀବନର ପ୍ରଧାନ ଅବଲମ୍ବନ କରିଥିଲେ। ସେ ଦେଶର ଆକାଶ ଅଧିକାଂଶ ବେଳେ ମେଘାଚ୍ଛନ୍ନ,ସୂର୍ଯ୍ୟଙ୍କର ସୁନେଲି କିରଣ ତହିଁ ମୂଲ୍ୟବାନ ଚନ୍ଦ୍ରର ରଜତକାନ୍ତି କୂହେଳିକାର ପରପାରରୁ ମଳିନ ଦିଶେ। ଶୀତ ଦିନରେ ଇଂଲାଣ୍ଡ ବରଫରେ ଛାଇ ହୋଇଯାଏ। ଅଳ୍ପ ଯେ କେତେକ ବୃକ୍ଷଲତା, ସେସବୁ ପତ୍ରଝଡ଼ା ଦେଇ ଗ୍ରୀଷ୍ମକାଳକୁ ଅପେକ୍ଷା କରି ରହନ୍ତି। ଗ୍ରୀଷ୍ମକାଳରେ ବରଫ ତରଳେ, କ୍ଷେତରେ ଶସ୍ୟ ଛିଡ଼ା ହୁଏ, ତରୁଲତା ପୁଣି ପଲ୍ଲବିତ ହୁଏ, ପ୍ରକୃତି ପୁଷ୍ପସମ୍ଭାରରେ ହସେ।

        ଏହି ଭୌଗଳିକ ଭିତ୍ତି ଉପରେ ଯେଉଁ ଜାତି ପ୍ରତିଷ୍ଠିତ ସେ ଜାତିର କବିକଣ୍ଠରେ ଯେ ପ୍ରବଳ କର୍ମପ୍ରେରଣା ବାଜିଉଠିବ, ତା’ର କବିତା ଉପରେ ଯେ ବିଷାଦର ଗଭୀର ଛାୟାପାତ ହେବ, ଏହା ସ୍ବାଭାବିକ ମାତ୍ର। ଇଂରେଜୀ ସାହିତ୍ୟରେ ବାସ୍ତବତାର ପକ୍ଷପାତିତା ଓ କଳ୍ପନାବିଳାସତାର ଅଭାବ ଆଦିର କାରଣସନ୍ଧିତ୍ସୁ ବ୍ୟକ୍ତି ତା’ର ପ୍ରଶ୍ନର ଉତ୍ତର ପାଇବ ସେ ଦେଶର ଭୌଗଳିକ ଅବସ୍ଥିତିରେ।

        ବ୍ରିଟେନ୍‌ମାନେ  ଇଂଲାଣ୍ଡର ଆଦିମ ଅଧିବାସୀ। ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ ଜୁଲିଅସ୍‌ ସିଜର ଇଂଲାଣ୍ଡ ଆକ୍ରମଣ କରି ବ୍ରିଟେନ୍‌ମାନଙ୍କୁ ପରାସ୍ତ କରନ୍ତି ଓ ସେଠାରେ ରୋମ ସଭ୍ୟତା ସ୍ଥାପିତ ହୁଏ। କିନ୍ତୁ ରୋମାନ୍‌ମାନେ ଇଂଲାଣ୍ଡ ଛାଡ଼ିଯିବାରୁ ଆଙ୍ଗୁ, ସାକ୍‌ସନ୍‌ ଓ ଜୁଟ୍‌ମାନେ ସେ ଦେଶ ଆକ୍ରମଣ କରି ବ୍ରିଟେନମାନଙ୍କୁ ପାର୍ବତ୍ୟ ବେଲ୍‌ସ ଅଞ୍ଚଳକୁ ତଡ଼ିଦେଇ ସମତଳ ଅଞ୍ଚଳରେ ସେମାନଙ୍କ ବସବାସ ସ୍ଥାପନ କଲେ।  ଆଙ୍ଗ୍ଲୋ, ସାକ୍‌ସନ୍‌ ଓ ଜୁଟ୍‌ମାନେ  ସେ ଦେଶ ଆକ୍ରମଣ କରି ବ୍ରିଟେନ୍‌ମାନଙ୍କୁ ପାର୍ବତ୍ୟ ବେଲ୍‌ସ୍‌ ଅଞ୍ଚଳକୁ ତଡ଼ି ଦେଇ ସମତଳ ଅଞ୍ଚଳରେ ସେମାନଙ୍କ  ବସବାସ ସ୍ଥାପନ କଲେ । ଆଙ୍ଗ୍ଲୋ  ସାକ୍‌ସନ୍‌ ଓ ଜୁଟ୍‌ମାନେ ଦୁର୍ଦ୍ଦାନ୍ତ ସମରପ୍ରିୟ ଜାତି ଥିଲେ। କିନ୍ତୁ ସେମାନଙ୍କ ସଭ୍ୟତା ଉନ୍ନତ ନଥିଲା। ଇଂଲାଣ୍ଡରେ ବସବାସ କରିବା ପରେ ସେଠାରେ ସେମାନେ ଆୟର୍ଲାଣ୍ଡ ଓ ରୋମର ଖ୍ରୀଷ୍ଟଧର୍ମ ପ୍ରଚାରକମାନଙ୍କ ଦ୍ବାରା ଖ୍ରୀଷ୍ଟ ଧର୍ମରେ ଦୀକ୍ଷିତ ହେଲେ। ଏହି ରୋମୀୟ ଧର୍ମ ପ୍ରଚାରକଙ୍କ ଜରିଆରେ ରୋମ ସଭ୍ୟତା ଓ ରୋମ ସଂସ୍କୃତିର ଆଲୋକ କ୍ରମେ ଆଂଗ୍ଲୋ ସାକ୍‌ସନ୍‌ମାନେ ପାଇଲେ। ଏହି ଧର୍ମଯାଜକମାନେ ଲାଟିନ୍‌ ସାହିତ୍ୟ ଆଲୋଚନା କରୁଥିଲେ ଓ ଇଂଲାଣ୍ଡର ଆଦିମ ଲେଖାମାନ ଏହି ଲାଟିନ୍‌ରେ। ଲାଟିନ୍‌ ଭାଷାର ଅନୁକରଣରେ ଇଂରେଜ ଭାଷାର ଅକ୍ଷର ରୂପ ନେଲା ଏବଂ କ୍ରମଶଃ ମାତୃଭାଷାର ଆଦର ବଢ଼ିଲା।

         ଆଂଗ୍ଲୋ-ସାକ୍‌ସନ୍‌ ଭାଷାରେ କବିତା ଆମେ ପାଉଁ ଅଷ୍ଟମ ଓ ଦଶମ ଶତାବ୍ଦୀ ମଧ୍ୟରେ। ଏହା ଖ୍ରୀଷ୍ଟଧର୍ମବଲମ୍ବୀ କବିମାନଙ୍କ ଦ୍ବାରା ରଚିତ ହୋଇଥିଲେ ମଧ୍ୟ ଏଥିରେ ପ୍ରାକ୍‌ ଖ୍ରୀଷ୍ଟଧର୍ମ ଯୁଗର ସମାଜଚିତ୍ର ମିଳେ। ଉଇଡ୍‌ସ୍ଥ (Widsith), ଡୋଅର(Deor) ଓ ବ୍ୟୁୱଲ୍‌ଫ(Beowulf) ଏ କାଳର ଉଲ୍ଲେଖଯୋଗ୍ୟ କବିତା। ଉଇଡ୍‌ସ୍ଥ (ଅର୍ଥ-ମହାପରିବ୍ରାଜକ) ରେ କବି ଦେଶ ଦେଶାନ୍ତର ଭ୍ରମଣ ବୃତ୍ତାନ୍ତ ଛଳରେ ବିଭିନ୍ନ ରାଜପୁରୁଷମାନଙ୍କର ଗୁଣବର୍ଣ୍ଣନା କରିଅଛନ୍ତି। ଏହି କବିତାରୁ ଜଣାପଡ଼େ ଯେ ସେହି ସମୟରେ ରାଜଦରବାରରେ ଭାଟମାନେ କବିତାପାଠ ଓ ଗୀତଗାନ କରି ପୁରସ୍କୃତ ହେଉଥିଲେ। ଡୋଅରଙ୍କ କାନ୍ଦଣା କବିତାରେ ଅପର ଏକ କବିଙ୍କୁ ରାଜାନୁଗ୍ରହ ମିଳିଥିବାରୁ ଓ ନିଜେ ତହିଁରୁ ବଞ୍ଚିତ ହୋଇଥିବାରୁ କବି ଶୋକାର୍ତ୍ତ ହୋଇଛନ୍ତି ଓ ଆପଣା ମନକୁ ଆଶ୍ବାସନା ବାଣୀ ଶୁଣାଇଛନ୍ତି। ବିୱଲଫ୍‌ କବିତାରେ ବିୱଲଫ୍‌ ନାମକ ଏକ କାଳ୍ପନିକ ବୀରଙ୍କ ଅଦ୍ଭୁତ ବୀରତ୍ବପୂର୍ଣ୍ଣ କାର୍ଯ୍ୟାବଳୀ ବର୍ଣ୍ଣନା କରାଯାଇଛି। ଗ୍ରେନ୍‌ଡେଲ୍‌ ନାମକ ଏକ ରାକ୍ଷସ ପ୍ରତି ରାତିରେ ରାଜାଙ୍କର ଜଣେ ସହଚରକୁ ଧରି ଖାଇଯାଏ। ବିୱଲଫ୍‌ ଭୀଷଣ ହାତାହାତି ଯୁଦ୍ଧରେ ରାକ୍ଷସର ଏକ ଅଂଶ ଛେଦ କଲେ ଏବଂ ରାକ୍ଷସ ବିକଳରେ ପଳାଇଲା। ଏଥିରେ ରାକ୍ଷସର ମାତା ରାଗିଯାଇ ରାଜଧାନୀରେ ନାନା ଅତ୍ୟାଚାର ଆରମ୍ଭ କଲା। ରାକ୍ଷସୀ ହ୍ରଦର ପାଣି ତଳେ ବାସକରେ। ବିୱଲଫ୍‌ ରାକ୍ଷସୀର ଗୁମ୍ଫାରେ ପ୍ରବେଶ କରି କୁହୁକ ତରବାରୀରେ ରାକ୍ଷସୀକୁ ନିହତ କଲେ ଓ ଗ୍ରେନ୍‌ଡେଲର ଶିର ଆଣି ରାଜାଙ୍କୁ ଭେଟି ଦେଲେ। ବିୱଲଫ୍‌ ଏକ ରାଜ୍ୟ ପାଇ ସେଠି ରାଜା ହୋଇ ବହୁବର୍ଷ ରାଜ୍ୟ ଶାସନ କଲେ। ଥରେ ଏକ ଦୁର୍ଦ୍ଦାନ୍ତ ସର୍ପ ସହିତ ଲଢ଼େଇ କରି ସେ ବିଜୟୀ ହେଲେ ମଧ୍ୟ ଆହତ ହୋଇ ସେହି ବିଷଜ୍ବାଳାରେ ଦେହତ୍ୟାଗ କଲେ।

        ପ୍ରାଚୀନ ସାହିତ୍ୟରେ କେତେଗୁଡ଼ିଏ ଗୀତିକବିତା (Lyrics)ଏବଂ ବିଳାପ (Elegies) ମଧ୍ୟ ଦେଖିବାକୁ ମିଳେ। ଏହିସବୁ କବିତାରେ ସାଧାରଣତଃ ବ୍ୟକ୍ତିଗତ ଦୁଃଖ ଓ ବେଦନା ରୂପ ପାଇଅଛି। କେତେକ ସମର-କବିତା ମଧ୍ୟ ଏହି ଯୁଗରେ ଲେଖା ହୋଇଥିଲା। ଏହି କବିତାମାନଙ୍କରେ ବିଷୟବସ୍ତୁ ଜାତି ଜାତି ମଧ୍ୟରେ ବିଦ୍ବେଷ, ସମରର ଆଡ଼ମ୍ବର, ବୀରତ୍ବ ଓ ବିଭୀଷିକା।

       ଏହି କାଳର ଆଂଗ୍ଲୋ ସାକ୍‌ସନ୍‌ ସାହିତ୍ୟରେ ବହୁ ସଂଖ୍ୟକ ପ୍ରହେଳିକା ରଚିତ ହୋଇଥିଲା। ଏହିସବୁ ପ୍ରହେଳିକା ଲାଟିନ୍‌ ସାହିତ୍ୟ ଛାଞ୍ଚରେ ପ୍ରଥମେ ଲେଖା ହୋଇଥିଲା। ସମ୍ଭବତଃ ରାଜଅତିଥିମାନଙ୍କର ଚିତ୍ତୋବିନୋଦନ ଲାଗି ଭାଟ୍‌ମାନେ ପ୍ରଥମେ ଏହି ପ୍ରହେଳିକାମାନଙ୍କର ବ୍ୟବହାର କରିଥିଲେ।କିନ୍ତୁ ପ୍ରହେଳିକାମାନଙ୍କରେ ବକ୍ରୋକ୍ତି,ଶବ୍ଦ ଚାତୁରୀ,ଗୁଣ ବର୍ଣ୍ଣନା ଦ୍ବାରା ବସ୍ତୁକୁ ଇଙ୍ଗିତ ହେବା ଓ ଶ୍ରୋତାର ଉତ୍କଣ୍ଠା ଜାତ କରାଇବା ପ୍ରଭୃତି ଚେଷ୍ଟାବଶତଃ ଏହା କ୍ରମ ଏହା କ୍ରମଶଃ କ୍ଷୁଦ୍ର ବର୍ଣ୍ଣନାତ୍ମକ କବିତାର ସ୍ରରକୁ ଉଠିଲା। କେତେକ କ୍ଷେତ୍ରରେ ଏପରି ଦେଖାଯାଏ ଯେ କବି ବିଷୟବସ୍ତୁ ବର୍ଣ୍ଣନା ସ୍ରୋତରେ ଭାସିଯାଇ ପ୍ରହେଳିକା କରିବାକୁ ଏକବାରେ ଭୁଲିଯାଇଛନ୍ତି।

       ସବୁ ଦେଶଭଳି ଇଂଲାଣ୍ଡରେ ସାହିତ୍ୟର ଆଦିମ ଉତ୍ସ ହେଉଛି ଧର୍ମର ପ୍ରେରଣା। ତେଣୁ ଅଧିକାଂଶ ପ୍ରାଚୀନ ସାହିତ୍ୟ ଧର୍ମକୁ ଅବଲମ୍ବନ କରି ରଚିତ। ଏମାନଙ୍କ ମଧ୍ୟରେ କବି କେଡ଼୍‌ମନ୍‌ଙ୍କ କବିତାମାନ ଅତିଶୟ ଚିତ୍ତାକର୍ଷକ। କଥିତ ଅଛି ଯେ କେଡ୍‌ମନ୍‌ ମୂର୍ଖ ଥିଲେ, କିନ୍ତୁ ତାହାଙ୍କଠି ଭଗବତ୍‌ ଶକ୍ତି ଥିଲା। ଥରେ ଏକ ପଙ୍ଗତରେ ସେ ବସିଛନ୍ତି, ଏହି ସମୟରେ ପ୍ରସ୍ତାବ ହେଲା ସମସ୍ତେ ଗୋଟିଏ ଗୋଟିଏ ଗୀତ ଗାଇ ଶୁଣାଇବେ। କେଡ୍‌ମନ୍‌ଙ୍କ ପାଳି ଯେତେବେଳେ ପଡ଼ିଲା ସେ ଲଜ୍ଜାରେ ସଭାସ୍ଥଳ ଛାଡ଼ି ପଳାଇଆସି ଆପଣା ଗୁହାଳରେ ମନକଷ୍ଟରେ ଶୋଇପଡ଼ିଲେ। ନିଦ୍ରାରେ ଏକ ଦିବ୍ୟପୁରୁଷ ଆସି ତାଙ୍କୁ ଏକ ଗୀତ ବୋଲିବାକୁ ଅନୁରୋଧ କଲେ; କେଡ଼୍‌ମନ୍‌ ତାଙ୍କ ଆଗରେ ଆପଣାର ଦୁଃଖ ଜଣାଇଲେ। ତହୁଁ ଦିବ୍ୟପୁରୁଷ କହିଲେ ଯେ କେଡ଼୍‌ମନ୍‌ ତାଙ୍କୁ ଗୀତ ଶୁଣାଇପାରିବେ। ‘କି ଗୀତ’ ବୋଲି ପାରିବେ ପଚାରିବାରୁ ଦିବ୍ୟ ପୁରୁଷ ସୃଷ୍ଟିର ସଂଗୀତ ଗାଇବାକୁ ଆଜ୍ଞା ଦେଲେ। ତହୁଁ କେଡ୍‌ମନ୍‌ଙ୍କ କଣ୍ଠରୁ ଅଦ୍ଭୁତ ସଂଗୀତ ନିଃସୃତ ହେଲା। ସେହିଦିନୁ କବି କେଡ୍‌ମନ୍‌,ଧର୍ମବିଷୟରେ ବହୁ କବିତା ରଚନା କରିପାରିଲେ।

       ଇଂଲାଣ୍ଡ ଏହି ପ୍ରାଚୀନ କବିତାମାନଙ୍କର ଛନ୍ଦ ଥିଲା ବିଚିତ୍ର। ଏଥିରେ ଯତିପାତ ରୀତି ଆଦୌ ନଥିଲା। କେବଳ ଯମକ ଦ୍ବାରା କବିତାମାନଙ୍କରେ ସଂଜୀତାନୁରୋଧ ମେଣ୍ଟୁଥିଲା ଯାହା। ପ୍ରତ୍ୟେକ ପଂକ୍ତିରେ କେତୋଟି ଧ୍ବନିମାତ୍ରା ରହିବ ତାହାର କୌଣସି ସ୍ଥିରତା ନଥିଲା। ପ୍ରତ୍ୟେକ ପଂକ୍ତି ସାଧାରଣତଃ ଦୁଇ ଭାଗରେ ବିଭକ୍ତ ହେଉଥିଲା ଏବଂ ପ୍ରତ୍ୟେକ ବିଭାଗରେ ଦୁଇଟି ଗୁରୁଧ୍ବନି (accent) ରହିବାର ଗୀତି ଥିଲା। ନିମ୍ନରେ ଏହି ଗୀତିରେ ଲିଖିତ କବିତାର ଏକ ନମୁନା ଦିଆଗଲା-

                    Steap stanlitho-stinge nearwe

                    Steep stone slopes, paths narrow.

       ଏହି କାଳର ସାହିତ୍ୟରେ ବକ୍ରୋକ୍ତିର ବହୁତ ପ୍ରସାର ଦେଖାଯାଏ । ଚକ୍ଷୁକୁ ଚକ୍ଷୁ ନ କହି ‘ମସ୍ତକର ମଣି’ ରୂପରେ ପ୍ରକାଶ କରିବା କବିଚାତୁରୀ ବୋଲି ଗଣ୍ୟ ହେଉଥିଲା; ମଣିଷ କବିଭାଷାରେ ହେଉଥିଲା ‘ପୃଥିବୀର ଅଧିବାସୀ’, କୁହୁଡ଼ି ହେଉଥିଲା ‘ପତନର ମୁକୁଟ’।




+ -

© Jataayu Charitable Trust
Site designed,developed & maintained by Tekons