ପ୍ରେମର ନିକଷ




“ତୁମେ ନିଜେ ଦୁଃଖିନୀ ମରିୟା, ତାକୁ ବି ସୁଖୀ କରାଇପାରୁପାହିଁ। ତୁମେ ଯାହାକୁ ଦିନେ ଭଲ ପାଉଥିଲ ଆଜି ତାକୁ ଦେଖି ତୁମ ମନରେ ଘୃଣା ଜାଗି ଉଠୁଛି, ତୁମେ କଅଣ ମନେ କରୁଛ ଏଇଟା ସହ୍ୟ କରିବା ଏତେ ସହଜ? ଜୀବନଟାକୁ ଏପରି ନଷ୍ଟ କରିବାର ତୁମର କୌଣସି ଅଧିକାର ନାହିଁ। କାହିଁକି, କାହିଁପାଇଁ ତୁମର ଏହି ଦୁଇଟି ଜୀବନ ଏପରି ଭାବରେ ନଷ୍ଟ ହୋଇଯିବ? ବର୍ତ୍ତମାନ ବୁଝିପାରୁଛି ସେ ଠିକ୍‌ କଅଣ କହିଥିଲା। ତେଣୁ ସେ ଫେରିଆସିବାକୁ ଚାହୁଁ ନଥିଲା, ଯଦିଓ ମୋର ସେତେବେଳେ ମନେ ହେଉଥିଲା ତାହାର ଧାରଣା ଅର୍ଥହୀନ…।”

   ନୀରବ ନିଷ୍ପନ୍ଦ ହୋଇ ମରିୟା ଛିଡ଼ା ହୋଇଥାଏ।

  ହଁ,ଦିନେ ଯୌବନର ବିପୁଳ ସମାରୋହ ଦେହ ମନରେ ଫୁଟି ଉଠୁଥିଲା, ମନେ ହେଉଥିଲା ଯେପରି ତାହାର ଏହି ସମ୍ପଦ ଅଶେଷ ଅସରନ୍ତି, ଚିରଦିନ ବି ସେହିପରି ରହିଥିବ, ତାହାର ଏହି ଯୌବନର ସବୁଜତାରେ ସେ ସାରା ସଂସାରକୁ ବିମୋହିତ କରିପାରିବ।କିନ୍ତୁ ଆଜି ସେ ରିକ୍ତା। ସୁନେଲି ସମାରୋହ ଶେଷ ପାଇଛି, ଫୁଟା ବେଲୁନ୍‌ ପରି ସବୁ ସଂକୁଚିତ ହୋଇଯାଇଛି। ପବନରେ ଉଡ଼ିଯାଏ ରଙ୍ଗୀନ ବେଲୁନ୍‌, ଆନନ୍ଦରେ ଆତ୍ମହରା ହୋଇ କରତାଳି ଦେଇ ପିଲାମାନେ ପଛେ ପଛେ ଗୋଡ଼ାଇ ଥାଆନ୍ତି ହସମୁଖରେ,ବୟସ୍କଲୋକେ ସେହି ବେଲୁନ୍‌ ଆଡ଼େ ଚାହିଁଥାଆନ୍ତି, ରାମଧନୁର ସ୍ବପ୍ନ ଜାଗିଉଠେ । ସୂର୍ଯ୍ୟାସ୍ତରେ ସୁନେଲି ଆଲୋକ ଫେଣ ଉପରେ ପ୍ରତିଫଳିତ ହୁଏ, ଯେପରି ସାତଟି ରଙ୍ଗର ନାଚ ଚାଲିଥାଏ ସେଠି, ପରେ ପରେ ଅବାରଣଗୁଡ଼ିକ ଫାଟିଯାଏ, ମାଟି ଉପରେ ଛିଡ଼ାଅଂଶଗୁଡ଼ିକ ପଡ଼ିରହେ, ରଙ୍ଗର ସମାରୋହ ମିଳେଇଯାଏ, କେହି ଆଉ ଫେରି ଚାହେଁନାହିଁ-ଆବର୍ଜନା! ଆଉ କାହାରି କୌଣସି କାମରେ ସେ ଆସେ  ନାହିଁ । ସେହିପରି ତାର ଯୌବନ ଦିନେ ଥିଲା, ଥିଲା ବ୍ୟସ୍ତ ଦୀପ୍ତ ଇନ୍ଦ୍ରଧନୁର ସ୍ବପ୍ନଭରା ରଙ୍ଗିନ,ବେଲୁନ୍‌, ପରି ତାହା କ୍ଷଣସ୍ଥାୟୀ ଥିଲା, କେତେକ ଘଣ୍ଟାପାଇଁ ମାତ୍ର।

  “-ଶୁଣୁଛ ମୋ କଥା ମରିୟା ?”

  ମରିୟା ମୁଣ୍ଡ ହଲାଇଲା ସେ ଣୁଣିଛି ବୋଲି । ଏହି ଧୂସର କୁହେଳିକା ଭେଦକରି ଭରୋନତ୍ସଭ୍‌ର ସ୍ବର ତାହାର କାନ ଭିତରକୁ ଭାସି ଆସୁଛି।

  “ସ୍ବାଭାବିକ, ସୁସ୍ଥ ମନୁଷ୍ୟ ପରି ତୁମକୁ ବଞ୍ଚି ରହିବାକୁ ହେବ- ଏହାହିଁ ତୁମ ପକ୍ଷରେ ନିତାନ୍ତ ଉଚିତ୍‌ । ମୁଁ ତୁମକୁ ଭଲପାଏ… ଶୁଣୁଛ ମରିୟା ମୁଁ ତୁମକୁ ଭଲପାଏ…।

  “କିନ୍ତୁ ମୁଁ ତ ତୁମକୁ ଭଲପାଏ ନାହିଁ, ଡାକ୍ତର!” କଳା ବରଫ ଉପରେ ପଡ଼ିଥିବା ଗୋଟାଏ ପାଦ ଚିହ୍ନ ଆଡ଼କୁ ଅନାଇ ଧୀରକଣ୍ଠରେ ମରିୟା କହିଲା।

  “ମୁଁ ଜାଣେ ସେ କଥା, ମରିୟା…ଆଉ ସେଥିପାଇଁ ଆଶା କରେନାହିଁ ଯେ ବର୍ତ୍ତମାନ ତୁମର ପ୍ରେମ ପା‍ଇବି… ଚାଲ ମୋ ସହିତ, ଦୁଇଜଣ ଯାକ ଏଠାକୁ ଚାଲିଯିବା, ଅନ୍ୟ କେଉଁଠାକୁ। ବଦଳି ହେବାର ବନ୍ଦୋବସ୍ତ ମୁଁ କରିପାରିବି। ଆମେ ଦୁହେଁ ଦୂରକୁ ଚାଲିଯିବା, ବହୁତ ଦୂରକୁ…ସେଠାରେ ଉନ୍ମୁକ୍ତ ଆକାଶ ତଳେ ପାହାଡ଼ର ପାଦଦେଶରେ ଆମର ଘର ତୋଳିବା, ମୁକ୍ତବାୟୁରେ…। ଫଳନ୍ତି ଗଛରେ ଫଳ ଝୁଲିବ, ବଗିଚାରେ ଫୁଲ ଫୁଟିବ, ଗନ୍ଧଭରା ଗୋଲାପର ରଙ୍ଗୀନ ସମାରୋହ…। ତୁମେ ସବୁ ଭୁଲିଯିବ, ତୁମର ମନରୁ ଅତୀତର ସ୍ମୃତି ପୋଛି ହୋଇଯିବ। ତା’ ପରେ ହୁଏତ ମୋ ପ୍ରତି ତୁମର ବିରାଗ ନଥିବ; ହୁଏତ ଦିନେ ମୋ ପ୍ରତି ତୁମ ମନରେ ଟିକିଏ ସୌନ୍ଦର୍ଯ୍ୟ ଆସିବ। ତୁମେ ମୋତେ ଜାଣିଚ ଭଲ କରି ଜାଣିବ, ମୁଁ କି ଧରଣର ଲୋକ… ମୁଁ ତୁମକୁ ଭଲପାଏ, ମରିୟା। ମୋର ସମସ୍ତ ଶକ୍ତି ଦେଇ ଚେଷ୍ଟା କରିବି ଯେପରି ତୁମେ ମୋତେ ପାଇ ସୁଖୀ ହୋଇପାରିବ। ମୋତେ ସେ ପ୍ରଚେଷ୍ଟାର ସୁଯୋଗ ଦିଅ, ମରିୟା…।”

  “ଆଉ ଗ୍ରେଗରୀ ?” ମୃଦୁକଣ୍ଠରେ ମରିୟା ପ୍ରଶ୍ନ କଲା।

  “ତୁମର ଏ ପ୍ରଶ୍ନ , ତାର ଭତ୍ତର ମୁଁ ଦେବି, ମରିୟା । କିନ୍ତୁ ତାହା ତ ତୁମେ ନିଜେ ଜାଣିଚ, ନିଜ ମନକୁ ମନ ଅନୁମାନ କରିପାରିବ। ବର୍ତ୍ତମାନ ତୁମ ସାଙ୍ଗରେ ରହିବା ତାହା ପକ୍ଷରେ ମୋଟେ ସମ୍ଭବ ନୁହେଁ। ତୁମେ ତାମନରେ କୌଣସି ଆଘାତ ଦେବ, ତା’ ସେ ସହ୍ୟ କରିବ ନାହିଁ… ସେ ସବୁ ଦେଖି ପାରୁଛି , ପରିଷ୍କାର ବୁଝି ପାରୁଛି ତୁମ ଅନ୍ତରରେ କଅଣ ହେଉଛି। ମନେରଖ ସେ ମଧ୍ୟ ଏହାହିଁ ଚାହିଁଥିଲା… ଥରେ ଭାବି ଦେଖ ଯଦି ସୋନିଆ ସେଠାରେ ନଥାନ୍ତା ତେବେ ସବୁକଥା ଅନ୍ୟପ୍ରକାର ହୋଇଥାନ୍ତା…।”

  -ତା ନିଶ୍ଚୟ। ସବୁ କିଛି ଅନ୍ୟପ୍ରକାର ହୋଇଥାନ୍ତା। ହଠାତ୍‌ ସେହି ଘନ କୁହେଳିକା ଦୁଇଗୁଣ ହୋଇଗଲା ପରି ବୋଧହେଲା ଓ ସେହି ସଂକୀର୍ଣ୍ଣ ଫାଙ୍କ ମଧ୍ୟରେ ମରିୟା ଦେଖିପାରିଲା ଗ୍ରେଗରୀ ମରିଯାଇଛି। ତାହାର କୌଣସି ଏକ ଅଜଣା ଦେଶରେ ମୃତ୍ୟୁ ହୋଇଯାଇଛି – ଆଉ ଏ ଜୀବନରେ ମରିୟା ତାକୁ ଦେଖିପାରିବ  ନାହିଁ। ସେହି ବେରିଓ ଝୋଭକାର ବାଟ, ସେହି ନିର୍ଜ୍ଜନ ମୁହୂର୍ତ୍ତରେ ଗ୍ରେଗରୀ ଆଉ ନାହିଁ, ଆଉ ଫେରିଆସିବ ନାହିଁ। ଭୟରେ ମରିୟାର ଦେହ ଶୀତେଇ ଉଠୁଛି,ସେ ସବୁ ଭୁଲି ଯାଉଛି, ପରବର୍ତ୍ତୀ ଦିନର କଥାଗୁଡ଼ିକ ତାହାର ମନରୁ ଉଭେଇ ଯାଉଛି… ଟେଲିଗ୍ରାମ, ନୋଟିସ୍‌ ଆଉ ଗ୍ରେଗରୀର ଫେରିଆସିବା, ସମସ୍ତ ବିଷୟ ….। ମରିୟା କମ୍ପି ଉଠିଲା।

  “କଅଣ ହେଲା ମରିୟା?” ଚମକିଉଠି ଭରୋନତ୍ସଭ୍‌ ପ୍ରଶ୍ନ କଲା।

  “ନା, କିଛି ନୁହେଁ…।”

   କିନ୍ତୁ ସେମାନେ ଗ୍ରେଗରୀକୁ ଫେରାଇ ଆଣିଛନ୍ତି-ସେ ବର୍ତ୍ତମାନ ଘରେ ଅଛି; ଆଉ ମରିୟା ବର୍ତ୍ତମାନ ଏହି ନଦୀକୂଳରେ ଛିଡ଼ା ହୋଇଛି ଭରୋନତ୍ସଭ୍‌ ପାଖରେ। ସବୁ ଅତୀତର ଗର୍ଭରେ ବିଲୀନ ହୋଇଯାଇଛି।

 “ଉତ୍ତର ଦିଅ ମରିୟା, କୁହ ତୁମେ କଅଣ ଭାବୁଛ ? କାହିଁ, କିଛି କହୁନାହିଁ ଯେ, ଚାଲ ଦିହେଁ ଦୂରକୁ ଚାଲିଯିବା । ନୂତନ ଜୀବନ ଆରମ୍ଭ କରିବା। କଅଣ କହୁଛ?”

   ଯନ୍ତ୍ରଚାଳିତ ପରି ମୁଣ୍ଡ ହଲାଇ ମରିୟା ଇଙ୍ଗିତ ଦଲା। ତାହାର ଦୃଷ୍ଟି ଦୂରରେ ବରଫ ଉପରେ ପଡ଼ିଥିବା ସେହି ପଦଚିହ୍ନ ଉପରେ ନିବଦ୍ଧ ରହିଛି। ଗୋଟାଏ ସୁଟ୍‌କେଶ୍‌ରେ ଭର୍ତ୍ତି କରି ସବୁ ନେଇଯିବାକୁ ହେବ, ଫୁଲ ଫୁଟି ଉଠିବ…ଜର୍ଜିଆରେ ଗରମ ପଡ଼ିବାକୁ ଆରମ୍ଭ କରିଛି ବର୍ତ୍ତମାନ । ହଁ, ଭରୋନତ୍ସଭ୍‌ ସାଙ୍ଗରେ, ନିଶ୍ଚୟ ଭରୋନତ୍ସଭ ସାଙ୍ଗରେ ।

  “ଆଜି ହେଉ, କାଲି ହେଉ ତୁମକୁ ଯେତେବେଳେ ଏହି ବାଟ ଧରିବାକୁ ହେବ, ତେବେ ଅଯଥା ବିଳମ୍ବ କରି ସମୟ ନଷ୍ଟ କରିବାରେ କି ଲାଭ? ଆଜି ଆମେ ତିନିଜଣ ଯାକ ଦୁଃଖୀ…କେବଳ ଏଇଥିପାଇଁ…।”

  ପୁଣି ଯନ୍ତ୍ରଚାଳିତ ପରି ମରିୟା ତା ପ୍ରସ୍ତାବରେ ସମ୍ମତି ଜଣାଇଲା। ପୁଣି ଧୂଆଁଳିଆ କୁହୁଡ଼ି ମାଡ଼ି ଆସିଲା, ଫୁଲ ଫୁଲ ମଧ୍ୟରେ ପ୍ରାଚୀର ପରି ଛିଡ଼ା ହେଲା। ଏହି ଘନ ଦିଗନ୍ତ ବ୍ୟାପୀ କୁହେଳିକା ମଧ୍ୟରେ ସ୍ବର କାହିଁ ହଜିଗଲା।

 

    ଭରୋନତ୍ସଭ ଏଆଡ଼କୁ ସେଆଡ଼କୁ ଚାହିଁଲା, ପାଖଆଖରେ କେହି କେଉଁଠାରେ ନାହାନ୍ତି, ଦୃଷ୍ଟିର ସ୍ନିଗ୍ଧ ଧାରା ଝରିପଡ଼ୁଛି, ନୀରବରେ ମରିୟାର ହାତଟି ତାହାର ହାତ ଉଠାଇନେଲା। ତା’ ପରେ ତୃଷିତ ଅଧରରେ ଏକ ଗଭୀର ଚୁମ୍ବନ ଆଙ୍କିଦେଲା ସେହି ହାତଟି ଉପରେ ।




+ -

© Jataayu Charitable Trust
Site designed,developed & maintained by Tekons