ଇଂରାଜୀ ସାହିତ୍ୟର ଗତିଧାରା




ପୋପ୍‌ଙ୍କ କବିତା ଉଚ୍ଛ୍ବସିତ ମାନବର ବାଣୀ ନୁହେଁ, ଯୁକ୍ତି ଓ ତର୍କ ଉପରେ ତା’ର ପ୍ରତିଷ୍ଠା। ସହର-ଜୀବନ ଏ ଯୁଗରେ ସକଳ କର୍ମର କେନ୍ଦ୍ର ଥିବାରୁ ସେହି ଜୀବନର ଚିତ୍ର ଏ ଯୁଗରେ କବି ଆଙ୍କିବାରେ ବ୍ୟସ୍ତ। ସହରର ଜୀବନ ବ୍ୟକ୍ତିଗତ ସୁଖ ଦୁଃଖ ଜନତାର ଗହଳରେ କାହିଁ ଲୁଚି ଯାଇଥିଲା, କେବଳମାତ୍ର ବେଶଭୂଷା, ଢ଼ଙ୍ଗଢ଼ାଙ୍ଗର ପାର୍ଥକ୍ୟରେ ବ୍ୟକ୍ତିତ୍ବ ଜୀଇଁ ରହିଥିଲା, ଯାହା ଆଚାର ବ୍ୟବହାରର ବାର୍ଥକ୍ୟରେ ଯେଉଁ ସାମାନ୍ୟ ଅଯୌକ୍ତିକତା ପରିଲକ୍ଷିତ ହେଉଥିଲା, ତାହା ଏକ ବ୍ୟକ୍ତିଠାରୁ ଅପରକୁ ଚିହ୍ନାଇ ଦେଉଥିଲା। କବି ତାଙ୍କର କବିତାରେ ଏହି ଅଯୌକ୍ତିକତାକୁ  ବ୍ୟଙ୍ଗ କରିଛନ୍ତି, ଉପହାସ କରିଛନ୍ତି। ପୋପ୍‌ ତଥା ଏ ଯୁଗର ଅନ୍ୟାନ୍ୟ କବିଙ୍କର କବିତାରେ ଉଚ୍ଛ୍ବାସର ଏକାନ୍ତ ଅଭାବ ପରିଲକ୍ଷିତ ହେଲେ ବି ତାଙ୍କର ପଦ୍ୟ ସାର୍ଥକତା ଲାଭ କରିଛି ବ୍ୟଙ୍ଗ ସାହିତ୍ୟ ସୃଷ୍ଟି କରି।    

          ଶତାବ୍ଦୀର ଶେଷାର୍ଦ୍ଧରେ ସାମରିକ ମନୋବୃତ୍ତିରେ ଏକ ପରିବର୍ତ୍ତନ ଦେଖାଯାଏ। ଲୋକେ ଆଉ ନଗରର ଚାକଚକ୍ୟ ଓ ଅଗଭୀର ଜୀବନ ବିଷୟକ ଚିନ୍ତାରେ ମଜ୍ଜି ନ ରହି ଅଧିକ ଦାର୍ଶନିକ ଭାବରେ ସାମାଜିକ ଘଟଣା ଓ ଜୀବନର ସମାଲୋଚନା କରୁଛନ୍ତି। ସହରର ସଭ୍ୟତାରେ ଲୋକେ ଆଉ ଆଶାନ୍ବିତ ନୁହନ୍ତି, କଳ-ସଭ୍ୟତା ବିରୁଦ୍ଧରେ ଲୋକଙ୍କ ମନରେ ପ୍ରତକ୍ରିୟା ଦେଖାଦେଲାଣି, ତେଣୁ ଜନ୍‌ସନ୍‌, କାଉପର,କଲିନ୍‌ସ, ଗୋଲ୍ଡ଼ସ୍ମିଥ୍‌ ପ୍ରଭୃତିଙ୍କ କବିତାରେ ଆମେ ଆଉ ଚାପଲ୍ୟ ଦେଖିବାକୁ ପାଉନାହୁଁ, ସେମାନଙ୍କର ସ୍ବର ଗଭୀର, ଭାଷା ଗୁରୁତ୍ବପୂର୍ଣ୍ଣ। ଏମାନଙ୍କର କବିତା ଉଚ୍ଛ୍ବାସମୟୀ ହୋଇନଥିଲେ ବି ଏହି କବିମାନେ ଗ୍ରାମ ଓ ପ୍ରକୃତି ପ୍ରତି ଦୃଷ୍ଟି ଫରାଇଛନ୍ତି,ସରଳ ଜୀବନର ମର୍ଯ୍ୟାଦା ବୁଝିଛନ୍ତି। ଟୋମସ୍‌ ଗ୍ରେ ନାମକ ଏହି କାଳର ଜଣେ କବି ‘ପଲ୍ଲୀ ଶ୍ମଶାନରେ ବିଳାପ’(Elegy) ନାମକ ଏକ କବିତା ରଚନା କରି ସାହିତ୍ୟରେ ଅମରତ୍ବ ଲାଭ କରିଛନ୍ତି। କବିତା ସୁଦୀର୍ଘ ନ ହୋଇଥିଲେ ମଧ୍ୟ କବି ପଲ୍ଲୀ ଜୀବନର କେତୋଟି ଦୃଶ୍ୟକୁ ସରଳ ଭାଷାରେ ଜୀବନ୍ୟାସ ଦେଇ ତହିଁରେ ମନୁଷ୍ୟର ଅନନ୍ତ ବ୍ୟକ୍ତିତ୍ବ ପ୍ରତିପାଦନ କରି ଅଛନ୍ତି। ଜୀବନରେ ଯଥେଷ୍ଟ ସୁଯୋଗ ପାଇଥିଲେ ଅନାମଧେୟ ଗ୍ରାମବାସୀମାନେ ମଧ୍ୟ ମିଲ୍‌ଟନ୍‌ ଓ କ୍ରମବେଲ୍‌ ହୋଇ ପାରିଥାନ୍ତେ ବୋଲି ଦୃଢ଼ ମତବ୍ୟକ୍ତ କରିଛନ୍ତି। ଏହି କବିତାଟି ଅତି ହୃଦୟସ୍ପର୍ଶୀ , କରୁଣ ରସପ୍ଲୁତ ଓ ଇଂରେଜ ଜନସାଧାରଣଙ୍କ ଅତି ପ୍ରିୟ।

          ତ୍ୟକ୍ତପଲ୍ଲୀ (The Deserted Village) ନାମକ ଏକ କବିତାରେ କବି ଗୋଲ୍‌ଡ଼ ସ୍ମିଥ୍‌ କଳସଭ୍ୟତା ଓ ଶିଳ୍ପ ବିପ୍ଳବକୁ ତୀବ୍ର ସମାଲୋଚନା କରି ଫେରି ଚାହିଁଛନ୍ତି ତାଙ୍କର ବାଲ୍ୟକାଳରରେ ‘ଅବର୍ଣ୍ଣ’ ପଲ୍ଲୀରେ ଯାହା ଥିଲା। ସେଠି ପାଠୁଆ ବୋଲି ଗାଁ ଅବଧାନ, ଧର୍ମଗୁରୁ ବୋଲି ଗୀର୍ଜାର ଯଜମାନ,କିନ୍ତୁ ସମସ୍ତେ ମୁଠେ ଖାଇବାକୁ ପାଉଥିଲେ, ହସ ଖୁସିରେ କାଳ କାଟୁଥିଲେ। ଶିଳ୍ପ ବିପ୍ଳବ ହେଲା, ବିରାଟ କାରଖାନାମାନ ବସିଲା, ଜଣେ ଅଧେ ଦେଶର ସବୁ ଧନ ଲୁଟିକରି ପୁଞ୍ଜିପତି ହୋଇ ତୁଙ୍ଗ ପ୍ରାସାଦ ନିର୍ମାଣ କଲେ, କିନ୍ତୁ ଅନ୍ୟ ଦିଗରେ ଗାଁର ଲୋକେ ସହରକୁ ଆସିଲେ, ନରକ ସମାନ ଗଳିରେ ଦରପେଟା ରୋଗା ମଢ଼ିଆ ହୋଇ କାଳ କାଟିଲେ। ଏହା କ’ଣ ଜାତୀୟ ଉନ୍ନତି? ଗ୍ରାମ୍ୟ ଜୀବନର ସୁଖଶାନ୍ତି ଏଠି କାହିଁ?ଜାତିର ବଳଶାଳୀ ଜନତା କାହିଁ?  ଜନସାଧାରଣଙ୍କୁ ହୀନବଳ ଓ ମୁମୂର୍ଷୁ  କରି ଏ ବାଣିଜ୍ୟଲବ୍ଧ ମୁନାଫା କେଉଁଥିକି ପାଏ? ଏହି ପ୍ରଶ୍ନ ନେଇ କବି ବିବ୍ରତ ହୋଇପପଡ଼ିଛନ୍ତି, ସାମାଜିକ ଜୀବନର ଗତିପଥ ଲକ୍ଷ୍ୟକରି ମର୍ମାହତ ହୋଇ ଜାତକୁ ସାବଧାନ କରାଇ ଦେଇଛନ୍ତି। ଏହି କବିତାରେ କବି ପଲ୍ଲୀର ସାମାଜିକ ଜୀବନର ଯେଉଁ ଛବି ଆଙ୍କିଛନ୍ତି ତାହା ଅତି ବାସ୍ତବ ଓ ମୁଗ୍ଧକର। ବିଷ଼ୟଟି ଅର୍ଥନୈତିକ ହେଲେ ମଧ୍ୟ ଭାଷା ଉଚ୍ଛ୍ବାସମୟୀ ନ ହେଲେ ବି ଛନ୍ଦ ସାବଲୀଳ ହୋଇନଥିଲେ ମଧ୍ୟ କବିଙ୍କର ପ୍ରକାଶଭଙ୍ଗୀ, ଚରିତ୍ର ଚିତ୍ରଣ, ସାମାଜିକ ଜୀବନର ଯଥାଯଥ ବର୍ଣ୍ଣନା ଓ ଅଭିବ୍ୟକ୍ତି ହେତୁ କବିତାଟି ଅତି ଉପାଦେୟ ହୋଇଉଠିଛି।

          ଏହି ଯୁଗର ରଙ୍ଗମଞ୍ଚ ଅଧିକ ଉନ୍ନତିଲାଭ କରିଥିଲେ ବି ଏ କାଳର ନାଟକମାନ ଅତ ନିମ୍ନସ୍ତରର। ରଙ୍ଗମଞ୍ଚରେ ଦୃଶ୍ୟ ସମାବେଶରେ ବ୍ୟବସ୍ଥା ଏ ସମୟକୁ ପ୍ରଚଳିତ ହେଲାଣି ଓ ନାଟକ ଲେଖା ମଧ୍ୟ ବେଶ୍‌ ଅର୍ଥପ୍ରସୁ ହେଲାଣି। ନାରୀ ଚରିତ୍ରମାନଙ୍କର ବାଳକମାନଙ୍କର ସ୍ଥାନ ଅଭିନେତ୍ରୀମାନେ ପୂରଣ କଲେଣି। କିନ୍ତୁ ସମସାମୟିକ ଜୀବନ ଉଚ୍ଚାଙ୍ଗ ନାଟକ ବିକାଶ ପଥରେ ଅନ୍ତରାୟ ଥିଲା।ଯେତେବେଳେ ପ୍ୟୁରିଟାନ୍‌ମାନେ ରାଜନୀତିରେ ବଳଶାଳୀ ଥିଲେ, ନାଟ୍ୟକଳାକୁ ସେମାନେ ଆଦୌ ଆଦର କରୁନଥିଲେ। ଫଳତଃ କ୍ରମବେଲ୍‌ଙ୍କ ଶାସନ କାଳରେ ଅଳ୍ପ କେତେଖଣ୍ଡ ନୀରସ ଉପଦେଶାତ୍ମକ ନାଟକ ବ୍ୟତିରେକେ ଅନ୍ୟ କୌଣସି ନାଟକ ପ୍ରକାଶ ପାଇନଥିଲା। ରାଜାଙ୍କର ପୁନରାରୋହଣ ପରେ ଇଂରେଜ ସାହିତ୍ୟରେ ବହୁତ ନାଟକ ପ୍ରଣୀତ ହେଲା ସତ, କିନନ୍ତତୁ ନିରଭିଳାଷୀ ନିଷ୍କ୍ରିୟ ରାଜାଙ୍କର କାଳକ୍ଷେପ କରିବା ଲାଗି ଉପାଦାନ ଯୋଗାଇଦେବା ଥିଲା ଏ ଗୁଡ଼ିକର ଉଦ୍ଦେଶ୍ୟ। ଏ ନାଟକମାନଙ୍କରେ ବିଷୟର ଗୁରୁତ୍ବ ନାହିଁ। ଗଭୀର ଭାବରରାଶିର ଅଭିବ୍ୟକ୍ତି ନାହିଁ, ଅଛି ମଜା ଓ ତାମସା, ହାସ୍ୟଲାଗି ପ୍ରଚୁର ସାମଗ୍ରୀ ଆଦି ରସାତ୍ମକ ଅଶ୍ଳୀଳତା, ଆଚାରବ୍ୟବହାରଗତ ରଙ୍ଗରସ। ଏହି ନାଟକମାନ ଗଦ୍ୟରେ ଲେଖାଯାଉଥିଲା  ଓ ଚତୁର ଭକ୍ତି  ଥିଲା ଭାଷା ଚମତ୍କାରିତାର ମାପକାଠି। ଫରାସୀ ମିଳନାନ୍ତ (Commedy) ନାଟକରେ ବିଶେଷତଃ ମୋଲିଏର୍‌, ରସିନ ପ୍ରଭୃତି ନାଟ୍ୟକାରଙ୍କ ରୀତିର ଛାୟା ଏ ସମୟର ନାଟକରେ ଅତି ପ୍ରାଞ୍ଜଳ। ଏହି ନାଟ୍ୟକାରମାନଙ୍କ ମଧ୍ୟରେ ଡାଇଡେନ୍‌ ମ୍ରାଡ଼୍‌ବେଲ ଏଥେରେଜ୍‌, ଉଇଚର୍‌ଲେ, କନଗ୍ରିଭ୍‌, ଡନ୍‌ବରୋଲ୍‌ ନାମ ଉଲ୍ଲେଖଯୋଗ୍ୟ।

          ଏହି ସାମାଜିକ ଢ଼ଙ୍ଗଢ଼ାଙ୍ଗ ବିଷୟକ ମିଳନାନ୍ତ ନାଟକ (Commedy of manners) ଶତାବ୍ଦୀର ଶେଷଭାଗକୁ ଅଧିକ ମାର୍ଜିତ ଓ ରୁଚି ସମ୍ପନ୍ନ ହୋଇଯାଇଥିଲା। ଗୋଲ୍ଡସ୍ମଥ୍‌ଙ୍କର She stops to conquer ନାଟକ  ସାମାଜିକ ବ୍ୟବହାର ନେଇ ସଂଘଠିତ ହୋଇଥିଲେ ମଧ୍ୟ ତହିଁରେ ଚରିତ୍ର ଚିତ୍ରଣ ପ୍ରାଞ୍ଜଳ ଓ ସବଳ, ଦୃଶ୍ୟ ସମାବେଶ ସୌଷ୍ଠବ ମଣ୍ଡିତ, ହାସ୍ୟରସ ପରିମାର୍ଜିତ ଓ ରୁଚିକର।

           ଅଷ୍ଟାଦଶ ଶତାବ୍ଦୀର ସାମାଜିକ ଜୀବନ ଗଦ୍ୟ-ସାହିତ୍ୟର ବିକାଶ ଓ ପ୍ରସାର ଲାଗିଥିଲା ଏକାନ୍ତ ଉପଯୋଗୀ। ଏଥିପୂର୍ବେ କବିତା ପିପାସୁ ପାଠକମାନେ ଗଦ୍ୟକୁ ବିଶେଷ ଆଦର କରି ଶିଖିନଥିଲେ; ଲେଖକମାନେ ବି ସମସାମୟିକ ଉଚ୍ଛ୍ବାସମୟ ଜୀବନକୁ ପ୍ରକାଶ କରିବା ଲାଗି ପଦ୍ୟର ଆଶ୍ରୟ ନେଉଥିଲେ। ଏହି ଯୁଗରେ ଜୀବନ ଗଦ୍ୟମୟ ହୋଇଥିଲା; ଲୋକଙ୍କ ମନରେ ଅଦ୍ଭୁତର ସମ୍ଭାବନା ଲାଗି ସ୍ଥାନ ନାହିଁ, ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଲୋକେ ପ୍ରତ୍ୟେକ ସମସ୍ୟାର ସମାଧାନ ଲାଗି ଯୁକ୍ତିତର୍କର ଆଶ୍ରୟ ନେଲେ, ସମାଲୋଚନା ମନୋବୃତ୍ତି ସମସ୍ତଙ୍କର , ରାଜନୀତିରେ ସମସ୍ତେ ଭାଗୀଦାର। ଯୁଗର ସମ୍ମୁଖୀନ ସମସ୍ୟାମାନ ମେଣ୍ଟାଇବା ଲାଗି ଗଦ୍ୟ ଆବଶ୍ୟକ।ଲେଖକମାନେ ଦେଖିଲେ ଆଳଙ୍କାରିକ ଭାଷା ଛାଡ଼ି ସମସ୍ତଙ୍କର ବୋଧଗମ୍ୟ,ସରଳ ଭାଷାରେ ସେମାନଙ୍କର ଚିନ୍ତାଧାରା ପ୍ରକାଶ କରିବା ଦ୍ବାରା ହିଁ ସମାନେ ଅଧିକ ଜନପ୍ରିୟ ହୋଇପାରିବେ। ରାଜନୀତି ଓ ସମାଜରେ ଗଣତନ୍ତ୍ରର ପ୍ରତିଷ୍ଠା ହେତୁ ସମ୍ବାଦପତ୍ରାଦିର ଆବଶ୍ୟକତା ଅନୁଭୂତ ହେଲା। ଫଳରେ ଟାଟ୍‌ଲର, ସ୍ପେନଟେଟର , ରାବଲର ‘ବି’ ପ୍ରଭୃତ ସାମୟିକ ପତ୍ରପତ୍ରିକା ପ୍ରକାଶ ଲାଭ କଲା ଏବଂ ଅଳ୍ପ ସମୟ ମଧ୍ୟରେ ବିଶେଷ ଲୋକପ୍ରିୟ ହୋଇପାରିଲା। ଏହିସବୁ ସାମୟିକ ପତ୍ରପତ୍ରିକା ମାନଙ୍କରେ ନାନା ରଚନା (Eassay) ପ୍ରକାଶ ପାଇଲା। ଚା ଓ କଫିଖଟିରେ ଗରାଖ ପକ୍ଷରେ ଏହିସବୁ ରଚନାର ମୂଲ୍ୟ ଓ ସାର୍ଥକତା ବହୁତ। ରଚନାରେ ଉତ୍‌ଥାପିତ ନାନା କଥା ଓ ପ୍ରସଙ୍ଗର ଆଲୋଚନା ସହିତ ତାହାର ଶୈଳୀ ଓ ପ୍ରକାଶଭଙ୍ଗୀ ଦ୍ବାରା ଚିତ୍ତବିନୋଦନ, ଉଭୟେ ମିଳିତ ହେବା ଦ୍ବାରା ବନ୍ଧୁ ଆଳାପର ସୁଖରେ ପାଠକ ମଜ୍ଜିଯାଉଥିଲା । ଷୋଡ଼ଶ ଶତାବ୍ଦୀରେ ବେକନ୍‌ ଅଳ୍ପ କେତେବି ରଚନା ପ୍ରକାଶ କରି ଇଂରେଜୀ ସାହିତ୍ୟରେ ଗଦ୍ୟ ରଚନାର ସମ୍ଭାବନା ଲାଗି ଯେଉଁ ଆଭାସ ଦେଇଥିଲେ ସେହି ରଚନା ଏହି ଯୁଗରେ ଏଡିଶନ୍‌, ଷ୍ଟିଲ୍‌, ଜନ୍‌ସନ୍‌, ଗୋଲ୍ଡସ୍ମିଥ୍‌ ପ୍ରଭୃତି ଲେଖକଙ୍କ ହାତରେ ପରିପକ୍ବତା ଲାଭକଲା। ଏଡିଶନ୍‌ ଆଦି ରଚନା ଲେଖକ ସମସାମୟିକ ଜୀବନର ଦୋଷଗୁଣ ଦର୍ଶାଇ ସାମାଜିକ ଜୀବନ ଲାଗି ନାନା ଉପଦେଶ ଏହି ରଚନାମାନଙ୍କରେ ଲେଖି ଯାଇଛନ୍ତି। କିନ୍ତୁ ଏହି ଉପଦେଶଗୁଡ଼ିକ ହାସ୍ୟରସ ଓ ବ୍ୟଙ୍ଗକଥା ଛଳରେ ଏପରି ରସାୟିତ ହୋଇଯାଇଛି ଯେ ନୀତିଶିକ୍ଷାର ତିକ୍ତତା ସେଥିରେ ଆଦୌ ନାହିଁ। 




+ -

© Jataayu Charitable Trust
Site designed,developed & maintained by Tekons