ଇଂରାଜୀ ସାହିତ୍ୟର ଗତିଧାରା




            ଆଧୁନିକ ଇଂରେଜ କବିମାନଙ୍କ ମଧ୍ୟରେ ଟି.ଏସ୍‌.ଇଲିୟଟ୍‌,ଅଡେନ୍‌,ସ୍ପେଣ୍ଡର,ସଟ୍‌ବେଲ୍‌, ହପ୍‌କିନ୍‌ସ,ବ୍ଲାଉସ୍‌ମାନ, ସିସିଲ ଡେଲୁଇସ୍‌ ପ୍ରଭୃତି ବିଶିଷ୍ଟ କବି। କେତେକ ସମାଲୋଚକଙ୍କ ମତରେ ଟି.ଏସ୍‌. ଉଲିୟଟ୍‌,ମିଲଟନ୍‌ଙ୍କ ସମକକ୍ଷ କବି଼-ପାଣ୍ଡିତ୍ୟ, ଗାମ୍ଭୀର୍ଯ୍ୟ ଓ କଳ୍ପନା ଗୁଣରେ।

ଆଧୁନିକ ନାଟକ

        ନାଟକ ସାହିତ୍ୟକୁ ଉନ୍ନବିଂଶ ଶତାବ୍ଦୀର ଦାନ ବିଲ୍‌କୁଲ୍‌ ନାର୍ହି କହିଲେ ଚଳେ। କିନ୍ତୁ ବିଂଶ ଶତାବ୍ଦୀର ବରିବର୍ତ୍ତିତ ଜୀବନ ଦାବି କଲା, ଏହି କୋଳାହଳପୂର୍ଣ୍ଣ ଜୀବନ ତଳେ ଯେଉଁ ଶତସହସ୍ର ମର୍ମନ୍ତୁଦ, ଗଭୀର ବ୍ୟର୍ଥତାର କରୁଣ ନାଟକ ଛପିଯାଇଛି ତାହା ଦୁନିଆ ଆଗରେ ଥରେ ସେ ବଡ଼ ପାଟିକରି କହିବ, ଥରେ ସେ ଦେଖାଇ ଦେବ ଯେ ବଦାନ୍ୟ ବ୍ୟକ୍ତି ବୋଲି ସମସ୍ତେ ଯାହା ଗଳାରେ ମାଳା ଲମ୍ବାଇ ଦିଅନ୍ତି ସେ ପ୍ରକୃତରେ ଜୁଆଖେଳ।

         ଆଧୁନିକ ନାଟକ ଜରିଆରେ ଜନତାର ଭ୍ରାନ୍ତି ଦୂର କରାଯାଏ, ନୂତନ ଆଦର୍ଶ ରୀତିମତ ପ୍ରଚାର କରାଯାଏ- ଖୋଲାଖୋଲି ଭାବରେ। ପୁରୁଣା ନାଟକର ମାନଦଣ୍ଡରେ ମାପୁଥିବା ସମାଲୋଚକମାନେ ଆଧୁନିକ ନାଟକକୁ ପସନ୍ଦ କରି ନ ପାରନ୍ତି-ତାହାର ପ୍ରଚାର ଦୋଷ(?) ଲାଗି। କିନ୍ତୁ ମନେ ରଖିବାକୁ ହେବ ପ୍ରଚାର ଆଧୁନିକ ଦର୍ଶକମାଣ୍ଡଳୀ ତଥା ଆଜିକାଲିକାର ଜୀବନଦ୍ବାରା ଆବୃତ। ନୂତନ ଆଦର୍ଶକୁ ଲୋକଙ୍କ ପଖରେ ପହଞ୍ଚାଇବା ହେଲେ ଏ ଯୁଗରେ ଖବରକାଗଜ ଓ ରଙ୍ଗମଞ୍ଚ ହିଁ ଦୁଇ ଶକ୍ତିଶାଳୀ ଅସ୍ତ୍ର। ରଙ୍ଗମଞ୍ଚରୁ ପୁରାତନ ଜୀର୍ଣ୍ଣ ସମାଜକୁ ସଫଳତା ସହକାରରେ ବ୍ୟଙ୍ଗ ବିଦ୍ରୂପ କରାଯାଇପାରେ, ନୂତନ ଭାବଧାରାର ବାର୍ତ୍ତା ଘୋଷଣା କରାଯାଇପାରେ। ଅନ୍ଧକାରରେ ଥିବା ଦିଗହରା ଜନତା ପାଇଁ ସମାଜର ମଙ୍ଗଳକଳ୍ପେ ଆଧୁନିକ ନାଟ୍ୟକାରମାନେ ନାଟକ ମାଧ୍ୟମରେ ନିଜର କର୍ତ୍ତବ୍ୟ ପାଳନ କରୁଛନ୍ତି। ଏହି ନାଟକମାନଙ୍କର ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ସଂଘର୍ଷ ନାହିଁ।

          ଭାବ ମଧ୍ୟରେ ସଂଘର୍ଷ ଗୁରୁତ୍ବପୂର୍ଣ୍ଣ ନୁହେଁ। ଏକ ଆଦର୍ଶ ଓ ଅନ୍ୟ ଏକ ଆଦର୍ଶ, ଏକ ଚିନ୍ତାଧାରା ଏକ ଭାବନା ଅନ୍ୟ ଏକ ଭାବନା ମଧ୍ୟରେ ଯେଉଁ ସଂଘର୍ଷ, ଆଜିକାଲିର ନାଟକ ତାହାକୁ ଘେନି ଗଢ଼ି ଉଠିଥାଏ। ଏ ଯୁଗରେ ବ୍ୟକ୍ତିବିଶେଷ ଦୋଷଗୁଣ ଏତେ କ୍ଷୁଦ୍ର ଓ ନଗଣ୍ୟ ଯେ ତାହା ସମାଜର ଦୋଷଗୁଣ ଆଗରେ ଆହୁରି ତୁଚ୍ଛ। ତାହା ଉପରେ କୌଣସି ଘଟଣାବଳୀକୁ କେନ୍ଦ୍ରୀଭୂତ କରିବା ଅର୍ଥ ଆଧୁନିକ ନାଟକ ବିଷୟରେ ଏକ ମିଥ୍ୟା ପ୍ରଚାର କରିବା। ତେଣୁ ଆମେ ସାଧାରଣତଃ ଦେଖିବାକୁ ପାଉଁ ଯେ ଆଧୁନିକ ନାଟକରେ ଯେଉଁ ଚରିତ୍ର ଚିତ୍ରଣ କରାଯାଉଛି, ସେ ଚରିତ୍ର କୌଣସି ବ୍ୟକ୍ତିବିଶେଷର  ନୁହେଁ, ସେ ଚରିତ୍ର ଶ୍ରେଣୀର ପ୍ରତୀକ। ଜନ୍‌ ଗଲ୍‌ସବାର୍ଦ୍ଦୀ, ଜର୍ଜ ବାର୍ଣ୍ଣାଡଶ ଓ ଜେମସ୍‌ ବେରୀ ଆଧୁନିକ ନାଟ୍ୟକାର ହିସାବରେ ପ୍ରତିଷ୍ଠା ଲାଭ କରିଛନ୍ତି। ଗଲ୍‌ସବାର୍ଦ୍ଦୀ  ସାମ୍ୟବାଦୀ ହେଲେ ବି ଉଗ୍ରପନ୍ଥୀ ନୁହନ୍ତି। ତାଙ୍କ ମତରେ ଆମେ ପରସ୍ପରକୁ ବୁଝିବାକୁ ଚେଷ୍ଟା କରୁନଥିବାରୁ ବହୁ ଦୁଃଖ କ୍ଳେଶ ଭୋଗୁଁ। ଆପୋଷ ମିଳାମିଶା ଦ୍ବାରା ଆମେ ବହୁତ କଥା ସୁଧାରି ନେଇ ପାରନ୍ତେ, ଅଥଚ ଆମେ ସେଠି ଏ ଅବୁଝା ହୋଇ ଆପଣାର ଓ ଅନ୍ୟର ଦୁଃଖର କାରଣ ହୋଇଥାଉଁ।

         ବହୁ ସାମାଜିକ ନାଟକର ରଚୟିତା ହିସାବରେ ଗଲ୍‌ସବାର୍ଦ୍ଦୀ ପାଠକମାନଙ୍କର ଅତିପ୍ରିୟ ଥିଲେ। ‘ବର୍ଣ୍ଣାଡ଼ଶ’ଙ୍କର ନାଟକରେ ସେ ଚଳନ୍ତି ସମାଜର ବହୁ ଅନୁଷ୍ଠାନ ଓ ଆଦର୍ଶକୁ ବ୍ୟଙ୍ଗ ବିଦ୍ରୂପ କରରି ଉପହାସରେ ଉଡ଼ାଇ ଦେଇଛନ୍ତି । ସିଗାରେଟ ପାଇପଠାରୁ ମହାସମର, ରାଜତନ୍ତ୍ରଠାରୁ ସମାଜତନ୍ତ୍ର, ସେକ୍‌ସପିଅରଙ୍କ ଠାରୁ ଇଂଲଣ୍ଡର ପ୍ରଧାନମନ୍ତ୍ରୀ, କେହି ତାଙ୍କର ତୀବ୍ର ସମାଲୋଚନା ଧାରାରୁ ଖସି ନାହାନ୍ତି। ବାକ୍‌ଚାତୁରୀରେଶଙ୍କର  ପ୍ରତ୍ୟେକ ଲେଖା ରସାଣିତ,ସ୍ଫୂର୍ତ୍ତିମନ୍ତ। ଶ’ ତାଙ୍କର ନାଟକରେ କେତେଗୁଡ଼ିଏ ପ୍ରହସନମୟ ପରିସ୍ଥିତି ଦର୍ଶକଙ୍କ ଆଗରେ ଉପସ୍ଥାପନ କରି, ଆମେ ଯାହାକୁ ସବଳ ବହୁ ତାହାକୁ ବିଲ୍‌କୁଲ୍‌ ଫାଙ୍କା  ଓ ଦୁର୍ବଳ ବୋଲି ପ୍ରତିପାଦନ କରନ୍ତି। ତାଙ୍କ ନାଟକରେ ମୁଖବନ୍ଧ ଥାଏ ଅବୟବ ଅପେକ୍ଷା ଅଧିକ। ଏହି ମୁଖବନ୍ଧ ଅତି ଉପାଦେୟ, କାରଣ ତହିଁରେ ମୌଳିକ ଚିନ୍ତାଧାରା ସ୍ପଷ୍ଟାକାରରେ ପ୍ରକାଶ ପାଇଥାଏ।

         ଗଲିସବର୍ଦ୍ଦୀ ଓ ଶ’ ଉଭୟ ଇବ୍‌ଶନଙ୍କ ନାଟକର ରୀତି ଅନୁସରଣ କରନ୍ତି-ରଙ୍ଗମଞ୍ଚ ଉପରେ ବିଶେଷ କିଛି ଘଟେ ନାହିଁ। ସାଧାରଣତଃ ନାଟକସ୍ଥ ଘଟଣାମାନ ଆଗରୁ ଘଟି ଯାଇଥାଏ। ତୁଙ୍ଗ(climax)ରେ କଥାବସ୍ତୁ ଆରମ୍ଭ ହୁଏ ଓ କଥୋପକଥନ ଦ୍ବାରା ଭାବକୁ ଉଜ୍ଜୀବିତ କରାଯାଏ। ଜେମ୍‌ସ୍‌ ବେରୀ ପଳାୟନପନ୍ଥୀ; ତାଙ୍କ ଉପରେ ମେଟରଲିଙ୍କ ଛାୟା ଗଭୀର ଭାବେ ପଡ଼ିଛି। ହାସ୍ୟରସ ତାଙ୍କର ଲେଖାକୁ ଉପଭୋଗ୍ୟ କରିବାକୁ ଯଥେଷ୍ଟ ଉପାଦାନ ଯୋଗାଇଛି। କିମ୍ଭୁତ କିମାକାର ଘଟଣାର ଅବତାରଣା କରି ପରୀ ଓ କାଉଁରୀ ଶକ୍ତି ପରିକଳ୍ପନା ଦ୍ବାରା ବେରୀ ଦର୍ଶକମାନଙ୍କୁ କ୍ଷଣକ ଲାଗି କଳ୍ପନାପୁରୀକୁ ନେଇଯାଆନ୍ତି। ବେରୀଙ୍କ ବିଶେଷତ୍ବ ଏହିଠାରେ ଯେ ସେ ଏହି ଅପାର୍ଥିବ ଘଟଣାମାନ ଆଧୁନିକ ଜୀବନରେ ବି ସମ୍ଭବ କରାଇ ପାରିଥାନ୍ତି।

ଆଧୁନିକ ଉପନ୍ୟାସ

       ଏ ଯୁଗରେ ଉପନ୍ୟାସ ସାହିତ୍ୟରେ ବହୁ ନୂଆ ନୂଆ ପନ୍ଥା ଅନୁସରଣ କରି କଥା ସାହିତ୍ୟ ସୃଷ୍ଟି କରିବାର ପ୍ରୟାସ ଆମେ ଦେଖିବାକୁ ପାଉଁ। ଏଚ୍. ଜି.. ବେଲ୍‌ସ ବୈଜ୍ଞାନିକ ରୂପକଥାର ସ୍ରଷ୍ଟା। ବୈଜ୍ଞାନିକ ଆବିଷ୍କାର ଫଳରେ ଭବିଷ୍ୟତରେ କିପରି ନୂଆ ରକମର ଜୀବନ ଓ ଅନୁଭୂତିମାନ ସମ୍ଭବିପାରେ, ସେହି କଳ୍ପନା ଉପରେ ଏସବୁ ଉପନ୍ୟାସ ଗଢ଼ି ଉଠିଛି। ଏଚ୍‌.ଜି.  ବେଲ୍‌ସ ଏକ ବଳଶାଳୀ ଚିତ୍ର ଆଙ୍କିଛନ୍ତି। ତାଙ୍କର ଟୁନେ ଗେ’ ଉପନ୍ୟାସରେ କିପରି ପୁରୁଣା ସମାଜ ଭାଙ୍ଗି ପଡ଼ୁଛି, କିପରି ପ୍ରତିପତ୍ତିଶାଳୀ ପୁଞ୍ଜିପତି ଜନତା ସାଙ୍ଗରେ ଏକ ହୋଇ ଯାଉଛି, ତାହା ବର୍ଣ୍ଣନା କରିଛନ୍ତି। ଆଖ୍ୟାୟିକା ଭିତରେ ବେଲ୍‌ସ ବହୁ ସ୍ଥଳରେ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ସମସ୍ୟାର ଚିତ୍ରଣ କରିଥାଆନ୍ତି।

       ଏ ବେନେଟ୍‌ଙ୍କର ଉପନ୍ୟାସର ବିଶେଷତ୍ବ ଯେ ସେ ଚରିତ୍ରମାନଙ୍କର ନିଜର ଦୃଷ୍ଟି କୋଣରୁ ଦୁନିଆର ଚିତ୍ର ପ୍ରଦାନ। ଆମେ କୃପଣଙ୍କୁ ସାଧାରଣତଃ ଘୃଣା କରିଥାଉଁ ଏବଂ ତାହାରି ଚରିତ୍ର ଚିତ୍ରଣ କଲାବେଳେ ଆମରି ଆଖିରେ ତାକୁ ଦେଖି ତାହାର ଅପବାଦଜନକ ଛବି ଆଙ୍କିଥାଉଁ, କିନ୍ତୁ କୃପଣର ନିଜ ଦୃଷ୍ଟିକୋଣ ଆମଠୁଁ ପୃଥକ୍‌-ନିଜ ଆଖିରେ ସେ ନିଜେ ଘୃଣିତ ନୁହେଁ।କୃପଣର ପ୍ରକୃତ ପରିଚୟ ପାଇବାକୁ ହେଲେ,ସେ କିପରି ଭାବେ ଦୁନିଆକୁ ଦେଖେ , ତାହାହିଁ ଜାଣିବା ଆମର ଦରକାର। ପାଠକର ବା ଲେଖକର ମନୋଭାବ ତା’ଠାରେ ଆରୋପ କରିବା ଅନୁଚିତ।

        ମନସ୍ତତ୍ତ୍ବବିତ୍‌ ଫ୍ରୟେଡଙ୍କ ପ୍ରଭାବ ଏ ଯୁଗର ସାହିତ୍ୟମାନଙ୍କ ଉପରେ ବିଶେଷ ଭାବରେ ପଡ଼ିଛି। ଫ୍ରୟେଡଙ୍କର ମନୋବିଜ୍ଞାନ ତଥ୍ୟର ଅନୁସରଣ କରି ଜେମସ୍‌ ଜୟସ୍‌ ବହିର୍ଜଗତର ଘଟଣାବଳୀ ଚିତ୍ରଣ କରିବା ଛାଡ଼ି ମନୋଜଗତରେ ଯେଉଁସବୁ ଘଟଣା ଘଟିଯାଉଛି ତାହାର ଚିତ୍ର ଆଙ୍କନ୍ତି। ମନୋଜଗତ ଏକ ଅଦ୍‌ଭୁତ ରାଜ୍ୟ। ଆମେଯାହା ପ୍ରକାଶ କରୁଁ, ମନରେ କେବଳ ସେତିକି ଭାବୁନାର୍ହି-ଭାବୁଁ ଢ଼େର ବେଶି। ଔପନ୍ୟାସିକ ତତାଙ୍କର ‘ୟୁଲିସେସ୍‌’ନାମକ ହଜାରେ ପୃଷ୍ଠାରୁ ବେଶି ଏକ ଉପନ୍ୟାସରେ ଜଣେ ଲୋକ ସକାଳଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ କ’ଣ କ’ଣ ଭାବିଛି ତାହା ଲିପିବଦ୍ଧ କରିଛନ୍ତି। ମନୁଷ୍ୟର ଅବଚେତନ ମଧ୍ୟରେ ନାନା ଅଶ୍ଳୀଳ ଚିନ୍ତା ମଧ୍ୟ ସ୍ଥାନ ପାଏ। ଉପନ୍ୟାସରେ ସେ ସବୁ ସ୍ଥାନ ଦେଇଥିବାରୁ ଯୁକ୍ତରାଷ୍ଟ୍ରରେ ୟୁଲିସେସ୍‌ ପୁସ୍ତକର ପ୍ରଥମ ସଂସ୍କରଣ ବାଜ୍ୟାପ୍ତ ହୋଇ ପୋଡ଼ାଯାଇଥିଲା। ପରେ ପରେ ଉପନ୍ୟାସର ମହତ୍ତ୍ବ ଉପଲବ୍ଧି କରି ତାହା ସାହିତ୍ୟକୁ ଏକ ଅଭିନବ ଓ ମୂଲ୍ୟବାନ ଅବଦାନ ବୋଲି ବୁଝିପାରି ସରକାର ସେ ବହି ଉପରୁ କଟକଣା ଶବ୍ଦ ସୃଷ୍ଟି କରିଛନ୍ତି। ଭାଷା କ୍ବଚିତ୍‌ ପ୍ରାଞ୍ଜଳ । ଏହାର କାରଣ, ଅନେକ ସମୟରେ ମନ ମଧ୍ୟରେ ବହୁ ଶବ୍ଦ ଖୋଜିବା ପରେ ସେ ସବୁକୁ ଗୋଟିଏ ବାକ୍ୟରେ ପ୍ରକାଶ କରି ନପାରିବାରୁ ତା ମନ ମଧ୍ୟରେ ବହୁ ଶବ୍ଦର ଚିନ୍ତା ଏକ ସମୟରେ ଖେଳିଯାଉଛି ଏବଂ ଏହି ଚିନ୍ତାକୁ ପ୍ରକାଶ କରିବାକୁ ସେ ସବୁଗୁଡ଼ିକ ଶବ୍ଦ ବା ତହିଁର ନିୟବଂଶ ସଂଯୁକ୍ତ ଭାବରେ ଲିପିବଦ୍ଧ କରିବାକୁ ଦରକାର ବୋଲି ଭାବୁଛି।




+ -

© Jataayu Charitable Trust
Site designed,developed & maintained by Tekons