ପ୍ରେମର ନିକଷ




॥ ପନ୍ଦର ॥

“ପ୍ରଫେସର କହୁଛନ୍ତି,ଏଥର ତୁମେ ଘରକୁ ଯାଇପାର।” ମରିୟା ଆସି କହିଲା କିନ୍ତୁ କାଳେ ତାହା ସହିତ ଆଖି ଆଖି ମିଳିଯିବ ଏହି ଭୟରେ ସେ ମୁହଁ ତଳକୁ କରି ରହିଥାଏ ।

  “ଘରକୁ …।”କମ୍ପିତ ମୃଦୁ ସ୍ବରରେ ଗ୍ରେଗରୀ କହି ଉଠିଲା।

  “ନା, ଏଠାରେ ରହିବାର ଆଉ ମୋଟେ ପ୍ରୟୋଜନ ନାହିଁ।” ଏତକ କହି ମରିୟା ଚେଷ୍ଟାକୃତ ପ୍ରଫୁଲ୍ଲତାର ଅଭିନୟ କରି ଚଞ୍ଚଳ ହୋଇଉଠିଲା।

 “ହାସପାତାଳରେ ରହିବା ଢେର ହୋଇଗଲାଣି , ଆଉ ନୁହେଁ।”

 ଗ୍ରେଗରୀ ମରିୟା ଆଡ଼େ କେବଳ ଅନାଇ ରହିଲା। ହଠାତ୍‌ ମରିୟା ତଳୁ ଯାବତ୍‌ ଜିନିଷ ଗୋଟାଇବାକୁ ଲାଗିଲା ଯଦିଓ ସେ କିଛି ଦେଖିପାରୁନାହିଁବା କିଛି ଲକ୍ଷ୍ୟ କରି ପାରୁନାହିଁ। ସେ ସତେ ଯେପରି ଭାରି ବ୍ୟସ୍ତ ଏହିପରି ଗୋଟା, ଭାବ ପ୍ରକାଶ କରୁଥାଏ।

  କାରଣ ଏହାଠାରୁ ଆହୁରି ସାଘାଂତିକ ଅନେକ ବିଷୟ ଅଛି ଆଗରେ…ସେମାନଙ୍କର ଭ‍ବିଷ୍ୟତ ଜୀବନରେ। ସେଠାରେ ତ ମରିୟା ବ୍ୟସ୍ତ ଥିବା ଛଳନା କରି ଅଲଗା ହୋଇ ଚଳିପାରିବ ନାହିଁ, ଗ୍ରେଗରୀ ସହିତ ରୋଗୀପରି ବ୍ୟ‍‍ବହାର କରିପାରିବ ନାହିଁ। ସେଠାରେ…ସେଇଟା ହେଉଛି ଘର, ଆଉ ଗ୍ରେଗରୀ ତାହାର ସ୍ବାମୀ, ସହଜ ସରଳ ସ୍ବଭାବିକ ଜୀବନ, ତାହାର ମା ’ଙ୍କର ସନ୍ଦେହପୂର୍ଣ୍ଣ ଦୃଷ୍ଟି ପ୍ରତି ମୁହୂର୍ତ୍ତରେ ନିଆଁଖୁଣ୍ଟା ପରି ବିନ୍ଧିବ। ତାହାର ବ୍ୟବହାରରେ ସେ ବିରକ୍ତ ହୋଇ ଉଠିବେ ମନେ ମନେ, ପ୍ରତିଦିନ ଏଠାରେ ଯାହା ଘଟୁଛି ତାହାଠାରୁ ଶତଗୁଣ କଠିନ କରିଶ୍ରମ ହୋଇଉଠିବ ସେଠାରେ ଚାଲିବା।

  ଗୋଟାଏ ଦାରୁଣ ଭୟରେ ମରିୟା ଶିହରି ଉଠୁଥିଲା,ତାହାର କଣ୍ଠରୁଦ୍ଧ ହୋଇଆସିଥିଲା, ପ୍ରଫେସରଙ୍କ ଆଗରେ କହିପାରିନାହିଁ “ନା, ମୁଁ ଚାହେଁନା।” ଯେତେବେଳେ ସେ କହିଥିଲା ଗ୍ରେଗରୀର ଅବସ୍ଥା ଭଲ, ବର୍ତ୍ତମାନ ତାଙ୍କୁ ଘରକୁ ନେଇ ଚିକିତ୍ସା କରିପାର, ସେତେବେଳେ ମରିୟା କହି ପାରିନାହିଁ “କ୍ଷମା କରନ୍ତୁ ମୋତେ , ମୋର ଅନୁରୋଧ ଆପଣ ତାଙ୍କୁ ଯେତେ ବେଶୀଦିନ ରଖିବାର ରଖନ୍ତୁ। ଦୂରକୁ ଆହୁରି ଦୂରକୁ ଚାଲିଯାଉ ସେହି ମୁହୂର୍ତ୍ତ ଯେଉଁ ମୁହୂର୍ତ୍ତରେ ଗୋଟାଏ ଘରେ ତାକୁ ତାଙ୍କର ସାମ୍ନା ହୋଇ ବସି ରହିବାକୁ ପଡ଼ିବ। ଆଉ ସେହି ଘରେ… ଯେଉଁ ଘରର ପ୍ରତ୍ୟେକ ଜିନିଷ ସହିତ ସେମାନଙ୍କର ଦୁଇବର୍ଷର ପ୍ରଣୟପୂର୍ଣ୍ଣ ମଧୁର ସୁଖସୃତି ଜଡ଼ିତ ରହିଛି।”

  ମରିୟାକୁ ସେହି ଭୟ ଏଡ଼ାଇବାକୁ ପଡ଼ିଥିଲା, ଜୋର୍‌ କରି ଓଠକୋଣରେ ହସ ଫୁଟିଇବାକୁ ପଡ଼ିଥିଲା ଏବଂ ଏହି ସରଳ ବୃଦ୍ଧ ପ୍ରଫେସରଙ୍କୁ ପ୍ରତାରିତ କରିବାକୁ ପଡ଼ିଥିଲା । ପ୍ରଫେସର…ଯେ ଗ୍ରେଗରୀକୁ ଭଲ ହୋଇଯିବାର ଦେଖି ଅତି ଆନନ୍ଦିତ ହୋଇଥିଲେ ।

 ମରିୟାର ମା’  ଏ ପର୍ଯ୍ୟନ୍ତ ଚୁପ୍‌ ହୋଇ ରହିନାହାନ୍ତି , ପ୍ରତିବେଶୀ ସମସ୍ତଙ୍କ ପାଖରେ ଏ ଖବର ସେ ଜଣାଇଦେଇଛନ୍ତି କିମ୍ବା ସେମାନେ ସବୁ କଅଣ ଗୋଟାଏ ଅନୁମାନ କରି ଅପେକ୍ଷା କରି ରହିଛନ୍ତି । ଝରକାମାନଙ୍କରୁ କୌତୁହଳପୂର୍ଣ୍ଣ  ମୁହଁଗୁଡ଼ିଏ ଉଣ୍ଡିମାରି ଦେଖୁଛନ୍ତି , ଦୁଇପାଖର ଘରଗୁଡ଼ିକର ଦୁଆର ଖୋଲି ବାହାରିଆସି ସେମାନଙ୍କ ପଛେ ପଛେ ଚାଲିଛନ୍ତି, ଭିଡ଼ ହୋଇଯାଇଛି , ଯେପରି ଗୋଟିଏ ବିଜୟ ଉତ୍ସବର ବିଜୟ ଶୋଭାଯାତ୍ରା।

  ପ୍ରଥମ ମହଲାଟି ଲୋକରେ ଭର୍ତ୍ତିହୋଇଯାଇଛି ସତେ ଯେପରି ସେଇଟା ଗୋଟିଏ ଲୋକ ଗହଳିପୂର୍ଣ୍ଣ ରାଜପଥ। ଏପରିକି ସେମାନଙ୍କ ଘରର ଦୁଆରଟାରେ ଲୋକେ ପୂରି ରହିଛନ୍ତି । ସେ ଏହି ସହାନୁଭୂତିପୂର୍ଣ୍ଣ ଲୋକଗୁଡ଼ାଙ୍କୁ ଆସିବାକୁ ନ ଦେଇ ଦୁଆରଟା ହୁଏତ ବନ୍ଦ  କରିଦେଇ ପାରିଥାନ୍ତେ।

  ଦାରୁଣ ଉତ୍ତେଜନାରେ ଗ୍ରେଗରୀର ମୁହଁଟି ପାଣ୍ଡୁର ପଡ଼ିଗଲା । ଏହି ସେହି ଘର, ଯେଉଁ ଘରଟି ଦିନେ ସେମାନଙ୍କ ପାଖରେ ଆନନ୍ଦମୟ ମଧୁର ମିଳନର ସ୍ବର୍ଗ ପରି ମନେ ହେଉଥିଲା । ଗ୍ରେଗରୀ ହାତରେ ଲେଖାଲେଖି ପାଇଁ ଥିବା ଟେବୁଲ୍‌ଟିକୁ ସ୍ପର୍ଶ କଲା, ଟେବୁଲ୍‌ ଉପରେ ମରିୟାର ଫଟୋଟା ନେଇ ଏପାଖ ସେପାଖ କଲା, ରୂପାର ଫ୍ରେମ୍‌ରେ ବନ୍ଧା ହୋଇଥିବା ନିଜର ଫଟୋଟାକୁ ହାତକୁ ଉଠାଇ ନେଲା । ଗ୍ରେଗରୀ ର ଫଟୋ… ଯେଉଁ ଗ୍ରେଗରୀ ଆଉ ବଞ୍ଚି ରହିନାହିଁ।

   “ସେଇଟା ଲୁଚାଇ ରଖିବା ଉଚିତ୍‌ ଥିଲା ” ମରିୟା ମନେ ମନେ ଭାବିଲା, କିନ୍ତୁ ବର୍ତ୍ତମାନ ଏହା ନିରର୍ଥକ ।

    ପାଟିତୁଣ୍ଡ କରି ମରିୟାର ମା’ ଗୋଟାଏ ହଟ୍ଟଗୋଳ ସୃଷ୍ଟି କରି ବସିଲାଣି , କେତେବେଳେ କାନ୍ଦୁଛନ୍ତି- କାନ୍ଦୁକାନ୍ଦୁ ଆଖିରୁ ଆନନ୍ଦାଶ୍ରୁ ବହିଯାଉଛି, ଆଉ କେତେବେଳେ ବା ଆସି ପରମ ସ୍ନେହରେ ଗ୍ରେଗରୀର ପିଠିରେ ହାତ ବୁଲାଇ ଦେଇ ଯାଉଛନ୍ତି, ତାଙ୍କ ପାଖରେ ଗ୍ରେଗରୀ ହେଉଛି ସେଇ ଆଗକାର ଗ୍ରେଗରୀ, ତେଣୁ ସ୍ବଭାବତଃ ତାଙ୍କର ଝିଅର ମନରେ କଅଣ ହେଉଛି ନ ହେଉଛି ଏ ସବୁ ଖୋଜଖବର ନେବାକୁ ଅବସର ନାହିଁ।

   ହାସପାତାଳର ଚପରାସୀମାନେ ବିଦାୟ ନେଇ ଚାଲିଗଲେ ଏବଂ ଭରୋନତ୍ସଭ୍‌ ସଙ୍ଗେ ସଙ୍ଗେ ଉଠିପଡ଼ିଲା, ମରିୟା ଅବଶ୍ୟ ଆଉ କିଛି ସମୟ ତାକୁ ସେଠାରେ ରହିବାକୁ ଚାହିଁଥିଲା। କିନ୍ତୁ ଭରୋନତ୍ସଭ୍‌ ତାହା ଜାଣି ପାରେନାହିଁ। ମରିୟା ଅଗତ୍ୟା ମା’ ଙ୍କ ସହିତ ବ୍ୟସ୍ତ ରହେ,ହଜାର ରକମର ଅର୍ଥହୀନ ପ୍ରଶ୍ନ କରେ ଗୋଟାକ ପରେ ଗୋଟାଏ, ଅବଶ୍ୟ କୌଣସି କଥାର ଜବାବ ଶୁଣିବାକୁ ଆଗ୍ରହ ନଥାଏ , ତାର ଅନ୍ତର ବାରମ୍ବାର କମ୍ପିଉଠୁଥାଏ।

  ଚା-ଚର୍ଚ୍ଚା ସରିଗଲା, ଘଡ଼ିର କଣ୍ଟା ଛୁଟିଚାଲିଛି । ଶୁଭକାମନା କରି ବୃଦ୍ଧା ଗ୍ରେଗରୀର କପାଳରେ ଗୋଟାଏ ଚୁମା ଦେଇ ଚାଲିଗଲେ, ଅଜଣା ଗୋଟିଏ ଦାରୁଣ ଭୟରେ ମରିୟା କମ୍ପିଉଠିଲା । ହଠାତ୍‌ ସେ ଫକ୍‌ କରି ଛିଡ଼ାହେଲା , ଅନାବଶ୍ୟକ ଭାବେ ସେ ଟେବୁଲ୍ ଉପର ଚାଦରଟା ଭାଙ୍ଗ କରିବାକୁ ଆରମ୍ଭ କଲା ତା’ପରେ କଅଣ କରାଯିବ?

  ଧିରେ ଶାନ୍ତ କଣ୍ଠରେ ଗ୍ରେଗରୀ କହିଲା, “ସେ ଘରୁ ତୁମପାଇଁ ଶେଯଟା ନେଇଆସୁନ ମରିୟା ?” ମା’ ଙ୍କର ଅପ୍ରସନ୍ନ ଦୃଷ୍ଟିକୁ ଉପେକ୍ଷା କରି ମରିୟା ସେ ଘରୁ ଶେଯଟା ନେଇଆସିଲା ଏଘରକୁ। ଶେଯଟାକୁ ଠିକ୍‌ ଭାବରେ ରଖିବାପାଇଁ ଘରେ ଯେପରି ଟିକିଏ ବୋଲି ଜାଗା ନାହିଁ, ଅବାଚ୍ଛିତ ଅତିଥି ଲାଗି ଅପ୍ରସ୍ତୁତ ହୋଇ ସେଇଟା ଯେପରି ଅଡ଼ୁଆ ହୋଇଯାଇଛି ।

  “ବଡ଼ କ୍ଳାନ୍ତ ହୋଇପଡ଼ିଛି” ଗ୍ରେଗରୀ କହିଲା “ତୁମେ କିଛି ମନେ କରିବ ନାହିଁ, ବର୍ତ୍ତମାନ ମୁଁ ଟିକିଏ ଶୋଇବି”। ବିଛଣାକୁ ଉପରକୁ ଯାଇ ଗ୍ରେଗରୀ କାନ୍ଥଆଡ଼େ ମୁହଁ ବୁଲାଇ ଶୋଇପଡ଼ିଲା।

  ମରିୟା ଏକା ଯାଇ ତାହାର ବିଛଣାରେ ଶୋଇଲା, କିନ୍ତୁ ତାହାର ଆଖିକୁ ଟିକିଏ ବି ନିଦ ଆସିଲା ନାହିଁ ଗୋଟାଏ ବେଦନାଦାୟକ ଦାରୁଣ ଲଜ୍ଜାରେ ତାହାର ଅନ୍ତର ଭରି ଉଠିଛି-ସେ କଅଣ, ଯାହା ଲାଗି ମରିୟା ଏତେ ଭୟାର୍ତ୍ତ ହେଉଛି? ନିଜକୁ ସେ ଖୁବ୍‌ ହୀନ ମନେକଲା । ନିଜର ସଂକୁଚିତ ହୃଦୟ ଲାଗି ଲଜ୍ଜିତ ହେଲା ସେ। ମୁହୂର୍ତ୍ତକ ପାଇଁ ମନେହେଲା ଯେପରି ଗ୍ରେଗରୀ ପଙ୍ଗୁ ନୁହେଁ –ପଙ୍ଗୁ, ବିକଳ , ବିଭତ୍ସ ହୋଇଯାଇଛି ତାହାର ନିଜର ଅନ୍ତର ।




+ -

© Jataayu Charitable Trust
Site designed,developed & maintained by Tekons