ଇଂରାଜୀ ସାହିତ୍ୟର ଗତିଧାରା




ଇଂରେଜୀ ସାହିତ୍ୟର ଗତିଧାରା (୪)

ନାଟ୍ୟକଳା

              ଜ୍ଞାନପ୍ରସାର ଫଳରେ ଓ ସମାଜରେ ମଧ୍ୟବିତ୍ତ ଶ୍ରେଣୀର ପ୍ରତିଷ୍ଠା ଯୋଗେ ଇଂରେଜ ଜାତୀୟ ଜୀବନରେ ଯେଉଁ ବିପ୍ଳବ ଜାଗରଣ ଦେଖାଦେଉଥିଲା ଓ ଜନସାଧାରଣଙ୍କ ମଧ୍ୟରେ ଯେଉଁ ଉନ୍‌ମାଦନା ପ୍ରକାଶ ପାଇଥିଲା, ତାହାର ପୂର୍ଣ୍ରତମ ଅଭିବ୍ୟକ୍ତି ରଙ୍ଗମଞ୍ଚ ବିନା ଅନ୍ୟତ୍ର ହୋଇନପାରେ। ଦେଶ ବିଦେଶର ସମସ୍ୟା ଜାଣିବାକୁ ଜାତୀୟତାର ଉଦ୍‌ବୋଧନରେ ଆପଣାର ପ୍ରେରଣା ଲାଭ କରିବାକୁ ଓ ଜୀବନର ବହୁବିଧ କ୍ଷେତ୍ରରେ ଅଭିଜ୍ଞତା ଲାଗି ଜନସାଧାରଣଙ୍କ ରଙ୍ଗମଞ୍ଚ ଥିଲା ଏକମାତ୍ର ଆଶ୍ରୟ। ରଙ୍ଗମଞ୍ଚ ଲୋକଙ୍କର ଆମୋଦ ପ୍ରମୋଦରେ ସହାୟକ ହେଲା; ଜ୍ଞାନାଲୋକପ୍ରାପ୍ତ ଜନସାଧାରଣଙ୍କର ରୁଚି କ୍ରମେ ପରିମାର୍ଜିତ ହୋଇ ଆସୁଥାଏ  ଏବଂ ସେମାନଙ୍କ ମଧ୍ୟରେ ସାହିତ୍ୟ ପ୍ରତି ଅନୁରାଗ ପ୍ରକାଶ ପାଉଥାଏ। ପୁନଶ୍ଚ ନୂତନ ଆବିଷ୍କାରମାନ ଫଳରେ, ଜ୍ଞାନର ପରିସର ବୃଦ୍ଧି ହେବା ଯୋଗୁଁ ଲୋକଙ୍କ ମଧ୍ୟରେ କଳ୍ପନା ବିଳାସିତା ଅତିଶୟ ଲକ୍ଷ୍ୟ କରାଯାଉଥିଲା। ଜାତୀୟ ଜୀବନର ଏ ସମସ୍ତ ଆବଶ୍ୟକତା, ଲୋକମାନଙ୍କ ଏ ସକଳ ପିପାସା କେବଳ ରଙ୍ଗମଞ୍ଚ ମେଣ୍ଟାଇ ପାରୁଥିଲା। ତେଣୁ ଏ ଯୁଗର ନାଟ୍ୟକଳାର ଅଦ୍ଭୁତ ଉତ୍‌ଥାନ ଆମେ ଲକ୍ଷ୍ୟ କରିବାକୁ ପାଉଁ।

             ଏଥିପୂର୍ବରୁ ଇଂରେଜ ସାହିତ୍ୟରେ ନାଟକ ଓ ରଙ୍ଗମଞ୍ଚ ଆଦି ଅନୁନ୍ନତ ଅବସ୍ଥାରେ ପଡ଼ି ରହିଥିଲା। ସବୁ ଜାତି ପରି ଇଂରେଜମାନଙ୍କର ନାଟ୍ୟକଳାର ଆଦିମ ପ୍ରେରଣା ଧର୍ମରୁ ଉତ୍ପତ୍ତି ଲାଭ କରିଥିଲା। ଅଜ୍ଞ ଜନସାଧରଣଙ୍କ ନିକଟରରେ ଲାଟିନ୍‌ ଭାଷାରେ ଲିଖିତ ବାଇବେଲ୍‌ ଗ୍ରନ୍ଥ ଦୁର୍ବୋଧ୍ୟ ଥିବାରୁ ଗୀର୍ଜାର ଧର୍ମଯାଜକମାନେ ବର୍ଷର ପ୍ରଧାନ ପ୍ରଧାନ ଦିନମାନଙ୍କରେ ଅଭିନୟ କରି ଧର୍ମଗ୍ରନ୍ଥରୁ ଏକ ଏକ ଉପାଖ୍ୟାନ ସମବେତ ଶ୍ରୋତାମାନଙ୍କ ସମକ୍ଷରେ ଦର୍ଶାଇ ପୁରାଣର ବିଷୟକୁ ସେମାନଙ୍କର ଅଧିକ ବୋଧଗମ୍ୟ କରାଉଥିଲେ। ଏଥିରେ ପ୍ରଥମେ ପ୍ରଥମେ ଅଭିନେତାମାନେ ମୂଳ ଅଭିନୟ କରୁଥିଲେ, ପରେ ଅଭିନୟ ସହିତ ବକ୍ତବ୍ୟ ଯୋଗ କରାଗଲା।ଏହି ଧର୍ମମୂଳକ ନାଟକକୁ ମିଷ୍ଟ୍ରି(mystery) ବା ରହସ୍ୟ ନାଟକ ଓ ମରାକଲ୍‌ (miracle) ବା ଅଦ୍ଭୁତ ନାଟକ ଆଖ୍ୟା ଦିଆଯାଇଥିଲା। ରହସ୍ୟ ନାଟକ ଗୁଡ଼ିକ ଧର୍ମଗ୍ରନ୍ଥର ଆଖ୍ୟାୟିକାକୁ ଆଶ୍ରୟ କରି ଲିଖିତ, ଅଦ୍ଭୁତ ନାଟକ ଋଷି ଓ ଧର୍ମବୀରମାନଙ୍କ ଜୀବନ ବୃତ୍ତାନ୍ତ ଉପରେ ଲିଖିତ। ଏହି ନାଟକ ଗୁଡ଼ିକ ସାଧଶରଣତଃ ଗୀର୍ଜା ମଧ୍ୟରେ ଅଭିନୀତ ହେଉଥିଲା ଏବଂ ଏଥିରେ ପ୍ରାୟତଃ ଧର୍ମଯାଜକମାନେ ଅଭିନୟ କରୁଥିଲେ। କ୍ରମେ ଏହି ଯାତ୍ରା ଗୀର୍ଜାର ଏକ ଆନୁସଙ୍ଗିକ ଅନୁଷ୍ଠାନରେ ପରିଣତ ହେଲା। ଏହା ଅତିଶୟ ଲୋକପ୍ରିୟ ହେବାରୁ ଧର୍ମଯାଜକମାନେ ତଥା ଜନସାଧାରଣ ଏଥିପ୍ରତି ଅଧିକ ଯତ୍ନବାନ ହେଲେ ଓ ବିଭିନ୍ନ ଗୀର୍ଜା ମଧ୍ୟରେ ଏଥିଲାଗି ପ୍ରତିଯୋଗିତା ଆରମ୍ଭ ହେଲା। ଗୀର୍ଜାର କ୍ଷୁଦ୍ର ପରିସର ମଧ୍ୟରେ ସମସ୍ତ ଦର୍ଶକଙ୍କ ଲାଗି ବସିବାର ଆୟୋଜନ କରିବା ଯେତେବେଳେ ଅସମ୍ଭବ ହେଲା, ଧର୍ମଯାଜକମାନେ ଗିର୍ଜାର ବହିଃସ୍ଥ କୌଣସି ସ୍ଥାନରେ ଏହାକୁ ଅନୁଷ୍ଠିତ କରିବାକୁ ସମ୍ମତ ହେଲେ। ଏତଦ୍ବାରା ଏହି ଅନୁଷ୍ଠାନ ଉପରୁ କେବଳ ଧର୍ମଯାଜକମାନଙ୍କର କର୍ତ୍ତୃତ୍ବ ଉଠିଯାଇ ଏହା ଜନସାଧାରଣଙ୍କର ଏକ ସାମାଜିକ ଅନୁଷ୍ଠାନରେ ପରିଣତ ହେଲା। ଆପଣା ଆପଣା ଅନୁଷ୍ଠାନର ଉତ୍କର୍ଷ ଦୃଷ୍ଟିରୁ ଜନସାଧାରଣଙ୍କ ମଧ୍ୟରୁ କ୍ରମେ ଅଭିନେତା ସଂଗ୍ରହ କରାଗଲା; କାଳକ୍ରମେ ଏଥିଲାଗି କେତେକ ଭଡ଼ାଟିଆ ଯାତ୍ରାଦଳର ସୃଷ୍ଟି ହେଲା ଏବଂ ଗୀର୍ଜା ତରଫରୁ ସେମାନଙ୍କ ଉପରେ ଅଭିନୟ କରିବାର ଭାଗ ଛାଡ଼ି ଦିଆଗଲା। କେବଳ ଧର୍ମଶିକ୍ଷା ଦ୍ବାରା ଦର୍ଶକଙ୍କୁ ଚିତ୍ତାକର୍ଷକ କରିବା ଦୁଷ୍କର ହେଉଥିବାରୁ ବିଭିନ୍ନ ଦୃଶ୍ୟ ମଧ୍ୟରେ ହାସ୍ୟୋବ୍ଦୀପକ ନାନା ଅଭିନୟ କରାଗଲା। ଏହି ହାସ୍ୟରସମୂଳକ ନାଟକମାନଙ୍କର ମୂଳ ନାଟକର କଥାବସ୍ତୁ ସହିତ କୌଣସି ସମ୍ବନ୍ଧ ନଥାଏ। ଏସବୁ ଇଣ୍ଟଲ୍ୟୁଡ଼ ଆମ୍ଭମାନଙ୍କ ଯାତ୍ରାରେ ଦ୍ବାରୀ ପ୍ରହସନ ପରି ପ୍ରାୟ। ଏହିସବୁ ପ୍ରହସନ ଗୁଡ଼ିକ ଦର୍ଶକମାନଙ୍କର ଏତେ ଆଦରଣୀୟ ହେଲା ଯେ ଦର୍ଶକମାନେ ମୂଳ ନାଟକ ପ୍ରତି ଆଦୌ ଶ୍ରଦ୍ଧାବାନ୍‌ ହେଲେ ନାହିଁ। ଫଳତଃ ନାଟକ ଦୁଇ ଭାଗରେ ବିଭକ୍ତ ହୋଇଗଲା। ମୋରାଲୀଟି (Morality) ଏବଂ ଇଣ୍ଟରଲ୍ୟୁଡ଼ (Interlude) ମୋରାଲିଟି ନାଟକମାନ ଶିକ୍ଷାମୂଳକ ଏବଂ ଗାମ୍ଭୀର୍ଯ୍ୟପୂର୍ଣ୍ଣ। ପୂରାତନ ରହସ୍ୟ-ନାଟକ ବା ଅଦ୍ଭୁତ-ନାଟକ ମାନଙ୍କଠାରୁ ଏଗୁଡ଼ିକ ଆହୁରି ଆଗକୁ ଆଗେଇ ଯାଇଥିଲେ। ଏଥିରେ ବିଷୟବସ୍ତୁ କବିଙ୍କର ମନଗଢ଼ା; ପାପ ,ଅନୁତାପ, ଧର୍ମ, ନ୍ୟାୟ ପ୍ରଭୃତି ଗୁଣ ଗ୍ରହଣ କରି ନାଟକରେ ବିଭିନ୍ନ ବେଶରେ ଅଭିନୟ କରନ୍ତି। ଅପର ପକ୍ଷରେ ପ୍ରହସନ ଗୁଡ଼ିକର ଉଦ୍ଦେଶ୍ୟ ହେଲା ଦର୍ଶକମାନଙ୍କର ଚିତ୍ତହରଣ। ଧର୍ମଯାଜକମାନେ ଏହିପରି ନାଟକର ପ୍ରଥମେ ବିରୁଦ୍ଧାଚରଣ କରୁଥିଲେ ହେଁ ଏଗୁଡ଼ିକ ଜନସାଧାରଣଙ୍କ ମଧ୍ୟରେ ବିଶେଷ ଆଦରଲାଭ କରି କ୍ରମେ ସାମାଜିକ ଜୀବନର ଏକ ସୁଦୃଢ଼ ଅନୁଷ୍ଠାନ ହୋଇଗଲା। କିନ୍ତୁ ଏ ପର୍ଯ୍ୟନ୍ତ ଇଂରେଜ ନାଟକ ନିର୍ଦ୍ଦିଷ୍ଟ କୌଣସି ଗୁଣ ଗ୍ରହଣ କରିନଥିଲା।

             ଅତଃପର ବୈଦେଶିକ, ବିଶେଷତଃ ଗ୍ରୀକ୍‌ ସାହିତ୍ୟ ସଂସର୍ଗରେ ଆସିବା ଫଳରେ ଇଂରେଜୀ ସାହିତ୍ୟରେ ପ୍ରଥମ କରି ରୀତିମତ ନାଟକର ସୃଷ୍ଟି ହୁଏ। ଗ୍ରୀକ୍‌ ଟ୍ରାଜିଡ଼ିର ଇଂରେଜ ନାଟ୍ୟକାରଙ୍କ ଉପରେ ବିଶେଷ ଭାବେ ପଡ଼ିଲା ; ସେହି କଳା ଓ ରୀତି ଅନୁସରଣ କରି ୧୫୬୨ ଖ୍ରୀଷ୍ଟାବ୍ଦରେ ପ୍ରଥମେ ଇଂରେଜ ଟ୍ରାଜିଡ଼ି ଗର୍ବୋଡକ୍‌ (Gorboduc) ଅଭିନୀତ ହେଲା। ଏସବୁ ଦିଗରେ ମୋରାଲ୍‌ଟି ନାଟକ ଯେପରି ଗ୍ରୀକ୍‌ ଟ୍ରାଜିଡ଼ିର ଅଂଶ ନେଇ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଶୋକାନ୍ତ ନାଟକର ସୃଷ୍ଟି ହେଲା ; ଅପରପକ୍ଷରେ ସେହିପରି ପ୍ରହସନ ଗୁଡ଼ିକ ଉପରେ ବୈଦଶିକ, ବିଶେଷତଃ ଇତାଲୀର ପ୍ରଭାବ ପଡ଼ି ମିଳନାନ୍ତ ନାଟକ (Comedy)ଜନ୍ମ ହେଲା। ଖ୍ରୀଷ୍ଟାବ୍ଦ ୧୫୬୬ ରେ ପ୍ରକାଶିତ ରଲ୍‌ଫ୍‌ ରଏଷ୍ଟର ଡଏଷ୍ଟର (Ralf Roister Doister) ନାମକ ନାଟକ ଇଂରେଜୀ ଭାଷାର ପ୍ରଥମ  ମିଳନାନ୍ତ ନାଟକ ବୋଲି ଗଣ୍ୟ ହୁଏ। ରଙ୍ଗମଞ୍ଚ  ଏ ପର୍ଯ୍ୟନ୍ତ ବି ଅତିଶୟ ଅନୁନ୍ନତ ଅବସ୍ଥାରେ । ଯେତେବେଳେ ରହସ୍ୟ ନାଟକମାନେ ଅଭିନୀତ ହେଉଥିଲା, ଗୀର୍ଜା ମଧ୍ୟରେ ଅତି ସାଧାରଣ ଉପକରଣ ମାନଙ୍କ ସାହାଯ୍ୟରେ ଧର୍ମଯାଜକମାନେ ଅଭିନୟ କରୁଥିଲେ ଏହି ଅଭିନୟ ପୂଜା ଉପାସନା ବିଧିଠାରୁ ଈଷତ୍‌ ପୃଥକ୍‌ ଥିଲା। କିନ୍ତୁ ଯେତେବେଳେ ଉତର ଲୋକ, ବିଶେଷତଃ ଯାତ୍ରାଦଳ ହାତକୁ ଅଭିନୟ ଗଲା, ସେତେବେଳେ ରଙ୍ଗମଞ୍ଚର ଗଠନରେ ଅଧିକ ସାଜସଜ୍ଜା ଦେଖାଗଲା। ଉପକରଣମାନଙ୍କ ଉପରେ ଯାତ୍ରା ଦଳ ସବୁ ମନୋନିବେଶ କଲେ। ଏ ସମୟରେ ରାସ୍ତାର ଛକମାନଙ୍କରେ ଏହି ଅଭିନୟ ସବୁ କରାଯାଉଥିଲା, ଏକପ୍ରକାର ଭ୍ରାମ୍ୟମାଣ ରଙ୍ଗମଞ୍ଚ (pageant)ଉପରେ। ଏହି ରଙ୍ଗମଞ୍ଚ ଦୁଇଟି ଭାଗରେ ବିଭକ୍ତ ଥିଲା, ଉପରଭାଗ ଓ ତଳଭାଗ। ଉପରତାଲା ରଙ୍ଗିନ୍‌ କନା ଘେରା ହୋଇଥାଏ। ତଳତାଲା ଅଭିନେତା ସାଜଶାଳା (Dressing room) ରୂପେ ବ୍ୟବହାର ହୁଏ। ରଙ୍ଗମଞ୍ଚର ନିମ୍ନଭାଗ ନରକର ଅଂଶ ଥିଲା, ରଙ୍ଗମଞ୍ଚ ଏ ପୃଥିବୀ ଓ ତହିଁର ଶୋଭା ସ୍ବର୍ଗର ବ୍ୟଞ୍ଜକ। ସଂକୀର୍ଣ୍ଣ ରାସ୍ରାରେ ଅଭିନୟ ଦେଖିବା ଲାଗି ଭିଡ଼ କମୁଥିଲା ଖୁବ୍‌; ରାଜା, ସାମନ୍ତ, ସୈନିକ, ମଠାଧିକାରୀ, ବ୍ୟବସାୟୀ ଆସି ଠୁଳ ହେଉଥିଲେ। ସ୍ଥାନେସ୍ଥାନେ  ରଙ୍ଗମଞ୍ଚ ଉପରେ ଅଭିନୟ ପରେ ପୁଣି ଅନ୍ୟ ସ୍ଥାନକୁ ରଙ୍ଗମଞ୍ଚକୁ ଟାଣି ନିଅହୁଏ। ଏହାପରେ ସମ୍ଭ୍ରାନ୍ତ ବ୍ୟକ୍ତିଙ୍କର ଆନୁକୂଲ୍ୟରେ ସ୍ଥାୟୀ ରଙ୍ଗମଞ୍ଚ ସମ୍ଭବ ହେଲା। ଏହିସବୁ ରଙ୍ଗମଞ୍ଚରେ ଦୃଶ୍ୟର କୌଣସି ବ୍ୟବସ୍ଥା ନଥିଲା। କେବଳ ଉଚ୍ଚା ମଞ୍ଚ ଉପରେ ଅଭିନେତାମାନେ ସେମାନଙ୍କର ଅଭିନୟ ଦେଖାଉଥିଲେ।ଏହି ମଞ୍ଚ ଉପରେ ସମ୍ଭ୍ରାନ୍ତ ବ୍ୟକ୍ତିମାନଙ୍କୁ ଆସନ ଦିଆଯାଏ ଏବଂ ଇତର ବ୍ୟକ୍ତିମାନେ ରଙ୍ଗମଞ୍ଚ  ତଳେ ଭୂଇଁ ଉପରେ ବସି ଅଭିନୟ ଦେଖନ୍ତି। ଦୃଶ୍ୟର ବ୍ୟଞ୍ଜକ ଥିଲା କେବଳମାତ୍ର ଖଣ୍ଡେ କାଠପଟା; ତାହାରି ଉପରେ ନାଟକୀୟ ଦୃଶ୍ୟ ଉଲ୍ଲେଖ କରି ଦିଆଯାଏ। ଯଥା, ବଳ,ଉଦ୍ୟାନ,ରାଜପ୍ରସାଦ, ପଥ ଇତ୍ୟାଦି। ଦୃଶ୍ୟର ଅଭାବବଶତଃ ନାଟକୀୟ ଚରିତ୍ରମାନଙ୍କର ବକ୍ତବ୍ୟ ମଧ୍ୟରେ ନାଟକୀୟ ସ୍ଥାନ ବର୍ଣ୍ଣନା କରିବାକୁ ପଡ଼ୁଥିଲା ଏବଂ ଏଥିଲାଗି ନାଟକରେ ଛନ୍ଦର ବ୍ୟବହାର ଓ କବିତାର ଚାତୁରୀ ବ୍ୟବହାର ଅତି ଆବଶ୍ୟକ ହେଉଥିଲା। ପଟ ପରିବର୍ତ୍ତନ ପ୍ରକାଶ କରି ଅପର ଏକ ଦୃଶ୍ୟର ବ୍ୟଞ୍ଜନା ହେବାଲାଗି ପ୍ରତ୍ୟେକ ଦୃଶ୍ୟର ଶେଷ ବକ୍ତବ୍ୟର ଅନ୍ତିମ ପଂକ୍ତିମାନଙ୍କରେ ମିତ୍ରାକ୍ଷର ପ୍ରୟୋଗ କରାଯାଉଥିଲା। ମୁକ୍ତ ସ୍ଥାନମାନଙ୍କରେ ଅଭିନୟ ହେଉଥିବାରୁ ନାଟକଗୁଡ଼ିକ ପ୍ରାୟତଃ ଅପରାହ୍ନରେ ଅଭିନୀତ ହୁଏ। ନାରୀଚରିତ୍ରର ଅଭିନୟ ଲାଗି ଅଭିନେତ୍ରୀର ପ୍ରଚଳନ ନଥିବାରୁ ବାଳକମାନେ ନାରୀଚିତ୍ରର ଅଭିନୟ କରୁଥିଲେ।




+ -

© Jataayu Charitable Trust
Site designed,developed & maintained by Tekons