ଇଂରାଜୀ ସାହିତ୍ୟର ଗତିଧାରା




ଇଂରେଜୀ ସାହିତ୍ୟର ଗତିଧାରା (୯)

ଭିକ୍‌ଟୋରିଆ ଯୁଗ (୧୮୩୦-୧୯୦୦)

       ଫରାସୀ  ବିଦ୍ରୋହପରେ ଫ୍ରାନ୍ସ ନେପୋଲିୟନଙ୍କ ଅଧିନାୟକତ୍ବରେ ୟୁରୋପରେ ଏକ ବିରାଟ ଶକ୍ତିରୂପେ ପ୍ରତିଷ୍ଠା ଲାଭ କରି ଇଂରେଜ ଜାତିର ବାଣିଜ୍ୟ ଓ ସାମ୍ରାଜ୍ୟ ପଧରେ ପ୍ରଧାନ ପ୍ରତିଦ୍ବନ୍ଦୀ ହୋଇ ଛିଡ଼ାହେଲା। ଫଳରେ ଇଂଲାଣ୍ଡ ଓ ଫ୍ରାନ୍ସ ମଧ୍ୟରେ ଯୁଦ୍ଧ ଲାଗିଲା। ଯୁଦ୍ଧରେ ଇଂରେଜମାନେ ଜୟଯୁକ୍ତ ହେଲେ (ଖ୍ରୀ:ଅ:-୧୮୧୫) ସେମାନଙ୍କର ବାଣିଜ୍ୟ ପ୍ରସାର ଲାଗି ପଥ ବର୍ତ୍ତମାନ ସୁଗମ ହୋଇଗଲା। ଭିକ୍‌ଟୋରିଆଙ୍କ ଶାସନ କାଳ (ଖ୍ରୀ:ଅ:୧୮୧୫-୧୯୦୧) ମଧ୍ୟରେ ଯେଉଁ ସମାଜ ପ୍ରତିଷ୍ଠିତ ହେଲା, ସେଥିରେ ମାଲିକ ବା ବୁର୍ଜୟମାନେ ବାଣିଜ୍ୟମାନେ ବାଣିଜ୍ୟରୁ ପ୍ରଚୁର ଧନ ଉପାର୍ଜନ କଲେ,  ମଧ୍ୟବିତ୍ତମାନେ ମଧ୍ୟ ତହିଁରୁ ବି ପଇସା ପାଇଲେ, ଅବଶ୍ୟ କୁଲି ମଜୁରିଆଙ୍କର ଭାଗ୍ୟ ଲେଉଟିଲା ନାହିଁ। ବେଲ ପାଚିଲେ କାଉର କି ଯାଏ?ଏହି ସମାଜରେ ଆମେ ଦେଖୁଁ ବିଜ୍ଞାନ ପ୍ରସାର ଳାଭ କରିଛି, ରାଜନୀତିରେ ଗଣତନ୍ତ୍ର ଆଗେଇଛି। (ରିଫରମ୍‌ ଆକ୍‌ଟ, ଫ୍ୟାକ୍‌ଟରୀ  ଆକ୍‌ଟ ପ୍ରାଥମିକ ଶିକ୍ଷା ଆଇନ ପ୍ରଭୃତି)। ସଂସ୍କାର ଲାଭ ଡାକରା ପଡ଼ିଛି। ଚିନ୍ତାଧାରାରେ ମନୁଷ୍ୟ ବିଜ୍ଞାନ ଉପରେ ଅଧିକ ଆସ୍ଥାବାନ ହୋଇପଡ଼ିଛି, ବାସ୍ତବ ଜୀବନ ପ୍ରତି ଅଧିକ ଦୃଷ୍ଟିପାତ କରୁଛି, ଦୁଃଖଦୈନ୍ୟ ଖାଲି ଭଗବାନଙ୍କ ଉପରେ ଲଦିଦେଇ ସେ ନିଦ ଯାଉନାହିଁ, ତାହାର କାରଣ ଅନୁସନ୍ଧାନ କରୁଛି। ଡାରଉଇନ୍‌ଙ୍କର ବିବର୍ତ୍ତନବାଦ ଅର୍ଥାତ୍‌ ନୋହାର ନୌକାରୁ ପ୍ରତି ପ୍ରାଣୀର ବଂଶ ଉଦ୍ଭବ ହୋଇ ଏହା କିପରି ଏକ ବିବର୍ତ୍ତନ ମଧ୍ୟ ଦେଇ ଏକରୁ ଅପରର ଉଦ୍‌ଭବ ହୋଇଅଛି,-ଏହା ବୈଜ୍ଞାନିକ ମନୋଭାବର ଉଜ୍ଜ୍ବଳ ଦୃଷ୍ଟାନ୍ତ। ବିଜ୍ଞାନ ହେଉଛି ନବ ଯୁଗର ବାଇବେଲ୍‌। ସର୍ବହରା ସଂପ୍ରଦାୟ ବର୍ତ୍ତମାନ ସଂଗଠିତ ହୋଇନାହାନ୍ତି, ସେମାନଙ୍କ ମଧ୍ୟରେ ଜାଗରଣ ଦେଖା ଦେଇନାହିଁ, ମଧ୍ୟବିତ୍ତଙ୍କ ଅଧିନାୟକତ୍ବରେ ଏଠି ସେଠି ସେମାନଙ୍କର ଅବସ୍ଥାର ଉନ୍ନତି ଲାଗି କିଛି କରାଯାଉଛି, ବିଶ୍ବାସ କରାଯାଉଛି ସଂସ୍କାର ଦ୍ବାରା ସମାଜରୁ ଦୋଷଦୂଷଣ ସବୁ ଦୂର କରାଯାଇପାରିବ। ଏ ସମାଜରେ ଶିକ୍ଷାର ପ୍ରସାର ହୋଇଛି। ପତ୍ରପତ୍ରିକାର ଅଭାବ ନାହିଁ। ଜ୍ଞାନ କାହାରି ଏକଚାଟିଆ ହୋଇ ରହିନାହିଁ।

         ପୂର୍ବବର୍ତ୍ତୀ କଳ୍ପନାବହୁଳ ଉଚ୍ଛ୍ବସିତ ରୂପକବିତାଠାରୁ ଭିକ୍‌ଟୋରିଆ ଯୁଗର ସାହିତ୍ୟ ସାମାଜିକ ଜୀବନର ନିକଟବର୍ତ୍ତୀ ହୋଇଛି, ସମାଜର ଉନ୍ନତି ଲାଗି ତା’ର କର୍ତ୍ତବ୍ୟ ଅଛି ବୋଲି ଉପଲବ୍ଧି କରିପାରିଛି, ସାହିତ୍ୟ ବାସ୍ତବ ଜୀବନର ଚିତ୍ର ଆଙ୍କୁଛି, ବିଶ୍ବାସର କଥା ନ କହି ବିଜ୍ଞାନସମ୍ମତ କଥା କହୁଛି, ସାମାଜିକ ସଂସ୍କାର ଲାଗି ସୁର ଟେକୁଛି, ମାର୍ଗ ନିର୍ଦ୍ଧାରଣ କରୁଛି।

          କବିତାରେ ମାତ୍ରଦୁଇଜଣ କବି ଖ୍ୟାତି ଅର୍ଜନ କରିପାରିଥିଲେ-ଆଲ୍‌ଫ୍ରେଡ୍‌ ଟେନିସନ୍‌ ଓ ରବର୍ଟବ୍ରାଉନିଂ। ଜୀବନରେ ଉଲ୍ଲ୍ବାସ ଓ କଳ୍ପନାବିଳାସ ଲାଗି ଅବସର ନ ଥିବା ହେତୁ କବିତା ପାଇଁ ଏହି ଯୁଗ ଅନୁକୂଳ ହୋଇନଥିଲା। ଯୁକ୍ତି, ବର୍ଣ୍ଣନା, ସାମାଜିକ ଚିତ୍ର, ବିଶଦ ବ୍ୟାଖ୍ୟାନ ଲାଗି ଗଦ୍ୟ ପ୍ରଶସ୍ତ , ଗଦ୍ୟର ହିଁ ଅଧିକ ଆଦର ବଢ଼ିଥିଲା। ତଥାପି ଟେନିସନ୍‌ ଓ ବ୍ରାଉନିଂଙ୍କ ଲେଖନୀରୁ କବିତାଭଣ୍ଡାରକୁ ଏ ଯୁଗର ଦାନ ଅତ୍ୟଳ୍ପ ବୋଲି ଗଣ୍ୟ ହୋଇନପାରେ। ଉଭୟ କବି କବିତାର ଏକାନ୍ତ ଉପାସକ ଥିଲେ ଏବଂ ସେ ଯୁଗର ଭାବଧାରୀ ସେହିମାନଙ୍କର କବିତା ପ୍ରାଣ ପାଇଛି, ମୂର୍ତ୍ତିମନ୍ତ ହୋଇଛି।

         ଟେନିସାନ୍‌ (ଖ୍ରୀ: ଅ:୧୮୦୯-୧୮୯୨) ଛାତ୍ରାବସ୍ଥାରୁ ସାହିତ୍ୟ ସାଧନାରେ ମନ ବଳାଇଥିଲେ। ତାଙ୍କର ବନ୍ଧୁ ଆର୍ଥର ହାଲାମ୍‌ଙ୍କର ଅକାଳ ମୃତ୍ୟୁରେ ଗଭୀର ଭାବେ ବ୍ୟଥିତ ହୋଇ ସେ  ‘ସ୍ମୃତି’(In Memorium)ନାମକ ଏକ କାବ୍ୟ ଲେଖିବାକୁ ଆରମ୍ଭ କଲେ। ଏହି ଗ୍ରନ୍ଥରେ ଜୀବନ, ମୃତ୍ୟୁ ଓ ତତ୍ପରବର୍ତ୍ତୀ ଜୀବନ ବିଷୟରେ ତାଙ୍କର ଦାର୍ଶନିକ ଚିନ୍ତା ଲିପିବଦ୍ଧ କରିଅଛନ୍ତି। ଅଳ୍ପକାଳ ମଧ୍ୟରେ କବି ରୂପରେ ଟେନିସନ୍‌ ନିଜର ପ୍ରତିଷ୍ଠା ଲାଭ କରି ପାରିଥିଲେ ଏବଂ ଖ୍ରୀ:ଅ:୧୮୫୦ରେ କବି ୱାଡ଼ସ୍‌ଓ୍ୟାର୍ଥଙ୍କ ମୃତ୍ୟୁ ପରେ ସେ ଇଂଲଣ୍ଡର ରାଜକବି ମନୋନୀତ ହେଲେ । ଟେନିସନ୍‌ଙ୍କ ଜୀବନ ବୈଚିତ୍ର୍ୟମୟ ନଥିଲା, ଉତ୍‌ଥାନ ଓ ପତନ ଦ୍ବାରା ବନ୍ଧୁର ହୋଇନଥିଲା, ଏକ ଶାନ୍ତିମୟ ଜୀବନ ସେ ନିର୍ବାହ କରିଥିଲେ। ବହୁ କାବ୍ୟର ରଚୟିତା ଟେନିସନ୍‌ଙ୍କ ପ୍ରଥମ କବିତାମାନଙ୍କ ଉପରେ ରୂପ ସାହିତ୍ୟରେ ଛାୟା ପଡ଼ିଛି- ବିଶେଷତଃ କବି କିଟସ୍‌ଙ୍କର ଏକ କାଳ ମଧ୍ୟରେ ଲେଖା ହୋଇଥିବା କବିତାମାନଙ୍କରେ କବି କେବଳ ମାତ୍ର ଆଦର୍ଶ ରାଜ୍ୟରେ ଭ୍ରମିଛନ୍ତି, ସ୍ବପ୍ନରାଜ୍ୟର କଳ୍ପନା କରିଛନ୍ତି। ପରବର୍ତ୍ତୀ କବିତାମାନଙ୍କରେ (ଖ୍ରୀ:ଅ:୧୮୪୨ପରେ) କବି ସାମାଜିକ ଜୀବନର ସମସ୍ୟା ନେଇ ବ୍ୟସ୍ତ, ସମସାମୟିକ ଚିନ୍ତାଧାରା ପ୍ରତି ଅଧି ଶ୍ରଦ୍ଧା ପ୍ରଦର୍ଶନ କରିଛନ୍ତି। ‘ରାଜଜେମା’(The Princess) କବିତାରେ କବି, ଖୋଲାଖୋଲି  ଭାବରେ ନାରୀ ସମସ୍ୟା ଉପରେ ତାଙ୍କର କାବ୍ୟକୁ ପ୍ରତିଷ୍ଠିତ କରିଛନ୍ତି। କିନ୍ତୁ କବି ଏ ସମସ୍ତ ସମସ୍ୟା ଉପରେ ଲେଖୁଥିଲା ବେଳେ ବି ସିଧାସଳଖ କଥାଟା କହିବାକୁ ପଛାଇଛନ୍ତି-କଳ୍ପନା ଓ ବାସ୍ତବ ମଧ୍ୟରେ ଏକ ଆପୋଷ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି, ଫଳତଃ କାବ୍ୟଗୁଡ଼ିକର ଅବୟବ ସୁଷ୍ଣୁ ଓ ସୁଗଠିତ ହୋଇପାରିନାହିଁ। ରୂପସାହିତ୍ୟର ଉପଯୋଗୀ କଳ୍ପନା ସହିତ ସମସାମୟିକ ସମସ୍ୟାର ସମ୍ମିଶ୍ରଣ କରିବାରେ ରାଧାନାଥ ଟେନିସସନଙ୍କର ଭକ୍ତ ଥିଲେ ଓ କବି ଯେନିସନ୍‌ଙ୍କ କାବ୍ୟ ଓ ଶୈଳୀ ରାଧାନାଥଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିଲା।

      ଟେନିସନ୍‌ ପ୍ରକୃତିକୁ ଜୀବନ୍ତ କରି କଳ୍ପନା କରି ନାହାନ୍ତି। ଘର ସଜାଇବା ଲାଗି ଯେପରି ଫୁଲ ଓ ପତ୍ର ଆମେ ଲୋଡ଼ିଥାଉ , ସେହିପରି ଟେନିସନ୍‌ ପ୍ରକୃତିକୁ ଆଣି ତାଙ୍କର କାବ୍ୟ ମଧ୍ୟରେ ଖଞ୍ଜିଦେଇ ସୌନ୍ଦର୍ଯ୍ୟ ବୃଦ୍ଧି କରିଛନ୍ତି ମାତ୍ର । ଯହିଁ ଦୁଃଖ ଓ ଶୋକର ଚିତ୍ର ଦିଆଯାଇଛି, ସେଠି ପ୍ରକୃତିକୁ ଦୀନ, ରୁକ୍ଷ ଭାବରେ ଫୁଟାଇ କବି ତାଙ୍କର ରସକୁ ଅଧିକ ଗଭୀର କରିବାକୁ ଚାହିଁଛନ୍ତି। ଟେନିସ୍‌ର ପ୍ରକୃତିର ଯେଉଁ ଚିତ୍ର ଆଙ୍କୁଥିଲେ ତାହା ଖାମଖିଆଲି ନୁହେଁ, ବିଜ୍ଞାନ ସମ୍ମତ। ବାହ୍ୟଜଗତରେ ସତ୍ୟମୂଳକ ଘଟଣା ଉପରେ ସେ ଶିଳ୍ପୀର ତୂଳିକା ଚଳାଇ ତାକୁ ରଞ୍ଜିତ କରୁଥିଲେ।

      ମଧ୍ୟବିତ୍ତ ସଂପ୍ରଦାୟକ ଦୃଷ୍ଟିକୋଣରୁ କବି ଜୀବନକୁ ଦେଖିଛନ୍ତି। ଏକ ଦିଗରେ ଅଭିଜାତ ପ୍ରତି ସମ୍ମାନ , ଶାନ୍ତିପୂର୍ଣ୍ଣଜୀବନ ପ୍ରତି ଶ୍ରଦ୍ଧା, ଅପର ଦିଗରେ ଦୀନଦରିଦ୍ରଙ୍କ ପ୍ରତି ସହାନୁଭୂତି, ସଂସ୍କାର ଜରିଆରେ ପୃଥିବୀରୁ ଓ ସମାଜରୁ ସମସ୍ତ ଆବର୍ଜନା ଦୂର କରିବାର ଆକାଙ୍କ୍ଷା ତାଙ୍କ ସୃଷ୍ଟିରେ ପ୍ରତିଫଳିତ। ପ୍ରାୟତଃ ସେ ଅଭିଜାତ ଜୀବନର ଚିତ୍ର ଆଙ୍କିଛନ୍ତି ଯଥା-ରାଜା ,ସାମନ୍ତ , ରାଜଜେମା ,ଭଦ୍ରବ୍ୟକ୍ତିମାନଙ୍କ ଚିତ୍ର। ଦରିଦ୍ରର ଦୃଷ୍ଟିକୋଣରୁ ସେ ସଂସାରକୁ ବିଚାର କରିନାହାନ୍ତି।ତାଙ୍କ ଲେଖାରେ ବିଦ୍ରୋହର ଚିହ୍ନ ନାହିଁ, ଆଦର୍ଶର ଉନ୍ମାଦନା ନାହିଁ, ବିପ୍ଳବର ତେଜସ୍ବିତା ନାହିଁ, ଅଛି ମଧୁର ଶାନ୍ତିମୟ ନିସ୍ତରଙ୍ଗ ଭାବପ୍ରବାହ।

       ଭାଷାଶୈଳୀ ଉପରେ ଟେନିସନ୍‌ ଖୁବ୍‌ ଜୋର ଦେଉଥିଲେ। ରଞ୍ଜିତ ଭାଷା ଓ ଭାବଦ୍ୟୋତ ପ୍ରକାଶଭଙ୍ଗୀ ପ୍ରତି ସେ ଯେଉଁ ପରିମାଣରେ ଯତ୍ନବାନ୍‌ ଭାଷାର ମାଧୁର୍ଯ୍ୟ, କଥାବସ୍ତୁର ପ୍ରାଞ୍ଜଳତା ପ୍ରତି ବ୍ରାଉନିଂ ସେହି ପରିମାଣର ଯତ୍ନହୀନ। ଟେନିସନ୍‌ ଯାହାକୁ ଦର୍ଶନ ବୋଲି ଆଖ୍ୟା ଦେଇ ଅତି ଯତ୍ନ ସହକାରେ ଚିତ୍ରିତ ଭାଷାପୁଟରେ ସଂପାଦିଥାନ୍ତି, ଯାହାକୁ ତାଙ୍କର ବାଣୀ ବୋଲି ସମସ୍ତଙ୍କ ଆଗରେ ବାଢ଼ିଥାନ୍ତି ତାହା ଅନେକ ସମୟରେ ଅତି ତୁଚ୍ଛ ଭାବନା ମାତ୍ର। ଅପରପକ୍ଷରେ ବ୍ରାଉନିଂ ଅତି ଉଚ୍ଚ ଆଦର୍ଶକୁ ଅସ୍ପଷ୍ଟ, ଦୀନ ଭାଷାରେ ପ୍ରକାଶ କରିଥାନ୍ତି-ଭାଷା ଚିତ୍ରଣ ଦିଗକୁ ବିଲ୍‌କୁଲ୍‌ ଅବହେଳା କରିଥାନ୍ତି।

      ବ୍ରାଉନିଂ (ଖ୍ରୀ;ଅ; ୧୮୧୨-୧୮୮୯) ଶୈଶବ ଅବସ୍ଥାରୁ ତାଙ୍କର ଧୀମତ୍ତା ଓ କବିତ୍ବର ପରିଚୟ ଦେଇଥିଲେ। ତାଙ୍କୁ ଯେତେବେଳେ ମାତ୍ର ବାରବର୍ଷ ବୟସ, ସେ ତାଙ୍କର ପ୍ରଥମ କବିତାଗୁଚ୍ଛ ଲେଖିଥିଲେ, କିନ୍ତୁ ପ୍ରକାଶକ ଅଭାବରୁ ସେ ସେଗୁଡ଼ିକୁ ଚୁଲିରେ ପକାଇଦେଲେ। ତଥାପି ସେ ଲେଖିବା ଛାଡ଼ି ଦେଇନଥିଲେ। କିନ୍ତୁ ବହୁକାଳ ଧରି ତାଙ୍କ କବିତା ଇଂଲାଣ୍ଡରେ ଆଦୃତ ହୋଇନଥିଲା। ଯୌବନରେ ସେ ଏଲିଜାବେଥ୍‌ ବାରେଟ୍‌ ବୋଲି ଜଣେ ବୟୋଜ୍ୟେଷ୍ଠା ନାରୀ କବିଙ୍କର କବିତାରେ ମୁଗ୍ଧ ହୋଇ ତାଙ୍କୁ ବିଚାର କରିବାକୁ ମନସ୍ଥ କଲେ। କିନ୍ତୁ କନ୍ୟାପିତା ବିବାହ ଲାଗି ସମ୍ମତି ନ ଦେବାରୁ ସେମାନେ ଗୋପନରେ ବିବାହ କରି ଇଂଲାଣ୍ଡ ଛାଡ଼ି ଇତାଲୀ ଚାଲିଗଲେ। ଇତାଲୀରେ ବ୍ରାଉନିଂଙ୍କ ଜୀବନର ବହୁବର୍ଷ କଟିଗଲା ଏବଂ ଇତାଲୀ ବ୍ରାଉନିଂଙ୍କର ଜୀବନର କବିପ୍ରତିଭାକୁ ଅନେକାଂଶରେ ପ୍ରଭାବିତ କରିଥିଲା। ଯୌବନ ଓ ପ୍ରେମର ଗୀତିକା କବି କଣ୍ଠଭରି ଗାଇଛନ୍ତି। କବିଙ୍କ ମତରେ ପ୍ରେମର କାଉଁରୀ ସ୍ପର୍ଶ ଧରଣୀର ସବୁ ଦୁଃଖଦୈନ୍ୟ ଦୂରକୁ ଠେଲିଦିଏ, ଜୀବନକୁ ନବଯୌବନରେ ଅଭିଷିକ୍ତ କରେ।




+ -

© Jataayu Charitable Trust
Site designed,developed & maintained by Tekons