ଇଂରାଜୀ ସାହିତ୍ୟର ଗତିଧାରା




ଇଂରେଜୀ ସାହିତ୍ୟର ଗତିଧାରା (୮)

              ଅଷ୍ଟାଦଶ ଶତାବ୍ଦୀରେ ଇଂରେଜମାନଙ୍କ ଜୀବନରେ ଗଣତନ୍ତ୍ର ଆଉ କେବଳ ଆଦର୍ଶ,ଅବାସ୍ତବ ହୋଇନାହିଁ। ପାର୍ଲିଆମେଣ୍ଟ ବା ଜନସଭା ଏକଛତ୍ର ରାଜାଠାରୁ ସମସ୍ତ ରାଜନୈତିକ କ୍ଷମତା ହସ୍ତଗତ କରିଛି। ଶତାବ୍ଦୀର ପ୍ରଥମାର୍ଦ୍ଧରେ ଦେଖାଯାଏ ଯେ, ,ଏହି କ୍ଷମତା ଅଧିକାର କରିବା ଲାଗି ସାମନ୍ତମାନଙ୍କର ନାୟକତ୍ବରେ ଜନସାଧାରଣ ବିଭିନ୍ନ ଦଳରେ ବିଭକ୍ତ, ଦଳମାନଙ୍କ ମଧ୍ୟରେ ଦଳାଦଳି ନିତିଦିନର ଘଟଣା। ଫଳତଃ ରାଜନୀତି ଲାଞ୍ଚମିଛ ଧପ୍ପାବାଜିର ଜୁଆଖେଳ ହୋଇଛି। ଏ ପ୍ରକାର ପରିସ୍ଥିତିରେ ଉଲ୍ଲ୍ବସିତ ବ ଅନୁପ୍ରାଣିତ ହେବାଲାଗି କୌଣସି ଉପାଦାନ ନଥିଲା; ଲୋକଙ୍କ ମଧ୍ୟରେ କେବଳ ମାତ୍ର ସମାଲୋଚନନା କରିବାର ଆକାକ୍ଷାଂ ପ୍ରବଳ ଏବଂ କୁତ୍ସା ରଟନା କରି ପ୍ରୟାସ ଦଥେଷ୍ଟ। ଗଣତନ୍ତ୍ର ଦାୟିତ୍ବ ଯେତେବେଳେ ଲୋକମାନେ ନିଜ କାନ୍ଧକୁ ନେଲେ ସେତେବେଳେ ପ୍ରତ୍ୟେକ ବିଷୟ ପ୍ରତି ନଜର ପଡ଼ିଲା ବୈଷୟିକ ଦୃଷ୍ଟିକୋଣରୁ , ପ୍ରତ୍ୟେକ ବିଷୟରେ ବିଚାର ଓ ସମାଧାନ ହେଲା କେବଳ ଯୁକ୍ତି ମାଧ୍ୟମରେ । ଶତାବ୍ଦୀର ଶେଷାର୍ଦ୍ଧରେ ସମାଜର ଶିରାପ୍ରଶିରାରେ ବ୍ୟାପି ରହିଥିବା କୁନୀତି ଓ କୁସଂସ୍କାର ବିରୁଦ୍ଧରେ ଜନମତ ପ୍ରବଳ ହୋଇଉଠିଲା। ଜନସାଧାରଣ  ଗଣତନ୍ତ୍ର ଉପରେ ପ୍ରତିଷ୍ଠିତ ସମାଜକୁ ସୂଷ୍ଣୁ ଜ୍ଞାନକରି ପୁରାତନ ସାଆନ୍ତିଆ ପ୍ରଥାର ମ୍ରିୟମାଣ ଅନୁଷ୍ଠାନଗୁଡ଼ିକୁ ବ୍ୟଙ୍ଗ ଉପହାସରେ ଉଡ଼ାଇଦେଲେ ଓ ଗଣତନ୍ତ୍ରର ସ୍କଳନକୁ ସମାଲୋଚନା କଲେ।

     ଏହି କାଳର ସାମାଜିକ ଜୀବନ ପ୍ରତି ଆଖି ପକାଇଲେ ଆମେ ଏକ ବିରାଟ ବୈପବ୍ଳିକ ପରିସ୍ଥିତିର ସମ୍ମୁଖୀନ ହେଉଁ। ଏହି ଯୁଗକୁ ଯନ୍ତ୍ରସଭ୍ୟତା ଆରମ୍ଭ ହେଲା। ଜୀବନଧାରଣ ଲାଗି କୃଷି ଉପରେ ନିର୍ଭର କରି ଯେଉଁ ଜନତା ବିକ୍ଷିପ୍ତ ହୋଇ କ୍ଷୁଦ୍ର ଗ୍ରାମମାନଙ୍କରେ ଦିନ କାଟୁଥିଲେ ସେମାନେ ବର୍ତ୍ତମାନ ବଡ଼ ବଡ଼ ଶିଳ୍ପକେନ୍ଦ୍ରକୁ ଗଲେ ମଜୁରିଆ ହୋଇ। ଦେଶର କୁମ୍ଭାର ଓ କମାରଙ୍କ କୁଡ଼ିଆ ଦୁଆର ବନ୍ଦ ହେଲା; ତାଳଗଛ ପ୍ରମାଣ ଚିମନିରୁ ଧୂଆଁର ଅବିରାମ ସ୍ରୋତ ଛୁଟିଲା କାରଖାନା ଘରୁ। ଏଥିପୂର୍ବେ ଜାତୀୟ ସଂସ୍କୃତି ପରେ ପଲ୍ଲୀ ଯେଉଁ ପ୍ରଭାବ ବିସ୍ତାର କରିଥିଲା, ତାହା ଏ କାଳକୁ ଆଉ ନାହିଁ। ସହରର ଚା-କଫି ଖଟି ହେଲା ଏ ଯୁଗର ସାଂସ୍କୃତିକ କେନ୍ଦ୍ର। କବି, ନେତା, ବ୍ୟବସାୟୀ , ଦାର୍ଶନିକ-ସମସ୍ତଙ୍କର ମେଳା ଜମିଲା ସେଇଠି। ସହରର ଅବହାୱାରେ ପରିପୁଷ୍ଟ ଏ ଯୁଗର ସଂସ୍କୃତିରେ କଳ୍ପନାବିଳାସତା ବିରଳ, ଭାବର ଗଭୀର ସ୍ପନ୍ଦନର ଏକାନ୍ତ ଆଭାବ, ଶୁଷ୍କ ଭାବନା ନିୟନ୍ତ୍ରିତ ବିଧିବଦ୍ଧ ଛନ୍ଦରୁ କ୍ଷୁଦ୍ର ପରିସର ମଧ୍ୟରେ ସଙ୍କୁଚିତ ହୋଇପଡ଼ିଛି ଏବଂ ଚାଲିଚଳନୀ ପ୍ରଭୃତି ଜୀବନର ଅଗଭୀର ଅଭିବ୍ୟକ୍ତିରେ କବି ଓ ଭାବୁକର ଦୃଷ୍ଟି ନିବଦ୍ଧ ହୋଇଯାଇଛି।

         ଜାତୀୟ ଜୀବନର ଉପରୋକ୍ତ ଚିତ୍ର ଏ ଯୁଗର ଇଂରେଜୀ ସାହିତ୍ୟରେ ଗଦ୍ୟ ସାହିତ୍ୟର ଉତ୍ପତ୍ତି ଓ ବିକାଶର କାରଣ ନିର୍ଦ୍ଦେଶ କରେ।ଏହି ଯୁଗ ଉତ୍କୃଷ୍ଟ କବିତା ଲାଗି ଉପଯୋଗୀ ନୁହେଁ;ଜନମତକୁ ସଂଗଠିତ କରିବା ଲାଗି,ସହରର ବ୍ୟସ୍ତ ଜନତାକୁ ଏକତ୍ର କ୍ଷଣକ ଆନନ୍ଦ,ସମ୍ବାଦ, ରାଜନୈତିକ ବିଜ୍ଞତା  ଓ ସଂସାରିକ ଆଦର୍ଶ ଯୋଗାଇବା ଲାଗି ଲୋଡ଼ା ଗଦ୍ୟ, ଲୋଡ଼ା ସମ୍ବାଦପତ୍ର, ରଚନା, ଉପନ୍ୟାସ। ଅଷ୍ଟାଦଶ ଶତାବ୍ଦୀ ପ୍ରଧାନତଃ ଗଦ୍ୟ ସାଦିତ୍ୟର ଯୁଗ, ଏ କାଳର ପଦ୍ୟ ବି ଗଦ୍ୟ ଠାରୁ ଆପଣାର ବିଶିଷ୍ଟତା ରକ୍ଷା କରିପାରିଲାନାହିଁ।

     ଜନମତ ଦ୍ବାରା ଏ ସମୟରେ ବିଭିନ୍ନ ଦଳ ଓ ବ୍ୟକ୍ତି ବିଶେଷଙ୍କର ଶକ୍ତି ବୃଦ୍ଧି ବା ହ୍ରାସ କରୁଥିବାରୁ ଧନିକ ସାମନ୍ତମାନେ ପ୍ରତିପକ୍ଷ ଦଦଳ ବା ପ୍ରତିଦ୍ବନ୍ଦୀ ବିରୁଦ୍ଧରେ ଜନମତକୁ ସଂଗଠିତ କରିବାକୁ ସଚେଷ୍ଟ ହେଉଥିଲେ। କୁତ୍ସା ଓ ଆକ୍ରୋଶମୂଳକ ଭାଷାରେ ଏକ ରାଜନୈତିକ ଦଳ ଅପର ରାଜନୈତିକ ଦଳକୁ ଆକ୍ରମଣ କରୁଥିଲା, ବ୍ୟଙ୍ଗ ଉପହାସ କରି ଜନସାଧାରଣଙ୍କ ଚକ୍ଷୁରେ ତାହାର ଗାମ୍ଭୀର୍ଯ୍ୟ କ୍ଷୂର୍ଣ୍ଣ କରିବାକୁ ଚେଷ୍ଟା କରୁଥିଲା। ସାମନ୍ତମାନେ ସେମାନଙ୍କର ଏହି ଅଭୀଷ୍ଟ ସାଧନ ଲାଗି ସାହିତ୍ୟିକମାନଙ୍କର ସହଚର୍ଯ୍ୟା ଲୋଡ଼ିଲେ ଓ ଶତାବ୍ଦୀର ପ୍ରଥମ ଭାଗରେ ସାହିତ୍ୟିକର ପ୍ରତିଭା ବିଶିଷ୍ଟ ରଜନୈତିକ ନେତା ତାଙ୍କର ପୃଷ୍ଠପୋଷକରେ ବିକାଶ ଲାଭ କରିବାର ସୁଯୋଗ ପାଇଲା । ଶତାବ୍ଦୀର ଶେଷ ଭାଗରେ ଦେଖାଯାଏ ଯେ ଜନସାଧାରଣ ସାହିତ୍ୟର ପୃଷ୍ଠପୋଷକତା ନିଜ ଉପରେ ନେଇଛନ୍ତି। ମାସିକପତ୍ର ଓ ବହି ବିକ୍ରି ଉପରେ ନିର୍ଭର କରି ସାହିତ୍ୟିକ ଆପଣାର ସ୍ବାଧୀନ ମତ ବ୍ୟକ୍ତ କରିପାରୁଛି।

     କହିଛି, ଅଷ୍ଟାଦଶ ଶତାବ୍ଦୀର ପଦ୍ୟ ଗଦ୍ୟର ନିକଟତର, ଏହା ମାନବର ମୌଳିକ ଅନୁଭୂତି ଓ ଗଭୀର ଭାବନିଚୟକୁ ସ୍ପର୍ଶ କରେ ନାହିଁ, କେବଳ ମାତ୍ର ଜୀବନର ବହିରାଡ଼ମ୍ବର ଘେନି ଏହା ସଂଗଠିତ। 

        ଜନ୍‌ ଡ୍ରାଇଡେନ୍‌ (ଖ୍ରୀ ୧୬୩୧-୧୭୦୦) ଏ ଯୁଗର ପ୍ରଧାନ କବି। ଦଳଗତ ରାଜନୀତି ଏ ଯୁଗର ଧର୍ମ, ଦଳଗତ ରାଜନୀତି ସହିତ ସମ୍ପୃକ୍ତ ରହିବା ଦ୍ବାରା ହିଁ କେବଳ ଏ ସମୟରେ କବି ତା’ ନିଜକୁ ପ୍ରତିଷ୍ଠା କରିପାରୁଥିଲା। ଡ୍ରାଇଡେନ୍‌ଙ୍କର ପ୍ରତିଭାର ବିକାଶ ସେହି ଦିଗରେ। ପ୍ରଥମେ ଡ୍ରାଇଡେନ୍‌ ନାଟକରେ ହାତଦେଲେ। ପ୍ରାୟ କୋଡ଼ିଏଖଣ୍ଡ ନାଟକ ବି ପ୍ରଣୟନ କରିଛନ୍ତି। କିନ୍ତୁ ନାଟ୍ୟକାର ହିସାବରେ ତାଙ୍କର ପ୍ରତିଷ୍ଠା ହୋଇପାରିନାହିଁ। ୧୬୭୦ ରେ ଯେତେବେଳେ ରାଜ ଅନୁଗ୍ରହ ଲାଭ କରି ଡ୍ରାଇଡେନ୍‌ ଇଂଲାଣ୍ଡର ରାଜକବି ହେଲେ, ପ୍ରତିଦ୍ବନ୍ଦୀ ଦଳମାନେ ତାଙ୍କ ପ୍ରତି ଈର୍ଷାନ୍ବିତ  ହେଲେ ଏବଂ ଡ୍ରାଇଡେନଙ୍କୁ ବ୍ୟଙ୍ଗ କରି ଦି ରିହାର୍ସାଲ (the rehearsal) ନାମକ ବ୍ୟଙ୍ଗ କବିତା ପ୍ରକାଶ କଲେ। ଡ୍ରାଇଡେନ୍‌ ତା’ର ପ୍ରତିଶୋଧ ନେଲେ ଏବସାଇଲେମ୍‌ ଏଣ୍ଡ୍‌ ଏବିଟୋଫେଲ୍‌ (ablalom & achitopnel) କାବ୍ୟରେ; ରାଜା ଓ ମନ୍ମାଉଥ୍‌ ସେଫ୍‌ବରୀ ଓ ବକିମହାମ୍‌ ପ୍ରଭୃତି ସାମନ୍ତମାନଙ୍କର କାର୍ଯ୍ୟକଳାପର ସମାଲୋଚନା କରାଯାଉଛି। ମେଡାଲ୍‌(Medal)ଓ ମେକ୍‌ଫ୍ଲେକ୍‌ନୋ(Mecflecknoe) ନାମକ ବ୍ୟଙ୍ଗ କବିତାରେ ଡ୍ରାଇଡେନ୍‌ ପୂର୍ବବତ୍‌ ରାଜନୈତିକ ନେତା , ଦଳ ଓ ସାହିତ୍ୟିକମାନଙ୍କୁ ବିଦ୍ରୂପ କରିଛନ୍ତି। କ୍ଷଣସ୍ଥାୟୀ ସମସ୍ୟା ଉପରେ କବି ତାଙ୍କର ସାମର୍ଥ୍ୟ ନିୟୋଜିତ କରିଥିଲେ ବି ତାଙ୍କର କବିତାକୁ କବିଙ୍କର ଅସାମାନ୍ୟ ପ୍ରତିଭାର ଯଥେଷ୍ଟ ପରିଚୟ ମିଳେ।

         ଆଲେକ୍‌ଜାଣ୍ଡାର ପୋପ୍‌  ଏ ଯୁଗର ଜଣେ ପ୍ରତିଷ୍ଠା ସଂପନ୍ନ କବି। ପୋପ୍‌ଙ୍କର ପିତା ଧନଶାଳୀ ନଥିଲେ। ପୋପ୍‌ଙ୍କର ଶିକ୍ଷା ବିଦ୍ୟାଳୟରେ ହୋଇପାରିଲାନାହି। କିନ୍ତୁ ପୋପ୍‌ଙ୍କର ପୁସ୍ତକ ଅଧ୍ୟୟନ ଲାଗି କିପରି ଗୋଟାଏ  ଝୁଙ୍କଥାଏ । ଯେଉଁଠି ବହି ପାଇଲେ ସବୁ ଗୋଟେଇ ପଢ଼ନ୍ତି। ବାଲ୍ୟରୁ ପୋପ୍‌କର ଶରୀର ଅତିଶୟ କ୍ଷୀଣକାୟ ଥିଲା, ରୋଗ ଥିଲା ତାଙ୍କ ଜୀବନର ଚିର ସହଚର। ପିଲାଦିନରୁ ହିଁ ପୋପ୍‌ଙ୍କର ପଦ୍ୟ ରଚନା କରିବା ପ୍ରବୃତ୍ତି  ପ୍ରକାଶ ପାଇଥିଲା, ପ୍ରବାଦ ଅଛି କବିତା ରଚନା କରି ବୃଥା ସମୟ ନଷ୍ଟ କରୁଥିବା ଅଭିଯୋଗରେ ପୋପ୍‌ଙ୍କର ପିତା ତାଙ୍କୁ ଶାସ୍ତି ଦେଉଥିବା ବେଳେ ପିତାଙ୍କୁ ପ୍ରହାର ହେବାରୁ ବାରଣ କରିବାକୁ ଯାଇ ପୋପ୍‌ଙ୍କର ମୁହଁରୁ ପଦ୍ୟ ଆକାରରେ ବାହାରି ପଡ଼ିଥିଲା ପଦେ।

         ପୋପ୍‌ଙ୍କ କାବ୍ୟ ମଧ୍ୟରୁ ଚାରିଗୋଟିର ନାମ ଉଲ୍ଲେଖଯୋଗ୍ୟ। - ବେଣୀହରଣ, ଡନ୍‌ସିଆଡ୍‌, ମନୁଷ୍ୟ ସମ୍ବନ୍ଧେ ରଚନା(Essays on Man), ସମାଲୋଚନା ପ୍ରବନ୍ଧ (Essays on Critisism)। ପ୍ରଥମୋକ୍ତ କାବ୍ୟର କଥାବସ୍ତୁ ରାଜଦରବାରର ଏକ ରମଣୀଙ୍କର ବେଣୀକୁ ଜଣେ ଯୁବକ ସାମନ୍ତ କତୁରୀରେ କାଟିଦେଲେ, ଫଳରେ ତୁମୁଳ ଚାଞ୍ଚଲ୍ୟ ସୃଷ୍ଟି ହେଲା।ଏହି କାବ୍ୟରେ ରାଜଦରବାର ତଥା ସମସାମୟିକ ଜାତୀୟ ଜୀବନର ଯେଉଁ ଚପଳତା ପରିଲକ୍ଷିତ ହେଉଥିଲା, ତାହା ରୂପ ପାଇଛି। ‘ଡନସିଆଡ୍‌’ ରାଜନୈତିକ ଓ ସାମାଜିକ ଜୀବନରେ ଯେଉଁ କୁତ୍ସିତ ବାଦବିସଂବାଦ  ଲାଗି ରହିଥିଲା ତାହାର ଏକ ଜୀବନ୍ତ ଚିତ୍ର ଆଙ୍କିଛି। ‘ମନୁଷ୍ୟ ସମ୍ବନ୍ଧେ ରଚନା’ କାବ୍ୟରେ କବି ଯୁଗର ଦାର୍ଶନିକ ରୂପରେ ମନୁଷ୍ୟର କର୍ମ ଓ କର୍ତ୍ତବ୍ୟ ସମ୍ବନ୍ଧରେ ନୀତିବଚନ ରଚନା କରିଛନ୍ତି। କବିଙ୍କର ତଥାକଥିତ ଦାର୍ଶନିକ ଭାବ ପ୍ରକୃତରେ ସାମାଜିକ କାୟଦା କଟକଣା ଓ ବୈଷୟିକ ବିଜ୍ଞତାରେ ସୀମାବଦ୍ଧ।




+ -

© Jataayu Charitable Trust
Site designed,developed & maintained by Tekons