ଇଂରାଜୀ ସାହିତ୍ୟର ଗତିଧାରା




               ଏହି ସମୟରେ ବିଦେଶ ପର୍ଯ୍ୟଟନ ବିଶେଷତଃ ଇତାଲୀ ଯାତ୍ରା କରିବା ଥିଲା ଏକ ସୌଖୀନ। ଇତାଲୀରେ  ବୋକାସିଓ (Boccacia) ନାମକ ଜଣେ ଲେଖକ ୧୩୫୦ ଖ୍ରୀଷ୍ଟବ୍ଦରେ ନୋଭେଲା ଷ୍ଟୋରିଆ(Novella storia) ନାମକ ଏକ ଗଦ୍ୟ ପୁସ୍ତକ ପ୍ରକାଶ କରନ୍ତି। ଏହି ପୁସ୍ତକ ଦୁଃସାହସିକ ପ୍ରେମିକର ଅନୁଭୂତି ଉପରେ ଲିଖିତ କେତେଗୁଡ଼ିଏ ଗଳ୍ପର ସମାବେଶ। ଏହି ପୁସ୍ତକ ସାହିତ୍ୟରେ ଏକ ନୂତନ ରାଜ୍ୟର ସନ୍ଧାନ ଦେଲା। ପ୍ରଥମେ ଯଦିଓ ନଭେଲ୍‌ ବୋଇଲେ ନୂଆ ଗଳ୍ପ ବୁଝାଉଥିଲା, କ୍ରମଶଃ ନଭେଲ୍‌ ଏକ ଅର୍ଥ ହେଲା ଗଦ୍ୟରେ ଲିଖିତ ଆଖ୍ୟାୟିକା, ଉପନ୍ୟାସର କଥାବସ୍ତୁ ମଧ୍ୟଯୁଗର କାହାଣୀର କଥାବସ୍ତୁଠାରୁ ପୃଥକ୍‌ ହେଲା । ଔପନାସିକ ବାସ୍ତବ ଜୀବନ ଚିତ୍ର କଲା। ଇତାଲୀର ପ୍ରଭାବ ହେତୁ ଇଂରାଜୀରେ ଗଳ୍ପ ସାହିତ୍ୟର ପ୍ରସାର ହେଲା ଲିଲିଙ୍କ ୟୁଫୁଅସ୍‌(Euphues), ଟୋମସ୍‌ନସ୍‌ଙ୍କ ‘ରୋଜାଲିଞ୍ଜ’(Rosalynda), ଟୋମସ୍‌ ମାସ୍‌ଙ୍କ ‘ହତଭାଗା ପଥିକ’, ସିଡ଼ିଙ୍କର ‘ଆରକେଡ଼ିଆ’(Arcadila)ପ୍ରଭୃତି ଗଳ୍ପ ସାହିତ୍ୟକୁ ଯଦିଓ ଉପନ୍ୟାସର ଆଖ୍ୟା ଦିଆଯାଇପାରିବ ନାହିଁ, ତଥାପି ଉପନ୍ୟାସର ସୃଷ୍ଟି ଦିଗରେ ସେସବୁ ସୁବର୍ଣ୍ଣ ପାବଚ୍ଛ ହୋଇ ରହିଲେ।

                ଗଦ୍ୟର ପ୍ରସାର ସହିତ ଇଂରେଜ ସାହିତ୍ୟରେ ସମାଲୋଚନା ପ୍ରଥମେ ଆରମ୍ଭ ହୁଏ। ରୋଗର ଆଚ୍ଛାମ୍‌ ତାଙ୍କର ସ୍କୁଲ ମାଷ୍ଟର ନାମକ ସମାଲୋଚନା ଗ୍ରନ୍ଥରେ କଳ୍ପନାର ଅତିଶଯ୍ୟକୁ ନିନ୍ଦା କରି ବାସ୍ତବ ଜୀବନ ଚିତ୍ର କରିବା ସପକ୍ଷରେ ତାଙ୍କର ମତବ୍ୟକ୍ତ କରିଛନ୍ତି। ଗାସକ୍‌ଏନ୍‌ (Gascoigne) ଉପଦେଶ ବାଣୀ (Gascoigne)ନାମକ ଗ୍ରନ୍ଥରେ କିପରି ବହୁ କବିତା ଛନ୍ଦ ଦୋଷରେ ଦୁଷ୍ଟ ହୋଇଅଛି ତାହା ଦର୍ଶାଇଥିଲେ। କବିତା ଲାଗି କ୍ଷମା ପ୍ରାର୍ଥନା (Apologie for poetric) ନାମକ ଗ୍ରନ୍ଥରେ ସିଡ଼ିନି ସମାଜରେ କବିଙ୍କର ସ୍ଥାନ ନିର୍ଦ୍ଦେଶ କରିଛନ୍ତି ଏବଂ ସାହିତ୍ୟରେ କବିତାକୁ ସର୍ବୋଚ୍ଚ ସ୍ଥାନ ଦେଇଛନ୍ତି।

                ଏହି ନବ ଜାଗୃତିର ପ୍ରଥମ ଭାଗରେ ପଞ୍ଚଦଶ ଶତାବ୍ଦୀର ବିଶେଷ ଉଲ୍ଲେଖ୍ୟ ଦାବି କଲେ ମୁର୍‌ଙ୍କର ୟୁଟୋପିଆ (Utopia)। ଏହା ପ୍ରଥମେ ଇତାଲୀୟ ଭାଷାରେ ଲିଖିତ ହୋଇଥିଲେ ମଧ୍ୟ ଅଳ୍ପକାଳ ମଧ୍ୟରେ ଏହାର ଇଂରେଜୀ ଅନୁବାଦ ହୋଇଗଲା। ବହୁ ଦେଶାଟନ କରି ସଂସାରରେ ବହୁ ଅଭିଜ୍ଞତା ଅର୍ଜନ କରି, ସାମାଜର ଦୁଃଖଦୈନ୍ୟ ଓ କୁସଂସ୍କାରରେ ବ୍ୟଥିତ ହୋଇ ଟୋମସ୍‌ ମୁର୍‌ ଏକ ଆଦର୍ଶ ସମାଜର ପରିକଳ୍ପନା କରିଅଛନ୍ତି। ହିଥ୍‌ଲୋଡେ ନାମକ ଜଣେ ପର୍ତ୍ତୁଗୀଜ୍‌ ନାବିକ ସହିତ ଗଳ୍ପାଳାପ ଛଳରେ ମୁର୍‌ ଏ ଦିଗରେ ନିଜ ସମାଜର ଦୋଷ ଓ ଦୁର୍ନୀତିକୁ ବ୍ୟଙ୍ଗ କରିଛନ୍ତି ଏବଂ ଅପର ଦିଗରେ ଏକ ମନଗଢ଼ା ସର୍ବାଙ୍ଗ ସୁନ୍ଦର ସମାଜର ଚିତ୍ର ଦେଇଛନ୍ତି। ଇଂଲାଣ୍ଡରେ ହିଥ୍‌ଲୋଡେ ଦେଖନ୍ତି ଯେ ଚୋରି ଲାଗି ଲୋକଙ୍କୁ ଫାଶିଦଣ୍ଡ ଦିଆଯାଊଛି । “ଆଚ୍ଛା, ପ୍ରତ୍ୟେକ ଲୋକ ଲାଗି ତାର ଜୀବନଧାରଣ ପାଇଁ ବ୍ୟବସ୍ଥା ଖଞ୍ଜିଦେଲେ,ଚୋରି କରିବାକୁ କାହାର କାହିଁକି ଗରଜ ପଡ଼ନ୍ତା, ଚୋରି କରିବା ଲାଗି କିଏ ବା କାହିଁକି ମରନ୍ତା? ତୁମେ ଲୋକଙ୍କୁ ମୂର୍ଖ ହେବାକୁ ଛାଡ଼ିଦେଲ, ବାଲ୍ୟକାଳରୁ ତାଙ୍କ ଆଚାର ବ୍ୟବହାର କଳୁଷିତ ହେବାର ସୁଯୋଗ ଦେଲ, ପୁଣି ସେହି ଶିକ୍ଷା ହେତୁରୁ ଯେଉଁ ଅପରାଧମାନ କଲେ ସେଥିଲାଗି ତାଙ୍କୁ ଶାସ୍ତି ଦେଲ। ଏଥିରୁ କ’ଣ ବୁଝାଯାଉନାହିଁ ଯେ ତୁମେ ସେହି ଲୋକମାନଙ୍କୁ ଚୋରି କରିବା ଶିଖାଅ, ଆଉ ପରେ ଚୋର ବୋଲି ତାଙ୍କୁ ଦଣ୍ଡ ଦିଅ?”

                ଆଦର୍ଶ ଦେଶ ୟୁଟୋପିଆର ଅଧିବାସୀମାନେ ସକାଳରୁ ସଞ୍ଜଯାଏ ଖଟି ଖଟି ବେଦମ୍‌ ହୋଇଯାଆନ୍ତି ନାହିଁ। ଦିନର ଚବିଶ ଘଣ୍ଟାରୁ ଛ’ଘଣ୍ଟା କାମ ଲାଗି, ତିନି ଘଣ୍ଟା କାରଖାନାରେ,ତିନି ଘଣ୍ଟା ଅନ୍ୟ କାମରେ, ଆଠଘଣ୍ଟା ନିଦ୍ରା, ବାକି ସମସ୍ୟା ନିଜସ୍ବ। ସମସ୍ତେ କୌଣସି ନା କୌଣସି ଉପକାରୀ କାର୍ଯ୍ୟରେ ସମୟ ଅତିବାହିତ କରନ୍ତି। ସେ ଦେଶର ରାସ୍ତା ପ୍ରଶସ୍ତ, ସ୍ବାସ୍ଥ୍ୟ ଭଲ ଓ ସବୁ ସହରରେ ନିର୍ମଳ ପାଣି ଯୋଗାଇବାର ବ୍ୟବସ୍ଥା ଅଛି।

                ୟୁଟୋପିଆରେ ଆଇନ ପ୍ରଚଳନ ନାହିଁ। “ଗୋଛାଏ ଆଇନ ଦୁର୍ବୋଧ୍ୟ ଗଣ୍ଡି ଭିତରେ ମନୁଷ୍ୟକୁ ବାନ୍ଧିରଖିବା ଅନୁଚିତ ଅଟେ। ଆଇନର କଳେବର ଏତେବଡ଼ ଓ ତାହାର ଅର୍ଥ ଏତେ ଅଗମ୍ୟ ଯେ ତାକୁ ପ୍ରତ୍ୟେକ ନାଗରିକ ପଢ଼ି ବୁଝିବା ଅସମ୍ଭବ”।

                ୟୁଟୋପିଆରେ ପୁରୁଷ ଓ ସ୍ତ୍ରୀ ଲୋକ ସାମରିକ ବିଦ୍ୟା ଶିଖି ଯୁଦ୍ଧାଭ୍ୟାସ କଲେ ମଧ୍ୟ ଯୁଦ୍ଧ ଏକ ଘୃଣ୍ୟ ଓ ପାଶବିକ ଅନୁଷ୍ଠାନ ବୋଲି ସେମାନେ ଜ୍ଞାନ କରନ୍ତି। “ ଯୁଦ୍ଧ ଜୟରେ ଯେଉଁ ଗୌରବକେତନ ଉଡ଼େ ତାହାଠାରୁ ଅଧିକ ଗ୍ଳାନିମୟ ପଦାର୍ଥ ଏ ପୃଥିବୀରେ ନାହିଁ।” ତଥାପି, ଆବଶ୍ୟକ ବେଳେ ଆପଣାକୁ ରକ୍ଷା କରିବା ଲାଗି, ଅନ୍ୟାୟ ଆକ୍ରମଣର ପ୍ରତିରୋଧ ଲାଗି, ଅତ୍ୟାଚାରର ବଦଳରୁ କୌଣସି ବ୍ୟକ୍ତିକୁ ରକ୍ଷା କରିବା ଲାଗି, ସମରର ଆବଶ୍ୟକତା ରହିଛି ବୋଲି ଅଧିବାସୀମାନେ ସ୍ବୀକାର କରନ୍ତି।

               ୟୁଟୋପିଆ ଗ୍ରନ୍ଥକୁ ଅନେକ ‘ଆଧୁନିକ ସାହିତ୍ୟର ଆଦିସ୍ତମ୍ଭ’ ଆଖ୍ୟା ଦେଇଥାନ୍ତି। ମୁର୍‌ଙ୍କ ରାଜ୍ୟ ଜନତାର ଗଣତାନ୍ତ୍ରିକ ରାଜ୍ୟ। ରାଜ୍ୟର ସଭାପତି ଭୋଟ ଦ୍ବାରା ନିର୍ବାଚିତ ହୁଅନ୍ତି। ଯଦିଓ ୟୁଟୋପିଆ ଏକ ଆଦର୍ଶବାଦୀର ମଧୁର ସ୍ବପ୍ନ, ତଥାପି ସମାଜ ସଂସ୍କାରକଙ୍କ ଏଥିରେ ଯଥେଷ୍ଟ ଉପାଦାନ ଓ ଚିନ୍ତାର ସାମଗ୍ରୀ ନିହିତ। ‘ନବ-ଆଲୋକ’ ଯେଉଁ ଆଦର୍ଶବାଦର ଆଭାରେ ଇଉରୋପକୁ ଉଦ୍‌ଭାସିତ କରିଥିଲା, ତାହାର ଆଭାସ ଏହି ପୁସ୍ତକରୁ ମିଳେ। କିନ୍ତ ଇଂଲାଣ୍ଡର ଆଦର୍ଶବାଦୀ ସ୍ବପ୍ନବିଳାସୀ ନୁହେଁ, ସେ ତାହାର ଆଦର୍ଶକୁ ଜୀବନର ଉପଯୋଗୀ କରିବାକୁ ତତ୍ପର। ଭାବନାର ଉତ୍କର୍ଷରେ ସେ ଜଗତକୁ ଚମତ୍କୃତ କରିବାକୁ ଚାହେଁ ନାହିଁ। ଦୈନନ୍ଦିନ ଘଟଣା ପ୍ରବାହରେ ସେହି ଆଦର୍ଶକୁ ନିୟୋଜିତ କରିବାହିଁ ତା’ର ଆକାଂକ୍ଷା।

               ନୂଆ ଯୁଗର ଉନ୍‌ମାଦନା କବିତାର ତନ୍ତ୍ରୀରେ ସତେଜ ରାଗରାଗିଣୀ ଫୁଟାଇବା ସ୍ବାଭାବିକ। ଆଲୋକ ଉଦ୍ଭାସିତ ଛବିଳ ଭାଷା ସମକ୍ଷରେ ଛିଡ଼ା ହୋଇ କବି ପ୍ରଥମେ ସସଂଭ୍ରମ ହୋଇପଡ଼ିଥିଲା। ଏ ନୂତନ ଅନୁଭୂତିର ରୂପରେଖା ଦେବାକୁ ସେ ଇତସ୍ତତଃ; କେଉଁ ଛନ୍ଦ କି ଭାଷା, କି ଶୈଳୀ ଯେ ଏ ଜୀବନର ପ୍ରକାଶ ଲାଗି ଉପଯୋଗୀ ହେବ ସେ ବିଷୟରେ କବି ପ୍ରଥମେ ସ୍ଥିର କରିପାରିନଥିଲା। ତେଣୁ ପଞ୍ଚଦଶ ଶତାବ୍ଦୀର ଇଂରେଜ କବିଙ୍କର ଅଙ୍ଗୁଳି ସ୍ପର୍ଶରେ ବୀଣାର ଏ ତାର ସେ ତାର ମଧ୍ୟେ ମଧ୍ୟେ ଝଙ୍କାରି ଉଠିଥିଲେ ମଧ୍ୟ ତହିଁରୁ ଅନିଶ୍ଚିତତାର ସ୍ବର ଅତି ସ୍ପଷ୍ଟ। କବି ଓ୍ୟାଟ୍‌ ଓ କବି ସର୍ଭେଙ୍କର ସମ୍ମିଳିତ କବିତାଗୁଚ୍ଛ (Tottels’ Miscellaney)୧୫୫୭ ଶତାବ୍ଦୀରେ ପ୍ରକାଶ ପାଏ। ଏହି କବିତାଗୁଚ୍ଛ ଇଂରେଜୀ କବିତା ମହଲରେ ଏକ ନୂଆ ଅଧ୍ୟାୟ ଖୋଲିଲା ସବୁଜଯୁଗ।

              ଇତାଲୀୟ କବିତା କି ଛନ୍ଦ କି ଭାବ ସବୁରେ ସମୃଦ୍ଧ। ଜ୍ଞାନର ପ୍ରସାର ସହିତ ବୈଦେଶିକ ବିଶେଷତଃ ଗ୍ରୀକ୍‌ ଓ ଇତାଲୀ ସାହିତ୍ୟ ଇଂରାଜୀ ସାହିତ୍ୟ ଉପରେ ବିଶେଷ ପ୍ରଭାବ ବିସ୍ତାର କରିଥିଲା। ଓ୍ୟାଟ୍‌ (Wyatt) ଇତାଲୀୟ ବହୁ ଛନ୍ଦ ପ୍ରକ୍ରିୟାର ଅନୁକରଣରେ କେତେକ ଗୀତ, ଚତୁର୍ଦ୍ଦଶପଦୀ କବିତା (Sonnet), ବିଳାପ ଇତ୍ୟାଦି ରଚନା କରିଥିଲେ। ସର୍ଭେ (Survey) ଏନେଡ଼(Aeneid), ନାମକ କବିତା ଅନୁବାଦ କରିବାକୁ ଯାଇ ଇଂରାଜୀ ସାହିତ୍ୟରେ ଅମିତ୍ରାକ୍ଷର ଛନ୍ଦର ପ୍ରଚଳନ କଲେ। ଏଥିପୂର୍ବରୁ କବିତାରେ ମିତ୍ରାକ୍ଷରର କେବଳ ପ୍ରୟୋଗ ଥିଲା। କିନ୍ତୁ ଗ୍ରୀକ୍‌ ଓ ଇତାଲୀୟ କବିତାମାନଙ୍କରେ ଏହି ରୀତି ଅନୁସରିତ ନ ହେଉଥିବାରୁ କବିମାନେ ମିତ୍ରାକ୍ଷରର ରୀତି ଅନୁସରଣ କରିବାକୁ ବିଶେଷ ଶ୍ରଦ୍ଧାବାନ୍‌ ହେଲେ ନାହିଁ। ଭାବ ଦିଗରୁ ଆଲୋଚନା କଲେ ଓ୍ୟାଟ୍‌ ଓ ସର୍ଭେଙ୍କର କବିତାରେ ବ୍ୟକ୍ତିଗତ ଦୁଖଦୁଃଖର ଯେଉଁ ଝଙ୍କାର ବାଜି ଉଠିଛି, ତାହା ମଧ୍ୟଯୁଗର କୌଣସି କବିତାରେ ମିଳେ ନାହିଁ। ମଧ୍ୟଯୁଗର ପଦ୍ୟ ସାହିତ୍ୟ ତୃତୀୟ ପକ୍ଷର ଆଶ୍ରୟ ନେଇ ଲିଖିତ ହେଉଥିଲା। ପାଠକ କାଳ୍ପନିକ ବ୍ୟକ୍ତିର କାହାଣୀ ଶୁଣୁଥିଲା। ପ୍ରଥମଥର ପାଇଁ ଓ୍ୟାଟ୍‌ ଓ ସର୍ଭେଙ୍କ କଣ୍ଠରେ ଫୁଟିଲା କବିର ଆତ୍ମଗାଥା, ଏକର ଗାନରେ ଅପରର ବାଣୀ।

                ସାର୍‌ ଫିଲିପ୍‌ ସିଡିନ୍‌ଙ୍କର ନାମ ସାହିତ୍ୟିକ ହିସାବରେ ଯେତେ ପ୍ରସିଦ୍ଧି ଲାଭ କରିନାହିଁ, କରିଛି ତାଙ୍କର ଉଦାର ବ୍ୟକ୍ତିତ୍ବ ଲାଗି । “ମୋର ପ୍ରୟୋଜନୀୟତାଠାରୁ ତୁମର ପ୍ରୟୋଜନୀୟତା ଅଧିକ” ବୋଲି ଯେଉଁ ମହାପୁରୁଷ ଅପରର ପିପାସା ମେଣ୍ଟାଇବା ଲାଗି ଆପଣାର ପ୍ରାଣପାତ କରିଥିଲେ, ତାଙ୍କର ଉଦାର ଭାବ ନିଚୟର ଅମରଗାଥା ଲିପିବଦ୍ଧ ହୋଇଛି, ଏସ୍‌ଟୋଫେଲ୍‌ ଓ ଷ୍ଟେଲା (Astophel and Stella) ନାମକ ଚତୁର୍ଦ୍ଦଶପଦୀ କବିତା (Sonnet) ଗୁଚ୍ଛରେ। ଏହି ପ୍ରେମ-କବିତା ଗୁଡ଼ିକରେ ଆପେ ଏସ୍‌ଟୋଫେଲ୍‌ ଓ ନାୟିକା ଷ୍ଟେଲା ହେଉଛି ତାଙ୍କର ପ୍ରିୟା ପେନିଲୋପା। ସିଡିନି ଇସେକ୍‌ସ ଜମିଦାରୀର ସାମନ୍ତଙ୍କ ଜେମା ପେନିଲୋପାଙ୍କ ପ୍ରତି ଆକୃଷ୍ଟ ହୋଇଥିଲେ ଓ ବୃଦ୍ଧ ସାସନ୍ତ ସିଡ଼ିନିଙ୍କ ହସ୍ତରେ ଜେମାଙ୍କୁ ଅର୍ପଣ କରି ପ୍ରାଣତ୍ୟାଗ କରିଥିଲେ। ଯଦିଓ ପେନିଲୋପାଙ୍କ ଲାଗି ଭାବର ସ୍ଫନ୍ଦନ ଥିଲା ଅତି ଗଭୀର। ଏହି ବ୍ୟକ୍ତିଗତ ଅନୁଭୂତି ତାଙ୍କର କବିତାଗୁଡ଼ିକୁ ଅତିଶୟ ଜୀବନ୍ତ ଓ ସତେଜ କରିପାରିଛି, ତାଙ୍କର ଉଲ୍ଲ୍ବାସକୁ କରିପାରିଛି ଭାବମୟ।

                ସାଂସ୍କୃତିକ ଜାଗରଣ ଗଦ୍ୟର ପ୍ରସାର, ତଥା କବିତାରେ ନୂତନ ଭାବଧାରା ଆଣିଥିଲେ ମଧ୍ୟ, ତାହା ଲୋଡ଼ିଥିଲା ଅଧିକ ପ୍ରଶସ୍ତ ପରିସର, ଯୁଗର ବପୁଳ କର୍ମ ଉଦ୍ଦୀପନା, ପ୍ରାଣର ଗଭୀର ଓ ବିସ୍ତୃତ ଅନୁଭୂତିକୁ ପ୍ରକାଶ କରିବା ଲାଗି। ତାହାର ଉପଯୁକ୍ତ କ୍ଷେତ୍ର ରଙ୍ଗମଞ୍ଚ ବିନା ଅନ୍ୟତ୍ର କାହୁଁ ମେଣ୍ଟିବ?




+ -

© Jataayu Charitable Trust
Site designed,developed & maintained by Tekons